ଗର୍ଭାବସ୍ଥାରେ ରକ୍ତଚାପ ନିୟନ୍ତ୍ରଣ


ମହିଳା ମାନଙ୍କ ଜୀବନର ସବୁଠାରୁ ବଡ଼ ଆନନ୍ଦ ରହିଥାଏ ଗର୍ଭାବସ୍ଥାକୁ ନେଇ । ତେବେ ଗର୍ଭାବସ୍ଥାରେ ରକ୍ତଚାପ ସମସ୍ୟା ସେମାନଙ୍କ ଶାରୀରିକ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥାଏ । ସବୁଠାରୁ ବଡ଼ କଥା ହେଉଛି ଅନେକ ମହିଳା ସେମାନଙ୍କ ଶରୀରରେ ଏହି ରକ୍ତଚାପ ସମସ୍ୟାଟିକୁ ଭଲ ଭାବେ ବୁଝି ପାରିନଥାନ୍ତି । ଅନେକଙ୍କ ଭିତରେ ଏହାକୁ ମାମୁଲି ଦୁର୍ବଳତା ଭାବି ପ୍ରାଥମିକ ଚିକିତ୍ସା କରିଥାନ୍ତି ଓ କେତେକଙ୍କ କ୍ଷେତ୍ରରେ ପରିସ୍ଥିତି ଜଟିଳ ହେବା ପରେ ସେମାନେ ଡାକ୍ତରଙ୍କୁ ଦେଖାଇବା ପାଇଁ ନିଷ୍ପତ୍ତି ନେଇଥାନ୍ତି ଯାହାଦ୍ୱାରା ସମସ୍ୟାଟି ଦ୍ୱିଗୁଣିତ ହୋଇଯାଇଥାଏ । ହାଇପରଟେନସନ ବା ଉଚ୍ଚ ରକ୍ତଚାପ ହେଉଛି ଏଭଳି ଏକ ଶାରୀରିକ ଅବସ୍ଥା ଯେଉଁଥିରେ ରକ୍ତ ସଂଚାଳନ କରୁଥିବା ଧମନୀ ଗୁଡ଼ିକର ପାଶ୍ୱର୍ଭାଗରେ ରକ୍ତ ଅଧିକ ବଳ ପକାଇଥାଏ । ଏହି ଅବସ୍ଥା ହୃଦଘାତ ଓ ମସ୍ତିଷ୍କଘାତ ପରି ସ୍ୱାସ୍ଥ୍ୟ ସଂକଟ ଆଣିଥାଏ । ଗର୍ଭାବସ୍ଥା ବେଳେ ମହିଳାମାନଙ୍କ ଠାରେ ହାଇପରଟେନସନ ଦେଖାଦେବାର ଆଶଙ୍କା ଅଧିକ ଥାଏ, ଯାହାକୁ ପ୍ରିକ୍ଲାମ୍ପସିଆ ବା ଜେଷ୍ଟେସନାଲ ହାଇପରଟେନସନ କୁହାଯାଏ । ଏହାର ସୁପରିଚାଳନା ନକଲେ ତାହା ଉଭୟ ଗର୍ଭବତୀ ଓ ଗର୍ଭସ୍ଥ ଭ୍ରୁଣ ପ୍ରତି ବିପଦ ସୃଷ୍ଟି କରିପାରେ । ପ୍ରିକ୍ଲାମ୍ପସିଆ ଦେଖାଦେଲେ କିପରି ଏକ ନିରାପଦ ତଥା ସୁସ୍ଥ ଗର୍ଭଧାରଣ ସହ କୌଣସି ପ୍ରକାର ସ୍ୱାସ୍ଥ୍ୟ ଜଟିଳତାକୁ ଦୂର କରିହେବ ସେ ସମ୍ପର୍କିତ କିଛି ସହଜ ଉପାୟ ବାବଦରେ ଆଲୋଚନା କରିବା ।
