କବିସୂର୍ଯ୍ୟ ବଳଦେବ ରଥ

କବିସୂର୍ଯ୍ୟ ବଳଦେବ ରଥ ଅସାଧାରଣ କବିତ୍ୱର ଅଧିକାରୀ ଅନ୍ୟତମ ପ୍ରାଚୀନ କବି । ସପ୍ତଦଶ ଶତାବ୍ଦୀରୁ ଓଡ଼ିଆ ସାହିତ୍ୟରେ ଆରମ୍ଭ ହୋଇଥିବା କୃଷ୍ଣ ଲୀଳାମୃତ ଗୀତ ରଚନା ତାଙ୍କର କାବ୍ୟ କବିତା ଗୁଡ଼ିକରେ ଚରମ ଉକ୍ରର୍ଷ ଲାଭ କରିଥିଲା । ମଧ୍ୟ ଯୁଗୀୟ ଗୀତିକାବ୍ୟର ବିଧିବଦ୍ଧତାରୁ ସେ ଓଡ଼ିଆ କବିତାକୁ ବହୁ ପରିମାଣରେ ମୁକ୍ତ କରିଥିଲେ । ଅଳଙ୍କାରର ପ୍ରାଧାନ୍ୟକୁ ସେ ପରିହାର କରିବା ସହ ଚଉପଦି ରଚନାରେ ଅଧିକ ମନୋନିବେଶ କରିଥିଲେ । ସଂଗୀତକୁ ସଂଳାପର ମର୍ଯ୍ୟାଦା ଦେବା ସହ ମାତ୍ରା, ବୃତ୍ତ ଓ ଛନ୍ଦର ପ୍ରବର୍ତ୍ତନ କରିଥିଲେ । ଆଧୁନିକ କାବ୍ୟ ଭାଷା ନିର୍ମାଣ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ତେଣୁ ସେ ଯଥାର୍ଥରେ କବିସୂର୍ଯ୍ୟ । ଏହି ଉପାଧି ତାଙ୍କୁ ପ୍ରଦାନ କରିଥିଲେ ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ । କବିଙ୍କର ପ୍ରଥମ କାବ୍ୟ ଚନ୍ଦ୍ରକଳା । ଭଞ୍ଜୀୟ ଗୀତିକାବ୍ୟ ଆଧାରରେ ବଳଦେବ ଏହାକୁ ରଚନା କରିଥିଲେ । ପ୍ରାୟ ପନ୍ଦରଟି ଛାନ୍ଦ, ନଅଟି ଚଉତିଶା, ସାଢ଼େ ଚାରି ଶହରୁ ଅଧିକ ଚଉପଦି ସମେତ ବହୁ ଭଜନ, ଜଣାଣ, ଚିଟାଉ, ଢ଼ୁଂପା ଓ ମନାସ ଆଦିର ସଫଳ ରଚୟିତା ସେ । ତିନିଟି ପ୍ରସିଦ୍ଧ ଚମ୍ପୁ ରଚନା କରିଥିଲେ ।  କିଶୋରଚନ୍ଦ୍ରାନନ ଚମ୍ପୁ କବିଙ୍କର ଶ୍ରେଷ୍ଠ କାବ୍ୟକୃତି । ଏଥିରେ "କ' ଠାରୁ "କ୍ଷ' ପର୍ଯ୍ୟନ୍ତ ଚଉତିରିଶଟି ବ୍ୟଞ୍ଜନ ବର୍ଣ୍ଣର କ୍ରମାନୁସାରେ କବିତା ରଚିତ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବ୍ୟଙ୍ଗ ଓ ହାସ୍ୟ ରସର ବର୍ଣ୍ଣନା କ୍ୱଚିତ୍ ଥିବାବେଳେ ବଳଦେବ ରଚନା କରିଥିଲେ ଗଦ୍ୟ କଥା ହାସ୍ୟକଲ୍ଲୋଳ ଓ ବ୍ୟଙ୍ଗାତ୍ମକ କବିତା ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ, କାହାକୁ କହିବା କପାଳରେ ସିନା କର ତାଡ଼ିବା । ଜଗନ୍ନାଥ ଜଣାଣ ମହାବାହୁ ଜଣାଣ, ସର୍ପ ଜଣାଣ ଆଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମାଘ ଶୁକ୍ଳ ପଞ୍ଚମୀ ତିଥି (ଜାନୁଆରୀ ୨୨)ରେ ବଳଦେବ ଜନ୍ମ ହୋଇଥିଲା । 
ଡ.ଅରୁନ୍ଧତୀ ଦେବୀ
ମୋ: ୯୯୩୭୧୭୨୮୧୦