ବଜେଟ୍ ବିଶେଷ ଅଜ୍ଞ
କିଛି ବ୍ୟକ୍ତି କିଛି ନଜାଣି ବଡ଼ ବଡ଼ କଥା ମାନ ସବୁ କହନ୍ତି । କଥା ତ କଥା ହଳଶଗଡ଼ରେ ନଗଲା ଭଳି ମନ୍ତବ୍ୟ ସବୁ ଓଗାଳି ପକାନ୍ତି । ମନ୍ତବ୍ୟ ହେଲା ଜ୍ଞାନ ଥାଇ କିଛି ମତାମତ ଦେବା, କିନ୍ତୁ ତୁଚ୍ଛା ମନ୍ତବ୍ୟ ହେଲା କିଛି ନଜାଣି ମନକୁ ଯାହା ଆସିଲା ପାଟିରେ ବାଟୁଳି ନ ବଜେଇ ଗଳଗଳ କରି କହି ପକାଇବା । ରାସ୍ତାରେ ଗଲା ବେଳେ କୌଣସି ଘଟଣା ଘଟିଲେ ଅନେକ ବ୍ୟକ୍ତି ତକ୍ରାଳିକ ମତ ଓ ମନ୍ତବ୍ୟ ଦେଇ ପକାନ୍ତି । ସେମାନେ ଘଟଣାଟିର କେବଳ ଏକ ଝଲକ ଦେଖିଥାଆନ୍ତି, ପୁରା ଘଟଣା ବାବଦରେ କିଛି ଜାଣିନଥାନ୍ତି । ଆଉ ଯେତିକି ଦେଖିଲେ ତାରି ଉପରେ ଯାହା ପଡ଼ିଲା ସେୟା ମନ୍ତବ୍ୟ ଦେଇ ନିଜର ପାଣ୍ଡିତ୍ୟ ଉପସ୍ଥିତ ଥିବା କିଛି ଲୋକଙ୍କ ଆଗରେ ଦେଖାଇ ହୁଅନ୍ତି । ଏହା ହେଉଛି ମୁର୍ଖଙ୍କ ଲକ୍ଷଣ । ଆଉ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ସାମାନ୍ୟ ଜ୍ଞାନ ଥାଏ, ଅଥଚ ନିଜକୁ ଗଭୀର ଜ୍ଞାନୀ, ମହାପଣ୍ଡିତ ବୋଲି ଦେଖେଇ ହୋଇ "ସାପ ମରିବନି କି ବାଡ଼ି ଭାଙ୍ଗିବନି' ନ୍ୟାୟରେ ମନ୍ତବ୍ୟ ଦିଅନ୍ତି ।
ଏଇ ଯେମିତି ପ୍ରତିବର୍ଷ ସରକାରଙ୍କର ବଜେଟ୍ ସମ୍ପର୍କରେ ଆଲୋଚନା । ବଜେଟ୍ ହେଉଛି ଗୋଟିଏ ରାଜ୍ୟ ବା ଦେଶର ବର୍ଷକର ଆୟ ଓ ବ୍ୟୟ ସଂପର୍କିତ ଏକ ଚିଠା । ଯେତେବେଳେ ପାର୍ଲାମେଣ୍ଟ୍ରେ ବା ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯାଏ ସେତେବେଳେ ସଙ୍ଗେ ସଙ୍ଗେ ଧାଁ ଦଉଡ଼ ଗଣମାଧ୍ୟମ ପ୍ରତିନିଧି ଲୋକଙ୍କର ମତାମତ ସଂଗ୍ରହ କରିବା ଆରମ୍ଭ କରିଦିଅନ୍ତି । ସାଧାରଣତଃ ବଜେଟ୍ ହେଉଛି ପାଞ୍ଚଶହ କିମ୍ବା ହଜାରେ ପୃଷ୍ଠାର ଆୟବ୍ୟୟର ଏକ ଚିଠା । ସଂପୂର୍ଣ୍ଣ ଗୋଟିଏ ଦିନ ସମୟ ଦେଲେ ଯାଇ ଅର୍ଥମନ୍ତ୍ରୀ ଏହି ଆୟବ୍ୟୟ ଚିଠାକୁ ସଂପୂର୍ଣ୍ଣ ଭାବରେ ଗୃହରେ ଉପସ୍ଥାପନ କରନ୍ତି । ଅନ୍ୟପକ୍ଷରେ ଗୃହରେ ବଜେଟ୍ ଉପସ୍ଥାପନ ହେବା କ୍ଷଣି ଗଣମାଧ୍ୟମ ଆଗରେ ପାଣ୍ଡିତ୍ୟ ଦେଖାଇ ହେଉଥିବା କିଛିଲୋକ ଏମିତି ମତାମତ ଦିଅନ୍ତି ଯେ ସେମାନେ ସବୁ ଜାଣନ୍ତି । ସେମାନେ ହୁଏତ ସେମାନଙ୍କ ଜୀବନକାଳ ମଧ୍ୟରେ ବିଧାନସଭା କିମ୍ବା ପାର୍ଲାମେଣ୍ଟ୍ରେ ବଜେଟ୍ ଉପସ୍ଥାପନାର ପ୍ରକ୍ରିୟା ସମ୍ପର୍କରେ ଜାଣିନଥାନ୍ତି କିମ୍ବା ଦେଖିନଥାନ୍ତି । କେବଳ ସେତିକି ନୁହେଁ ବଜେଟ୍ ବୋଲି ବିଷୟରେ ବିଶେଷ ପ୍ରବେଶ ନଥାଏ ।