    ପ୍ରଥମତଃ ଗର୍ଭାବସ୍ଥାର ନିୟମିତ ଡାକ୍ତରୀ ନିରୀକ୍ଷଣ କରାଇବା ଜରୁରୀ । ଏହାଦ୍ୱାରା ସମ୍ଭାବ୍ୟ ଉଚ୍ଚ ରକ୍ତଚାପ ବାବଦରେ ସୂଚନା ମିଳିପାରିବ ଏବଂ ତଦନୁଯାୟୀ ପ୍ରତିକାର ମଧ୍ୟ କରାଯାଇପାରିବ । ଘରେ ଥାଇ ମଧ୍ୟ ନିୟମିତ ରକ୍ତଚାପ ମାପିବା ଏକ ଭଲ ଅଭ୍ୟାସ । ଏହାଦ୍ୱାରା ଆଗୁଆ କୌଣସି ପ୍ରକାର ଅହେତୁକ ରକ୍ତଚାପ ବୃଦ୍ଧିକୁ ଠଉରାଇହେବ । ଏବଂ ସମ୍ଭାବ୍ୟ ଜଟିଳତାକୁ ଦୂର କରିହେବ । ଗର୍ଭବତୀମାନେ ବିଭିନ୍ନ ଫଳମୂଳ, ପନିପରିବା ଓ ସଂପୂର୍ଣ୍ଣ ଦାନାଯୁକ୍ତ ଶସ୍ୟ ସମ୍ବଳିତ ସୁଷମ ଖାଦ୍ୟ ଖାଇବା ଦରକାର । ଏହା ସମଗ୍ର ସ୍ୱାସ୍ଥ୍ୟରେ ଉନ୍ନତି ଆଣି ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଗର୍ଭବତୀମାନେ କମ ପରିମାଣର ଲୁଣ ଖାଇବା ଉଚିତ । କାରଣ ଲୁଣରେ ଥିବା ସୋଡ଼ିଅମ୍ ଖଣିଜର ସ୍ୱଳ୍ପତା ରକ୍ତଚାପ କମାଇବା ସହ ହୃତପିଣ୍ଡ ସ୍ୱାସ୍ତ୍ୟକୁ ଉନ୍ନତ କରିପାରିବ । ପ୍ରଚୁର ପରିମାଣର ପାଣି ପିଇବା ଦ୍ୱାରା ରକ୍ତ ପ୍ରବାହ ସୁଗମ ହୋଇଥାଏ । ଗର୍ଭବତୀମାନେ ନିୟମିତ ମୃଦୁ ବ୍ୟାୟାମ କରିବା ଆବଶ୍ୟକ । ଏହା ରକ୍ତ ସଂଚାଳନକୁ ଉନ୍ନତ କରିଥାଏ ଏବଂ ରକ୍ତଚାପକୁ ନିୟମିତ କରିବା ସହ ମାନସିକ ଚାପ କମାଇଥାଏ । ସେହିପରି ଗଭୀର ଶ୍ୱାସକ୍ରିୟା ଓ ଦୈନିକ ଯୋଗାଭ୍ୟାସ ସହ ଯଥେଷ୍ଟ ପରିମାଣର ବିଶ୍ରାମ ଓ ନିଦ୍ରା ମଧ୍ୟ ଯିବା ଦରକାର । ସର୍ବୋପରି ଧୂମପାନ ଓ ମଦ୍ୟପାନରୁ ନିବୃତ୍ତ ରହିବା ସହ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ନିର୍ଦ୍ଧାରିତ ଔଷଧ ସେବନ କରିବା ବା‚ନୀୟ । ସବୁଠାରୁ ବଡ଼କଥା ହେଉଛି ସରକାରୀ ବ୍ୟବସ୍ଥାର ଡାକ୍ତରୀ ସେବାର ସୁଯୋଗ ନିଅନ୍ତୁ । କୌଣସି ପରିସ୍ଥିତିରେ ମଧ୍ୟ ଦେଶୀ ଚିକିତ୍ସା ବା ତୁଟୁକା ତୁଟୁକି ଚିକିତ୍ସାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ । 
ଡାକ୍ତର ଶୁଭଶ୍ରୀ ମିଶ୍ର
ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଦୂରଭାଷ : ୯୮୬୧୪୬୩୪୦୬,