ସାମଗ୍ରିକ ବିକାଶ ଓ ନକ୍ସଲ ଦମନ
ଛତିଶଗଡରେ ସୁରକ୍ଷାବଳୟର ନକ୍ସଲ ବିରୋଧୀ ଅଭିଯାନରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ତଥା ଗଲା ଆଠ ମାସ ମଧ୍ୟରେ ୧୫୯ ଜଣ ମାଓବାଦୀ ନିହତ ହେଲେଣି, ଯାହାକି ଦେଶରେ ବାମପନ୍ଥୀ ଚରମପନ୍ଥୀ ଆନେ୍ଦାଳନ ପ୍ରତି ଶକ୍ତ ଧକ୍କା ବୋଲି ନିସନେ୍ଦହରେ କୁହାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଏପ୍ରିଲରୁ ୨୦୨୩ ଏପ୍ରିଲ ମଧ୍ୟରେ ମାଓବାଦୀଙ୍କୁ ବଡ ଧରଣର ଆକ୍ରମଣରେ ବହୁ ଧନ, ଜୀବନ କ୍ଷୟକ୍ଷତି ଏବଂ ବହୁ ସୁରକ୍ଷା କର୍ମୀଙ୍କ ସହ ସାଧାରଣ ଲୋକ ମୃତାହତ ହେବା ପରେ ମାଓବାଦୀ ଦମନ ତଥା ନକସଲ ଅଭିଯାନରେ ଅର୍ଦ୍ଧସାମରିକ ବାହିନୀ ଯବାନ ଏବଂ ରାଜ୍ୟ ପୋଲିସ ସମନ୍ୱୟ ରକ୍ଷା କରି ଅପରେସନ ଆରମ୍ଭ କରିଛନ୍ତି । ଛତିଶଗଡ ଦକ୍ଷିଣାଚଂଳ ତଥା ଓଡିଶା ସୀମାନ୍ତ ସଂଲଗ୍ନ ଅଂଚଳ ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗଭାବେ ପରିଚିତ ଥିବାବେଳେ ଘଂଚ ଜଙ୍ଗଲ ସେମାନଙ୍କୁ ଠାବ କରିବାରେ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ଦକ୍ଷୀଣ ଛତିଶଗଡ ଅଂଚଳରେ ଏବେ ପ୍ରତିଦିନ ନକସଲ ସହ ଏନକାଉଣ୍ଟର ଲାଗି ରହିଥିବାବେଳେ ସୁରକ୍ଷା ବଳ ତଲାସୀ ଅଭିଯାନକୁ ମଧ୍ୟ ଯୋରଦାର କରିଛି ।
ସରକାରୀ ତଥ୍ୟ ଅନୁଯାୟୀ କିଛି ମାସ ପୂର୍ବେ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ଗୁଳିରେ ୧୫ରୁ ଊଦ୍ଧ୍ୱର୍ ନକସଲ ନିହତ ହୋଇଥିଲେ । ସେହିପରି ପୂର୍ବରୁ ୩୦ଜଣ ନକସଲ ପ୍ରାଣ ହରାଇଥିଲେ । କହିବା ବାହୁଲ୍ୟ ଯେ, ଗଲା ଆଠମାସ ମଧ୍ୟରେ ୧୫୯ ଜଣ ନକସଲ ନିହତ ହେବା ନିଶ୍ଚିତ ଭାବେ ଦକ୍ଷିଣ ଛତିଶଗଡରେ ନକ୍ସଲ ଆନେ୍ଦାଳନରେ ସ୍ଥିତି କ୍ରମଶଃ ଦୁର୍ବଳ ହୋଇପଡୁଥିବା ସଂକେତ ପ୍ରଦାନ କରେ । ଅନ୍ୟ ପକ୍ଷରେ ନକ୍ସଲ ଦମନ ପାଇଁ ଗୋଇନ୍ଦା ସଂସ୍ଥା ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟକରୁଥିବା ନିସନେ୍ଦହରେ କୁହାଯାଇପାରେ । କିନ୍ତୁ ଦେଶର ଦୁର୍ଗମ ଅଂଚଳରେ ସରକାରୀ ଯୋଜନା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅପହଂଚ ଆଦିମ ଅଧିବାସୀଙ୍କୁ ନକ୍ସଲ ମୁହାଁ କରିଛି । କେବଳ ଛତିଶଗଡର ଦୁର୍ଗମ ତଥା ବନାଞ୍ଚଳ ନୁହେଁ, ଓଡିଶା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନାର ବହୁ ଜିଲ୍ଲାରେ ମାଓବାଦୀ ସେମାନଙ୍କର ଉପସ୍ଥିତି ଦୀର୍ଘ ବର୍ଷରୁ ଜାହିର କରିଆସୁଛନ୍ତି । ଏହା ନିସନେ୍ଦହ ଯେ, ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଓ ସୁରକ୍ଷା ବାହିନୀର ପାଲଟା ଗୁଳିଚାଳନା ତଥା ଅପରେସନ ଯୋଗୁଁ ବହୁ ଆଦିବାସୀ ଏବଂ ଯବାନଙ୍କ ଅକାଳରେ ପ୍ରାଣ ହରାଉଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନକ୍ସଲ ଆନେ୍ଦାଳନ ପ୍ରତି ଜନଜାତିର ଯୁବକ ଯୁବତୀ ବିମୁଖ ହେବା ବାମପନ୍ଥୀ ଚରମପନ୍ଥୀ ଆନେ୍ଦାଳନର ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛି । ଗୋଟିଏ ପଟେ ସୁରକ୍ଷା ବଳୟର ଲଗାତାର ଅପରେସନ ଏବଂ ଅନ୍ୟପଟେ ନକ୍ସଲ ଆନେ୍ଦାଳନ ପ୍ରତି ସ୍ଥାନୀୟ ଆଦିବାସୀଙ୍କ ବିମୁଖତା ବଢିବା ଯୋଗୁଁ ମାଓବାଦୀଙ୍କ ସ୍ଥିତି ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି ।
ଆସନ୍ତା ୨୦୨୬ ସୁଦ୍ଧା ସମଗ୍ର ଅଂଚଳକୁ ମାଓମୁକ୍ତ କରିବାପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଓଡିଶାକୁ ମଧ୍ୟ ମାଓ ମୁକ୍ତ କରିବା ପାଇଁ ନବନିଯୁକ୍ତ ପୋଲିସ ମହାନିଦେ୍ର୍ଦଶକ ସଂକଳ୍ପ ଘୋଷଣା କରିବା ସ୍ୱାଗତଯୋଗ୍ୟ । କହିବା ବାହୁଲ୍ୟ ଯେ, ଗତ ପାଂଚ ଦଶନ୍ଧି ଧରି ଓଡିଶାର ଆଦିବାସୀ ଦୁର୍ଗମ ଅଂଚଳରେ ମାଓ ସଂଗଠନ ସକ୍ରିୟ ରହିଛି । ଗତ ଦୁଇ ଦଶନ୍ଧି ତଳେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲା ମାଓ ଅଧ୍ୟୁଷିତ ଅଂଚଳ ଭାବରେ ପରିଚିତ ଥିବାବେଳେ ଏବେ ଜିଲ୍ଲା ସଂଖ୍ୟା ୧୦କୁ ହ୍ରାସ ପାଇଛି । କେବଳ ଜିଲ୍ଲା ସଂଖ୍ୟା ହ୍ରାସ ନୁହେଁ, ରାଜ୍ୟରେ ମାଓ ହିଂସା ମଧ୍ୟ ଆଶାତୀତ ଭାବରେ ହ୍ରାସ ପାଇଛି । ପ୍ରଶାସନ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ ବୃଦ୍ଧି ମଧ୍ୟ ଏକ ଉଲ୍ଲେଖନୀୟ ସଫଳତା ବୋଲି କୁହାଯାଇପାରିବ । ରାଜ୍ୟ ସରକାର ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା ମାଓବାଦୀ କ୍ୟାଡର ଓ ସମର୍ଥକଙ୍କ ଥଇଥାନ ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ନିଶ୍ଚିତ ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ସାମାଜିକ ମହାସ୍ରୋତରେ ସାମିଲ ହୋଇ ହିଂସା ପରିତ୍ୟାଗ ଉଭୟ ମାଓ ସଂଗଠନ ଓ ଜନସାଧାରଣ ପାଇଁ ମଙ୍ଗଳକର । ଯଦି ସେମାନେ ଦୁର୍ଗମ ପାହାଡିଆ ଓ ଆଦିବାସୀ ବହୁଳ ଅଂଚଳରେ ବିକାଶ ଓ ଆଦିମ ଅଧିବାସୀଙ୍କ ଜୀବନ ଧାରାରେ ଉନ୍ନତି ଚାହୁଁଥାନ୍ତି, ତବେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସାମାଜିକ ଓ ଗଣତାନ୍ତ୍ରୀକ ମହାସ୍ରୋତରେ ସାମିଲ ହେବା ଜରୁରି । ଅନ୍ୟଥା ସେମାନଙ୍କର ନିପାତ ହିଁ ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