ବିଶ୍ୱ ବ୍ରହ୍ମାଣ୍ଡର ଦିବ୍ୟ ବାସ୍ତୁକାର ବିଶ୍ୱକର୍ମା

ବିଶ୍ୱ ବ୍ରହ୍ମାଣ୍ଡର ଦିବ୍ୟ ବାସ୍ତୁକାର ବିଶ୍ୱକର୍ମା


ଭଗବାନ ବିଶ୍ୱକର୍ମାଙ୍କୁ ଦୁନିଆର ସର୍ବପ୍ରଥମ ଇଞ୍ଜିନିୟର ଏବଂ ବାସ୍ତୁକାର ବୋଲି କୁହାଯାଇଥାଏ । ବ୍ରହ୍ମାଣ୍ଡର ରଚୟିତା ବିଶ୍ୱକର୍ମାଙ୍କ ଜନ୍ମ ଦିବସକୁ ବିଶ୍ୱକର୍ମା ଜୟନ୍ତୀ ବା ବିଶ୍ୱକର୍ମା ପୂଜା ଭାବେ ପାଳନ କରାଯାଇଥାଏ । ଭାରତର ବିଭିନ୍ନ ରାଜ୍ୟରେ ଏହି ଜୟନ୍ତୀ ବା ପୂଜା କିନ୍ତୁ ଭିନ୍ନ ଭିନ୍ନ ତିଥିରେ ପାଳନ କରାଯାଇଥାଏ । ଭାରତର ଉତ୍ତର ତଥା ପଶ୍ଚିମାଞ୍ଚଳରେ ମାଘ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବିଶ୍ୱକର୍ମାଙ୍କର ଜୟନ୍ତୀ ପାଳନ କରାଯାଇଥାଏ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏହି ତିଥିରେ ମଧ୍ୟ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ କରାଯାଏ । କିନ୍ତୁ ପୂର୍ବ ଭାରତ ବା ଝାଡଖଣ୍ଡ, ପଶ୍ଚିମବଂଗ, ଓଡ଼ିଶା, ତ୍ରିପୁରା ଆଦି ରାଜ୍ୟରେ ଭାଦ୍ରବ ମାସର ଅନ୍ତିମ ତିଥିରେ ବିଶ୍ୱକର୍ମାଙ୍କ ପୂଜା କରାଯାଏ । ପୌରାଣିକ ତଥ୍ୟ ଅନୁସାରେ ବ୍ରହ୍ମାଙ୍କ ନିର୍ଦେଶ ଅନୁସାରେ ବିଶ୍ୱକର୍ମା ବିଶ୍ୱ ବ୍ରହ୍ମାଣ୍ଡର ନିର୍ମାଣ କରିଥିଲେ, ପୁରାଣ ଅନୁସାରେ ବ୍ରହ୍ମାଙ୍କ ସପ୍ତମ ପୁତ୍ର ହେଉଛନ୍ତି ବିଶ୍ୱକର୍ମା । କିନ୍ତୁ ବିଶ୍ୱକର୍ମାଙ୍କ ଉତ୍ପତ୍ତି ପ୍ରସଙ୍ଗରେ ଅନେକ ଭିନ୍ନ କଥା ରହିଛି । ସୃଷ୍ଟିର ପ୍ରାରମ୍ଭରେ ଯେତେବେଳେ ସର୍ବପ୍ରଥମେ ଭଗବାନ୍ ବିଷ୍ଣୁ କ୍ଷୀର ସାଗରରେ ଶେଷ (ସାପ ଉପରେ ଶୋଇଥିବା ଅବସ୍ଥାରେ)ରେ ପ୍ରକଟ ହୋଇ ଥିଲେ ତାଙ୍କ୍ ନାଭି କମଳରୁ ବ୍ରହ୍ମା ଦୃଷ୍ଟି ଗୋଚର ହୋଇଥିଲେ । ବ୍ରହ୍ମାଙ୍କ ପୁତ୍ର ଧର୍ମ ଏବଂ ଧର୍ମଙ୍କ ପୁତ୍ର ବାସ୍ତୁଦେବ ଜନ୍ମ ନେଇଥିଲେ । ବାସ୍ତୁଦେବଙ୍କ ଅଙ୍ଗିସ୍ତି ନାମକ ପତ୍ମୀଙ୍କ ଔରସରୁ ବିଶ୍ୱକର୍ମା ଜନ୍ମ ନେଇଥିଳେ । ପିତା ବାସ୍ତୁ ଦେବଙ୍କ ଭଳି ବିଶ୍ୱକର୍ମା ବାସ୍ତୁକଳାରେ ଅଦ୍ୱିତୀୟ ଥିଲେ ।
ଧର୍ମଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ସ୍ୱରୂପ ବା ଅବତାର ବିଷୟରେ ବର୍ଣ୍ଣନା ରହିଛି । ପ୍ରଥମ ସ୍ୱରୂପ ହେଉଛି ବିରାଟ ବିଶ୍ୱକର୍ମା, ଏହାଙ୍କୁ ସୃଷ୍ଟିର ରୂପ-ଆକାର ଦେଉଥିବା ଦେବତା କୁହାଯାଏ । ଦ୍ୱିତୀୟ ସ୍ୱରୂପ ହେଉଛି ଧର୍ମବଂଶୀ ବିଶ୍ୱକର୍ମା । ଏହି ଅବତାରକୁ ମହାନ ଶିଳ୍ପକାର, ବିଜ୍ଞାନ ବିଧାତା ପ୍ରଭାତଙ୍କ ପୁତ୍ର ବୋଲି କୁହାଯାଏ । ତୃତୀୟ ସ୍ୱରୂପ ବା ଅବତାର ଅଙ୍ଗିରାବଂଶୀ ବିଶ୍ୱକର୍ମ । ଏହାକୁ ବିଜ୍ଞାନ- ବ୍ୟାଖ୍ୟାକର ବସୁଙ୍କ ପୁତ୍ର ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଚତୁର୍ଥ ସ୍ୱରୂପଙ୍କୁ ସୁଧନ୍ୱା ବିଶ୍ୱକର୍ମା । ଏହି ଅବତାରଙ୍କୁ ମହାନ ଶିଳ୍ପାଚାର୍ଯ୍ୟ ଋଷି ଅଥବିଙ୍କ ପୁତ୍ର ଏବଂ ପଞ୍ଚମ ସ୍ୱରୂପଙ୍କୁ ଭୃଗୁବଂଶୀ ବିଶ୍ୱକର୍ମା କୁହାଯାଏ ଯାହାଙ୍କୁ ଶୁକ୍ରାଚାର୍ଯ୍ୟଙ୍କର ପୌତ୍ର ବା ନାତି ରୂପରେ ବର୍ଣ୍ଣନା କରାଯାଇଛି । ଭଗବାନ ବିଶ୍ୱକର୍ମାଙ୍କର ଅନେକ ରୂପ ଯଥା- ଦୁଇ ବାହୁ, ଚାରିବାହୁ, ଦଶବାହୁ ରହିଥିବା କଥା ଭିନ୍ନ ଭିନ୍ନ ଧର୍ମଗ୍ରନ୍ଥରେ ଉଲ୍ଲେଖ ଥିବାବେଳେ ଏକମୁଖ, ଚାରିମୁଖ ଏବଂ ଦଶ ମୁଖର ବର୍ଣ୍ଣନା ମଧ୍ୟ ରହିଛି । ବିଶ୍ୱକର୍ମାଙ୍କ ବଂଶାବଳୀ ବାବଦରେ ମଧ୍ୟ ଧର୍ମଗ୍ରନ୍ଥ ମାନଙ୍କରେ ଯାହା ବର୍ଣ୍ଣିତ ଅଛି ତାହା ହେଉଛି ତାଙ୍କର ୫ପୁତ୍ର ଯଥା- ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଏବଂ ଦୈବଜ୍ଞ ଥିଲେ, ଏମାନେ ସମସ୍ତେ ଶିଳ୍ପ ଶାସ୍ତ୍ରରେ ନିପୁଣ ଥିଲେ । ମନୁ ସାନଗ ଗୋତ୍ରୀୟ ଥିଲେ । ଏହାଙ୍କୁ ଲୌହ କର୍ମର ଅଧିଷ୍ଠାତା କୁହାଯାଏ । ମୟ ସନାତନ ଗୋତ୍ରର ଥିଲେ ଓ ମୟ କୁଶଳ କାଷ୍ଠ ଶିଳ୍ପୀ ଥିଲେ । ଅହମନ ଗୋତ୍ରୀୟ ଥିଲେ ତ୍ୱଷ୍ଟା ଯାହାଙ୍କୁ କାଂସ୍ୟ ଓ ତମ୍ବା ଧାତୁର ଆବିଷ୍କାରକ ଭାବେ ବର୍ଣ୍ଣନା କରାଯାଇଛି । ବିଶ୍ୱକର୍ମାଙ୍କ ଚତୁର୍ଥ ପୁତ୍ର ଶୀଳ୍ପୀ ପ୍ରଯତ୍ମ ଗୋତ୍ରର ଥିଲେ ଓ ମୂର୍ତ୍ତିକାର ଭାବେ ଖ୍ୟାତ ଥିଲେ । ପଞ୍ଚମପୁତ୍ର ଦୈବଜ୍ଞ ସୁବର୍ଣ୍ଣ ଗୋତ୍ରୀୟ ଏବଂ ସ୍ୱର୍ଣ୍ଣକାର ଭାବେ ବର୍ଣ୍ଣିତ । ବୈଦିକ ଦେବତା ବିଶ୍ୱକର୍ମାଙ୍କୁ ଜଗତର ସୁତ୍ରଧର ବୋଲି କୁହାଯାଏ –  “ଦୈବୈ ସୈ । ସୁତ୍ରଧାର :- ଜଗଦାଖିଳ ହିତ ଧ୍ୟାୟତେ ସର୍ବ ସତ୍ୱୈ ।”
ଋଗ୍ ବେଦରେ ବିଶ୍ୱକର୍ମାଙ୍କ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ ରହିଛି । ଋଗ୍ବେଦରେ ବିଶ୍ୱକର୍ମାଙ୍କୁ ଋଷି ଭାବେ ବର୍ଣ୍ଣନା କରାଯାଇଛି । ଋଗ୍ ବେଦରେ ଯେଉଁ ୧୪  ସୁକ୍ତ ରହିଛି ସେଥିରେ ବିଶ୍ୱକର୍ମା ଅଛନ୍ତି । କିନ୍ତୁ ମହାଭାରତ ସମେତ ସବୁ ପୁରାଣ ପ୍ରଭାତ ପୁତ୍ର ବିଶ୍ୱକର୍ମାଙ୍କୁ ଆଦି ବିଶ୍ୱକର୍ମା ବୋଲି ଉଲ୍ଲେଖ କରିଛନ୍ତି । ସ୍କନ୍ଦ ପୁରାଣର ପ୍ରଭାତ ଖଣ୍ଡରେ ଉଲ୍ଲେଖ ଅଛି –
 “ବୃହସ୍ପତେ ଭଗିନୀ ଭୁବନା ବ୍ରହ୍ମବାଦିନୀ ।
ପ୍ରଭାସସ୍ୟ ତସ୍ୟ ଭାର୍ଯ୍ୟା ବସୁନାମ ମଷ୍ଟ ମସ୍ୟ ଚ ।
ବିଶ୍ୱକର୍ମା ସୁତସ୍ତସ୍ୟ ଶିଳ୍ପ କର୍ତ୍ତା ପ୍ରଜାପତି ।”
ମହାଭାରତରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ବିଶ୍ୱକର୍ମାଙ୍କ ପୂଜା ବାବଦରେ ଉଲ୍ଲେଖ ଅଛି । ଅନେକ ଶାସ୍ତ୍ରରେ ମାଘମାସର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବିଶ୍ୱକର୍ମାଙ୍କ ପୂଜାର ବିଧାନ ରହିଛି । ବିଶ୍ୱକର୍ମାଙ୍କ ଜୟନ୍ତୀ ବାବଦରେ ଯେଉଁ ଭିନ୍ନ ଭିନ୍ନ କଥା ରହିଛି ତାହା ଭ୍ରମ ନୁହେଁ । ଶାସ୍ତ୍ର ଅନୁସାରେ ପ୍ରଭାସ ପୁତ୍ର ବିଶ୍ୱକର୍ମା, ଭୁବନପୁତ୍ର ବିଶ୍ୱକର୍ମା ତଥା ତ୍ୟଷ୍ଠାପୁତ୍ର ବିଶ୍ୱକର୍ମା ଆଦି ଅନେକ ବିଶ୍ୱକର୍ମା ରହିଛନ୍ତି । କିନ୍ତୁ ସବୁ ପରେ ଶାସ୍ତ୍ରରେ ଏକଥା ଉଲ୍ଲେଖ ରହିଛି ଯେ ବିବାହ, ଯଜ୍ଞ, ଗୃହପ୍ରବେଶ ଆଦି କାର୍ଯ୍ୟରେ ବିଶ୍ୱକର୍ମାଙ୍କ ପୂଜା କରାଯିବା ଉଚିତ୍ । ଏହି ପୂଜା କଲ୍ୟାଣକାରୀ  । କିନ୍ତୁ ଏବେ ଶିଳ୍ପୀ, କାରିଗର, ଶ୍ରମିକ ଏବଂ ଶିଳ୍ପସଂସ୍ଥା ମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରୁଛନ୍ତି । ପୌରାଣିକ ତଥ୍ୟ ଅନୁସାରେ ଇନ୍ଦ୍ରପୁରୀ, ଯମପୁରୀ, ବରୁଣପୁରୀ, କୁବେରପୁରୀ, ରାବଣର ସ୍ୱର୍ଣ୍ଣଲଙ୍କା, ଭଗବାନ ଶ୍ରୀକୃଷ୍ଣଙ୍କ ସମୁଦ୍ର ନଗରୀ ଦ୍ୱାରକା, ପାଣ୍ଡବଙ୍କ ରାଜଧାନୀ ହସ୍ତିନାପୁରର ନିର୍ମାଣ କରିଥିଲେ ବିଶ୍ୱକର୍ମା । ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି ଯେ ଶିଳ୍ପ କୌଶଳରେ ଉନ୍ନତ ତଥା ଅପ୍ରମିତ ମନ୍ଦିର ପୁରୀର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଅନୁପମ ଶିଳ୍ପ ରଚନାରେ ମୁଗ୍ଧ ହୋଇ ଭଗବାନ ବିଷ୍ଣୁ ବିଶ୍ୱକର୍ମୀଙ୍କୁ ଶିଳ୍ପାବତାର ଭାବେ ସମ୍ମାନିତ କରିଥିଲେ ।
ଯେତେବେଳେ ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟାରାଶିରେ ପ୍ରବେଶ କରନ୍ତି ସେହି ଦିନଟି ଶିଳ୍ପ ସଂସ୍ଥା, କଳାକାର, ଶ୍ରମିକ, ଇଞ୍ଜିନିୟର ଆଦିଙ୍କ ପାଇଁ ଅଧିକ ମହତ୍ୱ ପୁର୍ଣ୍ଣ ଓ ସେହି ଦିନ ବିଶ୍ୱକର୍ମା ଜୟନ୍ତୀ ବା ପୂଜା ପାଳନ କରାଯାଇଥାଏ । ଭାରତର ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୁଏ । ମାନ୍ୟତା ରହିଛି ଯେ ବିଶ୍ୱକର୍ମାଙ୍କ ପୁଜାର୍ଚ୍ଚନା ବିନା କୌଣସି ବୈଶୟିକ ଜ୍ଞାନ କୌଶଳର କାର୍ଯ୍ୟ ଆରମ୍ଭ କରାଯାଏ ନାହିଁ । ସେହି କାରଣରୁ ହିଁ ଶିଳ୍ପ ସଂସ୍ଥା ମାନଙ୍କରେ କନ୍ୟା ସଂକ୍ରାନ୍ତୀ ଦିନ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଏ । ବିଶେଷ କରି ବ୍ୟବସାୟରେ ସଫଳତା ପାଇଁ ଏହି ପୂଜା କରାଯାଏ । ବିଶ୍ୱକର୍ମାଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ଧ୍ୟାନ କରିବା ସହ “ଓମ୍ ଆଧାର ଶକ୍ତୟେ ନମଃ, ଓମ୍ କୁମାୟି ନମଃ, ଓଁ ଅନନ୍ତମ୍ ନମଃ, ପୃଥିବୈ ନମଃ ମନ୍ତ୍ରକୁ ୧୧, ୨୧, ୫୧ ବା ୧୦୮ ଥର ଜପ କରିବା ଆବଶ୍ୟକ । ଏଭଳି ମନ୍ତ୍ରକୁ ଜପ କଲେ ବିଶ୍ୱକର୍ମା ଭଗବାନ କୃପା କରିଥାନ୍ତି । ସମସ୍ତ ପ୍ରାଚୀନ ଗ୍ରନ୍ଥ, ଉପନିଷଦ ଏବଂ ପୁରାଣ ଆଦିରେ ବିଶ୍ୱକର୍ମାଙ୍କ ଗାଥା ବର୍ଣ୍ଣନା କରାଯାଇଛି । ତାଙ୍କର ବିଶେଷ ଜ୍ଞାନ ଏବଂ ବିଜ୍ଞାନ କାରଣରୁ ସେ କେବଳ ମନୁଷ୍ୟ ନୁହେଁ ଅପିତୁ ଗନ୍ଧର୍ବ ମାନଙ୍କ ଦ୍ୱାରା ପୂଜିତ ଏବଂ ବନ୍ଦିତ ମଧ୍ୟ । ବିଶ୍ୱକର୍ମା ବୈଦିକ ଦେବତା ଭାବେ ମାନ୍ୟ କିନ୍ତୁ ତାଙ୍କର ପୌରାଣିକ ସ୍ୱରୂପ ଭିନ୍ନ ବୋଲି ପ୍ରତୀତ ହୁଏ । ସୃଷ୍ଟିର ପ୍ରାରମ୍ଭ କାଳରୁ ବିଶ୍ୱକର୍ମାଙ୍କ ପ୍ରତି ଦେବ, ଗନ୍ଧର୍ବ ଓ ମାନବ ସମାଜର ସମ୍ମାନ ରହିଛି । ତାଙ୍କୁ ଗୃହସ୍ଥ ଭଳି ସଂସ୍ଥା ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧାର ନିର୍ମାତା ଏବଂ ପ୍ରବର୍ତ୍ତକ ବୋଲି ମଧ୍ୟ କୁହାଯାଇଥାଏ । ସୃଷ୍ଟିର ସର୍ଜନାର ନିର୍ମାଣ କଳାର ସେ ହେଉଛନ୍ତି ପ୍ରଥମ ସୂତ୍ରଧର ।
କେତେକ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ସ୍ୱାୟମ୍ଭୁବ ମନୁ (ଆଦିମନୁ) କାଳରୁ ଷଷ୍ଠ ମନ୍ୱନ୍ତର (ଚାକ୍ଷୁଷ) କାଳ ପର୍ଯ୍ୟନ୍ତ ସାରା ବ୍ରହ୍ମାଣ୍ଡ ବିଶ୍ୱକର୍ମା ମୟ ଥିଲା । ଏହାକୁ ଆଦିକାଳ ମଧ୍ୟ କୁହାଯାଏ । ପୁରାଣ ଏବଂ ଲୋକକଥା ଅନୁସାରେ ଅତିବିଶିଷ୍ଟ ନିର୍ମାଣ କାର୍ଯ୍ୟର ଶ୍ରେୟ ବିଶ୍ୱକର୍ମାଙ୍କୁ ଦିଆଯାଇଥାଏ । ଏକ ଐତିହାସିକ ତଥ୍ୟ ଅନୁସାରେ ବିଶ୍ୱକର୍ମା ପୂଜାର ସ୍ୱରୂପ ଅତି ପୁରୁଣା ନୁହେଁ । ଏହାର ପ୍ରଚଳନ ସମ୍ଭବତଃ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ଆସିବା ପରଠାରୁ ହୋଇଛି ଯାହା ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି ।
ରାମଚନ୍ଦ୍ରପୁର, ରଣପୁର
ମୋ -୯୪୩୮୪୮୫୦୯୪