ଗୃହରେ ବଜେଟ୍ ଉପସ୍ଥାପନର ଶେଷ ଭାଗରେ ଅର୍ଥମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥôକ ଆଲୋଚନ ସହିତ ସୂଚନା ମଧ୍ୟ ଦେଇଥାଆନ୍ତି । ହେଲେ ବଜେଟ୍ ବାବଦରେ କିଛି ବି ନଜାଣି ଗୃହରେ ବଜେଟ୍ ଉପସ୍ଥାପନ ହେବା କ୍ଷଣି ଲୋକଙ୍କର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗେ । ବଜେଟ୍ ସମ୍ପର୍କରେ କିଛି ବି ଜ୍ଞାନ ନଥାଇ ଗଣମାଧ୍ୟମରେ ମତାମତ ଜ୍ଞାନ ବାଣ୍ଟୁଥିବା ଲୋକମାନେ ଅନେକ କିଛି ବୋଇଲେ କିଛି ଜାଣନ୍ତିନି । ଏଇଟା କେବଳ କହୁଥିବା ଲୋକର ଭୁଲ୍ ନୁହେଁ, ଗଣମାଧ୍ୟମର ପ୍ରତିନିଧିମାନେ ଏ ପ୍ରକାରର କାମ କରନ୍ତି ସେମାନଙ୍କର ମଧ୍ୟ ବଜେଟ୍ ସମ୍ପର୍କରେ ପୂର୍ଣ୍ଣ ଜ୍ଞାନ ନଥାଏ । ଏ ପ୍ରସଙ୍ଗରେ ଆଉ ଗୋଟିଏ ଘଟଣାକୁ ମଧ୍ୟ ଲକ୍ଷ୍ୟ କରିବାର ଅଛି । ତାହା ହେଲା ବଜେଟ୍ ଆଲୋଚନା ଆରମ୍ଭ ହେବା ମାତ୍ରକେ ଲୋକଙ୍କ ଠାରୁ ମତାମତ ନେବା ଆରମ୍ଭ କରିଦେଲେ ବଜେଟ୍ ଉପରେ ତାର କି ପ୍ରକାର ପ୍ରଭାବ ପଡ଼ିବ ବୋଲି ଗଣମାଧ୍ୟମ ମାନେ ବିଚାର କରନ୍ତି । ରାସ୍ତାରେ ଚାଲି ଯାଉଥିବା ଲୋକଙ୍କ ଠାରୁ ମତାମତ ନେଇ ସେସବୁର ପ୍ରସାରଣ କରିଲେ ତାର କିଛି ବି ମୂଲ୍ୟ ନାହିଁ; ବରଂ ସଂପୂର୍ଣ୍ଣ ବଜେଟ୍ ଉପସ୍ଥାପନ ପରେ ତା'ପର ଦିନ ଖବରକାଗଜରେ ବାହାରିଥିବା ବିସ୍ତୃତ ବିବରଣୀକୁ ଆଧାର କରି ଲୋକଙ୍କ ମତାମତ ଆଣିଲେ ଭଲ ହୁଅନ୍ତା । କିଛି ନଦେଖି ନଜାଣି ମତାମତ ଦେଉଥିବା ଲୋକମାନେ ହାତୀର ଗୋଡ଼କୁ ଖମ୍ବ, ପେଟକୁ କାନ୍ଥ ଆଉ ଲାଞ୍ଜକୁ ଦଉଡ଼ି ବୋଲି କହିବେ । ଏପ୍ରକାର ମୂଲ୍ୟହୀନ ମତାମତର ଲେଶମାତ୍ର ପ୍ରଭାବ ବଜେଟ୍ ଉପରେ ନଥାଏ । ଗୋଟିଏ ବାକ୍ୟରେ କହିବାକୁ ଗଲେ ବଜେଟ୍ ବେଳେ ହଠାତ୍ ପ୍ରକଟ ହେଇ ଯାଉଥିବା ବିଶେଷ ଅଜ୍ଞମାନଙ୍କ ଠାରୁ ନଶୁଣିଲେ ବେଶ୍ ଭଲ ।