ମାଫିଆଙ୍କ କବ୍ଜାରେ ନଦୀ ପଠା


ଦ୍ରୁତଗତିରେ ସହରାଞ୍ଚଳ ଗୁଡିକର ସମ୍ପ୍ରସାରଣ ଘଟୁଥିବା ବେଳେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ନିମିତ୍ତ ବାଲିର ଆବଶ୍ୟକତା ପଡୁଛି । ଏହି ବାଲିକୁ ସହରାଞ୍ଚଳ ଗୁଡ଼ିକର ନିକଟବର୍ତ୍ତୀ ନଦୀରୁ  ଉତ୍ତୋଳନ କରାଯାଉଛି । ମନଇଚ୍ଛା ନଦୀ ଭିତରୁ ବାଲି ଉଠାଉଥିବା ଯୋଗୁଁ ରାଜ୍ୟରେ ବଡ଼ ବଡ଼ ୧୪ଟି ନଦୀର ପଠା ଏବେ ବିପଦଗ୍ରସ୍ତ ଅବସ୍ଥାରେ ରହିଥିବା ଜଣାପଡ଼ିଲାଣି । ଏହି ସବୁ ନଦୀପଠାରୁ ସ୍ଥାନୀୟ ତହସିଲଦାରଙ୍କ ଅଜାଣତରେ ବେଆଇନ୍ ଭାବରେ ବାଲି ଉଠାଯାଉଛି । ନଦୀ ପଠା ଗୁଡ଼ିକରୁ ମନଇଚ୍ଛା ବାଲି ଉଠାଯାଉଥିବା ଯୋଗୁଁ ନଦୀ ଗୁଡ଼ିକରେ ବନ୍ୟା ଆସିଲେ ଏହାର ଗତିପଥ ବଦଳିଯାଉଛି । ଫଳରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଅପ୍ରତ୍ୟାଶିତ ଭାବରେ ନଦୀକୂଳ ଅତଡ଼ା ଖାଇବା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ନଦୀ ତଟବର୍ତ୍ତୀ ଭୂ-ସମ୍ପତ୍ତି ହରାଉଛନ୍ତି । ବନ୍ୟା ଆସିଲେ ସେସବୁ ନଦୀ ଗର୍ଭକୁ ଚାଲିଯାଉଛି । ସେହିପରି ରାଜ୍ୟରେ ବାଲି ମାଫିଆମାନେ ବାଲି, ମୋରମ୍ ଭଳି ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର କରୁଥିବାର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଛି । ଏହି ଚୋରା କାରବାର ରୋକିବାକୁ ଯାଇଥିବା ସରକାରୀ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । ଗତବର୍ଷ ଜାନୁଆରୀ ମାସରେ ବାଲେଶ୍ୱରର ଉପଜିଲ୍ଲାପାଳ ତଥା ଜଣେ ଆଇଏଏସ୍ ଅଧିକାରୀଙ୍କୁ ବାଲିମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ପରେ ଜିଲ୍ଲାରେ ଅପେରସନ୍ "ଷ୍ଟାଣ୍ଡଷ୍ଟର୍ମ୍' ଆରମ୍ଭ ହୋଇଥିଲା । 
ରାଜ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଋଷିକୂଲ୍ୟା ଭଳି ୧୪ଟି ନଦୀର ଶଯ୍ୟାରୁ ବାଲିମାଫିଆମାନେ ଚୋରାରେ ବାଲି ଉଠାଉଛନ୍ତି । ଗତ ୨୦୨୧ ମସିହାରେ ରାଜ୍ୟ ସରକାର ବିଭିନ୍ନ ନଦୀପଠା ତଥା ବିଭିନ୍ନ ସ୍ଥାନକୁ ବାଲି ଉଠାଣ ନିମିତ୍ତ ଏକ ସ୍ୱତନ୍ତ୍ର ନୀତି ଘୋଷଣା କରିଥିଲେ । କିନ୍ତୁ ଏହାକୁ କଡ଼ାକଡ଼ି ଭାବରେ ଲାଗୁ କରାଯାଇପାରୁନାହିଁ । ଚୋରା ଚାଲାଣ ଯୋଗୁଁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଗତ ୩ ବର୍ଷ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଅଭିଯୋଗ ସମ୍ପର୍କିତ ୧୩୫୯ ମାମଲା ରୁଜୁ କରାଯାଇ ୧୨୨୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହିସବୁ ଘଟଣାରେ ୨୭ ଜଣ ସରାକରୀ କର୍ମଚାରୀ ବାଲିମାଫିଆମାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ସର୍ବାଧିକ ମାମଲା କେବଳ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଜଣାପଡିଛି । ଯେଉଁସବୁ ଅଞ୍ଚଳରେ ସହରର ସମ୍ପ୍ରସାରଣ କାର୍ଯ୍ୟ ଏତେ ଅଧିକ ହେଉଛି ସେଠାରେ ବାଲିର ଚୋରା କାରବାର ସେତେ ଅଧିକ ହେଉଥିବା ଜଣାପଡ଼ିଛି । ଏହି ଚୋରା କାରବାରରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଅସଲ ମାଫିଆମାନେ ଖସି ଚାଲିଯାଉଛନ୍ତି । କେବଳ କିଛି ଟ୍ରାକ୍ଟର୍ ଚାଳକ ଏବଂ ମେସିନ୍ ଚାଳକ ଧରାପଡୁଛନ୍ତି । ବେଆଇନ୍ ବାଲି କାରବାରରେ ବାଲି ଉଠାଣ ସମ୍ପର୍କିତ କୌଣସି ନୀତି ରହୁନଥିବାରୁ ବେଆଇନ୍ ଇଟା ନିର୍ମାଣ କାର୍ଯ୍ୟରେ ମଧ୍ୟ ବେଆଇନ୍ ବାଲି କାରବାର ଯୋଡ଼ି ହୋଇଯାଉଛି । ଏହା ଫଳରେ ନଦୀ ତଟବର୍ତ୍ତୀ ଅଞ୍ଚଳରୁ ଇଟା ପାଇଁ ଉପଯୋଗୀ ଥିବା ମାଟି ମଧ୍ୟ ଚୋରା କାରବାର ହେଉଛି । 
ବର୍ତ୍ତମାନ ସମୟରେ ଇଟା ନିର୍ମାଣ ଏକ ଶିଳ୍ପରେ ପରିଣତ ହୋଇଛି ଏବଂ ଏଥିରେ ପ୍ରଚୁର ଲାଭ ଥିବାରୁ ସରକାରୀ ଜମି, ନଦୀକୂଳ ଆଦିରୁ ବେଆଇନ୍ ଭାବରେ ଟ୍ରକ୍ ଓ ଟ୍ରାକ୍ଟର୍ ଯୋଗେ ବିପୁଳ ପରିମାଣର ମାଟି ଉଠାଯାଉଛି । ଏହାର ପ୍ରତ୍ୟକ୍ଷ କୁଫଳ ପରିବେଶ ଉପରେ ପଡୁଛି । ସମତଳ ଅଞ୍ଚଳ ଗାତରେ ପରିଣତ ହୋଇଯାଉଛି । ବାଲି ଓ ଇଟା ଉଭୟର ବେଆଇନ୍ ବ୍ୟବହାର ବର୍ତ୍ତମାନ ପରିବେଶ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଲାଣି । ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ୍ ବାଲି ଉଠାଣ ଯୋଗୁଁ ପରିବେଶ ପ୍ରତି ସର୍ବାଧିକ ବିପଦ ସୃଷ୍ଟି ହେଉଛି । ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ବାତ୍ୟା ଏବଂ ସାମୁଦି୍ରକ ଜୁଆରରେ ନଦୀ ମୁହାଁଣ ଗୁଡ଼ିକ ସ୍ଥାନୀୟ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଏ ଦିଗରେ ସରକାର ପ୍ରଣୟନ କରିଥିବା ନୀତିକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ଉଚିତ୍ ।