ସ୍ୱାମୀତ୍ୱ ଯୋଜନା ଓ ମହିଳା ସଶକ୍ତୀକରଣ

ସୁଶୀଲ କୁମାର ଲୋହାନୀ : ୨୦୨୫  ମସିହା ଜାନୁଆରୀ ୧୮ ତାରିଖ ଦିନ ପ୍ରାୟ ୬୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ବଣ୍ଟନ ଭାରତର ଗ୍ରାମଞ୍ଚଳ ସଶକ୍ତୀକରଣ ଏବଂ ଆର୍ଥିକ ସଂସ୍କାର କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ନିର୍ବିବାଦରେ କୁହାଯାଇପାରେ  । ଏହି ଉପକ୍ରମ କେନ୍ଦ୍ର ସରକାରଙ୍କ ସମ୍ପତ୍ତି ଅଧିକାର ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ଗ୍ରାମାଞ୍ଚଳ ବିକାଶକୁ ସମାଯୋଜନ କରିବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରେ  । ନାଗରିକମାନଙ୍କୁ ଏବଂ ବିଶେଷ କରି ସମାଜର ମହିଳା ଓ ଦୁର୍ବଳ ବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଯାହାକି ବିକଶିତ ଓ ସମୃଦ୍ଧ ଭାରତର କରିକଳ୍ପନାକୁ ଆଗକୁ ଆଗେଇ ନେବା ଦିଗରେ ମଧ୍ୟ ସହାୟକ ହୋଇପାରିବ  ।
ଐତିହାସିକ ଦୃଷ୍ଟିରୁ ବିଚାର କଲେ ଭାରତୀୟ ଗ୍ରାମାଞ୍ଚଳର ମହିଳାମାନେ କୃଷି କ୍ଷେତ୍ର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି  । ସେହିଭଳି ପରିବାର ପରିଚାଳନା ଏବଂ ଗୋଷ୍ଠୀ ଜୀବନରେ ମଧ୍ୟ ସେମାନଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ  । କିନ୍ତୁ ସେମାନଙ୍କର ଏଭଳି ଉଲ୍ଲେଖନୀୟ ଅବଦାନ ସତ୍ତ୍ୱେ, ବ୍ୟବସ୍ଥାଗତ ପ୍ରତିବନ୍ଧକ ସେମାନଙ୍କର ଭୂମି ଉପରେ ଆଇନଗତ ସ୍ୱୀକୃତି ପ୍ରଦାନକୁ ପ୍ରତ୍ୟାଖାନ କରିଥାଏ  । ସେମାନେ ଯେଉଁ ଜମିକୁ ଚାଷ କରନ୍ତି ଓ ପରିଚାଳନା କରନ୍ତି ସେହି ଭୂମି ଉପରେ ସେମାନଙ୍କର ଅଧିକାର ରହେନାହିଁ  । ଏଭଳି ଅସମାନତା ମହିଳାମାନଙ୍କୁ ଆର୍ଥିକ ସମ୍ପଦ, ସୁଯୋଗ ଓ ସ୍ୱାଧୀନତା ହାସଲ ସୁଯୋଗରୁ ବଞ୍ଚିତ କରିଥାଏ ଯାହା ଫଳରେ ସେମାନଙ୍କୁ ଆର୍ଥିକ ତଥା ଲିଙ୍ଗଗତ ଅସମାନତା ଭିତରେ ନିରନ୍ତର ଭାବେ ଜୀବନ ବିତାଇବାକୁ ପଡିଥାଏ  ।
ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱାମୀତ୍ୱ ଯୋଜନା ଏଭଳି ସ୍ଥିତିରେ ପରିବର୍ତ୍ତନ ଘଟାଉଛି ଏବଂ ସରକାରୀ ଭାବେ ମହିଳାମାନଙ୍କର ଭୂମିର ସହ-ମାଲିକାନାକୁ ସ୍ୱୀକୃତି ପ୍ରଦାନ କରୁଛି   । ଏହି ପଟ୍ଟ ପରିବର୍ତ୍ତନକାରୀ ଉପକ୍ରମ ପାରିବାରିକ ସମ୍ପତ୍ତି ଉପରେ ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ କରୁଛି ତଥା ସେମାନଙ୍କ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତ କରୁଛି  । ଲିଙ୍ଗଗତ ସମାନତା ରକ୍ଷା ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  । ଭାରତର ଗ୍ରାମାଞ୍ଚଳରେ ଜମି ମାଲିକାନା ଆର୍ଥିକ ମୂଲ୍ୟବୋଧ ଠାରୁ ଆହୁରି ଅଧିକ – ଏହା ସାମାଜିକ ସ୍ଥିତି ଓ ନିରାପତ୍ତାକୁ ମଧ୍ୟ ପ୍ରତିନିଧିତ୍ୱ କରିଥାଏ  । ସମ୍ପତ୍ତି ଅଧିକାର ବିନା ମହିଳାମାନେ ଅଧିକାଂଶ ସମୟରେ ଆର୍ଥିକ ଅସ୍ଥିରତା, ବିସ୍ଥାପନ ଏବଂ ଘରୋଇ ହିଂସାର ଶିକାର ହୋଇଥାଆନ୍ତି  । ସେମାନଙ୍କୁ ଏ ଦିଗରେ ଆଇନଗତ ଅଧିକାର ପ୍ରଦାନ କରି, ସ୍ୱାମୀତ୍ୱ ଯୋଜନା ମହିଳାମାନଙ୍କୁ କେବଳ ନିରାପତ୍ତା ନୁହେଁ ଏଥି ସହିତ ଭୂମି ଉପଯୋଗ, ଉପଲବ୍ଧତା ଏବଂ ସମ୍ପଦ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣର ଅଧିକାର ମଧ୍ୟ ପ୍ରଦାନ କରୁଛି  । ଏହି ଯୋଜନାର ସବୁଠାରୁ ପ୍ରଭାବୀ ଫଳଶ୍ରୁତିମାନଙ୍କ ମଧ୍ୟରୁ ଗୋଟିଏ ହେଲା ଆର୍ଥିକ ସ୍ୱାଧୀନତା ଯାହାକି ମହିଳାମାନଙ୍କୁ ସବୁଠାରୁ ଅଧିକ ଉପକୃତ କରୁଛି  । ଭୂମି ଅଧିକାର ସେମାନଙ୍କୁ ବ୍ୟାଙ୍କରୁ ଋଣ ନେବାଠାରୁ ବୀମା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସହାୟକ ହେଉଛି ଯାହାକି ସେମାନଙ୍କ ନାମରେ ଆନୁଷ୍ଠାନିକ ଭୂମି ଅଧିକାର ନଥିବାରୁ ସେମାନଙ୍କ ପାଇଁ ଅନୁପଲବ୍ଧ ହୋଇ ରହିଆସିଥିଲା  । ଏଭଳି ପହଞ୍ଚ ମହିଳାମାନଙ୍କୁ ସେମାନଙ୍କର ପରିବାରର ଭବିଷ୍ୟତ ନିମନ୍ତେ ପୁଂଜି ନିବେଶ ପାଇଁ ଅନୁମତି ପ୍ରଦାନ କରିଛି ଏବଂ ସେମାନଙ୍କ ଆର୍ଥିକ ସ୍ଥିରତାକୁ ଅଧିକ ମଜଭୁତ କରିପାରିଛି  । ସମ୍ପତ୍ତି କାଗଜପତ୍ରରେ ମହିଳାମାନେ ସହ-ମାଲିକାନା ଅଧିକାର ପାଇବା ଫଳରେ ଗ୍ରାମାଞ୍ଚଳର ମହିଳାମାନେ ଏଣିକି ସେହି ଜମିକୁ ବନ୍ଧକ ରଖି ଆର୍ଥିକ ଅନୁଷ୍ଠାନରୁ ଋଣ ଆଣିବା ସହଜସାଧ୍ୟ ହୋଇପାରିଛି  । ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ, ସ୍ଥାନୀୟ କର୍ତ୍ତୃପକ୍ଷ ମହିଳାମାନଙ୍କୁ ପାରିବାରିକ ସମ୍ପତ୍ତିରେ ସହ-ମାଲିକାନା ହେବା ନିମନ୍ତେ ସକ୍ରିୟତାର ସହିତ ପ୍ରୋସôାହିତ କରିଥିଲେ  । ପରିଣାମ ସ୍ୱରୂପ, ଆବାସିକ ସମ୍ପତ୍ତିର ମିଳିତ ଓ ଏକକ ମାଲିକାନା ମାତ୍ରାରେ ନାଟକୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା  ।  ତାହା ୧୬ ପ୍ରତିଶତରୁ ୮୮ ପ୍ରତିଶତକୁ ବୃଦ୍ଧି ପାଇଥିଲା  । ଏଭଳି ପରିବର୍ତ୍ତନ ମହିଳାମାନଙ୍କୁ ଋଣ ପାଇବାରେ ଅଧିକ ସଶକ୍ତ କରିଛି ଯାହା ସେମାନଙ୍କୁ ବ୍ୟବସାୟ ଆରମ୍ଭ କରିବା ଏବଂ ଆର୍ଥିକ ସ୍ୱାଧୀନତା ହାସଲ କରିବା ଦିଗରେ ମଧ୍ୟ ସହାୟକ ହୋଇଛି  । ଏହା ସମ୍ପତ୍ତି ଜନିତ ବିବାଦ ହ୍ରାସ କରିବା ସହିତ ଆର୍ଥିକ ସ୍ଥିରତାକୁ ବୃଦ୍ଧି କରିପାରିଛି  । ଅନୁରୂପ ଭାବରେ ମଧ୍ୟ ପ୍ରଦେଶରେ, ଭୂମି ରାଜସ୍ୱ କୋଡରେ ମହିଳାମାନଙ୍କୁ ସହ-ମାଲିକାନା ପ୍ରଦାନ ନିମନ୍ତେ ସାମିଲ କରାଯିବା ଫଳରେଏହାର ଅଭୂତପୂର୍ବ ସୁଫଳ ଦେଖିବାକୁ ମିଳିଛି  । ହର୍ଦ୍ଦାର ଶ୍ରୀମତୀ ସଲିଲ୍ୟ ସିଦ୍ଦିକୀଙ୍କ ପରି ମହିଳାମାନେ ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ ସମ୍ପତ୍ତି କାର୍ଡ ପାଇବା ଆରମ୍ଭ କରିଛନ୍ତି ଯାହା ସେମାନଙ୍କ ଜମିକୁ ସୁରକ୍ଷିତ ରଖିପାରିଛି ଏବଂ ସେମାନଙ୍କର ଅଧିକାରକୁ ଆଇନଗତ ସମର୍ଥନ ଜ୍ଞାପନ କରିଛି  । ଏହି ସଶକ୍ତୀକରଣ ସେମାନଙ୍କୁ ଋଣ, କୃଷି ସହାୟତା ଏବଂ ଅନ୍ୟାନ୍ୟ ଆର୍ଥିକ ସମ୍ପଦ ଲାଭ ପାଇଁ ମଧ୍ୟ ସକ୍ଷମ କରାଇପାରିଛି ଯାହାକି ସେମାନଙ୍କ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିଛି  । ଆର୍ଥିକ ଏବଂ ଆଇନଗତ ସାମର୍ଥ୍ୟ ବ୍ୟତୀତ, ଏହି ଯୋଜନାକୁ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ମାଇଲଖୁଣ୍ଟ ଭାବେ ମଧ୍ୟ ବିବେଚନା କରାଯାଇପାରେ  । ଅନେକ ମହିଳାଙ୍କ ପାଇଁ ସମ୍ପତ୍ତି ମାଲିକାନା