କପିଳାସର ପର୍ବପର୍ବାଣି (୩)

କପିଳାସର ପର୍ବପର୍ବାଣି (୩)


ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : କପିଳାସ ପୀଠର ମହାଶିବରାତ୍ରି ସୁପ୍ରସିଦ୍ଧ  । ଭାରତର ଅନ୍ୟାନ୍ୟ ଶୈବପୀଠରେ ଶିବରାତ୍ରି ପାଳନ ହେଉଥିଲେ ମଧ୍ୟ କପିଳାସ ପୀଠର ଶିବରାତ୍ରି ପାଳନର ସ୍ୱାତନ୍ତ୍ର୍ୟ ଓ ବିଶେଷତ୍ୱ ରହିଛି  । ଦୁଇଲକ୍ଷରୁ ଅଧିକ ଯାତ୍ରୀ ଏହି ଯାତ୍ରାରେ ପୀଠରେ ସମାଗତ ହୋଇଥାନ୍ତି  । ମହାଶିବରାତ୍ରିର ମହାନିଶାରେ କପିଳାସରେ ପ୍ରଥମେ ମହାଦେବ ଲିଙ୍ଗ ରୂପରେ ଆବିର୍ଭାବ ହୋଇଥିଲେ  । ପର୍ବତ ଗହ୍ୱରରେ ସେ ଧବଳମୟ ଲିଙ୍ଗ ରୂପରେ ଆବିର୍ଭାବ ହୋଇଥିଲେ  । କପିଳାସରୁ ଶିବରାତ୍ରି ପାଳନ ଆରମ୍ଭ ହୋଇ ବିଶ୍ୱରେ ପ୍ରସାର ଲାଭ  କରିଥିଲା  । ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ହିଁ ଶିବରାତ୍ରି  । ଶାସ୍ତ୍ରୋକ୍ତ ଷଟ୍ଜୟନ୍ତୀ ମଧ୍ୟରେ ଏହା ଅନ୍ୟତମ  । ଅଶ୍ୱମେଧ ସମ ଯଜ୍ଞ, ଗଙ୍ଗା ସମତୀର୍ଥ ଓ ଶିବରାତ୍ରି ସମ ବ୍ରତ ଦୁର୍ଲଭ  ।
ପୁରାଣ ବର୍ଣ୍ଣନାନୁଯାୟୀ ରାଜା ସୋ÷ଦାସ କପିଳାସ ପୀଠକୁ ଆସି ଶିବରାତ୍ରିରେ ଶିବଲିଙ୍ଗ ପୂଜା କରି ମହାସମାରୋହରେ ଶିବରାତ୍ରି ପାଳନ କରିଥିଲେ  । ସେହିଦିନ ଠାରୁ କପିଳାସରେ ଶିବରାତ୍ରି ପାଳନ ହୋଇ ଆସୁଅଛି  । ନାଥ ସଂପ୍ରଦାୟର ମାନ୍ୟତା ଅନୁଯାୟୀ ସନ୍ଥ ଗୋରେଖନାଥ ଯୋଗୀମାନଙ୍କୁ ଏକତ୍ରିତ କରି କପିଳାସ ପୀଠରେ ଯୋଗୀରାଜ ଚନ୍ଦ୍ର ଶେଖରଙ୍କ ଶିବରାତ୍ରି ଉତ୍ସବ ପାଳନ କରିଥିଲେ  । ଏହି ମାନ୍ୟତାରେ ନାଥ ମହନ୍ତମାନେ ଶିବରାତ୍ରିରେ କପିଳାସରେ ବିଶେଷ ପୂଜା କରି ଆସୁଅଛନ୍ତି  । ତେଣୁ ଶିବରାତ୍ରିରେ କପିଳାସରେ ଲାଗି ହେଉଥିବା ସକାଳ ଭୋଗ ନାଥମହନ୍ତମାନଙ୍କୁ ପ୍ରଦାନ କରାଯାଉଛି  । କିମ୍ବଦନ୍ତୀ ଅନୁଯାୟୀ ଲଙ୍କାଧିପତି ରାବଣ ଏହି ପୀଠରେ ଶିବରାତ୍ରି ପର୍ବ ମହାସମାରୋହରେ ପାଳନ କରି ଏକ ଲକ୍ଷ ସ୍ୱର୍ଣ୍ଣ ବେଲପତ୍ରୀ ଲାଗି କରିଥିଲେ  । ବିଲଙ୍କାସୁର ମଧ୍ୟ ଏହି ପୀଠରେ ମହାସମାରୋହରେ ଶିବରାତ୍ରି ପାଳନ କରିଥିଲେ  । ଐତିହାସିକ ମତାନୁଯାୟୀ ସୋମବଂଶୀ ରାଜା ଚନ୍ଦ୍ରକେଶରୀ କପିଳାସରେ ପ୍ରଥମେ ମନ୍ଦିର ନିର୍ମାଣ କରାଇ ଶିବରାତ୍ରି ଉତ୍ସବ ପାଳନ କରିଥିଲେ ଏବଂ ହରିହର ଉପାସନା ପ୍ରବର୍ତ୍ତନ କରିଥିଲେ  । ସେହି ମନ୍ଦିର ଭାଙ୍ଗିଯିବାରୁ ବର୍ତ୍ତମାନର ମନ୍ଦିର ଗଙ୍ଗବଂଶୀ ପ୍ରଥମ ନରସିଂହ ଦେବ ୧୭୪୬ ମସିହାରେ ନିର୍ମାଣ କରିଥିଲେ  । ଗଙ୍ଗ ରାଜତ୍ୱରେ ବ୍ରହ୍ମଚାରୀ ମଠରେ ରହୁଥିବା ଶଙ୍କର ପନ୍ଥୀ ସନ୍ନ୍ୟାସୀମାନେ କପିଳାସରେ ମହାସମାରୋହରେ ଶିବରାତ୍ରି ପାଳନ କରୁଥିଲେ  । ପ୍ରମାଣିତ ହୁଏ, କପିଳାସରେ ଶିବରାତ୍ରି ପାଳନର ବହୁ ପ୍ରାଚୀନ  ।
ଶ୍ରୀ ଚନ୍ଦ୍ରଶେଖରଙ୍କ ସନ୍ଧ୍ୟା ଆଳତି ପରେ ଶିବରାତ୍ରିର ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୁଏ  । ଏହି ବିଶେଷ ପୂଜାର୍ଚ୍ଚନା, ପୀଠ ପୁରୋଧା, ପୂଜାପଣ୍ଡା, ବିଭିନ୍ନ ଶାସନରୁ ଆସିଥିବା ପଞ୍ଚ ପୁରୋଧା ଓ ରାଜପୁରୋଧା କରିଥାନ୍ତି  । ଶ୍ରୀଚନ୍ଦ୍ରଶେଖରଙ୍କ ପ୍ରଥମ ପ୍ରହର ସ୍ନାନ ଓ ପ୍ରଥମ ଚାରିପୂଜା ମନ୍ଦିରର ପୂଜା ପଣ୍ଡା କରିଥାନ୍ତି  । ପ୍ରତ୍ୟେକ ପୂଜାର ଦୁଗ୍ଧ, ଦଧି, ଛେନା, ମଧୁ ଓ ଘୃତ ସହିତ ସୁବାସିତ ଅକ୍ଷତରେ ଠାକୁରଙ୍କ ଶକ୍ତି ବି ଲିଙ୍ଗ ମାଜଣା କରାଯାଇ ଚତୁଃସମ, କଙ୍କୁମ, କସ୍ତୁରୀ, ଅଗୃରୁ, କୃଷ୍ଣାଗୁରୁ, ମଳୟଜ ଓ ଶୈଳଜା ପ୍ରଭୃତି ଲାଗି ହୋଇ ଷୋଡ଼ଶ ଉପଚାର ପୂଜା ହୋଇଥାଏ  । ପ୍ରଥମ ଚାରିପୂଜା ପରେ ପୀଠ ପୁରୋଧା ଦ୍ୱିତୀୟ ପ୍ରହରସ୍ନାନ ଓ ଚାରିପୂଜା କରିଥାନ୍ତି  । ଦ୍ୱିତୀୟ ପ୍ରହରରେ ଠାକୁର ଦଧିରେ ସ୍ନାନ ହୁଅନ୍ତି  । ପୂର୍ବରୁ ପ୍ରଥମ ପ୍ରହରରେ ଦୁଗ୍ଧରେ ସ୍ନାନ ହେଉଥିଲେ  । ପୀଠ ପୁରୋଧା  ପୂର୍ବବତ ଚାରିପୂଜା ଶେଷ କରିବା ପରେ ପଞ୍ଚ ପୁରୋଧା ତୃତୀୟ ପ୍ରହର ସ୍ନାନ ଓ ପରବର୍ତ୍ତୀ ଚାରିପୂଜା କରନ୍ତି  ।  ଚତୁର୍ଥ ପ୍ରହରରେ ଠାକୁର ମଧୁ ଦ୍ୱାରା ସ୍ନାନ କରାଯାଏ  । ଏହାପରେ ପୂର୍ବବତ ଚାରିପୂଜା କରାଯାଏ  । ଏହି ଚାରିପ୍ରହର ସ୍ନାନ ଓ ଷୋହଳଥର ଷୋଡ଼ଶ ଉପଚାର ପୂଜାରେ ୪୦ ଲିଟର ଦଗ୍ଧ, ୧୦ ଲିଟର ଦଧି, ଲିଟର ଘୃତ, ଦୁଇ ଲିଟର ମଧୁ, ପାଞ୍ଚ କିଲୋ ଛେନା, ଦଶକିଲୋ ସୁବାସିତ ଅରୁଆ ଚାଉଳ, ଚାରି କିଲୋ ଗୁଡ, ଏକ କିଲୋ କଙ୍କୁମ, ୧୦ ଭରି କସ୍ତୁରୀ, ୫ ଭରି ଅଗୁରୁ, ୫ ଭରି କୃଷ୍ଣା ଗୁରୁ, ୫ ଭରି ମଳୟଜ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ଆବଶ୍ୟକ ପଡ଼େ,ଯହିଁର ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଅଧିକ  । ଦେବୋତ୍ତର ବିଭାଗ ଦ୍ୱାରା  ଷୋଳପୂଜା ନିମିତ୍ତ ସକଳ ଦ୍ରବ୍ୟ ଯୋଗାଇ ଦିଆଯାଏ  । ଚାରି ପ୍ରହର ସ୍ନାନ ଓ ଷୋଳ ପୂଜା ବେଳକୁ ରାତି ପ୍ରାୟ ୧ଟା ହୋଇଯାଇଥାଏ  । 
ଚାରିପ୍ରହର ସ୍ନାନ ଓ ଷୋଳପୂଜା ଶେଷ ହେବା ପରେ ପୂଜାପଣ୍ଡା ଓ ସମବେତ ପୁରୋଧାଙ୍କ ଦ୍ୱାରା ଶୁଦ୍ଧ ପଇଡ ଜଳରେ ଚନ୍ଦ୍ରଶେଖରଙ୍କ ମହାରୁଦ୍ରାଭିଷେକ ହୋଇଥାଏ  । ଏଥି ନିମିତ୍ତ ୬୪ଟି ପଇଡ କଟାଯାଇ ଜଳକୁ ନୂଆ କନାରେ ଛଣା ଯାଇଥାଏ  । ଶିବରାତ୍ରି ବ୍ୟତୀତ ଅନ୍ୟ ସମୟରେ ରାତ୍ରିରେ ଅଭିଷେକ ନିଷେଧ  । ପୂଜା ଓ ଅଭିଷେକ ସମୟରେ ସେବନ କରି  ଘଣ୍ଟ, ଘଣ୍ଟା, କାହାଳୀ ପ୍ରଭୃତି ବଜାଇଥାନ୍ତି  । ପୀଠର ଚତୁର୍ଦ୍ଦିଗରେ ହଜାର ହଜାର ଭକ୍ତ ଦୀପ ଜାଳି ଓ ନମଃ ଶିବାୟ ଚନ୍ଦ୍ରଶେଖରାୟ ଜପୁଥାନ୍ତି  । ଢେଙ୍କାନାଳର ରାଜା ପାରମ୍ପରିକ ରୀତିରେ ଶିବରାତ୍ରିର ଏହି ବିଶେଷ ପୂଜାର୍ଚ୍ଚନାରେ ଯୋଗ ଦେଇଥାନ୍ତି  । ମନ୍ଦିରର ଉତ୍ତର ପାଶ୍ୱର୍ରେ ଝାଡଦୀପ ପ୍ରଜ୍ଜ୍ୱଳନ କରାଯାଏ  । ଭକ୍ତ ଓ ଯାତ୍ରୀଙ୍କ ହରିବୋଲି ଓ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ  । ଭକ୍ତମାନଙ୍କ ଘୃତଦୀପ ଗୁଡିକ ଅସଂଖ୍ୟ ତାରକା ସଦୃଶ ପ୍ରତୀୟମାନ ହୋଇଥାଏ  । ସ୍ଥାନେ ସ୍ଥାନେ ଭଜନ କୀର୍ତ୍ତନ ମଧ୍ୟ ଚାଲିଥାଏ  । ନାରାୟଣ ମନ୍ଦିର ଓ ବିଶ୍ୱନାଥ ମନ୍ଦିର ମଧ୍ୟରେ ଥିବା ଯଜ୍ଞମଣ୍ଡପରେ ବିଶ୍ୱଶାନ୍ତି ଯଜ୍ଞ ଚାଲିଥାଏ  । ମହାରୁଦ୍ରାଭିଷେକ ପରେ ଠାକୁରଙ୍କ ମହାସ୍ନାନ ହୁଏ  । ଶିବଙ୍କର ପାଞ୍ଚମୁଖ  । ସେଗୁଡିକ ହେଉଛି ତତ୍ପୁରୁଷ, ଅଘୋର, ସଦ୍ୟୋଜାତ,  ବାମଦେବ ଓ ଈଶାନ ଏଥିନିମନ୍ତେ  ଦୁଗ୍ଧ, ଦଧି, ଘୃତ, ମଧୁ ଓ ଖଣ୍ଡରେ ସ୍ଥାନ କରାଯାଏ  ।
ଦୁଗ୍ଧେନ ଦଧିନାଂ ଚୈବ ସର୍ପୀସା ମଧୁନାଂ ତଥା,
ଖଣ୍ଡେନ ଚୈବ ଦେବେଶି ମହାସ୍ନାଂନଂ ସମାତେ  ।
ଏହାପରେ ପୟୋଽମୃତ କୁଣ୍ଡ ଜାମରେ ଶୁଦ୍ଧସ୍ନାନ ପରେ ଘୃତ କମ୍ବଳ ଦିଆଯାଏ  । ଘୃତକମ୍ବଳ ପରେ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସିଦ୍ଧ  “ନାଗାଭରଣ” ବେଶ ଅନୁଷ୍ଠିତ ହୁଏ  । ଲକ୍ଷାଧିକ ଭକ୍ତ ଏହି ବେଶ ଦର୍ଶନ କରିବାକୁ ପ୍ରତୀକ୍ଷା  କରିଥାନ୍ତି  । ପୂର୍ବ ଢେଙ୍କାନାଳ ଟ୍ରେଜେରୀରୁ ମୂଲ୍ୟବାନ ଆଭୂଷଣ ସଶସ୍ତ୍ର ପୋଲିସବାହିନୀ ସହିତ ଦେଓଗାଁ ସରଘରକୁ ଆସିଥାଏ  । ଶିବରାତ୍ରି ଦିନ ନାଗଭାରରେ ମହାସମାରୋହରେ ସକଳ ଆଭୂଷଣ ପୀଠକୁ ଯାଏ  । ପ୍ରଥମେ ସ୍ୱର୍ଣ୍ଣଖଚିତ ମେଖଳାରେ ଲିଙ୍ଗ ଓ ଶକ୍ତିଙ୍କୁ  ଆଚ୍ଛାଦନ କରାଯାଏ  । ଏହାପରେ ସ୍ୱର୍ଣ୍ଣ ନିର୍ମିତ ପଞ୍ଚବକ୍ତ୍ରମଣ୍ଡିତ  ଉଷ୍ମୀଷାକୃତି କୋଷାନରଣ ଲିଙ୍ଗ ଉପରେ ସ୍ଥାପନ କରାଯାଏ ତହିଁ ଉପରେ ପାଞ୍ଚ ଗୋଟିଏ ସୁବର୍ଣ୍ଣନାଗ ବେଷ୍ଟନ କରାଯାଏ  । ପଞ୍ଚବକ୍ତ ଉପରେ ସ୍ୱର୍ଣ୍ଣ ନିର୍ମିତ ଅର୍ଦ୍ଧ ଚନ୍ଦ୍ର ସ୍ୱର୍ଣ୍ଣ ନିର୍ମିତ ୧୦୮ ଦେବୀ ମୁଣ୍ଡମାଳ ଖଚିତ ହେବା ପରେ ସ୍ୱର୍ଣ୍ଣ ନିର୍ମିତ ଗଇଶ, ବେଲପତ୍ରୀ ଓ ଚମ୍ପା ପ୍ରଭୃତି  ଲାଗି ହୁଏ  । ଏହାପରେ ପୁଷ୍ପ ମାଲ୍ୟ ଓ କେତକୀ ଫୁଲ ଆକର୍ଷଣୀୟ ରୀତିରେ ସଜାଯାଏ  । କେତକୀ ଫୁଲ କେବଳ ଶିବ ରାତ୍ରିରେ ଲାଗି ହୁଏ  । ଶିବରାତ୍ରି ଦିନ ଦେବୀ ଦୁର୍ଗାଙ୍କୁ ପାଟବସ୍ତ୍ର ସହିତ ସ୍ୱର୍ଣ୍ଣ ନିର୍ମିତ ନୁପୁର, କଙ୍କଣ, ଚୁଡି, ତାଟଙ୍କ, ବଳୟ, ଅସ୍ଥାସୂତା, ପଦ୍ମମାଳ ଓ କିରାଟୀ ପ୍ରଭୃତି ମୂଲ୍ୟବାନ ଅଳଙ୍କାର ଲାଗି କରାଯାଇ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଏ  । ଏହିଦିନ ପାର୍ବତୀଙ୍କୁ ୧୦୭ ସ୍ୱର୍ଣ୍ଣ ନିର୍ମିତ ଶିବ ମସ୍ତକ ମାଳା ଲାଗି କରାଯାଏ  । ୧୦୮ ମଧ୍ୟରୁ ବଳିଥିବା ଅନ୍ୟ ସ୍ୱର୍ଣ୍ଣ ମସ୍ତକଟି ଶିବପାର୍ବତୀ ମିଳନ ସମୟରେ ଲାଗି ହେବାର ବିଧି  । ଶିବରାତ୍ରି ଦିନ ଶ୍ରୀଚନ୍ଦ୍ରଶେଖରଙ୍କ ଚିତ୍ତାକର୍ଷକ ନାଗାଭରଣ ବେଶରେ ନାଗାଭରଣାଷ୍ଟକ ପ୍ରାର୍ଥନା କରାଯାଏ  ।
ରୁଦ୍ରାୟ ଲୋକ ସୁଖଦାୟ ଜଟାଧ୍ୟରାୟ,
 ଭାଲେତ୍ରିପୁଣ୍ଡଲସିତାୟ ମହେଶ୍ୱରାୟ  ।
ଗଙ୍ଗାଧରାୟ ଗିରିଶାୟ ଦିଗମ୍ବରାୟ,
 ତସ୍ମୈନମୋ ଭଗବତେ ଚନ୍ଦ୍ରଶେଖରାୟ  ।୧ ।
ଭୂତେଶ୍ୱରାୟ ଗିରିଜାପତୟେ ହରାୟ, 
ଶ୍ରୀଶମ୍ଭବେଲବତେ ମହତେମୃତାୟ  ।
ଲଙ୍କେଶ ରାବଣ ନିଶାଚର ବଳିତାୟ,
 ତସ୍ମୈନମୋ ଭଗବତେ ଚନ୍ଦ୍ରଶେଖରାୟ  ।୨ ।
ତୁଙ୍ଗେଶ୍ୱରାୟ ଗିରିଭୂଜନ ପୂଜିତାୟ,
