ଓଡ଼ିଶା ନଦୀରେ ଆନ୍ଧ୍ର ପ୍ରକଳ୍ପ
୧୯୬୦ ଦଶକରୁ କୋଟିଆର ୨୧ ଖଣ୍ଡ ଗାଁକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ବିଭିନ୍ନ ସମୟରେ ଏହା ବିଭିନ୍ନ ପ୍ରକାରର ପରିସ୍ଥିତି ବଦଳାଉଛି । ଏହି ୨୧ ଖଣ୍ଡ ଗାଁକୁ ଓଡ଼ିଶା ନିଜର ବୋଲି ଦାବି କରୁଥିବା ବେଳେ ଏହାର ସମସ୍ତ ପ୍ରମାଣ ସହିତ ସୁପି୍ରମକୋର୍ଟ୍ର ଦ୍ୱାରସ୍ଥ ହୋଇଛି । ରାଜତନ୍ତ୍ର ସମୟରୁ ଏହି ୨୧ଟି ଗାଁ ଜୟପୁର ରାଜାଙ୍କ ଅଧୀନରେ ରହିଥିଲା । ତେଣୁ ଆନ୍ଧ୍ର ପକ୍ଷକୁ ଯିବାର ପ୍ରଶ୍ନ ହିଁ ଉଠୁନାହିଁ । ଏଭଳି ପରିସ୍ଥିତିରେ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ଆନ୍ଧ୍ରର ଉନ୍ନୟନମୂଳକ ଯୋଜନା ଗୁଡ଼ିକୁ କୋଟିଆ ଭିତରେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରି ଆସୁଥିଲେ । ଏପରିକି ବିଭିନ୍ନ ସମୟରେ ସେଠାରେ ନିର୍ବାଚନ ମଧ୍ୟ କରିବା ପାଇଁ ଉଦ୍ୟମ କରିଛି । ବର୍ତ୍ତମାନ ଓଡ଼ିଶା ସୀମାରେ ପ୍ରବାହିତ ନଦୀ ଗୁଡ଼ିକ ଉପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜଳ ବିଦୁ୍ୟତ୍ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୋଟିଆ ଗ୍ରାମପୁଞ୍ଜର ୨୦ଟି ଗାଁ ଏବଂ ୧୨୦୦ ଏକର ଜମି ଜଳମଗ୍ନ ହେବ । ଏହି ପ୍ରକଳ୍ପକୁ ନେଇ ଆନ୍ଧ୍ର ସରକାର ପଲ୍ଲୀସଭା ତଥା ଗ୍ରାମସଭା ଆୟୋଜନ କରୁଛନ୍ତି । ଆନ୍ଧ୍ର ପକ୍ଷରୁ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ସରିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ହୋଇ ରହିଛନ୍ତି । ଏହାର ପ୍ରତିବାଦ କରିବା ପାଇଁ କିମ୍ବା ଏହି କାର୍ଯ୍ୟକୁ ବନ୍ଦ କରିବା ପାଇଁ ଓଡ଼ିଶା ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ।
ଅନ୍ୟପକ୍ଷରେ ବର୍ତ୍ତମାନର ରାଜନୀତିକ ପରିସ୍ଥିତିର ପ୍ରଭାବ ଏଠାରେ ଦେଖିବାକୁ ମିଳୁଛି । ଓଡ଼ିଶାରେ ବିଜେପି ସରକାର ଚାଲିଥିବା ବେଳେ ଆନ୍ଧ୍ରରେ ବିଜେପିକୁ ସମର୍ଥନ ଦେଉଥିବା ସରକାର ରହିଛି । ବିଜେପିର ସମର୍ଥକ ଭାବରେ ବର୍ତ୍ତମାନର ଆନ୍ଧ୍ର ସରକାର ପରିସ୍ଥିତିର ଫାଇଦା ଉଠାଇବାକୁ ଚାହୁଁଛି । ଏ ପ୍ରସଙ୍ଗରେ ବିଧାନସଭାରେ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ସରକାରଙ୍କ ସହ ଆଲୋଚନା ଦାବି କରିଲେଣି । କୋଟିଆ ଗ୍ରାମପଞ୍ଚାୟତରେ ୨୧ ଖଣ୍ଡ ଗାଁ ରହିଥିବା ବେଳେ ୨୦ଟି ଗାଁ ଏହି ପ୍ରକଳ୍ପରେ ବୁଡ଼ିଯିବ । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏ ଘଟଣାରେ ଉଦାସୀନ ରହିବା ଓଡ଼ିଶା ପ୍ରତି କ୍ଷତିକାରକ ହେବ । କୁରୁକୁଟି ଠାରେ ଆନ୍ଧ୍ର ସରକାର ୧୨୦୦ ମେଗାୱାଟ୍ର ଏକ ଜଳବିଦୁ୍ୟତ୍ ପ୍ରକଳ୍ପ କରିବାର ପ୍ରସ୍ଥାବ ରଖିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଆଦାନୀ ଗ୍ରୁପ୍ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିସାରିଲେଣି । ଏହି ପ୍ରକଳ୍ପ ସହିତ ଆହୁରି ଦୁଇଟି ଡ଼୍ୟାମ୍ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି । ବର୍ତ୍ତମାନ ଜଳମଗ୍ନ ହେବାକୁ ଥିବା ଅଞ୍ଚଳ ଗୁଡ଼ିକ ପଟ୍ଟାଙ୍ଗୀ ଅଞ୍ଚଳକୁ ଲାଗି ରହିଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ସ୍ୱାର୍ଥହାନୀ ଘଟିବ ଏବଂ ରାଜ୍ୟର ଲୋକମାନେ ବିସ୍ଥାପିତ ହୋଇଯିବେ । ଏହି କୁରୁକୁଟୀ ଅଞ୍ଚଳଟି ଏକ ଜଳପ୍ରପାତ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ହେଉଛି ଓଡ଼ିଶାର । ଆନ୍ଧ୍ର ସରକାର ଇତି ମଧ୍ୟରେ ଫିଜିବିଲିଟି ରିପୋର୍ଟ୍ ପ୍ରକାଶ କରିସାରିଲେଣି । ନାଗାବଳୀ ନଦୀ ଅବବାହିକାର ବୁଦୁରୁଗେଡ଼ା ନଦୀ ଓଡିଶାରୁ ବାହାରିଥିବା ବେଳେ ଓଡ଼ିଶା ଭିତରେ ଆନ୍ଧ୍ର ପକ୍ଷରୁ ଜଳ ବିଦୁ୍ୟତ୍ ପ୍ରକଳ୍ପ ନିର୍ମାଣ କରାଯିବା ଉଦ୍ୟମ ଆରମ୍ଭ ହୋଇଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ନୀରବ ହୋଇ ବସିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁ ଗ୍ରାମ ଗୁଡ଼ିକୁ ନେଇ ଓଡ଼ିଶା ସରକାର ଷାଠିଏ ଦଶନ୍ଧିରୁ ବିଭିନ୍ନ ଅଦାଲତର ଆଇନ୍ଗତ ଲଢ଼େଇ କରି ଆସୁଛନ୍ତି, ସେହି ଗ୍ରାମ ଗୁଡ଼ିକ ଯଦି ଏକ ଜଳଭଣ୍ଡାରରେ ବିଲୀନ ହୋଇଯିବ ତାହା ହେଲେ ଆଇନ୍ଗତ ଲଢ଼େଇରେ ଓଡ଼ିଶା ହାରିଯିବା ଏକ ପ୍ରକାରର ନିଶ୍ଚିତ । ଏଭଳି ପରିସ୍ଥିତି ଓଡ଼ିଶାର ସ୍ୱାଭିମାନ ପ୍ରତି ଆଞ୍ଚ୍ ଆଣୁଛି ।