ପ୍ୟାରୀଙ୍କ ୧୨କୁ ପାଣ୍ଡିଆନଙ୍କ ୧୨

ଭୁବନେଶ୍ୱର : ପ୍ରତି ୧୨ ବର୍ଷରେ କଡ଼ ଲେଉଟାଏ ବିଜେଡ଼ି ରାଜନୀତି । ବିଜେଡି ସରକାରକୁ ଆସିବାର ୧୨ ବର୍ଷ ପରେ ପ୍ୟାରୀବାବୁଙ୍କ ଉପରେ ଚଡ଼କ ପଡ଼ିଥିବାବେଳେ ଚବିଶ ନିର୍ବାଚନ ପରେ ପାଣ୍ଡିଆନଙ୍କ ମୁଣ୍ଡ ଉପରେ ଡେମୋକ୍ଳିସ ଖଣ୍ଡା ଝୁଲିଛି ।
ବିଜେଡ଼ିରେ ନବୀନ ହେଉଛନ୍ତି ସର୍ବମାନ୍ୟ ନେତା । ଦଳର ଅଧା ଭୋଟ୍ ତାଙ୍କ ନାମରେ ହିଁ ଆସିଥାଏ । ଅନ୍ୟ ଆଞ୍ଚଳିକ ଦଳରେ ବି ଏଭଳି ନେତା ଅଛନ୍ତି । କିନ୍ତୁ ଦେଶର କ୍ଷମତାଶାଳୀ ଆଞ୍ଚଳିକ ଦଳର ନେତାମାନେ ସବୁକିଛି ଟିକିନିଖି ନିଜେ ବୁଝୁଥିବାବେଳେ ନବୀନ କିନ୍ତୁ ଅନ୍ୟ ଦ୍ୱାରା ହିଁ ଦଳ ଚଳାଇଥା’ନ୍ତି । ୨୦୦୦ରୁ ୨୦୧୨ । ଏହି ୧୨ ବର୍ଷ ସମୟ କାଳରେ ପ୍ୟାରୀମୋହନ ମହାପାତ୍ର ଥିଲେ ବିଜେଡ଼ିର ସର୍ବେସର୍ବା । ନେତାମାନେ ନବୀନ ନିବାସ ମାଡୁନଥିବାରୁ ପ୍ୟାରୀଙ୍କ ସହିଦନଗର ସ୍ଥିତ-୧୧୧ ଘର ପାଲଟିଥିଲା ବିଜେଡ଼ି ଅଫିସ୍ । ପ୍ୟାରୀଙ୍କ ଫୋନ୍ ବାଜିଲେ ବିଜେଡ଼ି ନେତାଙ୍କ ଛାତି ଥରିଯାଏ । କିଏ ତାଙ୍କୁ ସୁପର ସିଏମ୍ କହନ୍ତି ତ ଆଉ କିଏ ଦଳର କାର୍ଯ୍ୟକାରୀ ସଭାପତି ବୋଲି କୁହନ୍ତି । ତେବେ ୨୦୧୨ ମେ’ ୨୯ ଘଟଣା ପ୍ୟାରୀଙ୍କ ରାଜନୀତିକ ଦିଗରେ ନୂଆ ମୋଡ଼ ଆଣି ଦେଇଥିଲା । ଯେଉଁ ନେତା ଦିନେ ନବୀନଙ୍କ ଅଙ୍କଲ ଭାବେ ପରିଚିତ ଥିଲେ ତାଙ୍କୁ ନବୀନ ବେଇମାନ୍ କହି ଦଳରୁ ବିଦା କରିଦେଇଥିଲେ ।
ପ୍ୟାରୀବାବୁ ହଟିଯିବା ପରେ ବିଜେଡ଼ିରେ ପାଣ୍ଡିଆନ୍ଙ୍କ ଦବଦବା ବଢ଼ିଥିଲା । ନବୀନ କିନ୍ତୁ ଆଉ ଦ୍ୱିତୀୟ ପ୍ୟାରୀ ସୃଷ୍ଟି କରିବାକୁ ଚାହୁଁନଥିଲେ । ସେଥିପାଇଁ ଦଳୀୟ ନେତାଙ୍କ ଅପେକ୍ଷା ପାଣ୍ଡିଆନଙ୍କ ଉପରେ ନବୀନ ବାବୁ ଗୁରୁତ୍ୱ ଦେଇଥିଲେ । ପାଣ୍ଡିଆନ୍ ତାମିଲନାଡୁର ହୋଇଥିବାବେଳେ ପେଶାରେ ଜଣେ ଆଇଏଏସ ଅଫିସର । ତେଣୁ ତାଙ୍କ ଠାରୁ କୌଣସି ରାଜନୀତିକ ବିପଦ ବି ନଥିଲା । ନବୀନ ଧିରେଧିରେ ପାଣ୍ଡିଆନଙ୍କ ଉପରେ ଅଧିକ ନିର୍ଭରଶୀଳ ହେବାରୁ ପ୍ୟାରୀଙ୍କ ପରେ ପାଣ୍ଡିଆନ୍ ପାଲଟିଯାଇଥିଲେ ସରକାର ଓ ଦଳର ନମ୍ବର-ଟୁ ।
