ଭାରତ ଉପରେ ଟ୍ରମ୍ପଙ୍କ ବିଜୟର ପ୍ରଭାବ 


ଡ. ସମନ୍ୱୟ ନନ୍ଦ  : ଆମେରିକାର ସାଧାରଣ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି  । କମଳା ହାରିସ ପରାଜିତ ହୋଇଯାଇଛନ୍ତି  । ଟ୍ରମ୍ପଙ୍କ କମଳା ହାରିସଙ୍କ ଉପରେ ବିଜୟ ଗୋଟିଏ ପ୍ରକାରର ଐତିହାସିକ  । ଗତ ନିର୍ବାଚନରେ ପରେ ଆମେରିକାର ସମ୍ପୂର୍ଣ୍ଣ ‘ଲେଫ୍ଟ–ଲିବରାଲ ଇକୋ ସିଷ୍ଟମ’ ତାଙ୍କୁ ଏକ ଖଳନାୟକ ଭାବେ ଦର୍ଶାଇବା ଲାଗି ନିଜ ଚକ୍ରାନ୍ତର ଶରବ୍ୟ କରିଥିଲା  । ଏହାକୁ ସାରା ବିଶ୍ୱ ଦେଖିଥିଲା  । ଗତ ନିର୍ବାଚନ ପରେ ଟ୍ରମ୍ପଙ୍କୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିଲା  । ଟ୍ରମ୍ପଙ୍କ ସମସ୍ତ ବିଜନେସକୁ ସବୁ ବ୍ୟାଙ୍କିଂ ପ୍ଲାଟଫର୍ମରୁ ବ୍ୟାନ କରି ଦିଆଯାଇଥିଲା  । ନ୍ୟାୟପାଳିକାକୁ ତାଙ୍କ ବିରୁଦ୍ଧରେ ଲଗାଇ ଦିଆଯାଇଥିଲା  । ଅନେକ ପ୍ରକାରର ଆପରାଧିକ ମାମଲା ତାଙ୍କ ବିରୁଦ୍ଧରେ ରୁଜୁ କରି ତାଙ୍କୁ ଶେଷ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଫିନିକ୍ସର କାହାଣୀ ଭଳି ଟ୍ରମ୍ପ ମଧ୍ୟ ପାଉଁଶରୁ ଉଠିଲେ ଓ ନିର୍ବାଚନରେ ବିଜୟ ଲାଭ କଲେ  । ବୈଶ୍ୱିକ ଇକୋ ସିଷ୍ଟମ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ଅପରାଜେୟ ନୁହେଁ ବୋଲି ଏହା ଦ୍ୱାରା ଟ୍ରମ୍ପ ପ୍ରମାଣିତ କରିଛନ୍ତି  । 
ଟ୍ରମ୍ପଙ୍କ ବିଜୟ ଓ ଆମେରିକାର ରାଷ୍ଟ୍ରପତି ଭାବେ ତାଙ୍କର ନୀତିର ଭାରତ ଉପରେ କଣ ପ୍ରଭାବ ପଡିବାର ସମ୍ଭାବନା ରହିଛି , ସେ ସମ୍ପର୍କରେ ବିଚାର କରିବା  । ଭାରତ ଉପରେ ଟ୍ରମ୍ପଙ୍କ ନୀତିର ପ୍ରଭାବକୁ ମୋଟ ଉପରେ ତିନୋଟି ପ୍ରକାରରେ ବିଭାଜିତ କରାଯାଇ ପାରେ  । ଗୋଟିଏ ହେଲା ଭାରତର ଅର୍ଥନୀତି ଉପରେ କଣ ପ୍ରଭାବ ପଡିବ  । ଦ୍ୱିତୀୟଟି ହେଲା ଭାରତ ଉପରେ ହେଉଥିବା ସଭ୍ୟତା ଓ ସାଂସ୍କୃତିକ ଆକ୍ରମଣ ପ୍ରସଙ୍ଗରେ କଣ ପ୍ରଭାବ ପଡିବ ଓ ତୃତୀୟଟି ହେଲା ଭାରତର ରଣନୈତିକ ଓ ସୁରକ୍ଷା ଦୃଷ୍ଟିକୋଣରୁ କଣ ପ୍ରଭାବ ପଡିବ  । ଗୋଟିଏ – ଗୋଟିଏ ଭାବେ ଏହା ଉପରେ ଆଲୋଚନା କରିବା  । 
ଭାରତର ଅର୍ଥନୀତି ଉପରେ ଟ୍ରମ୍ପଙ୍କ ନୀତିର ପ୍ରଭାବ ସମ୍ପର୍କରେ ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ଯେ ଏହାର ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିବ  । ବିଶେଷଜ୍ଞ ମାନଙ୍କର ଏହି ମତ ସମ୍ପୂର୍ଣ୍ଣ ଭାବରେ ଠିକ ମନେହୁଏ । କାରଣ ଟ୍ରମ୍ପ ନିଜ ନିର୍ବାଚନୀ ପ୍ରଚାର ବେଳେ ଆମେରିକାକୁ ଶ୍ରେଷ୍ଠ ଆମେରିକା କରିବାର ସ୍ଲୋଗାନ ଦେଇ ନିର୍ବାଚନ ବିଜୟୀ ହୋଇଛନ୍ତି  । ତେଣୁ ସେ ବାଣିଜ୍ୟ କ୍ଷେତ୍ରରେ ନିଜ ଦେଶର କ୍ଷତି କରି ଭାରତ ଓ ଅନ୍ୟ ଦେଶମାନଙ୍କୁ କୌଣସି ପ୍ରକାର ରିହାତି ଦେବେ ବା ଆମେରିକୀୟ ନାଗରିକ କିମ୍ବା ଆମେରିକୀୟ ଶିଳ୍ପକୁ କ୍ଷତି ହେବା ଭଳି କୌଣସି କାର୍ଯ୍ୟ ଆଦୌ କରିବେ ନାହିଁ । ସେ ନିଶ୍ଚିତ ଭାବେ ଭାରତ ଭଳି ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ହାର୍ଡ ବାର୍ଗେନ କରିବେ  । ଯେ କୌଣସି ଦେଶର ନେତା ତା ଦେଶର ସ୍ୱାର୍ଥ୍ ପାଇଁ କାମ କଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ  । ଏହା ବାଦ ଟ୍ରମ୍ପ ଆମେରିକୀୟ ଲୋକ ମାନଙ୍କୁ କାମ କିପରି ମିଳିବ ସେ ନେଇ ମଧ୍ୟ କାମ କରିବେ  । ଏହାର କ୍ଷତି ମଧ୍ୟ ଭାରତୀୟମାନଙ୍କ ଉପରେ ହେବାର ଆଶଙ୍କା ରହିଛି  । ଆର୍ଥôକ କ୍ଷେତ୍ରରେ ଟ୍ରମ୍ପଙ୍କ ସହ ଭାରତକୁ କଥାବାର୍ତ୍ତା କଲା ବେଳେ ଏହି ସବୁ ବିଷୟକୁ ଆଖି ଆଗରେ ରଖି ଭାରତକୁ ନିଜ ଦେଶର ସ୍ୱାର୍ଥ ଦୃଷ୍ଟିରୁ ପଦକ୍ଷେପ ନେବାକୁ ପଡିବ  ।  ଏବେ ଦ୍ୱିତୀୟ ପ୍ରସଙ୍ଗକୁ ଆସିବା  । ଭାରତ ଉପରେ ହେଉଥିବା ସଭ୍ୟତାଗତ ଓ ସଂସ୍କୃତିଗତ ଆକ୍ରମଣ ଉପରେ ଏହାର କଣ ପ୍ରଭାବ ପଡିବ  । ଭାରତ ଓ ହିନ୍ଦୁ ସଭ୍ୟତା ଉପରେ କଟ୍ଟରପନ୍ଥୀ ଇସଲାମିକ ବିଚାରଧାରାର ଜୋରଦାର ଆକ୍ରମଣ ଚାଲିଛି  । ପଡୋଶୀ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଛି  । ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ନିର୍ବାଚନର କିଛି ଦିନ ପୂର୍ବରୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅମାନବୀୟ ନିର୍ଯାତନାର କଥା ଉଲ୍ଲେଖ କରିଥିଲେ  । ବର୍ତ୍ତମାନ ଯାଏ ଅନ୍ୟ କେହି ବୈଶ୍ୱିକ ନେତା ଖୋଲାଖୋଲି ଭାବେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିଥିବାର ଉଦାହରଣ ନାହିଁ । ଏପରିକି ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଥିବା କମଳା ହାରିସ ମଧ୍ୟ କେବେ ହେଲେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ପଦଟିଏ କହି ନାହାନ୍ତି  । ଟ୍ରମ୍ପଙ୍କର ଏପରି ଅନେକ ଭାଷଣ ଅଛି ଯେଉଁଥିରେ ସେ ନିଜକୁ ହିନ୍ଦୁମାନଙ୍କର ବନ୍ଧୁ ବୋଲି କହିଛନ୍ତି । ସବୁଠାରୁ ବଡ କଥା ହେଲା ଆତଙ୍କବାଦର କୌଣସି ରିଲିଜିୟନ ନାହିଁ ବୋଲି ସାରା ବିଶ୍ୱର ନେତା ମାନେ କହୁଥିବା ବେଳେ ବୋଧ ହୁଏ ଟ୍ରମ୍ପ ହିଁ ବିଶ୍ୱର ଏକମାତ୍ର ନେତା ଯିଏ ରାଡିକାଲ ଇସଲାମ ବିରୁଦ୍ଧରେ ସାର୍ବଜନୀନ ଭାବେ କହି ସାରିଛନ୍ତି  । ଭାରତ ବର୍ତ୍ତମାନ ରାଡିକାଲ ଇସଲାମିଷ୍ଟ ଶକ୍ତି ମାନଙ୍କର ଟାର୍ଗେଟରେ ରହିଛି  । ଏହି ରାଡିକାଲ ଇସଲାମିଷ୍ଟ ଶକ୍ତି ମାନଙ୍କ ପଛରେ ବାମପନ୍ଥୀ ଇକୋ ସିଷ୍ଟମ ରହିଛି । ଏହି ଶକ୍ତିମାନେ ଟ୍ରମ୍ପଙ୍କ ବିରୁଦ୍ଧରେ ମଧ୍ୟ ଲାଗିଥିଲେ  । ତେଣୁ ଏହି କ୍ଷେତ୍ରରେ ଉଭୟଙ୍କ ଶତ୍ରୁ ସମାନ  । ତେଣୁ ଏ ପ୍ରସଙ୍ଗରେ ଟ୍ରମ୍ପଙ୍କ ନୀତି ଭାରତ ପାଇଁ ନିଶ୍ଚିତ ଭାବେ ସହାୟକ ହେବ  । ତେବେ ଏଠାରେ ଆଉ ଏକ କଥା ଉଲ୍ଲେଖ କରାଯିବା ଜରୁରି  । ପୂରା ବିଶ୍ୱକୁ କନଭର୍ଟ କରି ସମସ୍ତଙ୍କ ଗଳାରେ କ୍ରସ ଝୁଲାଇବାର ପ୍ରୟାସରେ ଲାଗିଥିବା ଚର୍ଚ୍ଚର ଚାପ ନିଶ୍ଚିତ ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ରହିବ  । ତେଣୁ ଏ ବାବଦରେ ଭାରତକୁ ଅତ୍ୟଧିକ ସତର୍କ ହେବାର ଆବଶ୍ୟକତା ରହିଛି  । 
ଏବେ ତୃତୀୟ ଓ ଭାରତର ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ ବିଷୟ  । ଏହା ହେଉଛି ଭାରତର ନିରାପତ୍ତା, ସୁରକ୍ଷା ଓ ରଣନୈତିକ ଦୃଷ୍ଟିକୋଣରୁ ଟ୍ରମ୍ପଙ୍କ ନୀତିର କଣ ପ୍ରଭାବ ହେବାର ସମ୍ଭାବନା ରହିଛି  । ଟ୍ରମ୍ପଙ୍କ ନୀତିର କଣ ଜିଓ ପଲିଟିକାଲ ପ୍ରଭାବ ହେବ  । ବୋଧ ହୁଏ ଏହି କ୍ଷେତ୍ରରେ ଭାରତକୁ ସର୍ବାଧିକ ଲାଭ ହେବାର ସମ୍ଭାବନା ରହିଛି  । ଗତ କିଛି ଦିନ ଧରି ପାଶ୍ଚାତ୍ୟ ଦେଶ ମାନେ ବିଶେଷ କରି ଆମେରିକା ତାର କାନାଡା ପରି ସହଯୋଗୀ ଦେଶ ମାନଙ୍କ ଜରିଆରେ ଭାରତ ଉପରେ ଆକ୍ରମଣ କରି ଚାଲିଛି  । କାନାଡାର ରାଷ୍ଟ୍ରାଧ୍ୟକ୍ଷ ଜଷ୍ଟିନ ଟ୍ରୁÿଡୋ ଓ ତାଙ୍କ ସରକାର ଭାରତ ବିରୋଧୀ ଶକ୍ତି ମାନଙ୍କ ହାତର ଖେଳନା ସାଜି ସବୁ କୂଟନୈତିକ ସୌଜନ୍ୟର ସୀମାକୁ ଉଲ୍ଲଂଘନ କରି ସାରିଛନ୍ତି  । ଆତଙ୍କବାଦୀ ପନ୍ନୁ ଆମେରିକା ଓ କାନାଡାରେ ବସି ପ୍ରତିଦିନ ଭାରତ ବିରୁଦ୍ଧରେ ଭିଡିଓ ଜାରି କରୁଛି  । ଟ୍ରମ୍ପଙ୍କ ଏହି ବିଜୟ ପରେ ଏହା ଉପରେ ନିଶ୍ଚିତ ଭାବେ ରୋକ ଲାଗିବ  । ଆତଙ୍କବାଦୀ ପନ୍ନୁ ଏବେ ଗାତରେ ଯେପରି ସାପ ଲୁଚେ ସେପରି ଲୁଚିବା ଆରମ୍ଭ କରିବ  । 
