ଆଧୁନିକ ଜୀବନଶୈଳୀରେ ସଙ୍କୁଚିତ ମାତୃତ୍ୱ
ଡା.ଶୁଭଶ୍ରୀ ମିଶ୍ର : ମାତୃତ୍ୱ ନାରୀକୁ ପୂର୍ଣ୍ଣତା ଦେଇଥାଏ । ଯାହାପାଇଁ ଅନେକ ମାଆ ମାନଙ୍କ ଜୀବନର ଏକ ଆବେଗ ଥାଏ ଏହି ଆନନ୍ଦ ପାଇବା ପାଇଁ । ତେଣୁ ଛୁଆର ପ୍ରଥମ କାନ୍ଦଣା ଶୁଣିବାକୁ ମାଆଙ୍କ ପ୍ରସନ୍ନବେଦନାକୁ ବି ଗୌଣ ଭାବିନିଏ । ତେବେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆସିବା ପରେ ମାତୃତ୍ୱ ଲାଭ ପାଇଁ ପ୍ରସବ ବେଦନା ଆଉ ଅବଶ୍ୟମ୍ଭାବୀ ହୋଇରହିନାହିଁ । ବେଦନା ପୂର୍ବରୁ ହିଁ ନବଜାତ ମାନେ ସିଜରିଆନ ଡେଲିଭରି ବ୍ୟବସ୍ଥା ଦ୍ୱାରା ଭୂମିଷ୍ଠ ହେଉଛନ୍ତି । ଏବେ ନିରାପଦ ମାତୃତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଆଗେ କେବଳ ଘଣ୍ଟା ଘଣ୍ଟା ନୁହେଁ ଦିନ ଦିନର ପ୍ରସବ ଯନ୍ତ୍ରଣା ପରେ ସ୍ୱାଭାବିକ ଭାବରେ ଶିଶୁଟିଏ ଜନ୍ମ ନେଉଥିଲା । କିନ୍ତୁ ଏବେ ସିଜରିଆନ ଡେଲିଭରିର ଅଧିକ ଗୁରୁତ୍ୱ ରହିଛି । ସୂଚନାଥାଉକି ଗର୍ଭାବସ୍ଥାର ୩୫ ସପ୍ତାହ ଭିତରେ ଜଣାପଡ଼ିଯାଏ ଯେ ପ୍ରସବ ସ୍ୱାଭାବିକ ହେବ ନା ସିଜରିଆନ । ଶିଶୁ ଓଲଟା ରହିଲେ, ନାଡ଼ ଗୁଡ଼ାଇ ହୋଇଗଲେ କିମ୍ବା ଓଜନ ଅଧିକ ଥିଲେ ସ୍ୱାଭାବିକ ପ୍ରସବ ପରାମର୍ଶ ଯୋଗ୍ୟ ନୁହେଁ । ସ୍ୱାଭାବିକ ପ୍ରସବରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଗର୍ଭସ୍ଥ ଶିଶୁର ଗର୍ଭାଶୟ ସହିତ ସଂଯୋଗ କରୁଥିବା ନାଡଟି ଅଟକି ଯାଉଛି କିମ୍ବା ତାର ହୃତସ୍ପନ୍ଦନ ଅସ୍ୱାଭାବିକ ରହୁଛି କି ରକ୍ତ ଜମାଟ ବାନ୍ଧୁଛି । କେତେକ ସ୍ଥଳରେ ଶିଶୁ ଜନ୍ମ ହେଲାପରେ କାନ୍ଦୁନାହିଁ ଓ ମୂତ୍ରାଶୟ ଖସିଯିବାର ଆଶଙ୍କା ରହୁଛି । ଏଣୁ ଶିଶୁର ସ୍ୱାସ୍ଥ୍ୟକୁ ବିଚାରକରି ଅସ୍ତ୍ରୋପଚାର ପାଇଁ କୁହାଯାଏ । ଯଦି ଗର୍ଭବତୀ ଏକତ୍ର ଦୁଇ ବା ଅଧିକ ସନ୍ତାନ ଜନ୍ମ ଦେଉଛନ୍ତି ଏବଂ ଶିଶୁ ଗର୍ଭାଶୟରେ ଭୁଲ ସ୍ଥାନରେ ରହିଛି ତେବେ ସିଜରିଆନ କରାଯାଏ । ମାଆର ହରପିସ ସଂକ୍ରମଣ ଥିଲେ ଗର୍ଭସ୍ଥ ଶିଶୁ ସଂକ୍ରମିତ ହୋଇପାରେ । ସେ କ୍ଷେତ୍ରରେ ମଧ୍ୟ ସିଜରିଆନ ଡେଲିଭରି କରାଯାଏ । ସବୁବେଳେ ଲକ୍ଷ୍ୟ ରଖିବା