ରାଜଧାନୀରେ ବଢୁଛି ମଦ୍ୟପଙ୍କ ସଂଖ୍ୟା


ସରକାରଙ୍କ ମଦକୁ ନେଇ ବିଚିତ୍ର ନୀତି ହେଲା ଯେ ମଦ ଦୋକାନ ଖୋଲି ମଦ କିଣିବା ପାଇଁ ଲୋକଙ୍କୁ ସୁଯୋଗ ଦିଆଯିବ । ଅନ୍ୟପକ୍ଷରେ ମଦ ପିଇ ରାସ୍ତାକୁ ଆସିଲେ, ଗାଡ଼ି ଚଳାଇଲେ, ବାଇକ୍ ଚଳାଇଲେ ରାସ୍ତା ମଝିରୁ ଧରି ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ସରକାରୀ ହେଉ କି ବେସରକାରୀ ଦୋକାନ ହେଉ ଲୋକେ ମଦ କିଣି ସାରିବା ପରେ ତାକୁ ନେଇ ଘରକୁ ଯାଆନ୍ତି ବୋଲି ବୋଧେ ସରକାର ଭାବୁଛନ୍ତି । କାରଣ ମଦ କିଣିବା ପରେ ସେମାନେ ସେହି ଦୋକାନ ଦୁଆରେ ଛୋଟ ଛୋଟ ଟିଣ କେବିନ୍ ଓ ଗୁମ୍ଟି ଦୋକାନରୁ ପାଣି, ସୋଡ଼ା, ମିକ୍ସଚର୍, ଭୁଜିଆ, ବାଦାମ ଭଜା ଆଦି କିଣି ନେଇ ସେଇଠି ରାସ୍ତାରେ ଠିଆ ଠିଆ ପିଇ ଦିଅନ୍ତି । ମଦୁଆମାନଙ୍କ ଘରେ ଗୋଟିଏ ବି ଖାଲି ମଦ ବୋତଲ ନଥାଏ । ରାସ୍ତାରୁ ପିଇ ସେଇଠି ଫିଙ୍ଗି ଦେଇ ଘରକୁ ଆସନ୍ତି । ତେବେ ସେମାନେ ଘରକୁ କେମିତି ଆସିବେ ପ୍ରଶ୍ନଟା ସେଇଠି । କାରଣ ଯେଉଁମାନେ ମଦୁଆ ସେମାନେ ଘରେ କେବେ ମଦ ପିଅନ୍ତି ନାହିଁ । ଅନ୍ୟସ୍ଥାନରେ ପିଇ ଘରକୁ ଫେରନ୍ତି । ନିଜ ଗାଡ଼ିରେ ଘରକୁ ଫେରିଲେ ପୁଲିସ୍ ଅଟକାଇ ଯାଞ୍ଚ୍ କରିବ ଏବଂ ଜୋରିମାନା ଲଗାଇବ । ଇଏ କେଉଁ ପ୍ରକାରର ଯୁକ୍ତି ବୁଝି ହେଉନାହିଁ । ମଦ ଦୋକାନରେ ବିକ୍ରୀ ବ୍ୟବସ୍ଥାକୁ ବନ୍ଦ କରି ସରକାର ଯଦି ହୋମ୍ ଡ଼େଲିଭରୀ ବ୍ୟବସ୍ଥା କରନ୍ତେ ତା'ହେଲେ ମଦୁଆମାନେ ଆଉ ମଦ ପିଇ ଘରକୁ ଆସନ୍ତେ ନାହିଁ । ମଦ ସେମାନଙ୍କ ଘରେ ପହଞ୍ଚିଯାଅନ୍ତା ଏବଂ ସେମାନେ ଘରେ ବସି ଆରାମରେ ପିଅନ୍ତେ । ହେଲେ ସରକାରଙ୍କ ଯୋଜନା ତ ଅଲଗା । ତେବେ ଯୋଜନା ମଧ୍ୟରେ ସମନ୍ୱୟ ରହୁନଥିବାରୁ ସରକାର ଟ୍ୟାକ୍ସ ନେଇ ଲାଭବାନ୍ ହେଉଥିବା ବେଳେ ଲୋକେ ହଇରାଣ ହୁଅନ୍ତି । ଯେତେ ଚେଷ୍ଟା କରିଲେ ସୁଦ୍ଧା ସରକାର ମଦ ଦୋକାନକୁ ଉଠାଇ ପାରିବେ ନାହିଁ । ସରକାରଙ୍କ ଅନୁମୋଦିତ ମଦ ଦୋକାନ ଉଠିଗଲେ ଚୋରା ମଦର ସାମ୍ରାଜ୍ୟ ଖୋଲିଯିବ । ସେତେବେଳେ କେତେଯେ ଲୋକ ମରିବେ ତାହାର ହିସାବ ନାହିଁ । 
