ଦିବ୍ୟତ୍ୱର ଅଭିବ୍ୟକ୍ତି ଓ ଭଗବତ୍ ଆଶିଷ

ଜଗତରେ ମନୁଷ୍ୟର ଜୀବନ ଚାରି ପ୍ରକାର ଦେଖିବାକୁ ମିଳେ । ତାହା ହେଉଛି ନିକୃଷ୍ଟ ଜୀବନ, ସାମାନ୍ୟ ଜୀବନ, ସଫଳ ଜୀବନ ତଥା ମହତ୍ତ୍ୱପୂର୍ଣ୍ଣ ଜୀବନ । ଅପରାଧରେ ଲିପ୍ତ ରହୁଥିବା ନରାଧମଙ୍କ ଜୀବନ ନିକୃଷ୍ଟ ଜୀବନ । ଏଭଳି ବ୍ୟକ୍ତି ନିଜର ନୀଚ କର୍ମ ଦ୍ୱାରା ନିଜର ଜୀବନ ବ୍ୟର୍ଥ କରିଥାନ୍ତି ତଥା ଅନ୍ୟର ଜୀବନରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରନ୍ତି । ଏହିଭଳି ବ୍ୟକ୍ତି ସମାଜ ପାଇଁ ଅମଙ୍ଗଳକାରକ । ତେଣୁ ଏହି ବ୍ୟକ୍ତିଙ୍କୁ ସମାଜ ହେୟ ଦୃଷ୍ଟିରେ ଦେଖିଥାଏ । ନିଜର ତଥା ନିଜ ପରିବାରକୁ ଉଚିତ ବୃତ୍ତି ଉପାୟରେ ଭରଣ ପୋଷଣ କରୁଥିବା ଏବଂ ସାମାନ୍ୟ ଜୀବନ ଅତିବାହିତ କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ । ପେଟ ପାଇଁ କାମ କରିବା ଏହି ଧରରଣର ଲୋକଙ୍କ ମୁଖ୍ୟ ଉଦେ୍ଦଶ୍ୟ । ମୋଟ ଉପରେ କହିଲେ ନିଜର ତଥା ନିଜ ପରିବାରର ଭରଣପୋଷଣ ପାଇଁ ଏଭଳି ଲୋକ୍ ଖୁବ୍ କମ୍ ଭୁଲ କାର୍ଯ୍ୟ କରନ୍ତି । ଏହିଭଳି ବ୍ୟକ୍ତି ସାମାନ୍ୟ ଜୀବନଯାପନ କରୁଥିବା ଶ୍ରେଣୀରେ ଆସିଥାନ୍ତି । ସାମାନ୍ୟ ଜୀବନ ଯାପନ କରୁଥିଲେ ହେଁ କୌଣସି କ୍ଷେତ୍ରରେ ବିଶେଷ ଉପଲବ୍ଧି ଅର୍ଜନ କରିଥିବା ଲୋକଙ୍କ ଜୀବନକୁ ସଫଳ ଜୀବନ କୁହାଯାଏ । କିଛି ଦିନ ପର୍ଯ୍ୟନ୍ତ ସମାଜ ତାଙ୍କୁ ମନେରଖେ । ତାଙ୍କଠାରୁ କୌଣସି ବ୍ୟକ୍ତି ସଫଳତା ଅର୍ଜନ କଲେ ଉକ୍ତ ବ୍ୟକ୍ତିର ସଫଳତା ନୂ୍ୟନ ହୋଇଯାଏ । ଏହିଭଳି ବ୍ୟକ୍ତି ସଫଳ ଜୀବନ ଅତିବାହିତ କରୁଥିବା ବର୍ଗରେ ଆସିଥାନ୍ତି । ଯେଉଁ ବ୍ୟକ୍ତି ଅନ୍ୟର ଦୁଃଖକୁ ଦୂର କରିବାରେ ସଂପୃକ୍ତ ରହିଥାନ୍ତି, ନିଜର ଦୁଃଖକୁ ଖାତିର କରନ୍ତି ନାହିଁ, “ବହୁଜନ ହିତାୟ ବହୁଜନ ସୁଖାୟ’କୁ ଆଧାର ଭାବେ ଗ୍ରହଣ କରି ଯିଏ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଶ୍ୱମଙ୍ଗଳ ପ୍ରକ୍ରିୟାରେ ଜଡ଼ିତ ହୋଇଯାଏ ସେ ମହତ୍ତ୍ୱପୂର୍ଣ୍ଣ ଜୀବନକାରୀ ହୋଇଥାନ୍ତି । ଏହି ମହାପୁରୁଷଙ୍କ କୀର୍ତ୍ତି ପତାକା ଯୁଗ ଯୁଗ ଧରି ଅମର ରହେ । ସାଧାରଣତଃ ପ୍ରତ୍ୟେକ ସମାଜରେ ଚାରି ପ୍ରକାରର ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳେ । ଏଥିପାଇଁ ସମାଜରେ ଅପରାଧ, ଜୀବନ ସଂଘର୍ଷ, ତ୍ୟାଗବୃତ୍ତି ଏବଂ ପରମାର୍ଥଙ୍କ ହିତ ପାଇଁ ସ୍ୱୟଂକୁ ବଳିଦାନ ଦେଉଥିବା ଲୋକ ସମୟ ସମୟରେ ଆମ ସମ୍ମୁଖକୁ ଆସିଥାନ୍ତି ।  ଯଦି ଜଣେ ନିଜର ସ୍ୱଭାବକୁ ହୃଦୟଙ୍ଗମ କରିପାରିବ ନାହିଁ ତେବେ ସେ ତା’ଭିତରେ ଥିବା ଦିବ୍ୟତ୍ୱର ଉପଲବ୍ଧି କରିବାକୁ କିପରି ଆଶାକରି ପାରିବ? ବସ୍ତୁତଃ ଜଣେ ନିଜର ମାନବୀୟ ଗୁଣାବଳୀର ଉପଲବ୍ଧି କଲେ ହିଁ ସେ ଭଗବତ ଉପଲବ୍ଧି ଅଭିମୁଖେ ଅଗ୍ରଗତି କରିବାକୁ ସକ୍ଷମ ହେବ ।
     ଅନ୍ତର୍ଯ୍ୟାମୀ ପଟ୍ଟନାୟକ
ମୋ : ୯୪୩୭୦୨୨୦୬୧