ଉଚିତ କି ଶିଶୁଟି କିପରି ସୁସ୍ଥ ଭାବେ ଓ ଠିକ ସମୟରେ ଜନ୍ମ ନେବ । ନିକଟରେ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ମହିଳା ମାନଙ୍କର ସନ୍ତାନ ପ୍ରସବ ହାର ବା ‘ଟୋଟାଲ ଫର୍ଟିଲିଟି ରେଟ’(ଟିଏଫଆର)ର ଭବିଷ୍ୟତର ସମ୍ଭାବ୍ୟ ଧାରା ସମ୍ବନ୍ଧରେ ମର୍ଯ୍ୟାଦାଜନକ ଚିକିତ୍ସା ବିଜ୍ଞାନ ପତ୍ରିକା ଲଣ୍ଡନରୁ ପ୍ରକାଶିତ "ଦି ଲାନସେଟ' ବହନ କରିଥିବା ଏକ ଅନୁଶୀଳନ ଅନୁସାରେ ୨୦୫୦ ସୁ୍ଧା ଭାରତର ଟିଏଫଆର ୧.୨୯କୁ ଏବଂ ୨୧୦୦ ସୁଦ୍ଧା ତାହା ଆହୁରି ତଳକୁ ଖସି ୧.୦୪ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି । ଟିଏଫଆର ହେଉଛି ପ୍ରଜନନକ୍ଷମ ବୟସସୀମା ୧୫-୪୯ ବର୍ଷ ବୟସ ମଧ୍ୟରେ ଜଣେ ମହିଳା ଜନ୍ମଦାନ କରୁଥିବା ସନ୍ତାନ ସନ୍ତିତଙ୍କ ହାରାହାରି ସଂଖ୍ୟା । ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ଟିଏଫଆର ହେଉଛି ୨.୧ ଯାହାକୁ ପ୍ରତିସ୍ଥାପନ ହାର ବା ରିପ୍ଲେସମେଣ୍ଟ ରେଟ ରୂପେ ଅଭିହିତ କରାଯାଇଥାଏ । ଦି ଲାନସେଟରେ ପ୍ରକାଶିତ ଅନୁଶୀଳନ ଅନୁସାରେ ଭାରତର ଟିଏଫଆର ୨୦୨୧ରେ ଏହି ପ୍ରତିସ୍ଥାପନ ହାର ଠାରୁ କମ ହୋଇସାରିଛି ୧.୯୧ । ଭାରତ ସରକାରଙ୍କ ଦ୍ୱାରା ୨୦୧୯-୨୧ ମଧ୍ୟରେ କରାଯାଇଥିବା ନେସନାଲ ଫ୍ୟାମିଲି ହେଲଥ ସର୍ଭେରୁ ମଧ୍ୟ ଦେଶର ଟିଏଫଆର ମୂଲ୍ୟ ୨ ହୋଇଥିବା ଆବିଷ୍କୃତ ହୋଇଥିଲା, ଯାହା ଉପରୋକ୍ତ ପ୍ରତିସ୍ଥାପନ ହାର ଠାରୁ ସାମାନ୍ୟ ନୀଚା ହୋଇଥାଏ । ଦି ଲାନସେଟରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ହେଉଛି ୟୁନିଭର୍ସିଟି ଅଫ ୱାସିଙ୍ଗଟନ ସ୍କୁଲ ଅଫ ମେଡ଼ିସିନର ଇନଷ୍ଟିଚୁ୍ୟଟ ଅଫ ହେଲଥ ମେଟି୍ରକସ ଆଣ୍ଡ ଇଭାଲୁଏସନ ନାମକ ଜନସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଥିବା ଅନୁଶୀଳନ ଉପରେ ଆଧାରିତ । ଏହି ଅନୁଶୀଳନରେ କରାଯାଇଥିବା ଆକଳନ ଅନୁସାରେ ୨୦୨୧ରେ ଭାରତରେ ଜନ୍ମଲାଭ କରିଥିବା ମୋଟ ଜୀବନ୍ତ ଶିଶୁଙ୍କ ସଂଖ୍ୟା ୨୨.୩୯ ନିୟୁତ ଥିବାବେଳେ ୨୦୫୦ରେ ତାହା ହ୍ରାସ ପାଇ ୧୩.୦୩ ନିୟୁତ ହେବାକୁ ଯାଉଛି । ଏହି ଧାରା ଅବ୍ୟାହତ ରହି ୨୧୦୦ ବେଳକୁ ଏଥିରେ ତୀକ୍ଷଣ ହ୍ରାସ ଘଟି ଏହି ସଂଖ୍ୟା ହେବ ୩.୭୯ ନିୟୁତ ବୋଲି ଅନୁମାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ଯେତେବେଳେ ୧୯୯୨-୯୩ରେ ସର୍ବପ୍ରଥମ ରାଉଣ୍ଡ ଏନଏଫଏଚଏସ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଭାରତର ଟିଏଫଆର ଥିଲା ୩.୪ । ବାଳିକାମାନଙ୍କର ଶିକ୍ଷାସ୍ତରରେ ବୃଦ୍ଧି ଓ ନାରୀମାନଙ୍କର ବିଧିବଦ୍ଧ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ ହେଉଛି ଟିଏଫଆରରେ ସ୍ଖଳନ ଘଟିବାର ମୁଖ୍ୟ କାରଣ । ସ୍କୁଲରେ ଅଧିକ କାଳ ବିତାଇଲେ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ କଲେ ବାଳିକାମାନଙ୍କର ବିବାହ ବିଳମ୍ବ ହୋଇଥାଏ । ବିବାହରେ ବିଳମ୍ବ ଘଟିଲେ ନାରୀମାନଙ୍କର ମାତୃତ୍ୱ ଲାଭରେ ସ୍ୱାଭାବିକ ଭାବରେ ବିଳମ୍ବ ଘଟିଥାଏ । ପ୍ରଥମ ସନ୍ତାନ ଭୂମିଷ୍ଠ ହେବାରେ ବିଳମ୍ବ ଘଟିଲେ, ଅଧିକ ପ୍ରଜନନ ପାଇଁ ଉପଲବ୍ଧ ସମୟ ସଙ୍କୁଚିତ ହୋଇଯାଏ ଓ ସଂପୃକ୍ତା ନାରୀ ଜନ୍ମଦାନ କରୁଥିବା ସନ୍ତାନ ସଂଖ୍ୟା ହ୍ରାସ ପାଇଥାଏ । ତା'ଛଡ଼ା ସନ୍ତାନର ଉପଯୁକ୍ତ ଲାଳନପାଳନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଣ ଆଦି ବ୍ୟୟସାପେକ୍ଷ ହୋଇଥିବାରୁ ଶିକ୍ଷିତା, ସଚେତନ ଜନନୀମାନେ ନିଜର ସନ୍ତାନ ପାଇଁ ତାହା ନିଶ୍ଚିତ କରିବା ପାଇଁ ଅଧିକ ସଂଖ୍ୟକ ସନ୍ତାନ ସୃଷ୍ଟି କରିବାରୁ ନିବୃତ୍ତ ରହନ୍ତି । ବୃତ୍ତିଧାରିଣୀ ମହିଳାମାନେ ମଧ୍ୟ ସନ୍ତାନ ସଂଖ୍ୟା ସୀମିତ କରିବାକୁ ବାଧ୍ୟ ହୋଇଥାନ୍ତି । ଶିଶୁ ମୃତୁ୍ୟହାରରେ ହ୍ରାସ ଓ ସହରୀକରଣ ମଧ୍ୟ ସନ୍ତାନ ସଂଖ୍ୟା ସୀମିତ କରିବାରେ ସହାୟକ ହୋଇଛି । ଉପରୋକ୍ତ ଗବେଷଣା ସଂସ୍ଥା ଯେଉଁ ଆବିଷ୍କାର କରିଛି ଯେ ୧୯୫୦ରୁ ୨୦୨୧ ମଧ୍ୟରେ ସାରା ପୃଥିବୀର ଟିଏଫଆର ୪.୮୪ରୁ ହ୍ରାସ ପାଇ ତାହାର ଅଧାରୁ ମଧ୍ୟ କମ ହୋଇଯାଇ ହୋଇଛି ୨.୨୩, ତା ପଛରେ ଏଇ ସମସ୍ତ କାରଣ ମାନ ନିହିତ ଅଛି । ଭାରତରେ ଏନଏଫଏଚଏସ-୫ରୁ ଦେଖାଯାଇଥିଲା ଯେ କେବଳ ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଭଳି କତିପୟ ରାଜ୍ୟମାନଙ୍କ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଟିଏଫଆରରେ ସ୍ଖଳନ ଘଟିଛି । ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏନଏଫଏଚଏସ-୫ରେ ଦେଖାଯାଇଥିଲା ଯେ ଆଦୌ ସ୍କୁଲ ମାଡ଼ି ନଥିବା ନାରୀମାନଙ୍କର ହାରାହାରି ସନ୍ତାନ ସଂଖ୍ୟା ୨.୮ ହୋଇଥିବାବେଳେ ୧୨ ବା ତୋତାଧିକ ବର୍ଷର ଶିକ୍ଷା ଲାଭ କରିଥିବା ନାରୀମାନଙ୍କର ହାରାହାରି ସନ୍ତାନ ସଂଖ୍ୟା ଥିଲା ୧.୮ । ଅପେକ୍ଷାକୃତ କ୍ଷୁଦ୍ର ଦେଶମାନଙ୍କ ପାଇଁ ଟିଏଫଆରରେ ହ୍ରାସ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ । ଏଥିଯୋଗୁଁ ସେ ଦେଶର ଶ୍ରମଶକ୍ତି ସଙ୍କୁଚିତ ହୋଇଥାଏ ଏହାକୁ ଭରଣା କରିବାକୁ ବହିରାଗତ ଶ୍ରମିକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ, ଯାହା ବର୍ତ୍ତମାନ ଇଉରୋପର ଅନେକ ଦେଶରେ ଦେଖାଯାଉଥିବା ଭଳି ସାମାଜିକ ସଂଘାତ ଓ ଅସ୍ଥିରତା ସୃଷ୍ଟି କରିଥାଏ । ଜାପାନ ଓ ଦକ୍ଷିଣ କୋରିଆ ପରି ପୂର୍ବ ଏସିଆର ଉନ୍ନତ ଦେଶମାନ ବର୍ତ୍ତମାନ ଜନସଂଖ୍ୟା ସଙ୍କୋଚନ ଜନିତ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେବା ଦେଖାଗଲାଣି । ଟିଏଫଆରରେ ସ୍ଖଳନ ଘଟି ଚାଲିଲେ ତାହା କ୍ରମେ ଜନସଂଖ୍ୟା ପରିମିଡକୁ ଓଲଟାଇଦେବ ଅର୍ଥାତ୍ ସେ ଦେଶର ଜନସଂଖ୍ୟାରେ ଯୁବପିଢ଼ି ତୁଳନାରେ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ଅଧିକ ହେବ । ଉତ୍ପାଦନଶୀଳ ଯୁବକ ଯୁବତୀମାନଙ୍କ ଉପରେ ଅନୁତ୍ପାଦନଶୀଳ ବୃଦ୍ଧବୃଦ୍ଧାମାନେ ନିର୍ଭର କରିଥାନ୍ତି । ସମୟ ଅତିକ୍ରାନ୍ତ ହେବା ସହିତ ଏହି ନିର୍ଭରଶୀଳ ଅନୁପାତରେ ବୃଦ୍ଧି ଘଟିଚାଲି ଏକ ସମୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ । କେବଳ ଏହି ବୟସ୍କମାନଙ୍କର ଜୀବନଧାରଣର ଆବଶ୍ୟକତା ପୂରଣ କରିବା ନୁହେଁ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ରାଷ୍ଟ୍ର ପାଇଁ ଏକ ବିଶାଳ ଓ ବର୍ଦ୍ଧିଷ୍ଣୁ ବୋଝ ସୃଷ୍ଟି କରିଥାଏ । ଶେଷରେ ଉତ୍ପାଦନଶୀଳ ଯୁବପିଢ଼ିକୁ ହିଁ ଏହି ବୋଝ ବହନ କରିବାକୁ ହୋଇଥାଏ ।