ନିରାପତ୍ତା, ପରିଚୟ ଓ ସ୍ୱୀକୃତି ତଥା ପରିବାର ଓ ଗୋଷ୍ଠୀର ଅଂଶବିଶେଷ ଭାବେ ନିଜକୁ ଦାବି କରିବାର ଏକ ସର୍ତ୍ତ ବୋଲି ବିବେଚନା କରାଯାଇଥାଏ  । ଏହା ସେହି ସାଂସ୍କୃତିକ ଧାରାକୁ ଚାଲେଞ୍ଜ୍ କରେ ଯାହା ଐତିହାସିକ ଭାବେ ମହିଳାମାନଙ୍କ ସମ୍ପତ୍ତି ସମ୍ପର୍କୀତ ନିଷ୍ପତ୍ତି ଗ୍ରହଣରୁ ବାହାରେ ରଖିଆସିଥିଲା  । ଏପରିକି ମହିଳମାନଙ୍କ ପାରିବାରିକ ପରିଚାଳନା ଓ ଗୋଷ୍ଠୀ ପରିଚାଳନା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବା ଦିଗରେ ମଧ୍ୟ ରୋକ ଲଗାଇଥିଲା  ।  ସେମାନଙ୍କୁ ଭୂମି ଅଧିକାର ସୁନିଶ୍ଚିତ କରି, ସ୍ୱାମୀତ୍ୱ ଯୋଜନା ଲିଙ୍ଗଗତ ଅସମାନତା କ୍ଷେତ୍ରରେ ଥିବା ଏକ ଗଭୀର ସମସ୍ୟାକୁ ସମାଧାନ କରିପାରିଛି ଏବଂ ମହିଳାମାନଙ୍କୁ ସଶକ୍ତ କରି ସେମାନଙ୍କର ଏବେ ସକଳ ପ୍ରକାର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିପାରିଛି  । ସେମାନଙ୍କୁ ମିଳିଥିବା ଆଇନଗତ ସ୍ୱୀକୃତି  ଫଳରେ  ପରିବାର ଓ ସମାଜ ମଧ୍ୟରେ ଦୀର୍ଘ ଦିନରୁ ରହିଆସିଥିବା ସେଭଳି ବୈମାତୃକ ମାନସିକତାରେ ପୂର୍ଣ୍ଣଚ୍ଛେଦ ପଡିଛି  । ମହିଳାମାନେ ଏବେ ଘରୋଇ ସମ୍ପଦ ଉପରେ ସେମାନଙ୍କର ଅଧିକାରକୁ ଅଧିକ ମାତ୍ରାରେ ହାସଲ କରିପାରିଛନ୍ତି ଏବଂ ଏହା ସେମାନଙ୍କୁ ବିସ୍ଥାପନର ଆଶଙ୍କାରୁ ସୁରକ୍ଷିତ ରଖିଛି ତଥା ସମ୍ପତ୍ତିଗତ ବିବାଦ ସମୟରେ ସେମାନଙ୍କ ଅଧିକାର ଉଲ୍ଲଂଘନ ହେବାର ମାତ୍ରାକୁ ହ୍ରାସ କରିଛି  । ଆର୍ଥିକ ଅଥବା ବ୍ୟକ୍ତିଗତ ସଂକଟର ଘଡିରେ ଭୂମି ମାଲିକାନା ସେମାନଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇଛି ଯାହା ଫଳରେ ମହିଳାମାନେ ଅଧିକ ଦୃଢ଼ତାର ସହିତ ସେମାନଙ୍କର ଅଧିକାର ଜାହିର କରିପାରୁଛନ୍ତି ଏବଂ ସେମାନଙ୍କର ଜୀବନ ଜୀବିକାକୁ ସୁରକ୍ଷିତ ରଖିପାରୁଛନ୍ତି  । ଅଧିକନ୍ତୁ, ଏହି ଯୋଜନାର ମିଳିତ ଜାତିସଂଘ ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡିଜି) ସହିତ ମଧ୍ୟ ନିବିଡ ସାମଞ୍ଜସ୍ୟ ରହିଛି  । ବିଶେଷ କରି ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟର ଲକ୍ଷ୍ୟ.