କୋଲକତା ନିର୍ଭୟାଙ୍କୁ ନ୍ୟାୟ
ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି କରିଥିବା ପଶ୍ଚିମବଙ୍ଗ ସରକାରଙ୍କ ନିୟନ୍ତ୍ରଣାଧୀନ ଆର.ଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ମାତ୍ର ୧୬୧ ଦିନରେ ଘୋଷଣା କରି ଜିଲ୍ଲା ଦୌରା ଅଦାଲତ ଦୋଷୀ ସଂଜୟ ରାୟଙ୍କୁ ମୃତୁ୍ୟ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଦେବା ସ୍ୱାଗତଯୋଗ୍ୟ ଏବଂ ଦେଶର ବିଚାର ପଦ୍ଧତି ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ସୁଦୃଢ କରିବାରେ ସହାୟକ ହୋଇପାରିଛି ବୋଲି କୁହାଯାଇପାରିବ । ଆମ ଦେଶରେ ବିଚାର ପ୍ରକ୍ରୀୟାରେ ମନ୍ଥରତା ଚିନ୍ତାର କାରଣ ହୋଇଥିବାବେଳେ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତଦନ୍ତ ଓ ଚାର୍ଜସିଟ୍ ଦାଖଲ ଯୋଗୁଁ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ମିଳିବାରେ ସହାୟକ ହୋଇଛି । ଅବଶ୍ୟ ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟରେ ତଳକୋର୍ଟର ରାୟ ବିରୁଦ୍ଧରେ ଅପିଲ କରିପାରେ । ତେବେ ଏହାର ଶୁଣାଣି କେତେ ସମୟ ନେବ, ତାହା ଭବିଷ୍ୟତ ହିଁ କହିବ । କିନ୍ତୁ ଏହା ନିଃସନେ୍ଦହ ଯେ, ଏହି ସମ୍ବେଦନଶୀଳ ସମଗ୍ର ମାମଲାର ରାୟ ଅପ୍ରତ୍ୟାଶିତ ନଥିଲା । ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ଲାଗି ଉଭୟ ଜନସାଧାରଣ ଓ ସିବିଆଇ ଦାବି କରିଥିବାବେଳେ ବିଚାରପତି ତାଙ୍କ ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରି କହିଛନ୍ତି ଯେ, ଏହି ମାମଲା ବିରଳରୁ ବିରଳତାର ପରିସରଭୁକ୍ତ ନୁହେଁ । ଏହା ବ୍ୟତୀତ ଦୋଷୀଙ୍କୁ ୫୦୦୦ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିବାବେଳେ ପିଡିତାଙ୍କ ପରିବାରକୁ ୧୭ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି । ମାମଲାର ତ୍ୱରିତ ରାୟ ପୀଡିତାଙ୍କ ପିତାମାତା, ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ପାଇଁ ଆଶ୍ୱସ୍ତି ଆଣିଦେବା ଆଶା କରାଯାଏ । ଉଲ୍ଲେଖଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ୨୦୧୨ ଦିଲ୍ଲୀ ‘ନିର୍ଭୟ’ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ କୋଲକତା ଘଟଣା ଥିଲା, ଦେଶରେ ସର୍ବବୃହତ୍ତ ଉତେଜନା ସୃଷ୍ଟିକାରୀ ଘଟଣା । କୋଲକତା ଘଟଣା ଦେଶବ୍ୟାପୀ ଯେଉଁଭଳି ଉତ୍ତେଜନା ସୃଷ୍ଟି କରିଥିଲା, ଦିଲ୍ଲୀ ନିର୍ଭୟା ଘଟଣାର ପ୍ରଭାବ ସେପରି ବ୍ୟାପକ ନଥିଲା । କୋଲକତା ଘଟଣାରେ ପୋଲିସ ଓ ରାଜ୍ୟସରକାରଙ୍କ ଶିଥିଳତା ପ୍ରତିବାଦରେ ମାମଲା ତ୍ୱରିତ ଶୁଣାଣି, ପୀଡିତାଙ୍କୁ ତୁରନ୍ତ ନ୍ୟାୟା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବିରେ ଯେଉଁଭଳି ଦେଶବ୍ୟାପୀ ଡାକ୍ତରୀ ଛାତ୍ରଛାତ୍ରୀମାନେ ଧର୍ମଘଟ ଚଳାଇଥିଲେ, ତାହା ଅ୍ଭୂତପୂର୍ବ ଥିଲା । ଯାହାର ପରିଣତି ସ୍ୱରୁପ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇର ତଦନ୍ତ ପ୍ରକ୍ରିୟା ମଧ୍ୟ ତ୍ୱରିତ ଥିଲା । ମାମଲାର ପ୍ରଭାବ ଏବେ ସୁଦୂର ପ୍ରସାରୀ ଥିଲା ଯେ, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କେବଳ କଲେଜର ପ୍ରିନସ୍ପାଲଙ୍କ ନିଷ୍କ୍ରିୟତାକୁ ପଦାରେ ପକାଇ ନଥିଲା, ତାଙ୍କର ଦୁର୍ନୀତିର ପର୍ଦ୍ଦାଫାସ କରିଥିଲା, ଯେଉଁଥିପାଇଁ କି ତାଙ୍କୁ ଜେଲ ଯିବାକୁ ପଡିଥିଲା । ପ୍ରିନସ୍ପାଲଙ୍କ କାର୍ଯ୍ୟକଳାପ ମଧ୍ୟ କିଛି କମ୍ ସନେ୍ଦହଜନକ ନଥିଲା ।ଆହୁରି ମଧ୍ୟ ମାମଲାରେ କୋଲକତା ଉଚ୍ଚ ନ୍ୟାୟାଳୟ ଏବଂ ସୁପ୍ରିମକୋର୍ଟଙ୍କୁ ନିଜ ଆଡୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଏହି ଘଟଣା ପରେ ମଧ୍ୟ ପଶ୍ଚିମବଙ୍ଗ ସରକାର ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ‘ଅପରାଜିତା ମହିଳା ଓ ଶିଶୁ ବିଲ୍’ ବିଧାନସଭାରେ ଗୃହୀତ କରାଇଛନ୍ତି, ଯେଉଁ ଆଇନରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ତେବେ ଏହାର ସଫଳ ଏବଂ ସକ୍ରିୟ କାର୍ଯ୍ୟକାରିତା ଭବିଷ୍ୟତ ହିଁ କହିବ । ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଥିଲା । ଅଭିଯୁକ୍ତମାନଙ୍କୁ ମଧ୍ୟ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଦେଶରେ ଦେଶରେ ଗତ ୧୨ବର୍ଷ ମଧ୍ୟରେ ଯେଉଁଭଳି ଭାବେ ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ଓ ହତ୍ୟା ଘଟଣାମାନ ବଢିଚାଲିଛି, ତାହା ଆଇନ ପ୍ରତି ଉପହାସ ତଥା ଧର୍ମକୁ ଆଖିଠାର ସଦୃଶ ହୋଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଦେଶରେ ମହିଳା ବିରୋଧ ହିଂସାର ମୂଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଏଭଳି ଘଟଣା ଅସାମହିତ ହୋଇରହିଛି ଏବଂ ବଢି ଚାଲିବ । ଦେଶରେ ପ୍ରତ୍ୟେକ ଝିଅର ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ହେବ । ଅନ୍ୟଥା ମହିଳା ବିରୋଧୀ ହିଂସା, ଦୁଷ୍କର୍ମ, ହତ୍ୟା ଘଟଣାକୁ ରୋକିବା ଅସମ୍ଭବ ହୋଇପଡିବ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