ରେଭେନ୍ସା ବନାମ ବିଚିତ୍ରା ନନ୍ଦ
ଡ. ଦୀପକ ଜେନା : ଓଡିଶା ଇତିହାସର ନବ-ମୂଲ୍ୟାୟନର ସମୟ ବୋଧେ ଉପନୀତ ଯାହା ଦର୍ଶାଇଦେବ କିଏ ଠିକ କିଏ ଭୁଲ କିଏ ଯୋଗ୍ୟ କିଏ ଅଯୋଗ୍ୟ! ବିଶ୍ୱବିଦ୍ୟାଳୟର ନାମ ରେଭେନ୍ସା ରହିବ ନା ବିଚିତ୍ରାନନ୍ଦ ବିଶ୍ୱବିଦ୍ୟାଳୟକୁ ପରିବର୍ତ୍ତିତ ହେବ!
ଟି. ଇ. ରେଭେନ୍ସା କେବଳ ତିରିଶ ଲକ୍ଷ ଓଡ଼ିଆଙ୍କ ହତ୍ୟାକାରୀ ନଥିଲା, ଥିଲା ଜଣେ କ୍ରୁର, ପ୍ରତାରକ, ଓ ପ୍ରବଞ୍ଚକ! ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ!
୧୮୬୬ ରେ ଓଡ଼ିଆ ରେ ଗଜା ମରୁଡି ଆରମ୍ଭ ହେଇଯାଇଥିଲା ।୧୮୬୫ ଜୁଲାଇ ୫ ତାରିଖ ରେ ରେଭେନ୍ସା ସାହେବ କଟକ ରେ ପହଂଚି ସାରିଥିଲେ, କରୁଥିଲେ କଣ? ୧୮୬୫ ନଭେମ୍ବର ମାସରେ ପୁରୀରେ ହଜାର ହଜାର ଲୋକ ଦୁର୍ଭିକ୍ଷରେ ଖାଦ୍ୟବିନା ମୃତୁ୍ୟବରଣ କରୁଥିଲା ବେଳେ ସେ କେମିତି ଜାଣି ପାରିଲେନି? ପୁରୀର ଜିଲାପାଳ ଥାଇ କଥା ଲେଖି ଜଣାଇଲା ପରେ ବି ଲୋକମାନଙ୍କୁ ପୁରୀ ଛାଡି ଚାଲିଯିବାକୁ କହିବା, ବୁଢ଼ାବୁଢ଼ୀମାନେ ମରିଗଲେ କିଛି ଅସୁବିଧା ନାଇଁ... ସେମାନେ ଅଦରକାରୀ ବୋଲି ମତାମତ ଦେବା କଣ ଜଣେ ମହାପୁରୁଷର ମାନସିକତା କି? ଯେତେବେଳେ ଓଡ଼ିଆ ଭୋକ ମାରିବାକୁ ପାଇଁ ଗଛରେ ପତ୍ର ଖୋଜୁଥିଲା ସେତେବେଳେ ବାଲେଶ୍ୱରରୁ ୬୯ ଟି ଜାହାଜରେ ମାନ୍ଦ୍ରାଜକୁ ଚାଉଳ ଚାଲାଣ କରିବା କଣ ଓଡ଼ିଆପ୍ରୀତିର ପ୍ରମାଣ? ଏପ୍ରିଲ କୋଡିଏ ୧୮୬୬ରେ କେମଣା ଫାଣ୍ଡି ନିକଟରେ ଜଣେ ଭୋକିଲା ମଣିଷ ମଣିଷ ମାଂସ ଖାଇଲା ବେଳେ ତାକୁ ଗଣ୍ଡାଏ ଖାଇବାକୁ ନଦେଇ ମାନସିକ ବିକଳାଙ୍ଗ କହି ଡାକ୍ତର ପାଖକୁ ପଠେଇବା ସାହେବ ଜଣକ ଯେ କେତେ ଓଡ଼ିଆପ୍ରିୟ ସେ ବିଚାର ଆପଣଙ୍କର କଂକାଳସାର ଶରୀର ଦେଖି ସାହିପାରୁନଥିବା, ସେମାନଙ୍କୁ ଗଣ୍ଡାଏ ଖାଇବାକୁ ଦେବାକୁ ଆଗେଇ ଆସୁଥିବା ଜମିଦାରମାନଙ୍କୁ ଧମକ ଦେବା, ସେମାନଙ୍କ ଠାରୁ ଅଧିକ ଖଜଣା ଆଦାୟ କରିବା, ସେମାନଙ୍କ ଜମିଦାରୀ ଉଛେଦ କରିବା କଣ ଏକ ହତ୍ୟାକାରୀ ମାନସିକତା ନୁହେଁ? ଦୁର୍ଭିକ୍ଷ ପରେ ଯେତେବେଳେ ମାତ୍ର ସାତ ଆଠ ମାସ ଭିତରେ କୋଡିଏ ଲକ୍ଷରୁ ଅଧିକ ଲୋକ ମୃତୁ୍ୟ ବରଣ କରିଥିଲେ, ଦଶଲକ୍ଷରୁ ଅଧିକ ଲୋକ ମାଟିଛାଡି ଚାଲି ଯାଇଥିଲେ ତାପରେ ବି ସାହେବର ମନ ବୁଝିନଥିଲା ଯେ ଜଳକର, ପଥକର, ଗୃହକର ପରି କେତେ କର ଲେଡିଦେଇଥିଲା ଓଡ଼ିଆଙ୍କ ଉପରେ ।