୧ ଯାହାକି ଦାରିଦ୍ର୍ୟ ଦୂରୀକରଣରୁ ସଂକଳ୍ପ ଗ୍ରହଣ କରିଛି  । ସେହିଭଳି ଉପ-ଲକ୍ଷ୍ୟ ୧.୪.୨, ଅନୁସାରେ ମହିଳାମାନଙ୍କ ସମେତ ଦୁର୍ବଳ ଗୋଷ୍ଠୀଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉପରେ ଥିବା ପ୍ରାଧାନ୍ୟକୁ ମଧ୍ୟ ପୂରଣ କରୁଛି  । ମହିଳାମାନଙ୍କୁ ସମ୍ପତ୍ତିର ମାଲିକ ଭାବରେ ସ୍ୱୀକୃତି ପ୍ରଦାନ କରି, ସ୍ୱାମୀତ୍ୱ ଯୋଜନା ଏହିସବୁ ବୈଶ୍ୱିକ ଲକ୍ଷ୍ୟ ହାସଲ ଦିଗରେ ବିଶେଷ ଭାବରେ ଅବଦାନ ଯୋଗାଇଛି ଏବଂ ସମାବେଶୀ ତଥା ପୋଷଣୀୟ ବିକାଶକୁ ପ୍ରୋସôାହିତ କରୁଛି  ।
ନିରାପଦ ଭୂମି ଅଧିକାରର ସୁଫଳ ବ୍ୟକ୍ତିଗତ ପାରିବାରିକ ସୁବିଧା ଠାରୁ ଆହୁରି ଅଧିକ ବୋଲି ସାବ୍ୟସ୍ତ ହୋଇଛି ମହିଳାମାନେ ଯେଉଁମାନେ ଭୂମିର ମାଲିକ ହୋଇପାରିଛନ୍ତି ଏବେ ସେମାନେ ଆର୍ଥିକ ସେବା ପର୍ଯ୍ୟନ୍ତ ପହଞ୍ଚ ଅଧିକ ସୁଗମ ହୋଇଛି  । ସେମାନଙ୍କର ପରିବାରର ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଅଧିକ ସୁସଂଗତ ହୋଇଛି ଏବଂ ଲିଙ୍ଗ ଆଧାରିତ ହିଂସା ମାତ୍ରା ମଧ୍ୟ ହ୍ରାସ ପାଇଛି  । ସଶକ୍ତ ଭୂମ୍ୟାଧିକାରୀମାନ ଆର୍ଥିକ ଋଚିରେ ଅଧିକ ସ୍ୱାୟତ୍ତତା ହାସଲ କରିପାରିଛନ୍ତି, ସେମାନଙ୍କର ସାମାଜିକ ସ୍ଥିତି ମଜଭୁତ ହୋଇଛି ଏବଂ ସେମାନେ ସକଳ ପ୍ରକାର ଗୋଷ୍ଠୀ କାର୍ଯ୍ୟକ୍ରମରେ ସକ୍ରିୟତାର ସହିତ ଅଂଶଗ୍ରହଣ କରିବାକୁ ସକ୍ଷମ ହୋଇପାରିଛନ୍ତି  । ଏହା ସମାଜ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି  । ମହିଳାମାନେ ସେମାନଙ୍କର ଗୋଷ୍ଠୀରେ ପୁନଃନିବେଶ ପାଇଁ ସକ୍ଷମ ହୋଇପାରିଛନ୍ତି ଯାହା ଫଳରେ ସ୍ଥାନୀୟ ଅର୍ଥନୀତି ମଜଭୁତ ହୋଇଛି ଏବଂ ପୋଷଣୀୟ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିଛି  ।
