ଶ୍ରୀ ନୃସିଂହନାଥ (୨)


କୃଷ୍ଣ ଚନ୍ଦ୍ର ସୁଆର : କିମ୍ବଦନ୍ତୀ ଅନୁଯାୟୀ ବଣ, ପାହାଡ ଘେରା ଏହି ଅଞ୍ଚଳ ଗନ୍ଧଗିରୀ ନାମରେ ପରିଚିତ ଥିଲା ।  କିନ୍ତୁ ଏହାର ପୂର୍ବନାମ ଥିଲା ବିନ୍ଧ୍ୟଗିରି । ତ୍ରେତୟା ଯୁଗରେ ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ମୃତୁ୍ୟ ସଞ୍ଜିବନୀ ଆଣିବାକୁ ଯାଇ ଭକ୍ତ ହନୁମାନ ପୂରା ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ନେବା ସମୟରେ ସେଥିରୁ କିୟତ ଅଂଶ କପିଳମୁନିଙ୍କ ଆଶ୍ରମ ନିକଟରେ ଅର୍ଥାତ୍ ବିନ୍ଧ୍ୟଗିରିର କପିଳଧାର ପାଶ୍ୱର୍ରେ ପଡିଲା । ତେଣୁ କପିଳ ମୁନି ଏହି ପର୍ବତର ନାମ ଗନ୍ଧଗିରି ଦେଇଥିଲେ ଅନେକ ବର୍ଷ ତଳେ ହରି ଓ ସହଦେବ ନାମରେ ଦୁଇଭାଇ ଏଠାରେ ବାସ କରୁଥିଳେ । ଜାତିରେ ଥିଲେ ସେମାନେ କକ୍ଷ । ହରିର ସ୍ତ୍ରୀ ହେଲା ଯମୁନା ଓ ସହଦେବର ସ୍ତ୍ରୀର ନାମ ରୋଦନା । ପ୍ରତ୍ୟେହ ଜଙ୍ଗଲକୁ ଫଳ, ମୂଳ, କନ୍ଦା ଓ ଜାଳ ସଂଗ୍ରହ କରିବା ନିମନ୍ତେ ସେମାନେ ଯାଉଥିଲେ ଓ ଏଥିରୁ ପ୍ରତିପୋଷଣ ହେଉଥିଲେ । ଏକଦା ଯମୁନା ଖାଦ୍ୟ ଅନ୍ୱେଷଣରେ ବଣକୁ ଏକାକୀ ଯାଇଥିଲା । ପାପ ହରଣଘାଟ ନିକଟରେ ଦେଖିଲା ପିଠା କନ୍ଦା ଉପରେ ବେଲ ଗଛଟିଏ ପଡିଯାଇଛି । ସେ ଛୋଟ ଶାବଳ ସାହାଯ୍ୟରେ ପିଠା କନ୍ଦାଟିକୁ ଯନ୍ତାରେ ଖୋଳିବାକୁ ଲାଗିଲା । ପିଠା କନ୍ଦାରେ ଶାବଳ ଜାଣିବାରୁ ସେଥିରୁ ରକ୍ତ ବାହାରିବାକୁ ଲାଗିଲା । ଏହା ଦେଖି ଯମୁନା ଆଶ୍ଚର୍ଯ୍ୟ  ହେବା ସଙ୍ଗେ ଭୟଭୀତ ହେଲା । ଭୂତ, ପ୍ରେତ ଭୟରେ ସେଇଠୁ ଘରକୁ ଚାଲି ଆସିଲା ଏବଂ ସ୍ୱାମୀକୁ ସମସ୍ତ କଥା କହିଲା । ଏକଥା ଶୁଣି ହରି, ସହଦେବ ଓ ରୋଦନା ମନରେ କୋ÷ତୁହଳ ଜାତ ହେଲା । ସେଠାରୁ ସେମାନେ ଯମୁନାକୁ ସାଙ୍ଗରେ ନେଇ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ତନ ତନ କରି ଦେଖିଲେ ସେତିକିବେଳକୁ ରକ୍ତ ପରିବର୍ତ୍ତେ କ୍ଷୀର ବାହାରୁଥିବା ଦେଖି  ଅତିଶୟ ବିସ୍ମିତ ହୋଇଗଲେ । ସେତିକ ିବେଳକୁ ଶୂନ୍ୟରୁ ଶବ୍ଦ ହେଲା । ତୁମ୍ଭେମାନେ କୋ÷ଣସି ଭୟ ଓ ଚିନ୍ତା କରନାହିଁ । ମୁଁ ହେଉଛି ସ୍ୱୟଂ ନାରାୟଣ । ମୂଷିକ ଦୈତ୍ୟକୁ ମାରିବା ଉଦେ୍ଦଶ୍ୟରେ ମୁଁ ମାର୍ଜାର କୋଶୀ ରୂପେ ଧାରଣ କରି ଏଠାରେ ଅପେକ୍ଷା କରିଛି । ତେଣୁ କବି କହନ୍ତି-
“ମନ୍ଦିରେ ରାଜନ୍ତି ‘ନରସିଂହନାଥ‘
ମାର୍ଜାର ସ୍ୱରୂପେ ଜଗି ଦ୍ୱାରପଥ,
ମୂଷିକ ଅସୁର ଲୁଚିଛି ପାତାଳେ”
ଛାଳି ଦେଇ ବଳି କେଉଁ ପୁରା କାଳେ । ମୁଁ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହୋଇଛି । ଏଣିକି ତୁମ୍ଭେମାନେ ମୋତେ ପୂଜା କରିବା ଦେବାତାଙ୍କ ଶୂନ୍ୟବାଣୀ ଶୁଣି ସେମାନେ ସେହି ସ୍ଥାନକୁ ଯତ୍ନର ସହ ଖୋଳିବାରୁ କଳା ମୁଗୁନି ପଥରରେ ନିର୍ମିତ ମାର୍ଜାର କେଶରୀ ବିଗ୍ରହଟିଏ ପାଇଲେ । ବିଗ୍ରହରେ ଆକୃତି ବିରାଡିର ମୁଣ୍ଡ ଏବଂ ସିଂହ ଶରୀର । ଆଦିବାସୀ ଦମ୍ପତି ବଣରୁ ଫଳ ମୂଳ, ପୁଷ୍ପ ସଂଗ୍ରହ କରି ମଣ୍ଡୁଆ ତିଆରି କରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ । ଏହି ଘଟଣା ଶୁଣିବା ପରେ ପାଟଣାଗଡ଼ର ରାଜା ଶ୍ରୀ ବୈଜଲ ଦେବ ସେଠାରେ ଏକ ମନ୍ଦିର ନିର୍ମାଣ କରାଇ ମୂର୍ତ୍ତି ପ୍ରତିଷ୍ଠା କରାଇଲେ । ତତ୍ପରେ ପରେ ଭୋଗ, ପୂଜାପାଠ, ଜମିବାଡି ଖଞ୍ଜା, ପୂଜକ ନିଯୁକ୍ତି ଓ ଦେବାଦେବୀଙ୍କ ମହାତ୍ମ୍ୟ ପ୍ରଚାର ବ୍ୟାପିଲା । ନାରଙ୍ଗୀ ଫଳ ଶ୍ରୀ ନୃସିହନାଥଙ୍କ ଅତିପ୍ରିୟ ବୋଲି ଲୋକେ କହନ୍ତି । କନ୍ଧ ସଂପ୍ରଦାୟର ଲୋକେ ଆବିର୍ଭାବ କାଳରୁ ପୁରୁଷାନୁକ୍ରମେ ଠାକୁରଙ୍କୁ ପୂଜା କରି ଆସୁଥିଲେ । ତତ୍ପରେ କୋ÷ଣସି କାରଣବଶତଃ ମନ୍ଦିରର ପୂଜା ଦାୟିତ୍ୱ ଜଣେ ନାଗା ସନ୍ନ୍ୟାସୀଙ୍କ ଉପରେ ନ୍ୟସ୍ତ ହେଲା । ସଂପ୍ରତି ଏହି ମନ୍ଦିରରେ ପୂଜା ଆରାଧନାର ଏକ ବିରଳ ପରମ୍ପରା ରହିଛି । ଏଠାରେ କେବଳ  ଅବିବାହିତ ପୂଜାରୀ ଭୋଗ ଲଗାଇବାର ପରମ୍ପରା ରହିଛି । ଯାହାକି ଅନ୍ୟତ୍ର ବିରଳା ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ଶ୍ରୀ ନୃସିଂହନାଥକୁ ମଧ୍ୟପ୍ରଦେଶ ଓ ଛତିଶଗଡର ଭକ୍ତମାନେ ଗଙ୍ଗାର ମାନ୍ୟତା ଦେଇଥାନ୍ତି । କାରଣ ସେମାନେ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ, ଚୂଳ ମୁଣ୍ଡନ, କର୍ଣ୍ଣବୋଧ, ବ୍ରତ ତଥା ବିବାହ ଆଦି କାର୍ଯ୍ୟ ପାଇଁ ବର୍ଷ ସାରା ନୃସିଂହନାଥ ପୀଠରେ ରୁଣ୍ଡ ହୋଇଥାନ୍ତି । ନୃସିଂହନାଥ ମନ୍ଦିରର ଅନ୍ୟତମ ଆକର୍ଷଣ ହେଲା ଏଠାରେ ଭକ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ନିଃଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହାକୁ ହରିହର ପଙ୍ଗତ ବୋଲି କୁହାଯାଏ । ରୋଷେଇ ଘରେ ମୁହଁରେ ଲୁଗା ବାନ୍ଧି ପୂଜାରି ଅନ୍ନଭୋଗ ପ୍ରସ୍ତୁତ କରିଥାନ୍ତି । ମନ୍ଦିରରେ  ପ୍ରତ୍ୟେହ ତିନିଥର ଭୋଗ କରାଯାଇଥାଏ । ସକାଳେ ଓ ସନ୍ଧ୍ୟାରେ ଗଜାମୁଗ, ପାଚିଲା କଦଳୀ, ଅମୃତ ଭଣ୍ଡା ଇତ୍ୟାଦି ଭୋଗ ରୂପେ ଲାଗିଥାଏ । ମଧ୍ୟାହ୍ନ ସମୟରେ ଅରୁଆ ଅନ୍ନ, ଡାଲି, ତରକାରୀ ଓ ଭାଜି ଇତ୍ୟାଦି ଭୋଗ ରୂପେ ଲାଗିଥାଏ ।  ମନ୍ଦିର ଏକ ଟ୍ରଷ୍ଟ ବୋର୍ଡ ଦ୍ୱାରା ପରିଚାଳିତ ହୋଇଆସୁଛି । ଆଦିବାସୀ ଅଧ୍ୟୁଷିତ ଏ ଅଞ୍ଚଳର ଲୋକେ ଅତି ସରଳ ଓ ଭାରି ଅମାୟିକ ।
ଠାକୁରଙ୍କର ମାର୍ଜାର ବେଶ ସଂପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଥିବା ଜଣାଯାଏ । ତ୍ରେତୟା ଯୁଗରେ ଉଡୁଙ୍ଗ ମୁନି ସୁବାହୁ ବଣରେ ଗୋଟିଏ ଆଶ୍ରମ ତିଆରି କରି ବାସ କରୁଥିଲେ । ମାଳତୀ ନାମ୍ନୀ ତାଙ୍କର ଏକ ସୁନ୍ଦର କନ୍ୟାଟିଏ ଥିଲା । ଲଙ୍କାର ରାଜା ରାବଣ ତାକୁ ବଳାକ୍ରାର କରି ଗୋଦାବରୀ ନଦୀକୂଳରେ ଛାଡି ଦେଇଥିଲା ।  