ନିହାତି ଲଗାମ୍ ଲାଗିବା କଥା
ଲୋକଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ରହିବା ପର ଠାରୁ ପ୍ରତ୍ୟେକ ମୋବାଇଲ୍ ଫୋନଧାରୀ ଜଣେ ଜଣେ ଫଟୋ ସାମ୍ବାଦିକ ହୋଇ ଯାଇଛନ୍ତି । ଯେତେବେଳେ ଯିଏ ଯାହା ପାରିଲା ମୋବାଇଲ୍ରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପେଷ୍ଟ କରି ଦେଉଛି । ସେସବୁର ଗୁରୁତର ନକାରାତ୍ମକ ପ୍ରଭାବ ବିଭିନ୍ନ ବୟସର ବ୍ୟକ୍ତିମାନଙ୍କ ଉପରେ ପଡୁଛି ।
ନିକଟରେ ମଧ୍ୟପ୍ରଦେଶର ଏକ ଗାଁରେ କୁଟୀର ଶିଳ୍ପ ଭାବରେ ଦେଶୀ ବନ୍ଧୁକ ପ୍ରସ୍ତୁତ ହେଉଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜଣେ ମହିଳା ନିଜ ଘରେ ଦେଶୀ ବନ୍ଧୁକ ସଫା କରୁଥିବାର ଏକ ଭିଡ଼ିଓ ପୁଲିସ୍ ନଜରକୁ ଆସିବା ପରେ ସାଇବର ଟିମ୍ ଏହାର ଠିକଣା ଖୋଜି ବାହାର କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଭଳି ଭିଡ଼ିଓଟି ପୁଲିସ୍ ପାଇଁ ଏକ ସୂଚନାଦାତାର କାର୍ଯ୍ୟ କରିଥିବା ବେଳେ ସାଧାରଣ ଲୋକ ବିଶେଷ କରି ବେକାର ଯୁବଗୋଷ୍ଠୀ ଏବଂ ଅପରିପକ୍ୱ କିଶୋର, କିଶୋରୀଙ୍କ ମନରେ କଣ ପ୍ରଭାବ ପକାଇବ ତାହା ଚିନ୍ତା କରାଯିବା ଆବଶ୍ୟକ । ବର୍ତ୍ତମାନ ମାରଣାସ୍ତ୍ର ଗୁଡ଼ିକ କେତେକ ସ୍ଥାନରେ ଲୋକଙ୍କ ହାତରେ ଅତି ସହଜରେ ପଡ଼ିଯାଉଛି । ଏପରିକି କିଛି ଲୋକ ମାରଣାସ୍ତ୍ର ତିଆରିକୁ ଏକ ବୃତ୍ତି ଭାବରେ ଗ୍ରହଣ କରି ନେଉଛନ୍ତି । ଏହା ଦ୍ୱାରା ସମାଜରେ ବିଭିନ୍ନ ପ୍ରକାରର ଅପରାଧ, ହତ୍ୟାକାଣ୍ଡ ଆଦି ଘଟୁଛି ଏବଂ ଏ ପ୍ରକାରର ଘଟଣା ଦିନକୁ ଦିନ ବଢୁଛି । ସାମାଜିକ ଗଣମାଧ୍ୟମରେ କୌଣସି ନିୟନ୍ତ୍ରଣ ଥିଲା ଭଳି ଲାଗୁନାହିଁ । ଏଭଳି ଭିଡ଼ିଓ ଗୁଡ଼ିକୁ ସାଧାରଣତଃ ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି ସେହିମାନେ ନିଜେ ହିଁ ଦୋଷୀ କିମ୍ବା ଅପରାଧୀ ହୋଇଥବା ଦେଖାଯାଉଛି । ନିଜ ଘର ଭିତରର ଭିଡ଼ିଓ ନିଜେ ମୋବାଇଲ୍ରେ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିବାରୁ ମୋବାଇଲ୍ ଫୋନ୍ର ଅପବ୍ୟବହାର ଯେଉଁଭଳି ଭାବରେ ହେଉଛି ତାହା ସ୍ପଷ୍ଟ ହୋଇଯାଉଛି । ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ଖେଳଣା ମଧ୍ୟରୁ ଅନେକ ଖେଳଣା ହେଉଛି ଯୁଦ୍ଧ ସରଞ୍ଜାମ, ବନ୍ଧୁକ ଏବଂ ମାରଣାସ୍ତ୍ର ସମ୍ପର୍କିତ । ଏ ପ୍ରକାରର ଖେଳଣା ଗୁଡ଼ିକ ଅଳ୍ପ ବୟସର ଏବଂ ଅପରିପକ୍ୱ ବୟସର ଶିଶୁ ଓ କିଶୋରମାନଙ୍କ ମନରେ ଅପରାଧ ପ୍ରବଣତା ସୃଷ୍ଟି କରୁଛି । ଭାରତର କେତୋଟି ରାଜ୍ୟରେ ଗ୍ରାମାଞ୍ଚଳରେ ହାତ ତିଆରି ବନ୍ଧୁକ କୁଟୀର ଶିଳ୍ପରେ ପରିଣତ ହୋଇଥିବା ଦେଖାଗଲାଣି । ଏହି ବନ୍ଧୁକ ଗୁଡ଼ିକ ବିଶେଷ ଭାବରେ ନିର୍ବାଚନ ସମୟରେ ଅପରାଧୀମାନେ ବ୍ୟବହାର କରୁଛନ୍ତି । ଏ ପ୍ରକାରର ଅପରାଧ ସହିତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସହଜ ଓ ସରଳ ବ୍ୟବସ୍ଥା ଯୋଗୁଁ ସାମାଜିକ ସ୍ଥିତି ବିଗୁଡୁଛି ।
ତେଣୁ ସାମାଜିକ ଗଣମାଧ୍ୟମ ଗୁଡ଼ିକ ନିମନ୍ତେ କିଛି କଠୋର ଆଇନ୍ର ବର୍ତ୍ତମାନ ଆବଶ୍ୟକତା ରହିଛି । ବିଶେଷ କରି କୌଣସି ପ୍ରକାରର ଆପତ୍ତିଜନକ ଭିଡ଼ିଓ କିମ୍ବା ପୋଷ୍ଟକୁ କୃତି୍ରମ ବୁଦ୍ଧିମତ୍ତା ମାଧ୍ୟମରେ ଚିହ୍ନଟ କରି ସେସବୁକୁ ପୋଷ୍ଟ୍ କରିବା ମାତ୍ରକେ ଡ଼ିଲିଟ୍ କରାଯିବାର ବ୍ୟବସ୍ଥା ରଖାଯିବା ଉଚିତ୍ । ଅପରାଧ ଏବଂ ଅପରାଧୀ ସମ୍ପର୍କିତ ଭିଡ଼ିଓ ଗୁଡ଼ିକ ପୁଲିସ୍ ନିକଟରେ ପହଞ୍ଚିବା ପୂର୍ବରୁ ଲକ୍ଷ ଲକ୍ଷ ଦର୍ଶକଙ୍କ ନିକଟରେ ପହଞ୍ଚିଯାଉଛି । ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ବେଳକୁ ଏହାର ପ୍ରତିକ୍ରିୟା ଲୋକଙ୍କ ନିକଟରେ ଦେଖା ଦେଉଛି । ଲୋକଙ୍କ ପ୍ରତିକ୍ରିୟା ପୂର୍ବରୁ ଏଭଳି ଦୃଶ୍ୟ ସବୁକୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିବାର ବ୍ୟବସ୍ଥା ନ ହେଲେ ଏହା ଭବିଷ୍ୟତର ସମାଜ ପାଇଁ ବିପଦ ସୃଷ୍ଟି କରିବ ।
କେବଳ ଏହି ଗୋଟିଏ ଦୃଶ୍ୟ ନୁହେଁ, ଏହିଭଳି ଅନେକ ଦୃଶ୍ୟ ଲୋକମାନଙ୍କୁ ନୂଆ ନୂଆ ଉପାୟରେ ଅପରାଧ କରିବା ପାଇଁ ଖୋରାକ୍ ଯୋଗାଉଛି । ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ନେଇ ଯେତେଶୀଘ୍ର ଆଇନ୍ ଆସିବ ସମାଜର ମଙ୍ଗଳ ହେବ ।