 ଏହି ଯୋଜନାର ସଫଳତା ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶ ଭଳି ରାଜ୍ୟମାନଙ୍କରେ ଜଳଜଳ ହୋଇ ଦୃଶ୍ୟମାନ  । ସେଠାରେ ସ୍ୱାମୀତ୍ୱ ଯୋଜନାର ପ୍ରବର୍ତ୍ତନ ହେବା ଫଳରେ ଲୋକମାନଙ୍କୁ ଦୃଶ୍ୟମାନ ସୁଫଳ ପ୍ରାପ୍ତ ହୋଇଛି  । ଦେଶର ୧୩ ଗୋଟି ରାଜ୍ୟ ସ୍ୱାମୀତ୍ୱ ଯୋଜନା ଅଧୀନରେ ମହିଳାମାନଙ୍କ ଭୂସମ୍ପତ୍ତି ଉପରେ ସହ-ମାଲିକାନାକୁ ଗ୍ରହଣ କରିସାରିଛନ୍ତି  । ଆଶା କରାଯାଉଛି ଯେ ଅଧିକରୁ ଅଧିକ ରାଜ୍ୟ ଖୁବ୍ ଶୀଘ୍ର ଏହି ଯୋଜନାକୁ ଆପଣାଇବେ ଏବଂ ଏହାର ପଟ୍ଟ ପରିବର୍ତ୍ତନକାରୀ ପ୍ରଭାବ ସାରା ଦେଶରେ ଗ୍ରାମାଞ୍ଚଳରେ ଅନୁଭୂତ ହୋଇପାରିବ  । ଅପର ପକ୍ଷରେ ଦେଶର ୩୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ ଏହି ଯୋଜନାର ସଫଳ ରୂପାୟନ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି  । ଏବେସୁଦ୍ଧା ଦେଶର ୩.୧୭ ଲକ୍ଷ ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି ଯାହା ଫଳରେ ପ୍ରାୟ ୬୭,୦୦୦ ବର୍ଗ କିଲୋମିଟର କ୍ଷେତ୍ର ମପାଯାଇଛି  । ଏହି ବ୍ୟାପକ ମ୍ୟାପିଂ କାର୍ଯ୍ୟ ପ୍ରାୟ ୧୩୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଆର୍ଥିକ ସମ୍ପତ୍ତିକୁ ଉନ୍ମୋଚନ କରିଛି  । ଏହା ଏହି ଯୋଜନାର ପ୍ରଭାବୀ ମୂଲ୍ୟ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ରୂପାନ୍ତରିତ କରିବାର ସାମର୍ଥ୍ୟକୁ ପ୍ରଦର୍ଶିତ କରିଛି  । ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ସକାଶେ ଭାରତ ଯେଉଁ ପରିକଳ୍ପନା  ଓ ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେଉଛି, ସ୍ୱାମୀତ୍ୱ ଯୋଜନା ଗ୍ରାମାଞ୍ଚଳ ବିକାଶ ଓ ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଭାବେ ସାବ୍ୟସ୍ତ ହୋଇପାରିଛି  । ସମ୍ପତ୍ତି ଅଧିକାରକୁ ଆନୁଷ୍ଠାନିକରଣ କରାଯିବା ଦ୍ୱାରା ମହିଳାମାନଙ୍କୁ ଋଣ ବ୍ୟବସ୍ଥା ସହିତ ପହଞ୍ଚକ୍ଷମ କରାଯାଇଛି ଏବଂ ସେମାନଙ୍କ ଆର୍ଥିକ ସଶକ୍ତୀକରଣ ସାମର୍ଥ୍ୟ  ଅଧିକ ମଜଭୁତ ହୋଇପାରିଛି  । ସ୍ୱାମୀତ୍ୱ ଯୋଜନା ସମାବେଶୀ ବିକାଶର ଏକ ସୁଦୃଢ଼ ଆଧାର ଗଠନ ଦିଗରେ ଲକ୍ଷ୍ୟ ଧାରଣ କରେ  । ଅତ୍ୟାଧୁନିକ ଜି.ଆଇ.ଏସ. ପ୍ରଯୁକ୍ତିର ବ୍ୟବହାର ଏବଂ ନିର୍ଦ୍ଦିଷ୍ଟ ଜମିଜମା ରେକର୍ଡ ପ୍ରସ୍ତୁତି ଫଳରେ ଏହା ବିକାଶ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଏ ଏବଂ ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥାକୁ ବଳିଷ୍ଠ କରେ  ।
