ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଆକ୍ସନ ମୋଡ଼ରେ
ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର । ଦୁଇ ଦିନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବୈଠକ । ଆଗକୁ ସରକାର କେତେକ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ସାଉଦି ଆରବ ପହଞ୍ଚିଥିଲେ । ସାଉଦି ଆରବର ଜେଦ୍ଦାରେ ଆୟୋଜିତ ସରକାରୀ ନୈଶ ଭୋଜିରେ ସାମିଲ ହେବା ସହ ମହମ୍ମଦ ବିନ ସଲମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ତେବେ ଜମ୍ମୁରେ ଏତେ ବଡ଼ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନିଜର ଗସ୍ତକୁ କାଣ୍ଟଛାଣ୍ଟ କରି ରାତାରାତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆକ୍ରମଣରେ ସମ୍ପୃକ୍ତ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ ।
ସେମାନଙ୍କର ଘୃଣ୍ୟ କାର୍ଯ୍ୟସୂଚୀ କେବେ ସଫଳ ହେବ ନାହିଁ । ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଦୃଢ଼ ଏବଂ ଏହା ଆହୁରି ଦୃଢ଼ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇ ଆଲର୍ଟ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି ।ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । କେବଳ ଜମ୍ମୁ କାଶ୍ମୀର ନୁହେଁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ପ୍ରମୁଖ ସ୍ଥାନ ଗୁଡ଼ିକରେ ସୁରକ୍ଷାକୁ ନେଇ ହାଇଆଲର୍ଟ ଜାରି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା , ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଆଜି ଗୃହମନ୍ତ୍ରୀ ଆକ୍ରମଣ ଘଟିଥିବା ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିବେ । ଆତଙ୍କୀ ଆକ୍ରମଣରେ ମୋଟ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଓ ୩ଜଣ ସ୍ଥାନୀୟ ନାଗରିକ ଏବଂ ଜଣେ ଆଇବି ଅଧିକାରୀଙ୍କୁ ମଧ୍ୟ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ପହଲଗାମର ବେସରାନରେ ପ୍ରକୃତିକୁ ଉପଭୋଗ କରୁଥିବା ସମୟରେ ହଠାତ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ ଆତଙ୍କବାଦୀ ।ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଲୋକେ ପୂରା ଘଟଣା ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି , ତାହା ଭୟଙ୍କର । ସେମାନଙ୍କ କହିବା କଥା, ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀ ମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ଚାଲିଥିଲେ । ଆଉ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୨୭ ପର୍ଯ୍ୟଟକ । ଅନେକ ପର୍ଯ୍ୟଟକ ଆହତ ହୋଇ ପହଲଗାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
ସେପଟେ ଏହି ଆକ୍ରମଣ ଘଟଣାକୁ ନେଇ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଟିଆରଏଫ୍ । କୁଖ୍ୟାତ ଏହି ଆତଙ୍କୀ ସଂଗଠନ ଚେତାବନୀ ଦେଇଛି ଯେ ଉପତ୍ୟକାରେ ଏଭଳି ଆକ୍ରମଣ ଜାରି ରହିବ । ୨୦୧୯ରେ ଗଠିତ ଟିଆରଏଫ୍ ଟେରର କିଲିଂର ଅନେ ଘଟଣା ଘଟାଇ ସାରିଛି। ୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବା ପାକିସ୍ତାନୀ ଆତଙ୍କୀଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା ।ତେଣୁ ହାଫିଜ୍ ସଇଦର ଲସ୍କର-ଏ-ତୋଏବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି ଟିଆରଏଫ୍ ଗଠନ କରିଥିଲେ । ଏହି ଆତଙ୍କୀ ସଂଗଠନ ଗଠନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ବଡ଼ ଭୂମିକା ରହିଛି । ଟିଆରଏଫ୍ ପ୍ରଥମ ଆତଙ୍କୀ ସଂଗଠନ , ଯାହାର ନାଁ ଇଂରାଜୀରେ ରହିଛି । ବିଶ୍ବର ନଜରରୁ ବଞ୍ଚିବା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ । ଏହି ସଂଗଠନର ସବୁ ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ବାସିନ୍ଦା , ପାକିସ୍ତାନର ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶରେ ହିଁ ଏମାନେ କାର୍ଯ୍ୟ କରିଥାନ୍ତି ।