ଆମ ଗାଁ ଯଜ୍ଞ
ବୈଦିକ ଯୁଗରେ ଯଜ୍ଞକୁ ଈଶ୍ୱର ଉପାସନାର ଶ୍ରେଷ୍ଠ ମାର୍ଗ ରୂପରେ ବିବେଚନା କରାଯାଇଛି । ଈଶ୍ୱର ପ୍ରାପ୍ତି ନିମିତ୍ତ ବେଦ ତିନିଗୋଟି ମାର୍ଗ ନିର୍ଦ୍ଧାରଣ କରିଛି । ସେହି ମାର୍ଗତ୍ରୟ ହେଉଛି କର୍ମମାର୍ଗ, ଜ୍ଞାନ ମାର୍ଗ ଓ ଉପାସନା ମାର୍ଗ । ବେଦ ମତରେ ସଂସାରାଭିଳାଷୀଙ୍କ ନିମିତ୍ତ କର୍ମମାର୍ଗ ହିଁ ଶ୍ରେୟ । ସମଗ୍ର ଚାରିବେଦର ଏକଲବ୍ୟ ସୂକ୍ତ ମଧ୍ୟରୁ ଅଶୀହଜାର ସଂସାରାଭିଳାଷୀଙ୍କ ନିମିତ୍ତ କର୍ମମାର୍ଗ ହିଁ ଶ୍ରେୟ । ସମଗ୍ର ଚାରିବେଦର ଏକଲବ୍ୟ ସୂକ୍ତ ମଧ୍ୟରୁ ଅଶୀହଜାର ମନ୍ତ୍ର କେବଳ କର୍ମକାଣ୍ଡ ସଂପର୍କୀୟ, ଷୋହଳ ହଜାର ମନ୍ତ୍ର ଜ୍ଞାନ ସମ୍ବଳିତ ଏବଂ ଚାରି ହଜାର ମନ୍ତ୍ର ଉପାସନା ସମ୍ବନ୍ଧୀୟ । ବୈଦିକ ଯୁଗରେ ଜ୍ଞାନ ଓ ଉପାସନା ଅପେକ୍ଷା କର୍ମ ଉପରେ ମହତ୍ତ୍ୱ ପ୍ରଦାନ କରାଯାଉଥିଲା । କର୍ମକାଣ୍ଡ ନିରୂପଣରେ କୁହାଯାଇଛି, ‘ଅଥାତୋ ଧର୍ମ ଜିଜ୍ଞାସା, ଅର୍ଥାତ୍ ଏହି କର୍ମକାଣ୍ଡରୁ ହିଁ ମାନବୀୟ ଧର୍ମର ଅୟମାରମ୍ଭ, ଯାହାର ପରମଲକ୍ଷ୍ୟ ଈଶ୍ୱରପ୍ରାପ୍ତି । ବୈଦିକ ସିଦ୍ଧାନ୍ତ ହେଉଛି, ବୈଦିକ କର୍ମ ହିଁ ଯଥାର୍ଥ ଧର୍ମାଚରଣ, ଯାହା ମାଧ୍ୟମରେ ଈଶ୍ୱର ପ୍ରାପ୍ତି ସହଜ, ସରଳ, ସୁଗମ ଓ ସୁନିଶ୍ଚିତ । ବୈଦିକ ପ୍ରଚେତାଙ୍କ ମତରେ ଯଜ୍ଞାନୁଷ୍ଠାନ ହିଁ ଶ୍ରେଷ୍ଠ ବୈଦିକ କର୍ମ, ଯାହାଦ୍ୱାରା ସକଳ ଫଳ ପ୍ରାପ୍ତି ହୋଇଥାଏ । ବ୍ରହ୍ମ ସୂତ୍ରରେ ଉଲ୍ଲେଖ ଅଛି, ‘ସର୍ବାପେକ୍ଷା ଚ ଯଜ୍ଞାଦି ଶ୍ରୁତେରଶ୍ୱବତ’ । ସଂକ୍ଷେପରେ ଉଲ୍ଲେଖ କଲେ ଶ୍ରୁତି-ସ୍ମୃତି-ଗ୍ରନ୍ଥ ଏବଂ ଉପନିଷଦରେ ବୈଦିକ ଯଜ୍ଞାଦି କର୍ମକୁ ପ୍ରଧାନ କର୍ମ ବୋଲି କୁହାଯାଇଛି । ଏକଦା ଦେବତା ଓ ଋଷିଙ୍କ ମତରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା । ଦେବତାମାନେ ଯଜ୍ଞରେ ହବିର୍ଭାଗ ପାଆନ୍ତି, ତେଣୁ ସେମାନେ କହିଲେ ଯଜ୍ଞ ଶ୍ରେଷ୍ଠ କର୍ମ । ଋଷିମାନେ ତପସ୍ୟା ଦ୍ୱାରା ଅସାଧ୍ୟ ସାଧନ କରିଥାନ୍ତି, ତେଣୁ ସେମାନେ କହିଲେ ତପସ୍ୟା ଶ୍ରେଷ୍ଠ କର୍ମ । ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ ଦେବତା ଓ ଋଷି ବ୍ରହ୍ମାଙ୍କ ନିକଟକୁ ଗଲେ । ସେତେବେଳକୁ ବ୍ରହ୍ମାଙ୍କ ନିକଟକୁ ମର୍ତ୍ତ୍ୟର ସତ୍ୟନିଷ୍ଠ ରାଜା ବସୁ ଦର୍ଶନ କରିବାକୁ ଆସିଥାନ୍ତି । ବ୍ର୍ହ୍ମାଙ୍କର ବସୁଙ୍କ ବିଚାର ଉପରେ ଆସ୍ଥା ରହିଥିଲା । ସେ ବସୁଙ୍କୁ ଏହି ଦ୍ୱନ୍ଦ୍ୱର ସମାଧାନ କରିବାକୁ କହିଲେ । ବସୁ ନିଜ ବିବେଚନାରେ କହିଲେ ଯଜ୍ଞ ଏକ ସାମୂହିକ ମଙ୍ଗଳ ନିମିତ୍ତ କର୍ମ ଓ ତପସ୍ୟା ବ୍ୟକ୍ତି ନିମିତ୍ତ ସାଧନା । ଯେହେତୁ ଯଜ୍ଞ ସାମୂହିକ ମଙ୍ଗଳ ନିମିତ୍ତ ଉଦ୍ଦିଷ୍ଟ, ତେଣୁ ଯଜ୍ଞ ଶ୍ରେଷ୍ଠ କର୍ମ । ବ୍ରହ୍ମା ବସୁଙ୍କ ବିଚାରକୁ ଉଚିତ ମଣିଲେ ତଥା ଯଜ୍ଞ ତପସ୍ୟା ଅପେକ୍ଷା ଶ୍ରେଷ୍ଠ କର୍ମ ବିବେଚିତ ହେଲା । ଏହି ବିଚାରରେ ଦେବତାମାନେ ବସୁଙ୍କ ଉପରେ ପ୍ରସନ୍ନ ହେଲେ ତଥା ବସୁଙ୍କୁ ଯଜ୍ଞରେ ହବିର୍ଭାଗ ଦେବାକୁ ବ୍ରହ୍ମାଙ୍କୁ ନିବେଦନ କଲେ । ବ୍ରହ୍ମା କହିଲେ ‘ବସୁ ଯେହେତୁ ଜଣେ ମନୁଷ୍ୟ ସେ ଯଜ୍ଞରେ ହବିର୍ଭାଗ ପାଇବେ ନାହିଁ । ଏଣିକି ଯେଉଁଠାରେ ଯଜ୍ଞ ବା ହୋମ ହେବ ବସୁଙ୍କ ନିମିତ୍ତ ଗୋଟିଏ ଘୃତଧାରା ପ୍ରଦାନ ହେବ । ସେହିଦିନ ଠାରୁ ଯଜ୍ଞ ବା ହୋମରେ ବସୋର୍ଦ୍ଧାରା ପ୍ରଦାନ କରାଯାଉଛି ।
