ଅନଲାଇନ ଜୁଆରେ ଭ୍ରମିତ ଯୁବାପିଢ଼ି
ଗୋପାଳ ମହାପାତ୍ର : ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଦର୍ଶାଯାଇଛିଯେ ଭାରତରେ ଅନଲାଇନଗେମ୍ବଲିଙ୍ଗ ବା ଅନଲାଇନ ଜୁଆ ଖେଳ ବଢ଼ିବାରେ ଲାଗିଛି । ଅନଲାଇନରେ ଜୁଆଖେଳକୁ ପ୍ରୋସôାହିତ କରୁଥିବା ଏହି ଅନଲାଇନ୍ ପ୍ଲାଟଫର୍ମ ବା ଆପ୍କୁ ବିଗତ ୩ମାସ ମଧ୍ୟରେ ୧୬୦ କୋଟି ଥର ଲୋକେ ଦେଖିଛନ୍ତି । ଏପରିକି ଖେଳିଛନ୍ତି । ସରକାରଙ୍କ ଦ୍ୱାରା ଏହି ଜୁଆ ଖେଳକୁ ରୋକିବା ବା ନିୟନ୍ତ୍ରିତ କରିବା ପାଇଁ ସମସ୍ତ ପ୍ରୟାସ ସତ୍ତ୍ୱେ ଅବୈଧ ଭାବେ ଏହି ଖେଳ ବଢ଼ିଳାଲିଛି । ସମାଜ ବିଶେଷ ଭାବେ ଯୁବ ବର୍ଗ ଓ ପିଲାଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ଦି ଲାସେଣ୍ଟ ପତ୍ରିକାରେ ପ୍ରକାଶିତ ରିଛାର୍ଡ଼ ଆରାମିଣ୍ଟେଡ଼ଙ୍କ ସର୍ବେକ୍ଷଣ ଅନୁସାରେ ଅନଲାଇନ ଜୁଆ ପିଲାଙ୍କ ମାନସିକ,ଭାବନାତ୍ମକ ତଥା ସାମାଜିକ ସ୍ୱାସ୍ଥ୍ୟ ଏବଂ ପାଠପଢ଼ା ଉପରେ ପ୍ରଭାବ ପକାଉଛି । ଯୁବବର୍ଗ ଓ ପିଲାମାନେ ଅନ ଲାଇନରେ ଏହି ଜୁଆ ଖେଳରେ ଫସି ଯାଉଛନ୍ତି ଯାହା ସେମାନଙ୍କୁ ଏଥିରେ ଧୀରେ ଧୀରେ ଅଭ୍ୟସ୍ତ କରିଦେଉଛି । ନୂଆ ଟେକ୍ନିକରୁ ଅନେକ ଲାଭ ମିଳିବ ବୋଲି କୁହାଯାଉଛି କିନ୍ତୁ ସାବଧାନ ନରହିଲେ ଏହା ଗୁରୁତର କ୍ଷତି କରିବାର ସମ୍ଭାବନା ମଧ୍ୟ ରହିଛି । ମୋବାଇଲ ଫୋନ୍ରେ ଅନେକ ସୁବିଧା ମିଳିପାରୁଛି, ଏହାର ଅନେକ ଫାଇଦା ମଧ୍ୟ ରହିଛି କିନ୍ତୁ ଏବେ ମୋବାଇଲ ଅନେକ ପ୍ରକାରର ଜୁଆ ଖେଳର ମାଧ୍ୟମ ପାଲଟିବାକୁ ବସିଛି । ତାସ, ଲୁଡୁ ଏବଂ କ୍ରିକେଟ ଭଳି ଖେଳକୁ ଅନଲାଇନ୍ରେ ଏଭଳି ରୂପ ଦିଆଯାଉଛି ଯାହା ଜୁଆର ବିକଳ୍ପ ଅଟେ ।
ଏହି ନୂଆ ପ୍ରକାରର ଜୁଆ ଖେଳର ଜାଲରେ ଅନେକ କିଶୋର ଓ ଯୁବା ଫସିଯାଉଛନ୍ତି । ଏପରିକି ଗାଁ ଗହଳିରେ ମଧ୍ୟ ଏହି ଅନଲାଇନ ଜୁଆର ପ୍ରସାର ବଢିବାରେ ଲାଗିଛି । ଏହି ଅନଲାଇନ୍ ଜୁଆରେ ଥରେ କିଛି ଅର୍ଥ ହାରିବା ପରେ କେମିତି ହାରିଥିବା ଅର୍ଥ ଜିତିବେ ସେଇ ଆଶାରେ ଯୁବବର୍ଗ ଅଧିକ ଖେଳୁଛନ୍ତି ଏବଂ ଜିତିବା ପରିବର୍ତ୍ତେ ଅଧିକ ଭାବେ ହାରିବାରେ ଲାଗିଛନ୍ତି । ଅଧିକ ବାର ହାରିବା ପରେ ଚାପଗ୍ରସ୍ତ ଯୁବ/ କିଶୋର ମାନେ ପରିବାରର ଅର୍ଥ କୁ ଜୁଆର ଲଗାଉଥିବା ଓ ହାରୁଥିବା ସମ୍ପର୍କରେ ଅନେକ ଖବର ମିଳୁଛି । ଅନେକ ସମୟରେ ଛୋଟ ଛୋଟ ପିଲାମାନେ ମଧ୍ୟ ଏହି ଜୁଆରେ ଫସିଯାଉଛନ୍ତି । ଯଦିଓ ଏହି ଖେଳ ପାଇଁ ଏକ ନିର୍ଦ୍ଧାରିତ ବୟସର ଯୁବ/ କିଶୋର ମାନଙ୍କୁ ଅନୁମତି ମିଳିଥାଏ କିନ୍ତୁ କେତେକ କ୍ଷେତ୍ରରେ ଏହାର ଉଲଂଘନ ମଧ୍ୟ ହେଉଛି । ଏହି ଖେଳ ଯୋଗୁଁ ଯୁବ/ କିଶୋରଙ୍କ ଧ୍ୟାନ ପାଠପଢ଼ାରୁ ହଟିଯାଇଥାଏ ଓ ସେମାନେ ଅନେକ ପ୍ରକାରର ଚିନ୍ତା ଓ ଚାପର ଶିକାର ହୋଇଥାନ୍ତି । ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଯେଉଁ ବୟସରେ ସେମାନେ ଏକ ଉତ୍ତମ ଜୀବନ ପାଇଁ ପ୍ରସ୍ତୁତ ହେବା କଥା ସେହି ସମୟକୁ ଜୀବନର ବରବାଦ ପାଇଁ ଲଗାଇ ଦେଉଛନ୍ତି, ଏ ପ୍ରସଙ୍ଗରେ ପରିବାରର ଲୋକେ ଜାଣିବା ପରେ ଯଦି କିଛି ଉପଦେଶ ଦିଅନ୍ତି ବା ଗାଳିଗୁଲଜ କରନ୍ତି ତେବେ ଜୁଆ ଖେଳୁଥିବା ଯୁବ/ କିଶୋର ମାନେ ଅଧିକ ଚାପଗ୍ରସ୍ତ ହୋଇ ପିତାମାତାଙ୍କୁ ପାଲଟା ଗାଳୁଗୁଲଜ କରୁଥିବା ବାବଦରେ ମଧ୍ୟ ଅନେକ କଥା ଶୁଣିବାକୁ ଓ ଜାଣିବାକୁ ମିଳୁଛି । ଏହି କାରଣରୁ ଅନେକ ପିତାମାତା ମଧ୍ୟ ଅସୁବିଧା ଭୋଗ କରୁଛନ୍ତି ।
ଅନ୍ଲାଇନ୍ରେ ଏହି ଜୁଆ ଏବେ ଯୁବ/ କିଶୋର ମାନଙ୍କ ପାଇଁ ଏକ ନିଶା ପାଲଟିବାକୁ ବସିଲାଣି । ଏର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ନ୍ାମକ ଏକ କନସଲଟାନସ ଫାର୍ମର ରିପୋର୍ଟ ଅନୁସାରେ ଆମ ଦେଶର ଲୋକେ ଦୈନିକ ପାଖାପାଖି ୫ଘଣ୍ଟା ମୋବାଥଲ ଫୋନର ବ୍ୟବହାର କରୁଛନ୍ତି । ରିପୋର୍ଟ ଅନୁସାରେ ୨୦୨୪ ରେ ଆମ ଦେଶର ଲୋକେ ୧.୧ ଲକ୍ଷ କୋଟି ଘଣ୍ଟା ଫୋନର ବ୍ୟବହାର କରିଛନ୍ତି । ୭୦ ପ୍ରତିଶତ ଲୋକ ସୋସିଆଲ ମିଡିଆ, ଭିଡିଓ ଏବଂ ଏହି ଜୁଆ ଖେଳ ପାଇଁ ଫୋନ ବ୍ୟବହାର କରିଛନ୍ତି । ତଥ୍ୟ ଅନୁସାରେ ପ୍ରତି ମାସରେ ପ୍ରତିବ୍ୟକ୍ତି ପାଖାପାଖି ୨୭ ଜିବିରୁ ଅଧିକ ଡାଟା (ଇଣ୍ଟରନେଟ) ବ୍ୟବହାର କରିଥାନ୍ତି । ଏହା ଏକ ବିଡ଼ମ୍ବନା ନୁହେଁକି? ଭାରତକୁ ଏକ ଯୁବ ଦେଶ ବୋଲି କୁହାଯାଉଛି । କିନ୍ତୁ ଯୁବ ବର୍ଗ କରୁଛନ୍ତି କ’ଣ? ସ୍ମାର୍ଟଫୋନରେ ରିଲସ୍ ଦେଖୁଛନ୍ତି ଜୁଆଖେଳୁଛନ୍ତି । କୁହାଯାଉଛି ଫୋନ ଯୁବବର୍ଗଙ୍କୁ ଖରାପ ରାସ୍ତାକୁ ଟାଣିନେଉଛି । ନୂଆ ପିଢ଼ି ଖରାପ ହେବାରେ ଲାଗିଛି । ଯୁବବର୍ଗ ବରବାଦର ରାସ୍ତାରେ । କିନ୍ତୁ ଏସବୁ କହିବା କହିବାରେ ରହିଯାଉଛି । ମୋବାଇଲର ବ୍ୟବହାର ବଢିବାରେ ଲାଗିଛି ।