୨୦୧୯ ପର୍ଯ୍ୟନ୍ତ ସେ ପ୍ରଚ୍ଛଦପଟରେ ହିଁ ଗୋଟି ଚାଳନା କରୁଥିଲେ । ପାଣ୍ଡିଆନଙ୍କ ବିଷୟରେ କେବଳ ବିଜେଡ଼ିର ବଡ଼ ନେତାମାନେ ହିଁ ଜାଣିଥିଲେ । ତୃଣମୂଳସ୍ତରରେ ଅଧିକାଂଶ ନେତା ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ୨୦୧୯ରେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପରେପରେ ପାଣ୍ଡିଆନ୍ ଆଗକୁ ଆସିବା ପାଇଁ ଯୋଜନା ରଚିଲେ । ନବୀନ ନିବାସରେ ନବୀନଙ୍କ ସହ ତାଙ୍କର ଫଟୋ ଭାଇରାଲ୍ ହେଲା । ଗାଏମୋଟ୍ କହିଲେ ୨୦୧୯ରୁ ହିଁ ବିଜେଡ଼ିରେ ବିଧିବଦ୍ଧ ଭାବେ ପାଣ୍ଡିଆନ୍ ଯୁଗ ଆରମ୍ଭ ହୋଇଯାଇଥିଲା । ଧିରେଧିରେ ବିଜେଡ଼ିକୁ କବଜା କରିବା ପାଇଁ ସେ ନିଜର କୋଟରୀ ସୃଷ୍ଟିକଲେ । ଆଇପିଏସ ଓ କିଛି ଯୁବନେତାଙ୍କୁ ଧରି ପାଣ୍ଡିଆନ୍ ଯାହା ଚାହିଁଲେ ସରକାର ଓ ଦଳରେ ସେଇଆ ହିଁ ହେଲା । ଶିଳ୍ପପତିମାନେ ମୁଖ୍ୟସଚିବଙ୍କୁ ଭେଟିବା ବଦଳରେ ତାଙ୍କ ସହ ହିଁ ରୁଦ୍ଧଦ୍ୱାର ବୈଠକ କଲେ । ତାଙ୍କର ସବୁ ରଣନୀତି ସଫଳ ହେଉଥିବାରୁ ଆଗାମୀ ଦିନରେ ଦଳର ମଙ୍ଗ ସିଧାସଳଖ ଧରିବାକୁ ପାଣ୍ଡିଆନ୍ ଯୋଜନା କରିଥିଲେ । ଚାକିରୀ ଛାଡ଼ି ଶଙ୍ଖ ଫୁଙ୍କିବା ପରେ ପାଣ୍ଡିଆନ୍ ଅଫିସିଆଲି ବିଜେଡ଼ିର ନମ୍ବର ଟୁ ବୋଲାଇଲେ । ଯଦି ବିଜେଡ଼ି ଚବିଶ ନିର୍ବାଚନ ଜିତିଥା’ନ୍ତା ଏତେବେଳକୁ ନବୀନ ବାବୁ ନିଜର ଉତ୍ତରାଧିକାରୀ ଭାବେ ପାଣ୍ଡିଆନଙ୍କ ନାଁ ନେଇ ସାରନ୍ତେଣି ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି । କିନ୍ତୁ ବିଜେଡିର ପରାଜୟ ପରେ ପାଣ୍ଡିଆନ ହିଁ ନେତାଙ୍କ ଶରବ୍ୟର ଶିକାର ହେଲେ । ଏବେ ସେ ପ୍ରଚ୍ଛଦପଟରେ ରହି ଗୋଟି ଚଳାଉଛନ୍ତି । କିନ୍ତୁ ଦଳର ବରିଷ୍ଠ ନେତାମାନେ ତାହା ଗ୍ରହଣ କରିପାରୁନାହାନ୍ତି । ଆଗାମୀ ଦିନରେ ବିଜେଡ଼ି ରାଜନୀତି କେଉଁ ମୋଡ଼ ନେବ ତାହା ଉପରେ ଏବେ ନଜର ରହିବା ସ୍ୱାଭାବିକ ।