ଗୋଟିଏ ଦିନରେ ସାରା ଦେଶରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ ଏହାକୁ କେବଳ ଏକ ନଥି ବଣ୍ଟନ କାର୍ଯ୍ୟକ୍ରମ ନୁହେଁ, ତା'ଠାରୁ ଢେର୍ କିଛି ଅଧିକ ବୋଲି ସାବ୍ୟସ୍ତ କରିଛି  । ଏହା ଗ୍ରାମାଞ୍ଚଳର ନାଗରିକମାନଙ୍କୁ ସଶକ୍ତ କରିବା ସକାଶେ ସରକାରଙ୍କ ପ୍ରତିବଦ୍ଧତା ଏବଂ ଦେଶର ବିକାଶ ଯାତ୍ରାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ପ୍ରତିପାଦିତ କରେ  । ଗ୍ରାମାଞ୍ଚଳ ସମୁଦାୟକୁ ଆଧୁନିକ ସରଞ୍ଜାମ ଓ ସଂପଦରେ ସଜ୍ଜିତ କରି ସେମାନେ ଯେଭଳି ବିକଶିତ ଭାରତ ପରିକଳ୍ପନା ନିମନ୍ତେ ସକାରାତ୍ମକ ଭାବେ ନିଜ ନିଜର ଅବଦାନ ଯୋଗାଇ ପାରିବେ ସେଥିପାଇଁ ସ୍ୱାମୀତ୍ୱ ଯୋଜନା ଏକ ସମାନ ଓ ସମୃଦ୍ଧ ଗ୍ରାମୀଣ ଭାରତ ଗଠନ ଦିଗରେ ସଂକଳ୍ପବଦ୍ଧ  । ଏହା ଆଗାମୀ ପିଢ଼ିଙ୍କୁ ଇଛିତ ଦିଗରେ ଉଦବୁଦ୍ଧ କରାଯିବ  । ପରିଶେଷରେ କୁହାଯାଇପାରେ, ସ୍ୱାମୀତ୍ୱ ଯୋଜନା କେବଳ ଏକ ନୀତି ନୁହେଁ, ଏହା ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଦୂରକରିବା ନିମନ୍ତେ ଏକ ଯୁଗାନ୍ତକାରୀ ଉପକ୍ରମ ଏବଂ ମହିଳାମାନଙ୍କୁ ସଶକ୍ତ କରିବାର ଏକ ବଳିଷ୍ଠ ସାଧନ  । ସେହିଭଳି ଏହା ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ଏକ ବାର୍ତ୍ତାବହ ରୂପେ ବିବେଚିତ ହୋଇପାରିଛି  । ମହିଳାମାନଙ୍କୁ ଏକ ଦୃଢ଼ ସ୍ୱର, ବୃହତ୍ତର ଆର୍ଥିକ ସ୍ୱାଧୀନତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଦିଗରେ ଏହା ଏକ ଶକ୍ତିଶାଳୀ ଉଦାହରଣ  । ଆଇନଗତ ସଂସ୍କାର କିପରି ସମାବେଶୀ ବିକାଶର କାରକ ହୋଇପାରେ ଏବଂ ଏକ ବ୍ୟାପକ ସାମ୍ୟଯୁକ୍ତ ସମାଜ ଗଠନ କରିପାରିବ ତାହାର ବଳିଷ୍ଠ ଉଦାହରଣ ହେଉଛି ସ୍ୱାମୀତ୍ୱ ଯୋଜନା  ।
              ଅତିରିକ୍ତ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