ଆମ ଗାଁ ମାର୍ଥାପୁର ଶାସନ ନବମ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବା ଏକ ବ୍ରାହ୍ମଣ ଶାସନ । ତେଣୁ ପ୍ରତିବର୍ଷ ଆମ ଗାଁରେ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଆମ ଗାଁରେ ଯଜ୍ଞ ହେଲେ ଆମ ଅଞ୍ଚଳର ପ୍ରତ୍ୟେକ ଗ୍ରାମବାସୀ ଘିଅ, କ୍ଷୀର, ଦହି, ପରିବା ଓ ଚାଉଳ ଧରି ପହଞ୍ଚନ୍ତି ତଥା ବୈଦିକ ବିଧିରେ ମହାସମାରୋହରେ ଯଜ୍ଞ ସଂପନ୍ନ ହୋଇଥାଏ । ଯଜ୍ଞ ନିମିତ୍ତ ଆମ ଗାଁ ଶ୍ରୀବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରେ ଗୋଟିଏ ସ୍ଥାୟୀ ଯଜ୍ଞମଣ୍ଡପ ରହିଛି । ପୂର୍ବରୁ ଥିବା ପ୍ରାଚୀନ ଯଜ୍ଞ କୁଣ୍ଡଟିର ସଂସ୍କାର ୧୯୩୧ ମସିହାରେ ପଣ୍ଡିତ ଚକ୍ରଧର ଦାଶ କରିଥିଲେ । ସେ ଯଜ୍ଞ ମୀମାଂସା, କର୍ମକାଣ୍ଡ ଓ ସ୍ମୃତିଶାସ୍ତ୍ରାନୁସାରେ ଏହି ଯଜ୍ଞକୁଣ୍ଡଟି ନିର୍ମାଣ କରିଥିଲେ । ଏହି ଯଜ୍ଞକୁଣ୍ଡର ମହତ୍ତ୍ୱ ହେଉଛି ଏହି କୁଣ୍ଡରେ ଯେ କୋ÷ଣସି କାମନାରେ ଯଜ୍ଞ ସଂପନ୍ନ କଲେ ତାହା ନିଶ୍ଚିତ ଭାବେ ଫଳବତୀ ହେବ । ପଣ୍ଡିତ ଚକ୍ରଧର ଦାଶଙ୍କ ଅଧ୍ୟକ୍ଷତାରେ ଏହି ଯଜ୍ଞକୁଣ୍ଡରେ ଅନେକ ଥର ଯଜ୍ଞ ସଂପନ୍ନ ହୋଇଛି ଏବଂ ପ୍ରତ୍ୟେକ ଥର କାମନା ସିଦ୍ଧି ହୋଇଛି । ଏହି ପୁନରାବୃତ୍ତିରୁ ଆମ ଗାଁ ଯଜ୍ଞ ମଣ୍ଡପ ଓ ଯଜ୍ଞ କୁଣ୍ଡ ଏକ ସିଦ୍ଧ ଯଜ୍ଞ ପୀଠ ରୂପେ ବିବେଚିତ । ସଂଯୋଗ କ୍ରମେ ୧୯୬୫ ମସିହାରେ ଆମ ଅଞ୍ଚଳରେ ଅନାବୃଷ୍ଟି ହେଲା । ଶ୍ରାବଣ ମାସ ଆରମ୍ଭରୁ ଆଉ ବର୍ଷା ହେଲା ନାହିଁ । ଗଭୀର ଧାନବିଲ ଶୁଖିଗଲା ଓ ଧାନଗଛ ପାଉଁଶିଆ ହେବାକୁ ଲାଗିଲା । ସଭିଁଏ ଆତଙ୍କିତ ହୋଇପଡିଲେ । ଗାଁ ସଭା ବସି ସୁଦୃଷ୍ଟି ନିମିତ୍ତ ଇନ୍ଦ୍ର ବାରୁଣୀଯଜ୍ଞ ହେବାକୁ ସ୍ଥିରୀକୃତ ହେଲା । ପଣ୍ଡିତ ଚକ୍ରଧର ଦାଶଙ୍କ ସୁପୁତ୍ର ପଣ୍ଡିତ ସଙ୍କର୍ଷଣ ଦାଶଙ୍କ ଯଜ୍ଞରେ ପ୍ରଧାନାଚାର୍ଯ୍ୟ ହେବାକୁ ଅନୁରୋଧ କରାଗଲା ।
ସର୍ବସମ୍ମତିକ୍ରମେ ପାଞ୍ଚଦିନ ପର୍ଯ୍ୟନ୍ତ ଆମ ଗାଁ ଯଜ୍ଞ ମଣ୍ଡପରେ ଇନ୍ଦ୍ରବାରୁଣୀ ଯଜ୍ଞ ହେବାକୁ ସ୍ଥିରୀକୃତ ହେଲା । ତଦନୁଯାୟୀ ଆମ ଅଞ୍ଚଳର ପ୍ରାୟ ପଚାଶଖଣ୍ଡ ଗ୍ରାମକୁ ନିିମନ୍ତ୍ରଣ ପତ୍ର ପଠାଗଲା । ଅଞ୍ଚଳବାସୀଙ୍କର ହୃଦବିଶ୍ୱାସ ଥିଲା ଯେ ମାର୍ଥାପୁର ଶାସନରେ ଯଜ୍ଞ ହେଲେ ନିଶ୍ଚୟ ସୁବୃଷ୍ଟି ହେବ । ଯଜ୍ଞର ପ୍ରଧାନାଚାର୍ଯ୍ୟ ପଣ୍ଡିତ ସଙ୍କର୍ଷଣ ଦାଶ କେଉଁ କେଉଁ ପଣ୍ଡିତ କ’ଣ କ’ଣ ଦାୟିତ୍ୱରେ ରହିବେ ତାହା ସ୍ଥିର କଲେ । ଯେଉଁ ଯେଉଁ ଆଚାର୍ଯ୍ୟ ଯଜ୍ଞରେ ରହିବେ ସେମାନେ ନୂଆ ଯଜେ୍ଞାପବୀତ ଧାରଣ ପୂର୍ବକ ପଞ୍ଚାମୃତ ପାର ଶୁଚି ହେବେ ତଥା ପାଞ୍ଚଦିନ କାଳ ଠାକୁର ମଣ୍ଡପରେ ରହିବେ । ସେମାନେ ଘରକୁ ଆସିବେ ନାହିଁ ବା କାହାକୁ ଛୁଇଁବେ ନାହିଁ । ପ୍ରଧାନାଚାର୍ଯ୍ୟ ପଣ୍ଡିତ ସଙ୍କର୍ଷଣ ଦାଶ ଯେଉଁ ଆଚାର୍ଯ୍ୟମାନଙ୍କୁ ମନୋନୀତ କରିଥିଲେ ସେମାନେ ହେଉଛନ୍ତି କର୍ତ୍ତା ମାନଗୋବିନ୍ଦ ମିଶ୍ର, ପ୍ରତିନିଧି ଚତୁର୍ଭୁଜ ମିଶ୍ର, ଋତ୍ୱିକ ଜଗମୋହନ ମିଶ୍ର, ଅଧୂର୍ଯ୍ୟ ଜନାର୍ଦ୍ଦନ ମିଶ୍ର, ହବ୍ୟଚରୁ ପଦ୍ମନାଭ ମିଶ୍ର, କାବ୍ୟଚରୁ ବଂଶୀଧର ମିଶ୍ର, ବ୍ରହ୍ମା ଶରତ ଚନ୍ଦ୍ର ମିଶ୍ର, ଅଭିଷେକ ମଦନମୋହନ ନନ୍ଦ, ଦୀପକ ପ୍ରାଣବନ୍ଧୁ ନନ୍ଦ, ପ୍ରତିନିଧି ଜାପକ ଯୁଧିଷ୍ଠିର ଦାଶ, ସ୍ତୋତ୍ର ପାଠ୍ୟ ଓ ଗୀତାପାଠକ ଅନ୍ତର୍ଯ୍ୟାମୀ ମିଶ୍ର, ଭଣ୍ଡାର ରକ୍ଷକ କୃପାସିନ୍ଧୁ ମିଶ୍ର, ସୂପକାର ବନମାଳୀ ମିଶ୍ର, ଭରତ ମିଶ୍ର, ଯଜ୍ଞ ରକ୍ଷକ କାଶୀନାଥ ମିଶ୍ର । ମୋତେ ସ୍ତୋତ୍ରପାଠୀ ଓ ଗୀତାପାଠକ ରଖାଯାଇଥିବାରୁ ତକ୍ରାଳୀନ ଗ୍ରାମ ସଭାପତି ଆପତ୍ତି ଉଠାଇଲେ, କାରଣ ମୁଁ ଅବିବାହିତ ଥିଲି । କିନ୍ତୁ ପ୍ରଧାନଚାର୍ଯ୍ୟ ସେହି ଆପତ୍ତିକୁ ଅଗ୍ରାହ୍ୟ କରି କହିଲେ ଯେ ବ୍ରହ୍ମଚାରୀମାନଙ୍କର ଯଜ୍ଞ କରିବାର ଅଧିକାର ବୈଦିକ ଯୁଗରୁ ସ୍ୱୀକୃତ । ଗାଁ ଯଜ୍ଞରେ ମୁଁ ଜଣେ ଆଚାର୍ଯ୍ୟ ଭାବରେ ବରଣ ହେବାରୁ ମୁଁ ଖୁସି ଥିଲି । ଯଥା ସମୟରେ ଅଧିବାସ ଦିନ ସଭିଏଁ ନୂଆ ପଇତା ଲଗାଇ ପଞ୍ଚଗବ୍ୟ ଓ ପଞ୍ଚାମୃତ ପାଇଁ ଯଜ୍ଞ ମଣ୍ଡପରେ ଉପସ୍ଥିତ ହେଲୁ । ପ୍ରଥମେ ଶୁଖିଲା ଅଶ୍ୱସ୍ତ କାଠର ଅରଣୀର ଅଗ୍ନି ସଞ୍ଚୟନ କରାଗଲା । ତାପରେ ୧୦୮ଜଣ ବ୍ରାହ୍ମଣ ବ୍ରାହ୍ମଣୀ ନଦୀକୁ ଯାଇ ସ୍ନାନ ପୂର୍ବକ ଜଳକଳସୀ ଆଣିଲୁ । ଯଜ୍ଞ ମଣ୍ଡପରେ ୧୦୮ଜଣ ବ୍ରାହ୍ମଣ ବ୍ରାହ୍ମଣୀ ନଦୀକୁ ଯାଇ ସ୍ନାନ ପୂର୍ବକ ଜଳକଳସୀ ଆଣିଲୁ । ଯଜ୍ଞ ମଣ୍ଡପରେ ୧୦୮ କଳସ ସ୍ଥାପନ ହେବା ପରେ ଶାନ୍ତିପୀଠ, ସ୍ୱସ୍ତିପାଠ, ସଂକଳ୍ପ, ବରୁଣ ପୂଜା, ଶାନ୍ତି କଳସ, ବର୍ଦ୍ଦନୀ କଳସ, ଚାରିବେଦ କଳସ ପ୍ରଭୃତି ପୂଜା ହେଲା । ତତ୍ପରେ ଅରଣୀରୁ ସଂଗୃହୀତ ଅଗ୍ନି ଯଜ୍ଞ କୁଣ୍ଡରେ ସ୍ଥାପନ ଓ ଅଗ୍ନିଙ୍କର ସଂସ୍କାର ହେଲା । ଏହାପରେ କର୍ତ୍ତା ପ୍ରତ୍ୟେକ ଆଚାର୍ଯ୍ୟଙ୍କୁ ଗୁଆ ଚାଉଳ ଉଷ୍ଣୀଷ ପ୍ରଭୃତି ପ୍ରଦାନ ପୂର୍ବକ ବରଣ କଲେ । ଏହି ଅଧିବାସ କର୍ମ ଦେଖିବାକୁ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ । ଚତୁର୍ଦ୍ଦିଗ ହରିବୋଲ ହୁଳହୁଳି ଓ ଶଙ୍ଖନାଦରେ ପ୍ରକମ୍ପିତ ହେଉଥାଏ । ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ ସହ ଯଜ୍ଞ ମଣ୍ଡପ ପରିକ୍ରମା କରୁଥାନ୍ତି । ଚାରିଜଣ ଆଚାର୍ଯ୍ୟ ବେଦପାଠ କରୁଛନ୍ତି ଓ ମୁଁ ସ୍ତୋତ୍ରପାଠ କରୁଥାଏ । ଶ୍ରୀ ବାଲୁଙ୍କେଶ୍ୱରଙ୍କର ଅଭିଷେକ ହେଲା । ଗ୍ରାମଦେବତୀ ବ୍ରାହ୍ମଣୀଦେବୀ, ଶବର ଶବରୁଣୀ ଓ ଗଡଚଣ୍ଡୀଙ୍କର ମାଜଣା ହେଲା । ଏହିପରି ଭାବରେ ଅଧିବାସ କାର୍ଯ୍ୟ ସଂପନ୍ନ ହେଲା ।
ଯଜ୍ଞର ପ୍ରଥମ ଦିନ ସୋମବାର ଥିଲା । ସେଦିନ ପ୍ରାତଃକାଳରେ ୫ଜଣ ଆଚାର୍ଯ୍ୟ ଶ୍ରୀ ବାଲୁଙ୍କେଶ୍ୱରଙ୍କ ରୁଦ୍ରାଭିଷେକ କଲେ । ରୁଦ୍ରାଭିଷେକ ପରେ ମଦନମୋହନ ନନ୍ଦ ଶ୍ମଶାନରୁ ଆଣିଥିବା ଗୋଟିଏ ଖଣତି ବାଡି କାନ୍ଧରେ ପକାଇ ଶିବ ମନ୍ତ୍ର ଅଖଣ୍ଡ ଜପ କଲେ । ଅନ୍ୟ ପାଞ୍ଚଜଣ ଆଚାର୍ଯ୍ୟ ଯଜ୍ଞ ମଣ୍ଡପ ତଳେ ସପ୍ତାଶ୍ୱ ରଥାରୂଢ଼ ସୂର୍ଯ୍ୟଦେବଙ୍କ ମଣ୍ଡଳ ମୁରୁଜରେ କାଟି ଷୋଡଶ ଉପଚାର ପୂଜା ସହ ସୂର୍ଯ୍ୟାର୍ଘ୍ୟ ପ୍ରଦାନ କଲେ । ଅନ୍ୟ ପାଞ୍ଚଜଣ ଗୋ ପୂଜା କଲେ । ଏସବୁ ସରିବା ପରେ ଯଜ୍ଞଶାଳା ପ୍ରବେଶ ହେଲା । ସୋମବାର ଥିବାରୁ ଶୈବାଗ୍ନି ଆବାହନ କରାଯାଇ ଷୋଡଶ ସଂସ୍କାର କରାଗଲା । ପ୍ରଥମେ ସ୍ଥାନୀୟ ଦେବାଦେବୀ, ନବଗ୍ରହ, ଦଶଦିଗପାଳ ଓ ଅନ୍ୟାନ୍ୟ ମଣ୍ଡଳ ଦେବଦେବୀଙ୍କ ଆହୁତି ପ୍ରଦାନ ପରେ ଇନ୍ଦ୍ରଙ୍କ ଉଦେ୍ଦଶ୍ୟରେ ସୁବୃଷ୍ଟି ନିମିତ୍ତ ନିର୍ଦ୍ଦିଷ୍ଟ ମନ୍ତ୍ରରେ ଆହୁତି ପ୍ରଦାନ କରାଗଲା । ୩ଜଣ ଆଚାର୍ଯ୍ୟ ଆହୁତି ପ୍ରଦାନ କରୁଥାନ୍ତି ଓ ୨ଜଣ ଶ୍ରମିଦ୍ଧ ତଥା ଦୁଇ ଜଣ ଚରୁ (ଅବ୍ୟଚରୁ ଓ କବ୍ୟଚରୁ) ପ୍ରଦାନ କରୁଥାନ୍ତି । ଏ ରୂପ ମୋଟ ୭ଜଣ ଯଜ୍ଞ କୁଣ୍ଡକୁ ଘେରି ଆହୁତି ପ୍ରଦାନ କରୁଥିଲେ । ପ୍ରଧାନଚାର୍ଯ୍ୟ ପଣ୍ଡିତ ଶଙ୍କର୍ଷଣ ଦାସ ମନ୍ତ୍ରପାଠ କରୁଥାନ୍ତି । ଚାରିଜଣ ଆଚାର୍ଯ୍ୟ ବେଦ ପାଠ କରୁଥାନ୍ତି ଓ ପାଞ୍ଚଜଣ ଆଚାର୍ଯ୍ୟ ମନ୍ତ୍ର ଜପ କରୁଥାନ୍ତି । ମୁଁ ସ୍ତବସୋତ୍ର ପାଠ ପରେ ଗୀତା ସ୍ୱାଧ୍ୟାୟ କରୁଥାଏ । ୧୦୮ଜଣ ବ୍ରାହ୍ମଣ ବ୍ରାହ୍ମଣୀ ନଦୀରେ ଜଳଜପ କରୁଥାନ୍ତି । ଠିକ ଅପରାହ୍ନ ୨ଟା ସମୟରେ ଠାକୁରଙ୍କ କୃପାରୁ କଳାହାଣ୍ଡିଆ ମେଘ ଘୋଟିଆସି ମୂଷଳ ଧାରାରେ ବର୍ଷା ହେଲା । ପ୍ରାୟ ୨ଘଣ୍ଟା ଅପରାହ୍ନ ୪ଟା ପର୍ଯ୍ୟନ୍ତ ବର୍ଷା ହେଲା । ଦୁଇମାସ କାଳ ବର୍ଷା ହୋଇନଥିବାରୁ ସମସ୍ତେ ମନଦୁଃଖରେ ଥିଲେ । ତେଣୁ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ଖବର ଆସିଲା ଯେ ସମଗ୍ର ଅଞ୍ଚଳରେ ଏହି ବର୍ଷା ହୋଇଛି । ବର୍ଷା ହେଉଥିବା ସମୟରେ ମଧ୍ୟ ଆଚାର୍ଯ୍ୟ ଆହୁତି ପ୍ରଦାନ କରୁଥିଲେ । ଚାରିଟା ପରେ ଆହୁତି ପ୍ରଦାନ ବନ୍ଦ ହେଲା । ନଦୀରେ ଜଳଜପ କରୁଥିବା ବ୍ରାହ୍ମଣମାନେ ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚôଲେ । ସାଢେ ୪ଟା ବେଳକୁ ବ୍ରାହ୍ମଣମାନେ ହବିଷ୍ୟାନ୍ନ ଭୋଜନ କଲେ । ଭୋଜନ ସରୁ ସରୁ ସାଢେ ୫ଟା ବାଜିଗଲା । ସଭିଏଁ ନଦୀକୁ ଯାଇ ସ୍ନାନ ଶୋ÷ଚ ହେଲେ । ସନ୍ଧ୍ୟା ସମୟରେ ଯଜ୍ଞ ମଣ୍ଡପରେ ଆଳତି ପ୍ରଦାନ କରାଗଲା ଓ ଦଶାବତାର, ଶିବ ମହିନ୍ନସ୍ରୋତ ପାଠ କରି