ଓଡ଼ିଆ ଯୁବକମାନଙ୍କୁ ଡେପୁଟି କଲେକଟର ନିଯୁକ୍ତ କରିବାକୁ ୧୮୭୧ରେ ପ୍ରସ୍ତୁତ ହୋଇଥିବା ପରୀକ୍ଷା ନିୟମକୁ ଲକ୍ଷ କଲେ ରେଭେନ୍ସାଙ୍କ ଓଡ଼ିଆ ପ୍ରତି ଥିବା ଘୃଣ୍ୟ ମାନସିକତା ବେଶ ବାରିହୋଇ ପଡେ , ଯେଉଁ ଥିରେ ନିୟମ ଥିଲା ପରୀକ୍ଷା ପୂର୍ବରୁ ଜଣେ ପିଲା ଡାକ୍ତରୀ ପ୍ରମାଣପତ୍ର ଦେବ, ଯେଉଁ ପ୍ରମାଣ ପତ୍ର ଦେବେ ଜଣେ ବଙ୍ଗାଳୀ ଡାକ୍ତର , ଏମିତି ବି ନିୟମ ଥିଲା ବଙ୍ଗାଳୀ ପିଲା ପରୀକ୍ଷା ଦେବେ ବଙ୍ଗାଳୀରେ ବିହାରୀ ପିଲା ହିନ୍ଦୀରେ, ଓଡ଼ିଆ ଦେବେ ଓଡ଼ିଆ ସହିତ ବଙ୍ଗଳାରେ । ପରୀକ୍ଷା ପୂର୍ବରୁ ଡାକ୍ତର ପ୍ରମାଣପତ୍ର? ଏଥିରୁ ଅନୁମେୟ ସାହେବଙ୍କ ଓଡ଼ିଆ ଓ ଓଡିଶା ପ୍ରୀତି ।
ଏବେ ପ୍ରଶ୍ନ ଆସେ କଟକ କଲେଜକୁ ରେଭେନ୍ସା କଲେଜ ନାମକରଣ କରିବାକୁ ମୟୁରଭଞ୍ଜ ରାଜା ଅନୁମୋଦନ କରିଥିଲେ କାହିଁକି? କେବଳ ଭୟରେ......! ଚାପରେ......! ମୟୁରଭଞ୍ଜ ରାଜା ରେଭେନ୍ସାଙ୍କ ନାମ ସୁପାରିଶ କରିଥିଲେ ନୁହେଁ ବରଂ ତାଙ୍କୁ ବାଧ୍ୟ କରାଯାଇଥାଇପାରେ । କଟକ କଲେଜିଏଟ ସ୍କୁଲକୁ କଟକ କଲେଜ କରିବାକୁ ରେଭେନ୍ସା ସାହେବ ଯେ ଚାହୁଁଥିଲେ ଏକଥା ଆଦୌ ନୁହେଁ! ଏଠି କୁହାଯାଇପାରେ ଓଡ଼ିଶାରେ ପୂର୍ଣ୍ଣାଙ୍ଗ କଲେଜ ସ୍ଥାପନ ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ ବିଚିତ୍ରାନନ୍ଦ ଦାସ, ଯିଏ କିଛି ବୁଦ୍ଧିଜୀବୀଙ୍କୁ ନେଇ ଏହି ବିଷୟରେ ଦାବିପତ୍ର ପ୍ରଦାନ କରିଥିଲେ, ତାଙ୍କ ଉଦ୍ୟମରେ ୧୮୪୧ରେ ସ୍ଥାପିତ କଟକ ଜିଲ୍ଲାସ୍କୁଲକୁ ୧୮୬୩ ରେ ଦ୍ୱିତୀୟ ଶ୍ରେଣୀ କଲେଜ ବା କଲେଜିଇଟ ସ୍କୁଲକୁ ପରିଣତ କରାଯାଇଥିଲା । ୧୮୭୨ ମସିହାରେ ଏକ ସଭା ଗଠନ କରି ଓଡ଼ିଶାରେ ଡିଗ୍ରୀ କଲେଜ ନିର୍ମାଣ ପାଇଁ ଦାବି କରି,୧୮୭୫ ରେ ଓଡିଶା ଆସିଥିବା ଟେମ୍ପଲ ସାହେବଙ୍କୁ ସ୍ମାରକପତ୍ର ଦେଇ କଟକ କଲେଜ ନିର୍ମାଣର ଆଗ୍ରଦୂତ ସାଜିଥିଲେ ବିଚିତ୍ରାନନ୍ଦ । ଯାହାକୁ ଆନ୍ତରିକ ବିରୋଧ କରୁଥିଲେ ରେଭେନ୍ସା ସାହେବ । ଯାହାର ପ୍ରମାଣ ଟେମ୍ପଲ ସାହେବ କଟକ ଆସିଥିଲାବେଳେ କଟକରେ ମେମୋରାଣ୍ଡମ ଦେବାକୁ ଚାହୁଁଥିଲାବେଳେ ରେଭେନ୍ସା ତାହା କରାଇଦେଇ ନଥିଲେ, ଯାହାକି ବାଲେଶ୍ୱରରେ ଦିଆଯାଇଥିଲା । ବାଲେଶ୍ୱରରେ ଟେମ୍ପଲ ସାହେବ କଲେଜ ନିର୍ମାଣ ପାଇଁ ତିରିଶ ହଜାର ଟଙ୍କା ଜନସାଧାରଣଙ୍କ ଠାରୁ ଯୋଗାଡ଼ କରିବାକୁ କହିଲା ପରେ ସେ ଟଙ୍କା ବିଚିତ୍ରା ନନ୍ଦ ଦାସ ବିଭିନ୍ନ ସୂତ୍ରରୁ ଯୋଗାଡ଼ କରିଥିଲେ । ମୟୁରଭଞ୍ଜ ରାଜା କୋଡିଏ ହଜାର ଟଙ୍କା ପ୍ରଦାନ କରିଥିଲେ ଏ କଥା ସତ... କିନ୍ତୁ ତାହା ପରବର୍ତ୍ତୀ ସମୟରେ ଯାହାକି କଲେଜର ସାମ୍ନା ପାଖ ଘର ନିର୍ମାଣରେ ନିୟୋଜିତ ହୋଇଥିଲା । ଏଇଠି ପ୍ରଶ୍ନ ଆସେ ଯଦି ରେଭେନ୍ସା ସାହେବ ଓଡ଼ିଶାରେ ଶିକ୍ଷା ପ୍ରତି ଏତେ ତତ୍ପର ଥିଲେ ୧୮୬୫ ରୁ ୧୮୭୬ ଏ ଦଶ ବର୍ଷ କରୁ ନଥିଲେ କାହିଁକି? ଆହୁରି ଏକ ଭ୍ରମରେ ଆମେ ଭ୍ରମିତ.... ଇତିହାସ କହେ ରେଭେନ୍ସା ସାହେବ ଓଡ଼ିଶାରେ ନାରୀ ଶିକ୍ଷା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । କଟକ ହିନ୍ଦୁ ବାଳିକା ବିଦ୍ୟାଳୟ ନିର୍ମାଣରେ ତାଙ୍କ ଭୁମିକା ଗୁରୁତ୍ୱପୂର୍ଣ, କେବଳ ଚିଠି ଲେଖିବା ବ୍ୟତୀତ ଆଉ କିଛି କରିନାହାନ୍ତି ସେ । କଟକ ହିନ୍ଦୁ ବାଳିକା ବିଦ୍ୟାଳୟ ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ ବିଚିତ୍ରା ନନ୍ଦ, ଯେଉଁ କମିଟିର ସଭାପତି ଥିଲେ ବିଚିତ୍ରା ନନ୍ଦ ଓ ସମ୍ପାଦକ ଥିଲେ ଅବିନାଶ ଚଟୋପାଧ୍ୟାୟ । କମିଟିର ଏକ ସଭାରେ ଅତିଥିଭାବେ ଯୋଗ ଦେଇଥିଲେ ରେଭେନ୍ସା ସାହେବ । ଯେହେତୁ ରେଭେନ୍ସା ସାହେବଙ୍କ ଅଧୀନରେ ବିଚିତ୍ରା ନନ୍ଦ ସିରସ୍ତାଦାର ଭାବେ କାର୍ଯ୍ୟ କରୁଥିଲେ ତେଣୁ ସଭାରେ ରେଭେନ୍ସା ସାହେବ ସଭାପତି ହେବା ସ୍ୱାଭାବିକ... ସଭାପତି ଭାବେ ମତ ରଖିଦେଲେ ଯେ ଜଣେ ପ୍ରତିଷ୍ଠାତା ହେବ ଏ କଥା କେତେଦୂର ଗ୍ରହଣୀୟ?