ଏ କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ଖବର ହେଲା ରାଜଧାନୀରେ ମଦୁଆମାନଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ କୋଟି କୋଟି ଟଙ୍କାର ମଦ ବିକ୍ରି ହେଉଛି । ଓଡ଼ିଶାରେ ମଦ୍ୟପମାନଙ୍କ ସଂଖ୍ୟା ଜାତୀୟ ହାରରୁ ଢ଼େର୍ ଅଧିକ । ସର୍ବାଧିକ ମଦ୍ୟପ ଭୁବନେଶ୍ୱରରେ ଥିବା ବେଳେ ତାହା ପଛକୁ ପୁରୀ, କଟକ ଭଳି ସହର ରହିଛି । କ୍ରମାଗତ ଭାବରେ ମଦ୍ୟପମାନଙ୍କର ସଂଖ୍ୟା ବଢ଼ିଚାଲିଛି । ଏହାକୁ ନିୟନ୍ତ୍ରଣ କରାନଗଲେ ବିଭିନ୍ନ ପ୍ରକାରର ସାମାଜିକ ଅପରାଧ ବଢ଼ିବ ଏବଂ ସାମାଜିକ ଜୀବନରେ ନିରାପତ୍ତା ବିପନ୍ନ ହେବ । 
ଇତିମଧ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସର୍ଭେ ୫ର ରିପୋର୍ଟ୍ ପ୍ରକାଶ ପାଇଛି । ଏହି ରିପୋର୍ଟ୍ରେ ମଦ୍ୟପାନ ସମ୍ପର୍କିତ ରହିଥିବା ତଥ୍ୟ ଉଦ୍ବେଗଜନକ । ଜାତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ମହିଳାମାନଙ୍କ କ୍ଷେତ୍ରରେ ମାତ୍ର ୧.୩ ପ୍ରତିଶତ ମଦ୍ୟାପନ କରୁଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧୮.୮ ପ୍ରତିଶତ ଦର୍ଶାଯାଇଛି । ଅନ୍ୟପକ୍ଷରେ ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ମଦ୍ୟପାନ କରୁଥିବା ହାର ୪.୩ ପ୍ରତିଶତ । ପୁରୁଷମାନଙ୍କ କ୍ଷେତ୍ରରେ ଏହା ୨୮.୮ ପ୍ରତିଶତ । ଏହା ୨୦୦୯ରୁ ୨୦୨୨ର ସ୍ଥିତି ଆଧାରରେ ପ୍ରସ୍ତୁତ କରାଯାଇଛି । ୨୦୨୨ଠାରୁ ୨୦୨୪ ପର୍ଯ୍ୟନ୍ତ ସ୍ଥିତି ଏହି ଆକଳନ ଠାରୁ ଢ଼େର୍ ଅଧିକ ହେବ । ଅନ୍ୟପକ୍ଷରେ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀମାନଙ୍କ ମତରେ ସରକାରଙ୍କ ପ୍ରକାଶିତ ରିପୋର୍ଟ୍ ଅପେକ୍ଷା ବାସ୍ତବ ସ୍ଥିତି ଅଧିକା । ଆଗରୁ ଲୋକେ ମଦ ପିଇବାକୁ ଖୋଲାଖୋଲି ଭାବରେ ସାହସ କରୁନଥିଲେ । ବର୍ତ୍ତମାନ ବିଭିନ୍ନ ଅତ୍ୟାଧୁନିକ ମାଧ୍ୟମ ଦ୍ୱାରା ପ୍ରଭାବିତ ହୋଇ ମଦ ପିଇବାକୁ ଏକ ଷ୍ଟାଟସ୍ ଭାବରେ ସେମାନେ ଭାବିଲେଣି । ଲୋକଙ୍କ ମଦ୍ୟପାନ ହାର କମାଇବା ପାଇଁ ହେଲେ ବିଭିନ୍ନ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ ।