ପରଠେ ହସିଲେ କି ଲାଭ ?
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ପରଠେ ହସିଲେ କି ଲାଭର ସାରମର୍ମ । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଅନ୍ୟର ଅସୁବିଧା ଦେଖିଲେ ଆମେ ହସୁ । କିନ୍ତୁ ଆମ ଜୀବନରେ ଅନ୍ୟ ଜଣଙ୍କର ଅସୁବିଧା ଭଳି ଅସୁବିଧା କେତେବେଳେ ଯେ ନିଜ ଆଡକୁ ଢଳି ପଡେ, ସେକଥା କାହାକୁ ବା ଜଣା? ପଡିଶା ଘରେ ନିଆଁ ଲାଗଲେ ଆମ ଘର କେମିତି ନିରାପଦ ନୁହେଁ, ସେକଥା ଗତକାଲି ଆମେ ହୋଇଥିଲେ ।
ପଡିଶା ଘରେ ପରେ ଆମ ପାଳି ପଡୁଚି-ଏତକ ଆମକୁ ସହଜରେ ହେଜ ହୁଏନି । ହେଜ ନହେବା ଯେଇଁ ଆମେ ହସୁ । କିନ୍ତୁ ହସ ସରିବା ବେଳକୁ, ମାନେ ବିପତ୍ତିକୁ ହେଜିଲା ବେଳକୁ ସବୁକିଛି ସରିଯାଇଥାଏ ।
ସଂସାରରେ ପ୍ରତ୍ୟେକଙ୍କ ଜୀବନ ସାମାନ୍ୟ, ନିମିତ୍ତମାତ୍ର । ଆମେ ସମସ୍ତେ ଜଣେ ଜଣେ ନିମିତ୍ତମାତ୍ର ସତ୍ତା କେବଳ । ୟାଠୁ ବଳି ଅଧିକ କିଛି ନୁହଁ । କିନ୍ତୁ ଆମେ ଏତେ ସ୍ୱାର୍ଥପର ହୋଇଯାଇଛେ ଯେ, “ପ୍ରଥମେ ନିଜେ, ପରେ କିଏ” ବୋଲି ଅହର୍ନିଶ ଭାବି ଚାଲିଛେ । ଆମ ନିଜ ସ୍ୱାର୍ଥକୁ ହିଁ ସବୁବେଳେ ଅଗ୍ରାଧିକାର ଦେଇ ଚାଲିଛେ ।
ମଣିଷ ଚିନ୍ତା କରିପାରେ, ଏଇଥି ପାଇଁ ହିଁ ବୋଧେ ମଣିଷ ସ୍ୱାର୍ଥପର ।
ଆଜ୍ଞା, ବଡ କୁକୁରଙ୍କ ମେଳରେ କୁନି କୁକୁରଟିଏର କଥା ଭାବନ୍ତୁ । ନିଜ ନିଜ ଭିତରେ କାମୁଡାକାମୁଡି ହଉଥିଲେ ବି ଯଦି କୁକୁର ଛୁଆଟିଏ କୋଉ ଗାଡି ଚକ ତଳେ ପଡିଯାଏ ବା କୌଣସି ଗାତରେ ପଡିଯାଏ ସେତେବେଳେ ସବୁ କୁକୁର ଏକାଠି ହୋଇ କୁକୁର ଛୁଆର ସୁରକ୍ଷା ପାଇଁ ମେଳି ବାନ୍ଧି ଭୁକନ୍ତି । କୁନି କୁକୁରଟାର ବିପତ୍ତି ଦେଖି ସେମାନେ ଦାନ୍ତ ନେଫେଡାନ୍ତି ନାହିଁ, ମୁରୁକି ହସା ମାରନ୍ତି ନାହିଁ ।
ଆମ ଭଳି ସ୍ୱାର୍ଥପର ମଣିଷ ଏତକ କଣ କରିପାରେ ?
ଆଜ୍ଞା, ଏତିକି ଶିଖିବା ପାଇଁ କୌଣସି ସ୍କୁଲ୍ କି କଲେଜ୍ ନାହିଁ । ଏତକ କେବଳ ଶିଖେଇପାରେ ଆମ ବିବେକ ବିଦ୍ୟାଳୟ, ଆମ ମଣିଷପଣିଆ । ଅଥଚ ସେ ଆଡେ ଆମର ମନ କୋଉ ଅଛି ଯେ ?
ବିଚାର ଶକ୍ତି ହରେଇ ବସିଲେ ମଣିଷ ସ୍ୱାର୍ଥପର ହେଇଯାଏ । ସଂସାରର ଯାହା କିଛି ବି ଅନିଷ୍ଠ ହଉଚି, ତାହା କେବଳ ଆମ ଭଳି ମଣିଷଙ୍କ ପାଇଁ । ଆଉ କୌଣସି ପ୍ରାଣୀଙ୍କ ପାଇଁ ନୁହଁ । ପରର ବିପତ୍ତି ଦେଖି ସେଇଥିରୁ ଆନନ୍ଦ ଉଠାଉଥିବା ଲୋକମାନେ ନିଜେ ବି ଦିନେ ବିପତ୍ତିରେ ପଡିଯିବେ ଏକଥା ଭୁଲିଯିବା ଅନୁଚିତ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।