ଶ୍ରୀମନ୍ଦିରରେ ଷୋଳପୂଜା ଓ ଶାକ୍ତ ଗୁଣ୍ଡିଚା

ଶ୍ରୀମନ୍ଦିରରେ ଷୋଳପୂଜା ଓ ଶାକ୍ତ ଗୁଣ୍ଡିଚା

    ପ୍ରସନ୍ନ କୁମାର ମିଶ : ଶ୍ରୀମନ୍ଦିରରେ ଆଶ୍ୱିନ କୃଷ୍ଣ ପକ୍ଷ ଅଷ୍ଟମୀ(ମୂଳାଷ୍ଟମୀ) ତିଥି ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ଦୁର୍ଗାଦେବୀଙ୍କର ପୂଜା ବା ‘ଷୋଳପୂଜା’ ଅନୁଷ୍ଠିତ ହୋଇଥାଏ । ଏ ଉପଲକ୍ଷେ ସପ୍ତମୀ ତିଥିରେ ଦେବୀଙ୍କର ‘ସହସ୍ର କୁମ୍ଭାଭିଷେକ’ ନୀତି ଅନୁଷ୍ଠିତ ହୁଏ । ମହାପ୍ରଭୁଙ୍କର ସକାଳ ଧୂପ ନୀତି ସମାପ୍ତିରେ ଭଣ୍ଡାର ଘରେ ଥିବା ଶ୍ରୀଦୁର୍ଗାଙ୍କ ବିଗ୍ରହ ରନô ସିଂହାସନକୁ ବିଜେ କରନ୍ତି । ମହାପ୍ରଭୁଙ୍କ ଠାରୁ ବିଧି ସଂପାଦନ ନିମନ୍ତେ ଆଜ୍ଞାମାଳ ପାଇ ଦୁର୍ଗା ସୋମନାଥ ମଣ୍ଡପ (ମାଜଣା ମଣ୍ଡପ) ଖଟକୁ ବିଜେ କରିଥା’ନ୍ତି । ସେଠାରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ସହ ବ୍ରହ୍ମାବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣ ଶ୍ରୀଦୁର୍ଗାଦେବୀଙ୍କୁ ୧୦୦୦ ଗରା ଜଳଲାଗି କରିବା ପରେ ଶ୍ରୀଅଙ୍ଗ ପୋଛାଯାଇ ବେଶ କରାଯାଇଥାଏ । ଏହାପରେ ପୂଜାପଣ୍ଡାଙ୍କ ଦ୍ୱାରା ପଂଚୋପଚାରରେ ଭୋଗ ପରେ ବନ୍ଦାପନା ହୁଏ ଏବଂ ଶ୍ରୀଦୁର୍ଗା ମହାଜନ ସେବକଙ୍କ ହାତରେ ବାହୁଡ଼ା ବିଜେ ହୋଇ ଭଣ୍ଡାର ଘର ଦ୍ୱାର ନିକଟକୁ ଆସନ୍ତି । ସେଠାରେ ରନô ସିଂହାସନସ୍ଥିତ ‘ମାଧବ’ (ଶ୍ରୀ ଜଗନ୍ନାଥଙ୍କ ବାମ ପାଶ୍ୱର୍ରେ ଶ୍ରୀଦେବୀଙ୍କ ଆଢୁଆଳରେ ରହୁଥିବା ଶ୍ରୀଜଗନ୍ନାଥଙ୍କ କ୍ଷୁଦ୍ରକାୟ ଦାରୁ ପ୍ରତିମା) ଶ୍ରୀଜୀଉଙ୍କଠାରୁ ଆଜ୍ଞାମାଳ (ନିଦେ୍ର୍ଦଶ) ପାଇ ଭଣ୍ଡାର ଘର ନିକଟକୁ ଆସନ୍ତି ଏବଂ କୋଠ ସୁଆଁସିଆ ସେବକ ଯୋଗାଇ ଦେଇଥିବା ‘କାଷ୍ଠଭଦ୍ରାସନ’ରେ ଉଭୟ ମାଧବ ଓ ଦୁର୍ଗାଦେବୀ ‘ରୁନ୍ଧା’ ହୋଇଥା’ନ୍ତି । ଏହିଦିନ ଠାରୁ ‘ଦୁର୍ଗାମାଧବ ଉପାସନା’ ଆରମ୍ଭ ହୋଇଥାଏ । ଏହା ଅନ୍ୟତ୍ର ବିରଳ । ଏହି ରୁନ୍ଧା ଦଶହରା ପର୍ଯ୍ୟନ୍ତ ରହିଥାଏ ।