ଚେତା ଫେରି ପାଇବା ପରେ ନିଜ ପିତା ମାତାଙ୍କ ପାଖକୁ କିପରି ଯିବ ତାକୁ ନେଇ ଝିଅଟି କାନ୍ଦୁଥିଲା । ଅସହାୟା କନ୍ୟା ପ୍ରତି ଦୟା ପରବଶ ହୋଇ ସେତେବେଳେ ଗଣନାଥଙ୍କ ବାହନ ମୂଷା ଯୁବତୀର କାନ୍ଦଣା ଶୁଣି ମାତାପିତାଙ୍କ ପାଖରେ ପହଞ୍ଚାଇ ଦେବି କହି ବାଟରେ ସେ ମଧ୍ୟ ମାଳତୀ ପ୍ରତି ଅତ୍ୟାଚାର କଲା । ରାବଣ ଓ ମୂଷା ଔରସରୁ ମାଳତୀ ଗର୍ଭରୁ ମୂଷିକ ଦୈତ୍ୟର ଜନ୍ମ ହୋଇଥିଲା । ଜନ୍ମ ହେବା କ୍ଷଣି ପ୍ରଥମେ ସେ ତା’ ମାଆକୁ ଭକ୍ଷଣ କଲା ଏହା ପରେ ମୂଷିକ ଦୈତ୍ୟର ପ୍ରକୋପରେ ତିନିପୁର ଥରହର ହେବାକୁ ଲାଗିଲା । ଭୟଭୀତ ହୋଇ ଦେବାଦେବୀମାନେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିକଟରେ ଯାଇ ଅଭିଯୋଗ କରିବା ସାଙ୍ଗକୁ ଶରଣ ପଶିଲେ । ବ୍ରହ୍ମା କହିଲେ ମୂଷିକ ଦୈତ୍ୟ ଈଶ୍ୱରଙ୍କ ପାଖରୁ ଅମରବର ଲାଭ କରିଛି । କେହି ତାକୁ ଯୁଦ୍ଧରେ ପରାସ୍ତ କରିପାରିବେ ନାହିଁ । କେବଳ ନୃସିଂହ ରୂପ ଦେଖିଲେ ସେ ଭୟ ପାଇବ । ଭଗବାନ ଶ୍ରୀରାମଚନ୍ଦ୍ର ହେଉଛନ୍ତି ସ୍ୱୟଂ ବିଷ୍ଣୁ । ସେ କେବଳ ନୃସିଂହ ରୂପ ଧାରଣ କରିପାରିବେ । ତେଣୁ ସମସ୍ତ ଦେବାଦେବୀ ଶ୍ରୀରାମଚନ୍ଦ୍ରଙ୍କୁ ଗୁହାରୀ କଲେ । ତତ୍ପରେ ରାମଚନ୍ଦ୍ର ନରସିଂହ ରୂପ ଧାରଣ କରି ମୂଷିକ ଦୈତ୍ୟକୁ ସଂହାର କରିବା ନିମନ୍ତେ ଗୋଡାଇଲେ । ମୂଷିକ ଦୈତ୍ୟ ଜୀବନ ରକ୍ଷା ନିମନ୍ତେ ବିକଳରେ ଲୁଚିବା ପାଇଁ ସ୍ଥାନ ଅନ୍ୱେଷଣ କଲା । ବୁଲି ବୁଲି ଶେଷରେ ଗନ୍ଧଗିରି ନିକଟରେ ଯାଇ ଶରଣ ଭିକ୍ଷା କଲା । ଗନ୍ଧଗିରି ଗୋଟିଏ ସୁଡଙ୍ଗରେ ଦୁଷ୍ଟ ଦୈତ୍ୟକୁ ଆଶ୍ରୟ ଦେଲା । ନରସିଂହ ରୂପଧାରୀ ପୁରୁଷୋତ୍ତମ  ଶ୍ରୀରାମ ଯେତେବେଳେ ସେଠାରେ ଯାଇ ପହଞ୍ଚôଲେ । ଗନ୍ଧଗିରି କାକୁଡି ହୋଇ କହିଲା, ହେ ପ୍ରଭୁ! ଶରଣକୁ ମରଣ ଦିଅନାହିଁ । ଶ୍ରୀରାମ କହିଲେ ଠିକ୍ ଅଛି, ମୁଁ ଗୁମ୍ଫା ଭିତରକୁ ଯିବି ନାହିଁ । କିନ୍ତୁ ଏଇ ଦ୍ୱାରଦେଶରେ ମୂଷିକ ଦୈତ୍ୟକୁ ଅପେକ୍ଷା କରିବି ।  