ସାରସ୍ୱତ ପ୍ରଜ୍ଞାପୁରୁଷ ମନୋଜ ଦାସ
ସାହିତ୍ୟ ସତ୍ୟ-ଶିବ-ସୁନ୍ଦର କଥା କହେ । ସାହିତ୍ୟ ଗୋଟିଏ ଦେଶ, ଜାତି ଓ ସମାଜର କଥା କହେ । ମଣିଷଙ୍କୁ ଅସତ୍ ପଥରୁ ସତ୍ପଥକୁ, ଅନ୍ଧାରରୁ ଆଲୋକକୁ, ଅନୀତି କାର୍ଯ୍ୟରୁ ନୀତି ଓ ଆଦର୍ଶକୁ, ଅବାଟରୁ ବାଟକୁ, ଅବିଦ୍ୟାରୁ ବିଦ୍ୟାକୁ, ବିଶୃଙ୍ଖଳାରୁ ଶୃଙ୍ଖଳାକୁ, ଅସୁନ୍ଦରରୁ ସୁନ୍ଦର ଆଡକୁ ନେବାରେ କାଳଜୟୀ ସ୍ରଷ୍ଟା ତାର ସାହିତ୍ୟ ମାଧ୍ୟମରେ ସଫଳ ହୁଏ । ମାଟି ମା’ ଓ ମାନବିକ ମୂଲ୍ୟବୋଧର ଭାବ ଭାଷା ଶବ୍ଦ ଏବଂ ଶୈଳୀକୁ କଲମ ମୁନରେ ଯିଏ ସମ୍ମାନ ଦିଏ, ସେ ହେଉଛନ୍ତି ଆନ୍ତର୍ଜାତିକ ଲେଖକ, କଥାକାର, ସାଧକ ପଦ୍ମଭୂଷଣ ମନୋଜ ଦାସ । ଭାରତୀୟ କଥା ସାହିତ୍ୟର ନାୟକ ୧୯୩୪ ମସିହା ଫେବୃଆରୀ ମାସ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଶଙ୍ଖାରୀ ଗ୍ରାମରେ ପିତା ମଧୁସୂଦନ ଦାସ ଓ ମାତା କାଦମ୍ବିନୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ ଜ୍ୟେଷ୍ଠ ଭାଇଙ୍କ ନାମ ଥିଲା ଐତିହାସିକ ଡ.ମନ୍ମଥନାଥ ଦାସ । ତାଙ୍କ ତିନି ଭଉଣୀଙ୍କ ନାମ ସୁରବାଳା, ସ୍ନେହବାଳା ଓ ଶାନ୍ତିବାଳା ଥିଲା । ନିଜ ଗାଁ ଶଙ୍ଖାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ତାଙ୍କର ଖଡିଛୁଅାଁ ହୋଇଥିଲା । ଜମାଳପୁରସ୍ଥିତ ବିଶ୍ୱନାଥ ଏକାଡେମୀ, ଜଳେଶ୍ୱରପୁର ହାଇସ୍କୁଲ ଓ ବାଲେଶ୍ୱର ଜିଲ୍ଲା ହାଇସ୍କୁଲରୁ ପାଠପଢ଼ା ଶେଷକରି ୧୯୫୧ ମସିହାରେ ମାଟ୍ରିକ ପାସ୍ କରିଥିଲେ । ପାଠ ପଢ଼ିବା ସମୟରେ ସେ ତାଙ୍କର ବଡଭାଇ ମନ୍ମଥନାଥ ଦାସଙ୍କ ସାଙ୍ଗରେ ଯେଉଁ ଭଡାଘରେ ରହୁଥିଲେ ସେ ଘରଟି ଥିଲା କଥାସାହିତ୍ୟର ସମ୍ରାଟ ଫକୀର ମୋହନଙ୍କର । ସେ ଫକୀରମୋହନ ମହାବିଦ୍ୟାଳୟରୁ ଇଣ୍ଟର ମିଡିଏଟ୍ ପାସ୍ କରିଥିଲେ । ୧୯୫୩-୫୪ ମସିହାରେ ସେ ଏଫ୍.ଏମ୍.କଲେଜ ଛାତ୍ର ୟୁନିଅନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ନିଖିଳ ଉକ୍ରଳ ଛାତ୍ର ସଂଘର ସମ୍ପାଦକ ଭାବେ ସେ ନିର୍ବାଚିତ ହୋଇଥିଲେ । ୧୯୫୬ ମସିହାରେ ସେ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ବି.ଏ. ପାସ୍ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ପାସ୍ କରିଥିଲେ । ସେ ମଧ୍ୟ ଆଇନ କଲେଜ୍ ୟୁନିଅନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଇଣ୍ଡୋନେସିଆଠାରେ ଅନୁଷ୍ଠିତ ଏସିଆ-ଆଫ୍ରିକା ଛାତ୍ର ସମ୍ମିଳନୀରେ ସେ ଭାରତୀୟ ଛାତ୍ର ସମାଜର ପ୍ରତିନିଧି ଭାବେ ଯୋଗଦେଇଥିଲେ । ୧୯୫୯ ମସିହାରେ ରେଭେନ୍ସା କଲେଜରୁ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତର ପାସ୍ କରି କଟକର ଖ୍ରୀଷ୍ଟ୍ କଲେଜରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ।
କୁଜଙ୍ଗ ରାଜ୍ୟର ରାଜକନ୍ୟା ରନôମାଳି ଜେମା ଓ କୁଜଙ୍ଗ ଗାନ୍ଧି, ପୂର୍ବତନ ଉପବାଚସ୍ପତି ନାରାୟଣ ବୀରବର ସାମନ୍ତଙ୍କ ଜ୍ୟେଷ୍ଠ କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହ ମନୋଜ ଦାସଙ୍କ ୧୯୫୯ ମସିହାରେ ବିବାହ ହୋଇଥିଲା । ଛୋଟ ଅବସ୍ଥାରୁ ସେ ହାରମୋନିୟମ ଧରି ଗୀତ ଗାଇବା ସହିତ ବଂଶୀବାଦନ କରୁଥିଲେ । ସେ ନିଜେ ସଙ୍ଗୀତ ନିଦେ୍ର୍ଦଶନା ଦେଉଥିଲେ । ସ୍କୁଲରେ ପଢ଼ିବା ସମୟରୁ ସେ ମାର୍କସବାଦ ପ୍ରତି ଆକୃଷ୍ଟ ହୋଇଥିଲେ । ଜଣେ ବିପ୍ଳବୀ ଛାତ୍ର ନେତା ଭାବରେ ୧୯୫୫ ମସିହାରେ ସେ କାରାବରଣ କରିଥିଲେ । ମନୋଜ ଦାସ ବିଶ୍ୱ କଥା ସାହିତ୍ୟର ଜଣେ ନାୟକ । ତାଙ୍କ କବିତା ଓ ପ୍ରବନ୍ଧ ଗଭୀର ଆତ୍ମିକ ଅନ୍ୱେଷାବୋଧ ଏବଂ ଛନ୍ଦମୟ । ଉପନ୍ୟାସରେ ସମାଜର ସବୁ ଦିଗନ୍ତ ଓ ପରିଧିର ଭାବକୁ ରୂପାୟନ କରି ସମସ୍ତ ପାଠକ ମହଲରେ ସେ ବିଜୟ ଲାଭ କରିଛନ୍ତି ହୃଦୟର ଭଲ ପାଇବା । ଏହି ସାହିତ୍ୟ ସନ୍ନ୍ୟାସୀ ବହୁ ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଭ୍ରମଣ କାହାଣୀ, କବିତା ଓ ଇତିହାସ ସଂସ୍କୃତି ରଚନା କରି ପ୍ରଜ୍ଞାପୁରୁଷ ଭାବେ ସମାଜରେ ପ୍ରଶଂସିତ ହୋଇଛନ୍ତି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ ବିଶିଷ୍ଟ କଥାକାର, ସାଧକ, ପଦ୍ମଭୂଷଣ ମନୋଜ ଦାସ ୮୭ ବର୍ଷ ବୟସରେ ୨୦୨୧ ମସିହା ଏପ୍ରିଲ୍ ୨୭ ତାରିଖ ମଙ୍ଗଳବାର ଦିନ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଅବର୍ତ୍ତମାନରେ ଭାରତୀୟ ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ବିଶିଷ୍ଟ ସାହିତ୍ୟ ସାରଥି ଆମ୍ଭମାନଙ୍କ ମଧ୍ୟରେ ସର୍ବଦା ଅମର ହୋଇ ରହିବେ ।
ଅକ୍ଷୟ କୁମାର ରାଉତ
ପାରାଦ୍ୱୀପଗଡ, କୁଜଙ୍ଗ,ଜଗତ୍ସିଂହପୁର
ମୋ.ନଂ.-୯୯୩୭୬୯୧୪୭୫