ବିଜେଡିକୁ ବୁଡାଇ ଦେବେ ୫ ନେତା!

ଭୁବନେଶ୍ୱର : ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪ ରୁ ୫ ଜଣ ନେତା ଦଳକୁ ବୁଡ଼ାଇଦେବେ ବୋଲି ସେ କହିଛନ୍ତି। ଅମରେଶ କହିଛନ୍ତି, ଦଳ ଠିକ ଢଙ୍ଗରେ ପରିଚାଳନା ହେଉନାହିଁ। ଯେଉଁମାନେ କାମ କରୁଛନ୍ତି ଅଣାଦେଖା କରାଯାଉଛି॥ ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି। ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି। ସେମାନେ ଯାହା କହୁଛନ୍ତି, ଏମାନେ କରୁଛନ୍ତି। ନିର୍ବାଚନରେ ହାରିବା ପରେ ସବୁ ଜିଲାରେ ମୁଣ୍ଡ ପୂରାଉଛନ୍ତି। ୨୪ ବର୍ଷର ସରକାର, ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା। ହେଲେ ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି। ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍ ହେଉଛନ୍ତି। ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି। ଏହି ୪/୫ ଜଣଙ୍କ ଯୋଗୁ ଆମ ସରକାର ବଦନାମ ହେଲା। ବିଜେଡିକୁ କବ୍ଜା କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି। ଦ୍ୱିତୀୟ କ୍ଷମତାକେନ୍ଦ୍ର କିଏ ହେବ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି। ସେମାନେ ପ୍ୟାରୀଙ୍କ ନିକଟତର ଥିଲେ, ମୁଖିଆ ନବୀନଙ୍କ ମଧ୍ୟ ଏମାନେ ନିକଟତର। ମୋତେ ଲାଗୁଛି ଏମାନେ ଦଳକୁ ନିଶ୍ଚିତ ଭାବେ ବୁଡ଼ାଇ ଦେବେ। ହାରିବା ପରେ ବି ଏମାନଙ୍କର ନିଦ ଭାଙ୍ଗି ନାହିଁ। ଏବେ ବି ସେମାନେ ନିଜକୁ ମନ୍ତ୍ରୀ ବୋଲି ଭାବୁଛନ୍ତି। ଦଳକୁ କ୍ଷତି କରୁଥିବା ଲୋକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି। ତେବେ ଅମରେଶଙ୍କ ଏଭଳି ବୟାନ ପରେ କିଏ ସେ ୫ ନେତା ବୋଲି ଆଲୋଚନା ବଢ଼ିବାରେ ଲାଗିଛି। ପରୋକ୍ଷରେ କାହାକୁ ଇଙ୍ଗିତ କରି ସେ ଏଭଳି କଟାକ୍ଷ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।