ଅନ୍ୟ ପଟେ ଚୀନ ଟ୍ରମ୍ପଙ୍କ ଟାର୍ଗେଟରେ ରହିବ  । ଟ୍ରମ୍ପ ଖୋଲାଖୋଲି ଭାବେ କହି ସାରିଛନ୍ତି ଯେ ଚୀନକୁ ଯାଇଥିବା ବ୍ୟବସାୟକୁ ସେ ପୁଣି ଥରେ ଆମେରିକାକୁ ଆଣିବେ  । ଏହି କ୍ଷେତ୍ରରେ ଟ୍ରମ୍ପଙ୍କୁ ଭାରତର ସହଯୋଗର ଆବଶ୍ୟକତା ପଡିବ  । ବିସ୍ତାରବାଦୀ ଚୀନର ପ୍ରଭାବକୁ ବୈଶ୍ୱିକ ସ୍ତରରେ କମ କରିବାକୁ ଯଦି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ ଭୂମିକା କେହି ନେଇ ପାରିବ ତେବେ ସେ ହେଉଛି ଭାରତ  । ତେଣୁ ରଣନୈତିକ ଦୃଷ୍ଟିରୁ ଟ୍ରମ୍ପଙ୍କ ନୀତି ଭାରତ ପାଇଁ ଲାଭଦାୟକ ହେବାର ସମ୍ଭାବନା ରହିଛି  । 
ଲେଫ୍ଟ ଲିବରାଲ ଇକୋ ସିଷ୍ଟମ, ଆମେରିକାର ‘ଡିପ ଷ୍ଟେଟ’ ତଥା ବୈଶ୍ୱିକ ଇସଲାମୀ ଶକ୍ତି ମାନେ ଏକଜୁଟ ହୋଇ ମଧ୍ୟ ଟ୍ରମ୍ପଙ୍କୁ ପରାଜିତ କରି ପାରି ନାହାନ୍ତି  । ତେଣୁ ବର୍ତ୍ତମାନ କିଛି ସମୟ ବା କିଛି ବର୍ଷ ପାଇଁ ବାମପନ୍ଥ ସାରା ବିଶ୍ୱକୁ ପ୍ରଭାବିତ କରୁ କରୁ ରହି ଯାଇଛି  । ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ବାମପନ୍ଥ କେବେ ହେଲେ ବିଶ୍ରାମ କରି ନ ଥାଏ  ।ଏହି ଯୁଦ୍ଧ ସତତ ଜାରି ରହିବ  । ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ସମାପ୍ତ ନ କରିବା ଯାଏ ବାମପନ୍ଥର ଯୁଦ୍ଧ ସର୍ବଦା ଜାରି ରହିବ  । 
ତେବେ ଏଠାରେ ପ୍ରଶ୍ନ ଉଠେ ଯେ କମଳା ହାରିସ ଏହି ନିର୍ବାଚନରେ ବିଜୟୀ ହୋଇଥିଲେ କଣ ଭାରତକୁ ଅଧିକ କିଛି ଲାଭ ହୋଇଥାନ୍ତା  । ଏହାର ଉତ୍ତର ହେଲା ଆଦୌ ନୁହେଁ  । କାରଣ ଯଦିଓ ଭୋଟ ହାସଲ କରିବା ପାଇଁ ନିଜକୁ ଭାରତୀୟ ବଂଶୋଦ୍ଭବ ବୋଲି କହିବାକୁ ଚେଷ୍ଟା କରିଛନ୍ତି ହେଲେ ଜଣେ ଭାରତୀୟ ଓ ହିନ୍ଦୁ ବଂଶୋଦ୍ଭବ ଭାବେ କମଳା ହାରିସ କେବେ ହେଲେ ଗର୍ବ ଅନୁଭବ କରି ନାହାନ୍ତି  । ସେ ଉପରାଷ୍ଟ୍ରପତି ଥିବା ବେଳେ ସର୍ବଦା ଭାରତ ବିରୋଧୀ ଇସଲାମିଷ୍ଟ ଶକ୍ତି ମାନଙ୍କୁ ପ୍ରୋତ୍ସାହନ ଦେଇ ଆସିଥିଲେ  । ତେଣୁ ସେ ଯଦି ନିର୍ବାଚନ ଜିତି ଥାନ୍ତେ ତେବେ ଭାରତ ପାଇଁ କମଳା ହାରିସଙ୍କ ସ୍ଥିତି କାନାଡାର ଟ୍ରୁÿଡୋଙ୍କ ପରି ହୋଇଥାନ୍ତା  ।