ଇଣ୍ଟରନେଟ ହେଉଛି ସୂଚନା ଏବଂ ତଥ୍ୟର ଅନ୍ତହୀନ ଭଣ୍ଡାର । ଏହି ଭଣ୍ଡାରରୁ ଶିକ୍ଷା, ଜ୍ଞାନକୌଶଳ, ଭାଷାଭଳି ଅନେକ ସକାରାତ୍ମକ ତଥ୍ୟ ବାବଦରେ ଜାଣିବା ପରିବର୍ତ୍ତେ ଜୁଆରୂପୀ ନିଶାରେ ନିଶାଗ୍ରସ୍ତ ଆଜିର ପିଢ଼ି । ଏ କଥା ମଧ୍ୟ ମନେରଖିବା ଉଚିତ୍ ଯେ ଇଣ୍ଟରନେଟରେ ଘଣ୍ଟା ଘଣ୍ଟା ସମୟ ବିତାଇବା କାରଣରୁ ଗେମିଙ୍ଗ କମ୍ପାନୀ ମାଲାମାଲ ହେଉଥିବା ବେଳେ ଜୁଆ ଖେଳୁଥିବା ଲୋକେ (ଯୁବ/କିଶୋର) ବ୍ୟାପକ ଅର୍ଥ ହରାଉଛନ୍ତି । ୨୦୧୪ରେ ୧.୧ ଲକ୍ଷକୋଟି ଘଣ୍ଟାର ମୋବାଇଲ ଫୋନ ବ୍ୟବହାର ହୋଇଛି ଓ ଡାଟା (ଇଣ୍ଟରନେଟ)ର ବ୍ୟବହାର ହୋଇଛି । ଏଥିରୁ ଗେମିଙ୍ଗ୍ କମ୍ପାନୀ ଏବଂ ମନୋରଞ୍ଜନ କମ୍ପାନୀ ଅଢ଼େଇ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି । ଅର୍ଥାତ୍ ଗେମିଙ୍ଗ କମ୍ପାନୀ ମାନଙ୍କର ଦୁଇ ପ୍ରକାରର ଲାଭ ରହିଛି । ଜୁଆ ଖେଳରେ ଲୋକେ ହାରିବା ଯୋଗୁଁ ତାଙ୍କ ପାଖକୁ ସିଧାସଳଖ ଅର୍ଥ ଯାଇଥିବା ବେଳେ ଇଣ୍ଟରନେଟ ବ୍ୟବହାର ସୂତ୍ରରୁ ମଧ୍ୟ କୋଟି କୋଟି ଟଙ୍କା ପାଉଛନ୍ତି ।
ଆମେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ଦୁର୍ଭାଗ୍ୟ ଯେ ପ୍ରତିବର୍ଷ ଜିଡିପି ଏବଂ ଆୟ ମଧ୍ୟ ବଢୁନାହିଁ । କିନ୍ତୁ ଆମର ବଢ଼ୁଛି କ’ଣ? ହୁଏତ ଆମ ଅପେକ୍ଷା ଅନ୍ୟ ଦେଶର ଲୋକେ ଅଧିକ ସମୟ ଫୋନ ବ୍ୟବହାର କରୁଥାଇ ପାରନ୍ତି, କିନ୍ତୁ ଆମର ସେଥିରେ ଯାଏ ଆସେ କ’ଣ? ଆମେ ନିଜକୁ ନିଜେ ଦେଖିବା ଆବଶ୍ୟକ । ଟେକ୍ନୋଲୋଜି ଭଲ ଜିନିଷ, ଏହାକୁ ଆପଣେଇବା ଉଚିତ କିନ୍ତୁ ଏହାର ଠିକ୍ ଉପଯୋଗ କରାଯିବା ଆବଶ୍ୟକ । ଆମେ ଯଦି ସଚେତନ ନହେବା ତେବେ ଏହି ଜୁଆ ନିଶାରୁ ବର୍ତ୍ତିବା ଅସମ୍ଭବ । ଅନ୍ୟପକ୍ଷରେ ସରକାର ମଧ୍ୟ ଅନଲାଇନ୍ ଗେମିଙ୍ଗ କମ୍ପାନୀ ମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବା ସହ ଏଭଳି ପ୍ଲାଟଫର୍ମ ଗୁଠିକୁ ସଂପୁର୍ଣ୍ଣ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।
ରାମଚନ୍ଦ୍ରପୁର, ରଣପୁର
ମୋ :୯୪୩୮୪୮୫୦୯୪