ସୁଧାର ଆଚରଣ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ନିଜ ଆଚରଣକୁ କାହିଁକି ସୁଧାରିବାକୁ ହେବ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ବିଜ୍ଞମାନେ ଜୀବନରେ କେତେ କହିବେ ଓ ଯାହା କହିବେ ତାହା କେତେ ଦୂର ଠିକ୍, ତାହା ଚିନ୍ତା କରନ୍ତି । ବିଜ୍ଞମାନେ ଯେଉଁ ପ୍ରକାରର ଆଚରଣ କରନ୍ତି ତାହା ପଛରେ ନିର୍ଦ୍ଦିଷ୍ଟ ଯୁକ୍ତି ଥାଏ ଏବଂ ସେସବୁ ଗ୍ରହଣୀୟ ମଧ୍ୟ ।
ମଣିଷ ବଞ୍ଚିଥିବା ସମୟରେ ‘ନିଜେ କଣ' ବୋଲି କେବେ ପ୍ରଶ୍ନ କରିନଥାଏ । ବଳ, ବୟସ ଥିବା ସମୟରେ ନିଜକୁ ସର୍ବଶକ୍ତିମାନ ବୋଲି ଭାବେ । କିନ୍ତୁ ଥରେ ଯଦି କୌଣସି ରୋଗରେ ପଡିଯାଏ କିମ୍ବା କୌଣସି ପରିସ୍ଥିତିରେ ପଡି ନିଜକୁ ଅସହାୟ ମନେ କରେ, ସେତିକି ବେଳେ ସେ ଅନୁଭବ କରେ ଯେ ସମୟ, ପରିସ୍ଥିତି ଏବଂ ବାର୍ଦ୍ଧକ୍ୟ, ଜୀବନ ଓ ମୃତୁ୍ୟ ଭଳି ସତ୍ୟ । ଦିନେ ନା ଦିନେ ଏଭଳି ଏକ ଅବସ୍ଥାରେ ପହଞ୍ଚିବାକୁ ପଡିବ । କେହି ବି ଏଭଳି ଅବସ୍ଥାକୁ ଆଡେଇ ଦେଇ ପାରିବେ ନାହିଁ ।
ଆଉ ଏଭଳି ଅବସ୍ଥାରେ ପଡିବା ଯଦି ପୂର୍ବରୁ ଜଣେ ଯଦି ନିଜର ଗର୍ବ ହେତୁ ଲୋକଙ୍କୁ ବେଖାତିର୍ କରିଥିବ, ତାହା ହେଲେ କେହି ସାହା ହେବାକୁ ଆସିବେ ନାହିଁ । ଯେତେ ଶକ୍ତିଶାଳୀ ହେଲେ ବି ମଣିଷ ପାଇଁ ସାମାଜିକ ସାହା, ଭରସା ଆବଶ୍ୟକ । ଏହା ବିନା ସମାଜର ନିରାପତ୍ତା କିମ୍ବା ଅସୁବିଧାଜନକ ପରିସ୍ଥିତିରେ ପଡିଲେ ଅନ୍ୟର ସାହାଯ୍ୟ ନେଇ ପରିସ୍ଥିତିର ସମ୍ମୁଖୀନ ହେବା ସମ୍ଭବ ନୁହେଁ । ସୁସ୍ଥ, ସବଳ ମଣିଷଟେ ଛିଡା ହୋଇଥିବା ବେଳେ ଯେଉଁ ଗର୍ବ ଦେଖାଏ ସେ ଯଦି ଝୁଣ୍ଟିକି ପଡିଯାଏ, ଆଉ ସେ ଗର୍ବ ନଥାଏ । ମାତ୍ର କେଇ ସମୟ ଭିତରେ ମଣିଷ ଅସହାୟ ହୋଇ ମୁହଁ ମାଡି ପଡିଯାଏ । ତେଣୁ ସାମାଜିକ ଜୀବନରେ କାହାରିକୁ ଶତ୍ରୁ ବୋଲି ନ ଭାବି ସମସ୍ତଙ୍କ ସହିତ ସଦ୍ଭାବ ରକ୍ଷା କରି ଜୀବନ ଅତିବାହିତ କରିବା ଉଚିତ । ଏପରିକି ବାପା ମଧ୍ୟ ପୁଅ ଉପରେ ପିତୃତ୍ୱର ଅଧିକାର ସାବସ୍ତ୍ୟ ନକରି ପରାମର୍ଶଦାତା ଏବଂ ବନ୍ଧୁ ଭାବରେ ବ୍ୟବହାର କରିବା ଉଚିତ୍ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।