ସମସ୍ତେ ଯଜ୍ଞମଣ୍ଡପ ପରିକ୍ରମା କଲେ । ଏହି କ୍ରମରେ ୫ଦିନ କାଳ ଯଜ୍ଞ ହେଲା । କେବଳ ପ୍ରତିଦିନ ଅଗ୍ନି ପରିବର୍ତ୍ତନ ହେଉଥାନ୍ତି । ଯଥା ସୋମବାର ସଦାଗ୍ନି, ମଙ୍ଗଳାବାର ପାର୍ବତ୍ୟାଗ୍ନି , ବୁଧବାର ଗାଣପତ୍ୟାଗ୍ନି, ଗୁରୁବାର ର୍ବାହ୍ୟସ୍ପତ୍ୟାଗ୍ନି ଇତ୍ୟାଦି । ଅନ୍ୟାନ୍ୟ କ୍ରମ ରୁଦ୍ରାଭିଷେକ, ଗୋପୂଜା, ପ୍ରଭୃତି ଚାଲିଥାଏ । ପାଞ୍ଚଦିନ କାଳ ପ୍ରତିଦିନ ବର୍ଷା ହେବାରୁ ଯଜ୍ଞ ଆଉ ଚାରିଦିନ ବୃଦ୍ଧି କରାଗଲା । ମୋଟ ୯ଦିନ ଯଜ୍ଞାତେ ଶେଷ ଦିନ କୁମାରୀପୂଜନ କରାଯାଇ ପୂର୍ଣ୍ଣାଆହୁତି ପ୍ରଦାନ କରାଗଲା । ପୂର୍ଣ୍ଣାହୁତିରେ ଏତେ ନଡିଆ ଯଜ୍ଞକୁଣ୍ଡରେ ପଡିଲା ଯେ ସ୍ଥାନ ହେଲା ନାହିଁ । ସବୁ ନଡିଆ ଦେଉଳ ଆକାରରେ ଯଜ୍ଞ କୁଣ୍ଡରେ ରଖାଯାଇ ତା’ ଉପରେ ବସ୍ତ୍ର ଆଚ୍ଛାଦନ କରାଗଲା । ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରାଗଲା । ପୂର୍ଣ୍ଣାହୁତି ପରେ ବ୍ରାହ୍ମଣ ମଣ୍ଡଳୀ ବେଦ ମନ୍ତ୍ର ପାଠ କରି ୧୦୮ଥର ଯଜ୍ଞମଣ୍ଡପ ପରିକ୍ରମା କଲେ । ଇତ୍ୟବସରେ ସବୁ ନଡିଆ ଭସ୍ମ ହୋଇଯାଇଥିଲା । ପରେ ଅଗ୍ନିଶାନ୍ତି କରାଯାଇ ଯଜ୍ଞର ପରିସମାପ୍ତି ଘଟିଲା । ଏହି ଯଜ୍ଞର ଅନୁଭୂତି ମୁଁ ଆଜିଯାଏ ଭୁଲିନାହିଁ । ତା ପରବର୍ଷ ଆମ ଗାଁରେ ଯଜ୍ଞ ମହାସମାରୋହରେ ହୋଇଥିଲା । ମୁଁ ମଧ୍ୟ ଅଂଶ ଗ୍ରହଣ କରିଥିଲି । ପରିଣତ ଜୀବନରେ ମୁଁ ପ୍ରାୟ ୩ଶହରୁ ଊଦ୍ଧ୍ୱର୍ ଯଜ୍ଞ ବିଭିନ୍ନ ସ୍ଥାନରେ କରାଇଛି, ଆମ ଗାଁ ଯଜ୍ଞ ଅନନ୍ୟ ଓ ଅନୁପମ ।
ଆନନ୍ଦନଗର, କାଠଗଡା
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