ମୂଳାଷ୍ଟମୀ ଠାରୁ  ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଦେବୀ ମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ବା ‘ଷୋଳପୂଜା’ ଆରମ୍ଭ ହୋଇଯାଏ । ବିମଳା ମନ୍ଦିରରେ ପୂର୍ବଦିନ ଗଜପତି ମହାରାଜାଙ୍କ ଦ୍ୱାରା ଗୁଆଟେକି ଆଚାର୍ଯ୍ୟ ରୂପେ ବରଣ ହୋଇଥିବା ‘ଶ୍ରୋତ୍ରୀୟ ବ୍ରାହ୍ମଣ’(ବେଦାଧ୍ୟାୟୀ/ବେଦଜ୍ଞ ଓ ସଚ୍ଚରିତ୍ର ବ୍ରାହ୍ମଣ) ମାନେ  କଳସ ପୂଜା, ବ୍ରହ୍ମା, ସ୍ୱସ୍ତିବାଚକ, ଚଣ୍ଡି ଓ ସହସ୍ରନାମାଦି କାର୍ଯ୍ୟ ନିମନ୍ତେ ଅନ୍ୟ ବ୍ରାହ୍ମଣମାନଙ୍କୁ ବରଣ କରି ଜପ ହୋମ ସଂକଳ୍ପ କରିବା ପରେ ଶ୍ରୀବିମଳାଙ୍କ ସମ୍ମୁଖରେ ପାହାଡ଼ା ପଡ଼ି ଭୋଗ ହୋଇଥିବା ସ୍ଥାନକୁ ପୂଜା କରିବା ନିମନ୍ତେ ଯାଇଥା’ନ୍ତି । ବିମଳା ମଣୋହିରେ କୋଠଭୋଗ ମହାପ୍ରସାଦ, ପିଠା ଓ ଥାଳି ଖେଚୁଡ଼ି ଆଦି ବଢ଼ାଯାଏ । ଏହି ଭୋଗ ସମୟରେ ଛତି ଟେକାଯାଇଥାଏ ଏବଂ ଘଂଟ, କାହାଳୀ ଓ ବାଜା ବାଜୁଥାଏ । ଆଚାର୍ଯ୍ୟ ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଭୋଗ ସମାପ୍ତିରେ ଟେରା ଫିଟିଲେ କର୍ପୂର ଆଳତି ଓ ଏକୋଇଶ ବତି ବନ୍ଦାପନା ହୋଇଥାଏ ।ସକାଳ ଧୂପ ପୂଜାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡିପାଠ ଓ ସହସ୍ରାନାମାଦି ପାଠ କରାଯାଇଥାଏ । ମାତ୍ର ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ନୀତିରେ ଏହା ହୁଏ ନାହିିଁ । ପ୍ରତିଟି ଧୂପରେ ଟେରା ବନ୍ଧାଯାଇ ଭୋଗ ହୁଏ । ଛତି ଟେକା ଯାଇଥାଏ ।ଏହି ବିଧି ବିଧାନ ଶୁକ୍ଳ ପକ୍ଷ ସପ୍ତମୀ ପର୍ଯ୍ୟନ୍ତ ବିମଳାଙ୍କ ପୀଠରେ ପାଳିତ ହୋଇଥାଏ ।                                                 
ସପ୍ତମୀ ଠାରୁ ତି୍ରଦିବସୀୟ ପୂଜା ନିମନ୍ତେ ସ୍ୱତନ୍ତ୍ର ଭାବେ ସଂକଳ୍ପ କରାଯାଇ ତର୍ପଣ, ମାର୍ଜନା ସହ ବଳି, ଜପ ଓ ହୋମାଦି ସଂପନ୍ନ ହୋଇଥାଏ । ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ନିଶାର୍ଦ୍ଧରେ ମା’ବିମଳାଙ୍କର ମନ୍ଦିରରେ ସଙ୍ଖୁଡ଼ି ଓ ଆମିଷ ପୂଜା କରାଯାଏ । ଏଥିପାଇଁ ବିମଳାଙ୍କ କୂଅ ନିକଟରେ ଏକ ଅସ୍ଥାୟୀ ରୋଷଘର କରାଯାଇ ଶ୍ରୀଜଗନ୍ନାଥଙ୍କର ରାତ୍ର ପହୁଡ଼ ପରେ (ଗୁପ୍ତରେ) ମନ୍ଦିର ଶୋଧ କରାଯାଇ ପଶ୍ଚିମ ଦ୍ୱାର ରାସ୍ତା ଦେଇ ବଳୀପଶୁ ଓ ମତ୍ସାଦି ଭିତରକୁ ଅଣାଯାଇଥାଏ । ଏହାର ପୂଜାବିଧି ସଂପୂର୍ଣ୍ଣ ‘ଗୋପନୀୟ ଏବଂ ପ୍ରଚାର ବିହୀନ ଗୁପ୍ତବିଧି’ ରୂପେ ଗୃହୀତ । ଏଠାରେ ନିର୍ଦ୍ଦିଷ୍ଟ ଛେଦ ପଶୁ ଛଡ଼ା ଯାଚଜ୍ଞା ଛେଦ ଦିଆଯିବାର ବ୍ୟବସ୍ଥା ନାହିଁ । ଷୋଳପୂଜା ସମାପ୍ତି ଅର୍ଥାତ୍ ମହାନବମୀ ପର୍ଯ୍ୟନ୍ତ ବିମଳା ମନ୍ଦିର ଭିତରକୁ ମହିଳାମାନଙ୍କୁ ପ୍ରବେଶ ବାରଣ ରହିଅଛି । ସହସ୍ରାକୁମ୍ଭାଭିଷେକ ଠାରୁ ଷଷ୍ଠୀ ପର୍ଯ୍ୟନ୍ତ ମା’ ବିମଳାଙ୍କର ୧୧ ଗୋଟି ଯଜମାନୀ ବେଶ ଅନୁଷ୍ଠିତ ହୋଇଥାଏ । ଷୋଳପୂଜା ସମୟରେ  ଦୁର୍ଗାମାଧବ  ଏକତ୍ର ରୁନ୍ଧା ହୋଇ ବିମଳା ଦେବୀଙ୍କ ମନ୍ଦିରରେ ଆଠଦିନ ବିଜେ କରିବା ପରେ ନବମ ଦିନ ଠାରୁ ମହାନବମୀ ଆଠଦିନ ପର୍ଯ୍ୟନ୍ତ ଏକ ରଥ ଆକାରର ବିମାନରେ ବିଜେ କରି ପ୍ରତିଦିନ ଦୋଳମଣ୍ଡପ ସାହି ଦେବୀ ନାରାୟଣୀଙ୍କ ମନ୍ଦିର (ଆସ୍ଥାନ)କୁ ଯାଇଥାଆନ୍ତି । ଏହି ଆସ୍ଥାନ ଯାତ୍ରାକୁ  ଆଶ୍ୱିନ ଗୁଣ୍ଡିଚା, ଶାକ୍ତ ଗୁଣ୍ଡିଚା, ଶରତ ଗୁଣ୍ଡିଚା କୁହାଯାଏ । ସେଠାରେ ପ୍ରତ୍ୟହ କର୍ପୂର ଲାଗି, ଜଳଲାଗି, ଭୋଗ ଓ ବନ୍ଦାପନା ଇତ୍ୟାଦି ନୀତିମାନ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ବଢିଲେ (ଶେଷ  ହେଲେ )ଦୁର୍ଗାମାଧବ ଶ୍ରୀମନ୍ଦିିର ବାହୁଡି ଆସନ୍ତି ।ଏହାହିଁ ଷୋଡଶ ଦିବସାତ୍ମକ ପୂଜା ବା  ଷୋଳପୂଜା । 

   ମୋ:୮୦୧୮୮୭୫୩୩୫