ଯୋଗ୍ୟତାର ବିଚାର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଯୋଗ୍ୟତାର ବିଚାର ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।

"ଯୋଗ୍ୟ ଯୋଗ୍ୟେନ ଯୋଜୟେତ୍  ।'' ଏହାର ଅର୍ଥ ହେଲା କେବଳ ଯୋଗ୍ୟତମ ହିଁ ବଞ୍ଚିବ  । ଯେଉଁମାନେ ନିଜର ବୁଦ୍ଧିକୁ ଠିକ୍ ସମୟରେ ପ୍ରୟୋଗ କରିପାରନ୍ତି ନାହିଁ, ସେହିମାନେ ଠକିଯାଆନ୍ତି  ।
ଠିକ୍ ସମୟରେ ଚିନ୍ତା ଶକ୍ତିକୁ କାମରେ ଲଗାଇବା ପାଇଁ ଏକ ପରିବେଶ ମଧ୍ୟ ଆବଶ୍ୟକ ହୁଏ  । ଉତ୍ତମ ଚିନ୍ତାଶକ୍ତି ଥିଲେ ମଧ୍ୟ ଯଦି ଭାବିବାକୁ ସୁଯୋଗ ନଥାଏ, ତେବେ ଜଣେ ଧୂର୍ତ୍ତମାନଙ୍କ ନିକଟରେ ଠକି ହୋଇ ଯାଇପାରେ  ।
ପୃଥିବୀର ଚିରନ୍ତନ ନିୟମକୁ କେହି ବଦଳାଇ ପାରିବେ ନାହିଁ  । ସାପକୁ ଠକିବା ପାଇଁ ବେଙ୍ଗର ରଙ୍ଗ ଏତେ ଅସନା  । ସାପକୁ ଠକି ନ ପାରିଲେ ବେଙ୍ଗର ବଞ୍ଚିବା ସମ୍ଭବ ନୁହେଁ  । ସାପର ଦୃଷ୍ଟି ମଧ୍ୟ ସେପରି ତୀକ୍ଷ୍ନ ଏବଂ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଅଜସ୍ର ବେଙ୍ଗଙ୍କ ଭିତରୁ ଗୋଟିଏକୁ ଗିଳିବାକୁ ସମର୍ଥ ହୁଏ  ।
ଏଇ ଉଦାହରଣରୁ ଆମକୁ ବୁଝିବାକୁ ହେବ ଯେ ଜୀବନଟା ନିଜର ବୁଦ୍ଧି, ଚିନ୍ତାଶକ୍ତି ଏବଂ ଠିକ୍ ସମୟରେ ଠିକ୍ ଭାବରେ ଚିନ୍ତା କରିବାର କ୍ଷମତା ଉପରେ ନିର୍ଭର କରେ  । କିଏ କାହାକୁ ଠକି ଦେଲା, ଶୋଷଣ କଲା କିମ୍ବା କିଏ ଠକି ହୋଇଗଲା, କିଏ ଶୋଷଣର ଶିକାର ହେଲା ତାହା ବଡକଥା ନୁହେଁ  । ବଡକଥା ହେଉଛି ଆବଶ୍ୟକ ସମୟରେ ଉପଯୁକ୍ତ ପଦକ୍ଷେପ ନେବାରେ ଯିଏ ସମର୍ଥ, ସେ ହିଁ ଏ ପୃଥିବୀରେ ବଞ୍ଚିପାରିବ  ।
ସବୁବେଳେ ଯୋଗ୍ୟତା କିମ୍ବା ଦକ୍ଷତାର ବିଜୟ ଘଟେ ନାହିଁ, ବରଂ କୌଶଳ ପ୍ରୟୋଗରେ ଦକ୍ଷ ବ୍ୟକ୍ତିର ହିଁ ବିଜୟ ଘଟେ  । ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ପ୍ରଗତି, କୌଶଳ ଉପରେ ନିର୍ଭର କରେ  । ଚିନ୍ତାଶକ୍ତିର ଦକ୍ଷତାକୁ ନେଇ କୌଶଳର ବିକାଶ ଘଟିଥାଏ  । ବୁଦ୍ଧିମାନ ପ୍ରାଣୀ ସବୁବେଳେ ଏହି କାରଣରୁ ଚିନ୍ତାଶକ୍ତିକୁ ଗୁରୁତ୍ୱ ଦିଏ  ।

ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।