ପରିବହନ ସୁବିଧା ଗ୍ରାମାଞ୍ଚଳକୁ ଆବଶ୍ୟକ
ଏଇ ଅଳ୍ପ କେତେ ବର୍ଷ ହେଲା ୩୦ଟି ଯାକ ଜିଲ୍ଲାର ପଞ୍ଚାୟତରୁ ବ୍ଲକ୍କୁ ଏବଂ ବ୍ଲକ୍ରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ନାମରେ ଏକ ସରକାରୀ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଗ୍ରାମାଞ୍ଚଳର ଲୋକମାନେ ବହୁ ଭାବରେ ଉପକୃତ ହୋଇଛନ୍ତି । ତେବେ ଲକ୍ଷ୍ମୀ ବସ୍ର ରୁଟ୍ ଗୁଡିÿକ ବର୍ତ୍ତମାନ ମଧ୍ୟ ସବୁ ଗ୍ରାମାଞ୍ଚଳକୁ ସ୍ପର୍ଶ କରିପାରୁନାହିଁ । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡା ଭଳି ଜିଲ୍ଲା ଗୁଡ଼ିକରେ ଏବେ ବି ଲୋକମାନେ ବିଭିନ୍ନ ପରିବହନ ଗାଡ଼ିରେ ଗ୍ରାମାଞ୍ଚଳରେ ବୋଝେଇ ହୋଇ ଯିବା ଭଳି ଯାତାୟତ କରୁଛନ୍ତି । ଏ ପ୍ରକାରର ବ୍ୟବସ୍ଥା ଅତ୍ୟନ୍ତ ବିପଜ୍ଜନକ ଏବଂ ଦୁଃଖଦାୟକ ମଧ୍ୟ । ଉପାନ୍ତ ଅଞ୍ଚଳର ଜିଲ୍ଲାର କଥା ତ ଅଲଗା, ଖୋଦ୍ ରାଜଧାନୀର ନିକଟରେ ରହିଥିବା ପାଖାପାଖି ୫୦ଟି ଗାଁରେ ଏବେ ସୁଦ୍ଧା ପରିବହନ ବ୍ୟବସ୍ଥା କିଛି ନାହିଁ । ଲୋକମାନେ ନିଜ ସୁବିଧାରେ ୧୦-୧୫ କିଲୋମିଟର ଆସିବା ପରେ ସେମାନେ ସହରାଞ୍ଚଳ ବସ୍ ସେବା ପାଉଛନ୍ତି କିମ୍ବା ସେହିଭଳି କିଛି ଅନ୍ୟାନ୍ୟ ସେବା ପାଉଛନ୍ତି । ଏବେ ବି ରାଜଧାନୀ ଉପକଣ୍ଠର ବହୁ ଅଞ୍ଚଳକୁ କେବଳ ତିନିଚକିଆ ଅଟୋରିକ୍ସା ବ୍ୟତୀତ ଆଉ ଅନ୍ୟ କୌଣସି ଗାଡ଼ି ସେବା ନାହିଁ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ମଧ୍ୟରେ ଏହିଭଳି ଅନେକ ପଞ୍ଚାୟତ ରହିଛି । କଲ୍ୟାଣପୁର, ଟିକରପଡ଼ା, ଶୁଆବରା, ଅର୍ଜନୁଗଦା, ବିନ୍ଧଗିିରି ଆଦି ଅନେକ ଅଞ୍ଚଳକୁ ଲୋକମାନେ କେବଳ ପାଦରେ ଚାଲି ଯିବା ଆସିବା କରୁଛନ୍ତି । ଚନ୍ଦକା ଜଙ୍ଗଲ ଭିତରେ ରହିଥିବା ବିଭିନ୍ନ ଗ୍ରାମକୁ ଯାତାୟତର କୌଣସି ବ୍ୟବସ୍ଥା ହିଁ ନାହିଁ । ଜଟଣୀ ବ୍ଲକ୍ ଅର୍ନ୍ତଗତ ଚନ୍ଦକା ଜଙ୍ଗଲ ଭିତରେ ଥିବା କନ୍ଦଳେଇ ଭଳି ଗାଁକୁ ରାସ୍ତା ହିଁ ନାହିଁ । ବିଶେଷ କରି ଆଦିବାସୀ, ଗରିବ ଶ୍ରେଣୀ, ଦିନ ମଜୁରିଆ ଶ୍ରେଣୀର ଲୋକମାନେ ରହୁଥିବା ଗ୍ରାମାଞ୍ଚଳ ଗୁଡ଼ିକରେ ଏ ପର୍ଯ୍ୟନ୍ତ କୌଣସି ପରିବହନ ସେବା ନାହିଁ । ଏହିସବୁ ଅଞ୍ଚଳର ଲୋକମାନେ କାମଧନ୍ଦା ଉଦେ୍ଦଶ୍ୟରେ ଗାଁରୁ ବାହାରକୁ ଆସିବା ପାଇଁ ବିଭିନ୍ନ ପ୍ରକାରର ମାଲ୍ ପରିବହନ ଯାନ ଉପରେ ନିର୍ଭର କରୁଛନ୍ତି । ରାଜଧାନୀ ଉପକଣ୍ଠ ଅଧିକାଂଶ ଗ୍ରାମରୁ ପ୍ରତିଦିନ ରାଜଧାନୀକୁ ପ୍ରଚୁର ପରିମାଣର ପନିପରିବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆସୁଥିଲେ ମଧ୍ୟ ଲୋକମାନଙ୍କର ଗମନାଗମନ କ୍ଷେତ୍ରରେ ସର୍ବନିମ୍ନ ପରିବହନ ବ୍ୟବସ୍ଥା ହୋଇ ପାରିନାହିଁ ।
ଇତିମଧ୍ୟରେ ଧଉଳି ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୧୦-୨୦ ଖଣ୍ଡ ଗାଁରୁ ଲୋକମାନେ ରାଜଧାନୀର ଉପକଣ୍ଠରେ ରହି ପରିବହନ ଯୋଗାଯୋଗ ସେବାରୁ ବଞ୍ଚିତ ହୋଇଥିବାରୁ ଏକ ପଦଯାତ୍ରା ଆୟୋଜନ କରି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା କେବଳ ଭୁବନେଶ୍ୱର ଆଖପାଖ ଅଞ୍ଚଳର ସମସ୍ୟା ନୁହେଁ । ରାଜଧାନୀର ବହୁ ଅଞ୍ଚଳର ସମସ୍ୟା । ପ୍ରତି ଗ୍ରାମ ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ପରିବହନ ବ୍ୟବସ୍ଥା ହୋଇ ଯାଇଥିଲେ ମଧ୍ୟ ଗ୍ରାମରୁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଆଜି ଯାଏଁ ଲୋକମାନଙ୍କର ଯିବା ଆସିବା କ୍ଷେତ୍ରରେ ଅନେକ ଅସୁବିଧା ରହିଛି । କେଉଁଠାରେ ରାସ୍ତା ନାହିଁ ତ ଆଉ କେଉଁଠାରେ ପରିବହନର ବ୍ୟବସ୍ଥା ନାହିଁ । ପ୍ରତିଥର ନିର୍ବାଚନ ସମୟ ଆସିଲେ ଜନପ୍ରତିନିଧିମାନେ ବିଭିନ୍ନ ପ୍ରକାରର ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି । କିନ୍ତୁ ସେମାନଙ୍କ ଆଶ୍ୱାସନା ସ୍ୱାଧୀନତାର ୭୭ ବର୍ଷ ହେଲା କେବଳ ଆଶ୍ୱାସନାରେ ହିଁ ରହିଯାଇଛି । ପାର୍ବତ୍ୟାଞ୍ଚଳ ଗୁଡ଼ିକରେ ରହିଥିବା ଗାଁ ଗୁଡ଼ିକୁ କେତେକ କ୍ଷେତ୍ରରେ ସଡ଼କ ଯୋଗାଯୋଗ ହୋଇଥିଲେ ମଧ୍ୟ ସେଥିରେ ଲୋକମାନଙ୍କ ଗମନାଗମନ ପାଇଁ ଗାଡ଼ି ଖଣ୍ଡିଏ ଦେଖିବା ସ୍ୱପ୍ନ ହୋଇପଡ଼ିଛି । ଏହିଭଳି ଦୁର୍ଗମ ଏବଂ ଅସୁବିଧାରେ ରହୁଥିବା ଲୋକମାନଙ୍କ ପାଇଁ ସରକାରୀ ବ୍ୟବସ୍ଥାରେ ଆତ୍ମନିଯୁକ୍ତି ଏବଂ ଥଇଥାନ ଯୋଜନା କରାଯାଇ ଛୋଟ ଛୋଟ ଗାଡ଼ି କିମ୍ବା ତିନିଚକିଆ ଯାନର ପରିବହନ ବ୍ୟବସ୍ଥା କରାଗଲେ ବିପଜ୍ଜନକ ପରିସ୍ଥିତିରେ ଲୋକମାନେ ମାଲ ପରିବହନ ହେଉଥିବା ଗାଡ଼ିରେ ଯାତାୟତ କରନ୍ତେ ନାହିଁ ।