 କଳ୍ପେଶ୍ୱରାୟ ହିମନିର୍ଝରଣୀ ଧରାୟ  ।
ପଞ୍ଚପ୍ରୟୋଗ ପତୟେ ଚ ସତୀଶ୍ୱରାୟ,
 ତସ୍ମୈନମୋ ଭଗବତତେ ଚନ୍ଦ୍ରଶେଖରାୟ  ।୩ ।
ଈଶାୟ ପର୍ବତ ଧବାୟ ଗଣେଶ୍ୱରାୟ, 
ଶବାୟ ମନ୍ମଥ ହରାୟ ବୃଷଧ୍ୱଜାୟ  ।
ମୃତୁ୍ୟଞ୍ଜୟାୟ ଜଗତୀ ପରିପାଳକାୟ,
 ତସ୍ମୈନମୋ ଭଗବତେ ଚନ୍ଦ୍ରଶେଖରାୟ   ।୪ ।
ଗୁପ୍ତେଶ୍ୱରାୟ ମୃଗଚର୍ମ ବିଭୂଷିତାୟ,
 ରୂପେଶ୍ୱରାୟ ବସୁ ମୂର୍ତ୍ତି ସମାହିତାୟ  ।
ଯୋଗେଶ୍ୱରାୟ ବିଧୂଭୂଷିତ ମସ୍ତକାୟ,
 ତସ୍ମୈନମୋ  ଭଗବତ ଚନ୍ଦ୍ରଶେଖରାୟ  ।୫ ।
ବିଦୁ୍ୟତ ସମାଜ ମୁଖବର୍ଣ୍ଣିତ ବୈଭାବାୟ,
 ଗଙ୍ଗା ପବିତ୍ର ସଲିଳେଷ୍ଟୁ ମଜ୍ଜନାୟ  ।
ସିଦ୍ଧିପ୍ରଦାୟ  ଭଜତାଂ ସମତାର୍ମଦାୟ,
 ତସ୍ମୋ÷ ନମୋ ଭଗବତେ ଚନ୍ଦ୍ରକୋଟରାୟ  ।୬ ।
ପୁଣ୍ୟାତ୍ମକାୟ ନିଧିପାୟ ବରଦାୟ,
 ଭକ୍ତ ପ୍ରଭାବଲ ଧନାଦି ବିବର୍ଧକାୟ  ।
ଐଶ୍ୱର୍ଯ୍ୟଭୋଗ ରହିତାୟ ମହାସୁରାୟ,
 ତସ୍ମୈନମୋ ଭଗବତେ ଚନ୍ଦ୍ରଶେଖରାୟ  ।୭ ।
ପଞ୍ଚାନନାୟ ଭୁବନତ୍ରୟ ବନ୍ଦିଦାୟ, 
ଭକ୍ତ ଜନ ପ୍ରି୍ରୟାୟ କପିଳାସ ନାଥାୟ  ।
ଶିଖରେଶ୍ୱରାୟ ପୟୋମୃତ ସେବନାୟ,
 ତସ୍ମୈନମୋ ଭଗବତେ ଚନ୍ଦ୍ରଶେଖରାୟ  ।୮ ।
ନାଗାଭରଣ ବେଶ ପରେ ହରିହର ଭେଟ ହୋଇଥାଏ  । ହରି ହେଉଛନ୍ତି ନଟବର ଓ ହର ହେଉଛନ୍ତି ନଟରାଜ  । ହରିହର ଭେଟ ପରେ ଚତୁର୍ଦ୍ଦଶୀ ବେଢା  ଅନୁଷ୍ଠିତ ହୁଏ  । ପ୍ରାୟ ପ୍ରତ୍ୟେକ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା ହେଉଥିଲେ ହେଁ ଶିବରାତ୍ରିର ଚତୁର୍ଦ୍ଦଶୀ ବେଢା ଦର୍ଶନୀୟ  । ଘୃତପୂର୍ଣ୍ଣ ମହାଦୀପକୁ ହରିବୋଲ, ହୁଳିହୁଳି ଏବଂ ଘଣ୍ଟ ଘଣ୍ଟା କାହାଳୀ ଧ୍ୱନି ସହିତ ତିନିଥର ମନ୍ଦିର ପରିକ୍ରମା କରାଯାଇ ମନ୍ଦିର ଉପରକୁ ଉଠାଯାଏ  । ଏହି ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଦୃଶ୍ୟ ଅତୀବ ରମଣୀୟ  । ଲକ୍ଷ ଲକ୍ଷ ଭକ୍ତ ମନ୍ଦିର ଚତୁଃପାଶ୍ୱର୍ରେ ରହି ନିର୍ନିମେଶ ନୟନରେ ମହାଦୀପ ଦର୍ଶନ ପୂର୍ବକ ପ୍ରଣତି ଜଣାନ୍ତି  । ଦେଉଳଉଠା ସେବାସୀ ନୂତନ ବସ୍ତ୍ର ପିନ୍ଧି ମହାଦୀପ ମସ୍ତକରେ ବହନ କରି ଲୌହବଳୟ ଚାରରେ ମନ୍ଦିରର ଶୀର୍ଷକୁ ଉଠିଥାଆନ୍ତି  । ମନ୍ଦିର ଚୂଡାରୁ ସେବାସୀ ବିଶ୍ୱମଙ୍ଗଳ ଓ ବିଶ୍ୱଶାନ୍ତି କାମ ନାରେ ତି୍ରବାର ହରିବୋଲ ଦିଅନ୍ତି । ଲକ୍ଷାଧିକ ଭକ୍ତଙ୍କର ହରିବୋଲ ଓ ହୁଳହୁଳି ଧ୍ୱନିରେ ପୀଠ ପ୍ରକମ୍ପିତ ହୋଇଉଠେ  । ମନ୍ଦିର ଚୂଡାରେ ମହାଦୀପ ଦର୍ଶନ କରି ଅଗଣିତ ଭକ୍ତ କୃତ୍ୱ କୃତ୍ୱ ହୋଇଥାନ୍ତି  । ଏହାପରେ ନାଥ ସଂପ୍ରଦାୟର ଯୋଗୀ ମହନ୍ତମାନଙ୍କ ଦ୍ୱାରା ଚନ୍ଦ୍ରଶେଖରଙ୍କ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି  । ପୂର୍ବରୁ ସେବାସୀ ଚିନ୍ତା ପତ୍ରୀମାନେ ନାଥ ମହନ୍ତମାନଙ୍କୁ ବରଣ କରିଥାନ୍ତି  । ସେମାନେ ଭୈରବୀ ମଣ୍ଡପରେ ଶିବମନ୍ତ୍ର ଜପ କରୁଥାନ୍ତି  । ସେମାନଙ୍କର ବିଶେଷ ପୂଜାର୍ଚ୍ଚନାକୁ ଭକ୍ତମାନେ ଠାକୁରଙ୍କର ଯୋଗୀବେଶ କହିଥାନ୍ତି  । ନାଥ ମହନ୍ତମାନଙ୍କର କପିଳାସରେ ଏହି ପୂଜାର ଏକ ମହନୀୟ ପରମ୍ପରା ରହିଛି  । ନାଥମହନ୍ତ ପରଶୁରାମ ନାଥ ଗୋସ୍ୱାମୀଙ୍କୁ ଗଜପତି ପ୍ରତାପରୁଦ୍ର ଦେବ ଏହି ପୂଜା ନିମିତ୍ତ ସନନ୍ଦ ପ୍ରଦାନ କରିଥିଲେ  । ତାଙ୍କ ପୂର୍ବରୁ ଗୋରେଖନାଥ କପିଳାସରେ ଏହି ପୂଜା ଆରମ୍ଭ କରିଥିଲେ  । କପିଳାସରେ ଶିବରାତ୍ରିରେ ଯେଉଁ ଅନ୍ନ, ଡାଲି, ବ୍ୟଞ୍ଜନ, ଚକା, ପୁଜି ଓ କ୍ଷୀରୀ ଭୋଗ ହୋଇଥାଏ ସେସବୁ ନାଥ ନାଥ ମହନ୍ତମାନେ ପାଆନ୍ତି  । ନାଥ ଯୋଗୀମାନେ ବ୍ରାହ୍ମ ମୁହୂର୍ତ୍ତରୁ ଶଙ୍ଖବଜାର ଠାକୁରଙ୍କ ଯୋଗନିଦ୍ରା ଭଙ୍ଗ କରିଥାଏ ଏବଂ ତାପରେ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି  । ଏହି ପୂଜା ପରେ ପ୍ରତୁ୍ୟଷରୁ ଠାକୁରଙ୍କର ଜୟମଙ୍ଗଳା ଆଳତି ଓ ଅନ୍ୟାନ୍ୟ ସେବା ଆରମ୍ଭ ହୁଏ  । କପିଳାସ ପୀଠରେ ସମବେତ ହୋଇଥିବା ଭକ୍ତ ଓ ଯାତ୍ରୀ ସ୍ୱସ୍ୱ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି  । କପିଳାସ ପାଦଦେଶରେ ଜାଗର ଯାତ୍ରା ସାତଦିନ ଧରି ଅନୁଷ୍ଠିତ ହୁଏ  । କପିଳାସ ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମୋର ଇଷ୍ଟ ହୋଇଥିବାରୁ ଏବଂ କପିଳାସ ମୋର ସାଧନ ପୀଠ ହୋଇଥିବାରୁ କପିଳାସ ସଂପର୍କରେ କିଛି ତଥ୍ୟ ମୋ ଜୀବନାନୁଭୂତିରେ ପାଠକଙ୍କ ଅବଗତି ନିମିତ୍ତ ପରିବେଷଣ କଲି  । ଠାକୁରଙ୍କ କୃପାରୁ ମୁଁ ‘ପୁଣ୍ୟପୀଠ କପିଳାସ’ ଗ୍ରନ୍ଥ ରଚନା କରିଛି, ଯାହା ୧୯୯୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ  । ଶ୍ରୀ ଚନ୍ଦ୍ରଶେଖରଙ୍କୁ କୋଟି କୋଟି ପ୍ରଣାମ  ।
ନାନାମି ଚନ୍ଦ୍ରଶେଖରଂ କପିଳାସ ଅଧୀଶ୍ୱରମ  ।
ଚନ୍ଦ୍ରଚୂଡଂ ଶୂଳଧରଂ ପ୍ରଣମାମି ଶ୍ରୀପୟରମ୍  ।୧ ।
ତି୍ରଲୋଚନ ଗଙ୍ଗାଧରଂ ପାର୍ବତୀଶ ସୁରବରମ  ।
ବାମଦେବ ଭୂତେଶ୍ୱରଂ ପ୍ରଣମାମି ଶ୍ରୀପୟରମ  ।୨ ।
ନମୋ ଶଶାଙ୍କ ଶେଖରଂ ପଞ୍ଚାନନ ଜଟାଧରମ୍
ମହାଦେବ ମହେଶ୍ୱରଂ ପ୍ରଣମାମି ଶ୍ରୀ ପୟରମ  ।୩ ।
ମହାକାଳଂ ନିର୍ବିକାରଂ ମୁଣ୍ଡମାଳ ଚର୍ମାମ୍ବରମ
ଭସ୍ମଲେପନ ଶରୀରଂ ପ୍ରଣମାମି ଶ୍ରୀପୟରମ  ।୪ ।
ବିଶ୍ୱନାଥ ବେଦସାରଂ ନୀଳକଣ୍ଠଂ ଯୋଗେଶ୍ୱରମ
ମୃତୁ୍ୟଞ୍ଜୟ ଦିଗମ୍ବରଂ ପ୍ରଣମାମି ଶ୍ରୀ ପୟରମ୍  ।୫ ।
ଆନନ୍ଦନଗର
କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