ତେଣୁ ସ୍ୱୟଂ ପୁରୁଷୋତ୍ତମ  ଶ୍ରୀରାମ ମାର୍ଜାର କେଶରୀ ରୂପରେ ଶ୍ରୀ ନୃସିଂହନାଥ ତୀର୍ଥ କ୍ଷେତ୍ରରେ ପୂଜା ପାଇ ଆସୁଛନ୍ତି  ଓ ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ ଶଙ୍କର ବେଶରେ ହରିଶଙ୍କରଠାରେ ପୂଜା ପାଇ ଆସୁଛନ୍ତି ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ନୃସିଂହନାଥ ଅଧିଷ୍ଠିତ ଗନ୍ଧଶୈଳ ବା ଗନ୍ଧଗିରିଠାରେ ବହୁତ ତୀର୍ଥ ଅଛି । ସେଠରେ ଗୋଟିଏ ଝରଣା ପର୍ବତର ଶୀର୍ଷ ଦେଶରୁ ପ୍ରବାହିତ ହୋଇ ଆସୁଛି । ଗଙ୍ଗାଙ୍କୁ ଆଦେଶ ଦେବାରୁ ନୃସିଂହନାଥ ଝରଣାଟି ଉତ୍ପତ୍ତି ସ୍ଥଳରୁ ପାଦ ଦେଶକୁ ଆସିଲାବେଳେ ପଥ ମଧ୍ୟରେ କପିଳଧାର, ପିତୃଘାଟ, ବିନ୍ଧ୍ୟଗିରି, ରାମଧାର, ପଞ୍ଚପାଣ୍ଡବ ଘାଟ, ଗୁପ୍ତ ଧାର, ଭୀମଧାର, ସୀତାକୁଣ୍ଡ, ଗଦାଧାର, ଗୋକୁଣ୍ଡ ଘାଟ, ଗଜପତି ଘାଟ, ବିଞ୍ଝାରଘାଟ, ବିଞ୍ଝାଇ ବାସେଳୀ ଠାକୁରାଣୀ ପ୍ରଭୃତି ତୀର୍ଥସ୍ଥାନ ଅତିକ୍ରମ କରି ମହାନଦୀରେ ମିଶିଛନ୍ତି । ଗନ୍ଧଗିରି ବ୍ରହ୍ମାଙ୍କ ଲୋମ ହୋଇଥିବାରୁ ଗଙ୍ଗା ନାରାୟଣଙ୍କ ପାଦରୁ ଫୁଟି ସେଠାରେ ରହିଲେ ।
ଭୀମଧାର- ଭୀମ ଗଦାରେ ପ୍ରହାର କରି ଏହାକୁ ନିର୍ମାଣ କରିଥିଲେ । ଏଠାରେ ସ୍ନାନ କଲେ ସକଳ ପାପ ନାଶ ହୁଏ ବୋଲି ଲୋକଙ୍କର ବିଶ୍ୱାସ । ମହାଭାରତ ଯୁଗରେ  ପାଣ୍ଡବମାନେ ଏଠାରେ ଅଜ୍ଞାତବାସ କରିଥିଲେ ବୋଲି ପ୍ରବାଦ ଅଛି । ତେଣୁ କବି କହନ୍ତି-
“ପଞ୍ଚପଣ୍ଡୁ ସୁତେ ବନବାସ କାଳେ, 
ବୁଲିଥିଲେ ଏହି ଗହନ- କାନ୍ତାରେ,
ପର୍ବତ ପ୍ରାନ୍ତରେ କ୍ଲାନ୍ତ ହୋଇ ଅବା
ବସିଥିଲେ ଶ୍ରୀନ୍ତା-ଦ୍ରୌପଦୀ-ସଧବା ?”
