ମଣିଷ ବଞ୍ଚୁଛି ନା ସଂଘର୍ଷ କରୁଛି ?
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ମଣିଷ ବଞ୍ଚୁଛି ନା ସଂଘର୍ଷ କରୁଛି ? ଆଜିର ସାରମର୍ମକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷର ବିଚାର ବୁଦ୍ଧି ଥିଲେ ସୁଦ୍ଧା, ମଣିଷ ବୁଦ୍ଧି ଦ୍ୱାରା ପରିଚାଳିତ କମ୍ ହୁଏ ଏବଂ ପ୍ରବୃତ୍ତି ଦ୍ୱାରା ସର୍ବାଧିକ ପରିଚାଳିତ ହୋଇଥାଏ । ଅନ୍ୟ ପ୍ରାଣୀ ଭଳି ମଣିଷର ମଧ୍ୟ ବଞ୍ଚି ରହିବାର ପ୍ରତିଦ୍ୱନ୍ଦ୍ୱିତା ମନ ଭିତରେ ରହିଛି । ‘ଯୋଗ୍ୟଃ ଯୋଗ୍ୟେନ ଯୋଜୟେତ୍ ।’ ଏହାର ଅର୍ଥ ହେଲା, ପୃଥିବୀରେ କେବଳ ଯିଏ ଯୋଗ୍ୟ, ଯିଏ ଅନ୍ୟକୁ ପରାସ୍ତ କରିପାରିବ ସେ ହିଁ କେବଳ ବଞ୍ଚିବ । ଏହି ନିୟମରେ ଏ ପୃଥିବୀଟା ବନ୍ଧା ହୋଇଛି । ତେବେ ମଣିଷ ବିଚାରଶୀଳ ପ୍ରାଣୀ ଭାବରେ ସାମାଜିକ ଜୀବନ ପାଇଁ ଯେତେ ନିୟମକାନୁନ୍ କରିଲେ ମଧ୍ୟ ଅନ୍ୟମାନଙ୍କ ଠାରୁ ବ୍ୟକ୍ତି ନିଜକୁ ଯୋଗ୍ୟ ବୋଲି ଦେଖେଇବା ପାଇଁ ଚେଷ୍ଟା କରେ । ନିଜର ଯୋଗ୍ୟତାକୁ ପ୍ରମାଣିତ କରିବାକୁ ହେଲେ ଖଚମିଛ, ଛଳନା, ପ୍ରବଞ୍ଚନା ଆଦିର ଆଶ୍ରୟ ନେବା ପାଇଁ ମଣିଷ ବାଧ୍ୟ ହୁଏ । ଜନ୍ମରୁ ସବୁ ମଣିଷ ମୁକ୍ତ ଏବଂ ସମାନ । ହେଲେ ସମସ୍ତେ ଜନ୍ମ ପରେ ବୁଦ୍ଧି ପାଇଲାଠୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅନେକ ଛଳନା ମଧ୍ୟ ଶିଖିଯାନ୍ତି ।
ମଣିଷ ବଞ୍ଚୁଛି ବୋଲି କହିବା ଅପେକ୍ଷା ମଣିଷ ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛି କହିଲେ ଭଲ ହେବ । ଏହି ସଂଘର୍ଷ ହେଉଛି ଛଳନାର ସଂଘର୍ଷ । ବେଙ୍ଗଟିଏର ଶରୀର ମୟୁର ଶରୀର ଭଳି ଚିକ୍କଣ ଏବଂ ଆକର୍ଷଣୀୟ ହେଲେ ସେ ସାପ ମୁହଁରୁ ବଞ୍ଚିପାରିବ ନାହିଁ । ତେଣୁ ଯୋଗ୍ୟ ବ୍ୟକ୍ତି ହିଁ କେବଳ ଏ ପୃଥିବୀରେ ବଞ୍ଚିବ ଏବଂ ସେଥିପାଇଁ ଶରୀରର ଶକ୍ତି ଅପେକ୍ଷା ଛଳନା ଏବଂ ପ୍ରବଞ୍ଚନାର ଆବଶ୍ୟକତା ଅଧିକ ଥାଏ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।