ନବମ ଥର ନବୀନ କ’ଣ ରହିଛି ଆହ୍ୱାନ ?

ନବମ ଥର ନବୀନ କ’ଣ ରହିଛି ଆହ୍ୱାନ ?

ଭୁବନେଶ୍ୱର : ୧୯୯୭ରୁ ୨୦୨୫  । ଗତ ୨୮ ବର୍ଷ ଧରି ବିଜେଡ଼ିରେ ଚାଲିଛି ନବୀନ ବାବୁଙ୍କ ରାଜ୍‌  । ନବମ ଥର ପାଇଁ ନବୀନ ହୋଇଛନ୍ତି ବିଜେଡ଼ି ସଭାପତି  । ଅନ୍ୟ ଆଞ୍ଚଳିକ ଦଳରେ ନେତାମାନେ ଲମ୍ବା ସମୟ ଧରି ଦଳର ନେତୃତ୍ୱ ନେବାର ନଜିର ରହିଛି  । କିନ୍ତୁ ନବୀନ ସେମାନଙ୍କ ଠାରୁ ଭିନ୍ନ  । କାହିଁକିନା ବିଜୁ ଜନତା ଦଳର ଗଠନରେ ତାଙ୍କର ବିଶେଷ ଭୂମିକା ନଥିଲା । ଗଢ଼ିଥିବା ନେତାମାନେ ନିଜ ଭିତରେ ନେତା ବାଛି ନପାରିବାରୁ ନବୀନଙ୍କ ମୁଣ୍ଡରେ ହିଁ ଶିରିପା ବାନ୍ଧିଥିଲେ  । ସେମାନେ ଭାବିଥିଲେ, ନବୀନଙ୍କୁ ପାଳଭୂତ ସଜାଇ ଅସଲ ବିଜେଡ଼ିର ମାଲିକ ସେମାନେ ହିଁ ହେବେ  । ହେଲେ ନବୀନ କିନ୍ତୁ ମାଷ୍ଟର ଖିଲାଡ଼ି ଥିଲେ  । ରାଜ୍ୟ ବିଜେଡ଼ି ନେତାଙ୍କ ଚିନ୍ତା ଯେଉଁଠି ସରୁଥିଲା, ନବୀନଙ୍କ ଭାବନା ସେଇଠୁ ହିଁ ଆରମ୍ଭ ହୋଇଥିଲା  । ବିଜେଡ଼ିରେ ବିଜୁବାବୁଙ୍କ ଗୋଷ୍ଠୀକୁ ଖିନଭିନ କରିବା ପାଇଁ ନବୀନ ଗୋଟି ଚାଳନା କରିଥିଲେ  । ପ୍ରଥମେ ବିଜୟ ମହାପାତ୍ର, ପରେ ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋଙ୍କ ଭଳି ନେତାଙ୍କ ଚେର କାଟିଦେଲେ  । ଜଣଙ୍କ ପରେ ଜଣେ ନେତାଙ୍କୁ ସେ ଦଳରୁ ବାହାର କରି ବିଜେଡ଼ିର ସର୍ବେସର୍ବା ହେବାରେ ସଫଳ ହୋଇଥିଲେ  । ସେପଟେ ୨୦୦୦ରେ ଦଳ ସରକାର ଆସିବା ବେଳକୁ ଆଡ଼ଭାନୀ ଓ ବାଜପେୟୀଙ୍କ ସହ ତାଙ୍କର ନିଘନ ସମ୍ପର୍କ ହୋଇ ଯାଇଥିଲା  । ସେମାନଙ୍କ ଆଶୀର୍ବାଦରେ ନବୀନ ରାଜ୍ୟ ବିଜେପିକୁ ବି କରାୟତ୍ତ କରିନେଇଥିଲେ  । କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ବି ନବୀନଙ୍କର ବିଶେଷ କ୍ଷତି ହୋଇନଥିଲା  । ସୋନିଆ ଗାନ୍ଧୀଙ୍କ ସହ ଦୀର୍ଘଦିନର ବନ୍ଧୁତା ତାଙ୍କୁ ବେଶ୍‌ ସହାୟକ ହୋଇଥିଲା  । ମେଣ୍ଟ ସରକାରରେ ଏକାଙ୍ଗବର୍ତ୍ତୀ ଶାସକ ହେବାରୁ ନବୀନଙ୍କ କ୍ରେଜ୍‌ ସାରା ଓଡ଼ିଶାରେ ବଢ଼ି ଯାଇଥିଲା  । ତାଙ୍କର ସିମ୍ପଲ ଲିଭିଂ ଓ ଦୁର୍ନୀତି ମୁକ୍ତ ବାର୍ତ୍ତା ଓଡ଼ିଶାବାସୀଙ୍କ ମନ ଛୁଇଁଥିଲା  । କଂଗ୍ରେସର ଦୁଇଟି ଭୁଲ୍‌କୁ ସେ ଦୋହରାଇନଥିଲେ  । କଂଗ୍ରେସ ସରକାର ଅମଳରେ ଦଳ ହାତରେ ଆଇନଶୃଙ୍ଖଳା ବ୍ୟବସ୍ଥା ଥିବାବେଳେ ସବୁସ୍ତରରେ ଦୁର୍ନୀତି ଭର୍ତ୍ତି ହୋଇଥିଲା  । ତେଣୁ ନବୀନ ପ୍ରଥମେ ପୁଲିସକୁ ଦଳୀୟ କର୍ମୀଙ୍କ କବଳରୁ ମୁକ୍ତ କରିଥିଲେ  । ଅନେକ ମନ୍ତ୍ରୀଙ୍କୁ ଛାୟା ଦୁର୍ନୀତି ଅଭିଯୋଗରେ ଦଳରୁ ବିଦା କରିଦେଇଥିଲେ  । ଧିରେଧିରେ ନବୀନ ଓଡ଼ିଆଙ୍କ ମନରେ ଏମିତି ଚରିଗଲେଯେ, ବିଜୁବାବୁଙ୍କ ଭଳି ତାଙ୍କ ନାମରେ ବି ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଥିଲା  । ଯାହାକୁ ଧୋଇ ଶୁଖେଇ ୨୦୨୪ ପର୍ଯ୍ୟନ୍ତ ଏକାଦିକ୍ରମେ ଶାସନ କରି ଏକବିଂଶ ଶତାବ୍ଦୀରେ ସେ ଏକ ରେକଡର଼୍ ସୃଷ୍ଟି କରିଥିଲେ  । କିନ୍ତୁ ଏବେ ସ୍ଥିତି ବଦଳିଯାଇଛି  । ନବୀନ ଆଉ ଶାସନ ଗାଦିରେ ନାହାନ୍ତି  । ଆଗ ଭଳି ଆଉ ବୟସ କି ଯୋଶ୍‌ ବି ନାହିଁ  । ଏଭଳି ସ୍ଥିତିରେ ବିଜେଡ଼ିର ଆଗାମୀ ଗତି କୁଆଡ଼କୁ ଯିବ, ତାହା ଉପରେ ବି ନଜର ରହିବା ସ୍ୱାଭାବିକ  ।