ବିନମ୍ରତାର ବିକଳ୍ପ ନାହିଁ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ବିନମ୍ରତାର କେମିତି କୌଣସି ବିକଳ୍ପ ନାହିଁ ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଦୂରରୁ ପର୍ବତ ଖୁବ୍ ସୁନ୍ଦର ଦେଖାଯାଏ । ଏହି ପର୍ବତକୁ ଚଢ଼ିବା ପାଇଁ କିଛି ଲୋକ ଆଗ୍ରହ ପ୍ରକାଶ କରନ୍ତି । ପର୍ବତର ଶିଖରରେ ପହଞ୍ଚିବାକୁ ହେଲେ ଘଞ୍ଚ ଜଙ୍ଗଲ ଭିତରେ ଥିବା ଗଛ, ପତ୍ର, ଡ଼ାଳ, ଲତା ଆଦିରେ ମୁଣ୍ଡ ନୁଆଁଇ ଆଗକୁ ଚାଲିବାକୁ ପଡ଼େ । ଆଉ ମୁଣ୍ଡ ନୁଆଁଇ ଆଗକୁ ଚାଲୁଥିବା ବ୍ୟକ୍ତି ସବା ଶେଷରେ ପର୍ବତ ଶିଖରରେ ପହଞ୍ଚେ । ଏହି କଥାଟିକୁ ଯଦି ଲକ୍ଷ୍ୟ କରାଯିବ ଏବଂ ବିଶ୍ଳେଷଣ କରାଯିବ ତେବେ ଦେଖାଯିବ ଯେ ଜୀବନରେ ଉନ୍ନତିର ଚରମ ସୋପାନରେ ପହଞ୍ଚିବାକୁ ହେଲେ ମୁଣ୍ଡ ନୁଆଁଇବାକୁ ପଡ଼େ । ସବୁବେଳେ ମୁଣ୍ଡ ଟେକି ଚାଲିଲେ ଜଣେ ସଫଳତାର ଚରମ ସୋପାନରେ ପହଞ୍ଚିବ ବୋଲି ଆଶା କରିବା ବୃଥା । 
ଜୀବନରେ ଅନେକ ପ୍ରକାରର ବାଧାବିଘ୍ନ, ଦୁର୍ଘଟଣା ଆଦି ଘଟେ । ସେସବୁକୁ ଅତିକ୍ରମ କରି ଜୀବନପଥରେ ଆଗେଇବା ବେଳେ କେବେ କେଉଁଠି ନଇଁବାକୁ ତ ହୁଏ । ମୁଣ୍ଡ ଟେକିବାକୁ ହେଲେ ମୁଣ୍ଡ ନୁଆଁଇବା ମଧ୍ୟ ଶିଖିବା ଆବଶ୍ୟକ । ମୁଣ୍ଡ ନୁଆଁଇବା ନଶିଖିଲେ ମୁଣ୍ଡ ଟେକିବା ମଧ୍ୟ ଶିଖି ହେବ ନାହିଁ । ପର୍ବତ ଚଢ଼ିଲା ବେଳେ ଚଢ଼ାଳିକୁ ନଇଁବାକୁ ପଡ଼େ । ମୁଣ୍ଡ ନୁଆଁଇ ଆଗେଇ ଯିବାକୁ ହୁଏ । ବନ୍ୟାଜଳରେ ବଡ଼ ବଡ଼ ଦ୍ରୁମ ସବୁ ନଇଁପାରନ୍ତି ନାହିଁ । ତେଣୁ ଭାସିଯାନ୍ତି । ଦୁବ ଗଛ ବନ୍ୟା ସ୍ରୋତରେ ନଇଁ ଯାଏ । ତେଣୁ ବନ୍ୟା ଛାଡ଼ିଗଲେ ପୁଣିଥରେ ମୁଣ୍ଡ ଟେକିବା ପାଇଁ ତାହା ଭିତରେ ଶକ୍ତି ଆସିଯାଏ । ବନ୍ୟାକ୍ଳିଷ୍ଟ ଅଞ୍ଚଳର ଦୁବ ଗଛକୁ ଦେଖି ଆମେ ମଧ୍ୟ ଶିଖିବା ଉଚିତ୍ ଯେ ଆବଶ୍ୟକ ସ୍ଥଳେ ସାମାନ୍ୟ ଟିକିଏ ନଇଁଗଲେ ବଡ଼ ବଡ଼ ବିପଦକୁ ସହଜରେ ଅତିକ୍ରମ କରି ହେଇଯିବ । ଏପରିକି ସାମାନ୍ୟ ଟିକିଏ ନଇଁଗଲେ ଭବିଷ୍ୟତର ଅନେକ ସମସ୍ୟା ମଧ୍ୟ ଆପେ ଆପେ ଟଳିଯାଏ । ଯେଉଁ ବ୍ୟକ୍ତି କୌଣସି ବି ପରିସ୍ଥିତିରେ ବୁଝାମଣା କରେ ନାହିଁ କିମ୍ବା ନଇଁଯାଏ ନାହିଁ, ସେ ବ୍ୟକ୍ତିର ଜୀବନରେ ବାରମ୍ବାର ବିବାଦ ଆସେ । ଏହି ବିବାଦ ଗୁଡ଼ିକ ମୃତୁ୍ୟ ପର୍ଯ୍ୟନ୍ତ ଲାଗି ରହେ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।