କେବଳ ଏତିକି ନୁହେଁ ୧୮୭୫ ମସିହାରେ ଓଡ଼ିଆମାନଙ୍କୁ ଏକ ଶାସନଧୀନ କରାଯିବା ପାଇଁ ଦାବି ଉପସ୍ଥାପନା କରି ଆନେ୍ଦାଳନ କରିବା ସହିତ ବଙ୍ଗଳାରେ ସାର ରିଚାର୍ଡ ଟେମ୍ପଲଙ୍କ ଓଡିଶା ଆଗମନ ବେଳେ ୧୮୭୫ ଫେବୃଆରୀରେ ଏକ ଦାବିପତ୍ର ଦିଆଯାଇଥିଲା ଯାହାଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସରକାରୀ ସ୍ତରରେ ପହଂଚିଥିବା ପ୍ରଥମ ଦାବିପତ୍ର । ଯାହାର ମୁଖ୍ୟ ପୁରୋଧା ଥିଲେ ବିଚିତ୍ରା ନନ୍ଦ ଦାସ । ସରକାରୀ ସ୍ତରରେ ଥାଇ ମଧ୍ୟ ଓଡ଼ିଆ ଭାଷାକୁ ଶିକ୍ଷାନୁଷ୍ଠାନରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବାପାଇଁ ଅନେକ ବ୍ରିଟିଶ କର୍ମଚାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ବିଚିତ୍ରା ନନ୍ଦ । କଟକ ପ୍ରିଣ୍ଟିଂପ୍ରେସ ସ୍ଥାପନ ରେ ବିଚିତ୍ରାନନ୍ଦ ଥିଲେ ଆଗ୍ରଗଣ୍ୟ, ଯେଉଁ ପ୍ରେସରୁ ୧୮୬୬ରେ ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ଉକôଳ ଦୀପିକା ପ୍ରକାଶିତ ହେଇଥିଲା । ବିଚିତ୍ରାନନ୍ଦଙ୍କ ପ୍ରତ୍ୟେକଟି ସ୍ୱପ୍ନ ପାଖରେ ପରାସ୍ତ ହୋଇଛନ୍ତି ରେଭେନ୍ସା ସାହେବ । ଏକଥା ସତ୍ୟ, ରକ୍ତ ନିଗାଡି ସ୍ୱପକୁ ବାସ୍ତବତାର ରୂପ ଦେଇଛି ଜଣେ ସାଧାରଣ ସିରସ୍ତାଦାର... ନାଁ ନେଇଛି ଜଣେ ବେଇମାନ ବିଦେଶୀ, ଇତିହାସର ପୃଷ୍ଠା ଭିତରେ ଲୁଚିଯାଇଛି ଓଡିଶା ଓ ଓଡ଼ିଆ ପ୍ରାଣ ବିଚିତ୍ରାନନ୍ଦ ସମ୍ମାନ ପାଉଛି ଜଣେ କ୍ରୁର, ତିରିଶ ଲକ୍ଷ ଓଡ଼ିଆଙ୍କ ହତ୍ୟାକାରୀ ରେଭେନ୍ସା ସାହେବ.... । ବେଳେ ବେଳେ ସନେ୍ଦହ ହୁଏ,୪୮ ବର୍ଷ ବୟସରେ ବିଚିତ୍ରାନନ୍ଦଙ୍କ ମୃତୁ୍ୟ ମଧୁମେହ ଥିଲା ନାଁ ରେଭେନ୍ସା ଥିଲେ? ବିଚିତ୍ରାନନ୍ଦଙ୍କ ଲୋକପ୍ରିୟତା ପାଖରେ ନିଷ୍ପ୍ରଭ ପଡିଯାଇଥିବା ବିଦେଶୀ ଇତିହାସରେ ବଂଚିବାକୁ ହତ୍ୟାକାରୀ ସାଜିବାଟା ଅସହଜ ନୁହେଁ.... । ଏବେ ବିଚାର ଆପଣମାନଙ୍କର.... ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ବଦଳିବା ଉଚିତ କି ନୁହେଁ? ଯଦି ବଦଳିବ କଣ ହେବ...?
ବରୁଣେଶ୍ୱର ମହାବିଦ୍ୟାଳୟ
୯୮୫୩୭୮୮୭୧୪