ଗୁପ୍ତଧାର- ଏଠାରେ ସ୍ନାନ କଲେ ଗୁପ୍ତପାପ ଗୁଡିକର ନାଶ ହୁଏ ।ସୀତାକୁଣ୍ଡରେ ସ୍ନାନ କଳେ ସୁରାପାନ ଦୋଷରୁ ମୁକ୍ତି ମିଳେ ।ପଞ୍ଚୁପାଣ୍ଡବଘାଟରେ ସ୍ନାନ କଲେ ପରଦାରାହରଣ ଦୋଷରୁ ମୁକ୍ତି ମିଳେ ।ପାପହାରିଣୀ ନଳାର ଅନ୍ୟତମ ବିଶିଷ୍ଟ ଧାରା ହେଲା ଗଦାଧାର ବା ଚାଲ ଧାର । ଏଠାରେ ସ୍ନାନ କଲେ ରାଜଗିରି ପ୍ରାପ୍ତ ହୁଏ ।କପିଳଧାରରେ ସ୍ନାନ କଲେ ସର୍ବପାପରୁ ମୁକ୍ତି ମିଳେ । ପିତୃଦଣ୍ଡଘାଟ- ବ୍ରହ୍ମା ତିଆରି କରିଥିବା ଜଣାଯାଏ । ଯେଉଁମାନେ ପ୍ରୟାଗ ଯାଇ ପାରନ୍ତି ନାହିଁ ସେମାନେ ଏଠାକୁ ଆସି ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦିଅନ୍ତିି ।ବିନ୍ଧ୍ୟବାସିନୀ ଦୁର୍ଗା ଶ୍ରୀନୃସିଂହନାଥ ତୀର୍ଥ କ୍ଷେତ୍ରରେ ଦ୍ୱାରପାଳ ରୂପେ ବିଦ୍ୟମାନ ।
 ଏହି ପୀଠ ସ୍ଥଳୀର ବଡପର୍ବ ହେଉଛି ଠାକୁରଙ୍କ ଜନ୍ମୋତ୍ସବ । ପ୍ରତିବର୍ଷ ବୈଶାଖ  ଶୁଳ୍କ ଚତୁର୍ଦ୍ଦଶୀରେ ଏଠାରେ ଆୟୋଜିତ ହୁଏ ବୈଶାଖ ମେଳା । ବୈଷ୍ଣବମାନଙ୍କ ପାଇଁ ଏହା ଏକ ମହାପୁଣ୍ୟ ତିଥି । ଏହି ମେଳା ଖୁବ ପ୍ରସିଦ୍ଧ । ଏକାଦଶୀରୁ ଆରମ୍ଭ ହୋଇ ପୂର୍ଣ୍ଣମୀପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହା ଚାଲେ । ଏଠାରେ ପ୍ରବଳ ଜନସମାଗମ ହୁଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସନ୍ତି । ଏଠାରେ ପୂଜାର୍ଚ୍ଚନା କରି ଦିଅଁ ଦର୍ଶନ କରିବା ସାଙ୍ଗକୁ ଝରଣାରେ ସ୍ନାନ କରି ଖୁସି ହୁଅନ୍ତି । ଶୁକ୍ଳ ଏକାଦଶୀର ପୂର୍ଣ୍ଣମୀ ମଧ୍ୟରେ ନୃସିଂହନାଥରେ ସ୍ନାନ ଓ ଠାକୁର ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ଧର୍ମ ବିଶ୍ୱାସ ରହିଛି । ସତରେ ଆକର୍ଷଣୀୟ ଓଡ଼ିଶାର ପର୍ଯ୍ୟଟନ ।
ବନ ବିଭାଗର ବଙ୍ଗଳା ପାଶ୍ୱର୍ରେ ଥିବା ମୃଗ ବିହାର ଆଗନ୍ତୁକ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ପୀଠର ସୋ÷ନ୍ଦର୍ଯ୍ୟକରଣ, ଗମନାଗମନ ନିମନ୍ତେ ସୁନ୍ଦର ରାସ୍ତା, ତୀର୍ଥ ଯାତ୍ରୀଙ୍କ ରହିବା, ଖାଇବା ସୁବିଧା ପାଇଁ ଯାତ୍ରୀନିବାସ, ପର୍ଯ୍ୟଟକଙ୍କ ନିମନ୍ତେ ପାର୍କ, ଟ୍ରେନିଂ ରୁଟ୍, ରୋପୱେ, ବିବାହ, ବ୍ରତଘର ପାଇଁ ହଲ ଏବଂ ଜଳସଂରକ୍ଷଣ ପାଇଁ ବ୍ୟବସ୍ଥା ନିମନ୍ତେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା । ଏହାକୁ ତ୍ୱରାନ୍ୱିତ କରାଗଲେ ସ୍ଥାନୀୟ ଅଧିବାସୀମାନଙ୍କ ସମେତ ପର୍ଯ୍ୟଟକ ବି ଉପକୃତ ହୁଅନ୍ତେ । ଓଡ଼ିଶାରେ କଳା, ସଂସ୍କୃତି ଓ ଐତିହ୍ୟ ଓ ସୁଦୀର୍ଘ ବେଳାଭୂମି, ଚିଲିକାଭଳି ପ୍ରସିଦ୍ଧ ହ୍ରଦ ଜଙ୍ଗଲ ସଂପଦ, ଶ୍ରୀଜଗନ୍ନାଥ ଧାମ ଭଳି ତୀର୍ଥକ୍ଷେତ୍ର ଥିବାବେଳେ ତାହାର ପ୍ରଚାର ପ୍ରସାର ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ଗୁରୁତ୍ୱ ଦେବା ଉଚିତ୍ । ସଂପ୍ରତି କେନ୍ଦ୍ର ସରକାର ପୂର୍ବୋଦୟ ସ୍କିମ୍ରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ କ୍ଷେତ୍ରରେ ବ୍ୟାପକ ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିଲେ ଓଡ଼ିଶାର ଯୁବପିଢି ବ୍ୟାପକ କର୍ମ ନିଯୁକ୍ତି ପାଇବା ସହ ଅର୍ଥନୀତିର ମଧ୍ୟ ସୁଦୃଢ ହେବ । ଏଣୁ ଓଡ଼ିଶାରେ କିଭଳି ଅଧିକରୁ ଅଧିକ  ହୋଟେଲ ଶିଳ୍ପ ପ୍ରତିଷ୍ଠା ସହ ପର୍ଯ୍ୟଟନର ବ୍ୟାପକ ବିକାଶ ହୋଇପାରିବ ସେ ଦିଗରେ  କାର୍ଯ୍ୟ କରିବା ଉଚିତ୍ । କୋଷ୍ଟାଲ ହାଇୱେ ନୂଆ ଓଡ଼ିଶାର ଜୀବନରେଖା ହେବ । ରାଜପଥ, ଜଳପଥ, ବନ୍ଦର, ବିମାନବନ୍ଦର ଭିତ୍ତିଭୂମିକୁ ବଢାଇ ନିଯୁକ୍ତି ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପଡିବ । ଆତିଥେୟତା ଓ ସେବା ଶିଳ୍ପ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରାଗଲେ ଏ ଜାତିର ଉନ୍ନତି ସମ୍ଭବ ହେବ । (କ୍ରମଶଃ)
ଏମଆଇଜିୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର-୯୧୭୮୯୦୮୭୬୩