କେବଳ କ୍ଷୁଦ୍ର ଦେଶମାନେ ଯେ ହ୍ରାସମାନ ଟିଏଫଆର ଜନିତ ଏଭଳି ସଙ୍କଟରେ ସମ୍ମୁଖୀନ ହୋଇଛନ୍ତି ତାହା ନୁହେଁ, ଚୀନ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟ ଏହି ଆତଙ୍କର ତାତି ଅନୁଭବ କରିବା ଦେଖାଗଲାଣି । ସେ ଦେଶ ଅତୀତରେ କଡ଼ାକଡ଼ି ଭାବରେ ଅନୁସରଣ କରିଥିବା ଏକ ସନ୍ତାନ ନୀତିର ଫଳସ୍ୱରୂପ ବର୍ତ୍ତମାନ ସେଠାରେ ଏଇଭଳି ପରିସ୍ଥିତି ଉପୁଜିବାକୁ ଆରମ୍ଭ କରିବାରୁ ସେଠାକାର ସରକାର ବର୍ତ୍ତମାନ ଏକାଧିକ ସନ୍ତାନ ଜନ୍ମ କରିବାକୁ ଦମ୍ପତିମାନଙ୍କୁ ପ୍ରବର୍ତ୍ତାଉଥିଲେ ହେଁ ସେମାନେ ସେଥିପାଇଁ ଆଉ ସହଜରେ ରାଜି ହେଉନାହାନ୍ତି । ଭାରତ ମଧ୍ୟ ସ୍ୱାଧୀନତା ପରଠାରୁ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ ପରିବାର ନିୟୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଜନସଂଖ୍ୟା ବୃଦ୍ଧି ଉପରେ ଲଗାମ ଦେବା ପାଇଁ ଉଦ୍ୟମ କରି ଆସିଥିଲା । ଭାରତର ସେହି ଉଦ୍ୟମ ଓ ଦେଶ ହାସଲ କରିଚାଲିଥିବା ଅର୍ଥନୈତିକ ପ୍ରଗତିର ମିଳିତ ଫଳସ୍ୱରୂପ ବର୍ତ୍ତମାନ ଦେଶର ଟିଏଫଆରରେ ଏଭଳି ସ୍ଖଳନ ଘଟିବା ଦେଖାଯାଇଛି । କିନ୍ତୁ ଆହୁରି କେତେ ବର୍ଷ ଧରି ଦେଶର ଜନସଂଖ୍ୟାରେ ବୃଦ୍ଧି ଘଟି ଚାଲିବା ପରେ ଯାଇ, ମୋଟ ଜନସଂଖ୍ୟା ୧୬୭ କୋଟି ଛୁଇଁଥିବ । ସୌଭାଗ୍ୟକ୍ରମେ ବର୍ତ୍ତମାନ ଭାରତର କର୍ମକ୍ଷମ ଯୁବପିଢ଼ି ହେଉଛି ପୃଥିବୀର ବିଶାଳତମ, ଯାହାକୁ ଆମର ଜନସଂଖ୍ୟାଗତ ଲାଭ ବା ଡେମୋଗ୍ରାଫିକ ଡିଭିଡେଣ୍ଡ ରୂପେ ବିଚାର କରାଯାଉଛି । ତେଣୁ ବର୍ତ୍ତମାନ ପାଇଁ ଏକ ନିମ୍ନଗାମୀ ଟିଏଫଆରମ ଆମ ପାଇଁ ଏକ ସମସ୍ୟା ରୂପେ ଆବିର୍ଭୂତ ହୋଇନାହିଁ । କିନ୍ତୁ ଯଦି ଦୀର୍ଘକାଳ ଧରି ଏହି ଧାରା ଅବ୍ୟାହତ ରହେ ତେବେ ଦୂର ଭବିଷ୍ୟତରେ ଏକ ସମୟ ଆସିବ, ଯେତେବେଳେ ଆମକୁ ଆଜିର ଦକ୍ଷିଣ କୋରିଆ ବା ଜାପାନ ଭଳି ପରିବାର ନିୟୋଜନ ପରିବର୍ତ୍ତେ ଏକ ପରିବାର ସମ୍ପ୍ରସାରଣ ଅଭିଯାନ ଆରମ୍ଭ କରିବାକୁ ପଡ଼ିପାରେ ।
ମୋ : ୯୮୬୧୪୬୩୪୦୬