ପିତୃପକ୍ଷର ମହତ୍ତ୍ୱ

ହିନ୍ଦୁ ଧର୍ମ ଏବଂ ବୈଦିକ ମାନ୍ୟତା ଅନୁଯାୟୀ ପୁତ୍ରର ପୁତ୍ରତ୍ୱ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ସେ ଜୀବିତାବସ୍ଥାରେ ଥିବା ପିତା ମାତାଙ୍କର ସେବା ପରେ ଏବଂ ସେମାନଙ୍କ ମୃତୁ୍ୟପରେ ଶ୍ରାଦ୍ଧବାର୍ଷିକ ଏବଂ ମହାଳୟାରେ ସେମାନଙ୍କୁ ବିଧିବଦ୍ଧ ଶ୍ରାଦ୍ଧ ପ୍ରଦାନ କରେ  । ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦିନକୁ ପିତୃପକ୍ଷ ବା ମହାଳୟା ପକ୍ଷ କୁହାଯାଏ  । ତାମିଲନାଡ଼ୁରେ ଏହାକୁ ଆଦି ଅମାବସାଇ, କେରଳରେ କରିକଡ଼ା ବାବୁବଲି ଏବଂ ମହାରାଷ୍ଟ୍ରରେ ପିତୃପନ୍ଧରବଡ଼ା କୁହାଯାଏ  । ଶ୍ରାଦ୍ଧର ଅର୍ଥ ଦେବତା, ପିତୃପୁରୁଷ ଏବଂ ବଂଶ ପ୍ରତି ଶଦ୍ଧା ପ୍ରକଟ କରିବା  । ବିଶ୍ୱାସ କରାଯାଏ ଯେଉଁମାନେ ନିଜ ଶରୀର ଛାଡ଼ି ଚାଲିଯାଆନ୍ତି ସେମାନେ ଯେଉଁ ଲୋକରେ ଥିଲେ ବି, ଯେଉଁ ରୂପରେ ବି ଶ୍ରାଦ୍ଧପକ୍ଷରେ ନିଶ୍ଚେ ପୃଥିବୀକୁ ଆସନ୍ତି  । ତେଣୁ ସେମାନଙ୍କ ତୃପ୍ତି ପାଇଁ ଶ୍ରଦ୍ଧା ସହ ଯେଉଁ ଶୁଭ ସଂକଳ୍ପ ଏବଂ ତର୍ପଣ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ  । 
ହିନ୍ଦୁ ମାନ୍ୟତା ଅନୁଯାୟୀ ପିଣ୍ଡଦାନ ମୋକ୍ଷ ପ୍ରାପ୍ତି ପାଇଁ ଏକ ସହଜ ଏବଂ ସରଳ ମାର୍ଗ  । ଏମିତି ଦେଶରେ ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ  । ତେବେ ବିହାରର ଗୟାରେ ପିଣ୍ଡଦାନ ଖୁବ୍ ମହତ୍ତ୍ୱପୂର୍ଣ୍ଣ  । ବିଶ୍ୱାସ କରାଯାଏ ଭଗବାନ ଶ୍ରୀରାମ ଏବଂ ମା'ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ  ଗୟାରେ ପିଣ୍ଡଦାନ କରିଥିଲେ  । ଗୟାକୁ ବିଷ୍ଣୁଙ୍କ ନଗର କୁହାଯାଏ  । ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ  । ବିଷ୍ଣୁ ପୁରାଣ ଏବଂ ବାୟୁ ପୁରାଣରେ ଏହାର ଉଲ୍ଲେଖ ଅଛି  । ବିଷ୍ଣୁ ପୁରାଣ ଅନୁଯାୟୀ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି କରେ ଏବଂ ସେମାନେ ସ୍ୱର୍ଗରେ ବାସ କରନ୍ତି  । ବିଶ୍ୱାସ କରାଯାଏ ସ୍ୱୟଂ ବିଷ୍ଣୁ ଏଠାରେ ପିତୃଦେବତା ଭାବରେ ଉପସ୍ଥିତ  । ତେଣୁ ଏହାକୁ ପିତୃତୀର୍ଥ ମଧ୍ୟ କୁହାଯାଏ  । ଗୟାରେ ଥିବା ପଣ୍ଡିତମାନେ କୁହନ୍ତି, ଫଲ୍ଗୁ ନଦୀର ତଟରେ ପିଣ୍ଡ ଦାନ ନକଲେ ଏହା ଅସଂପୂର୍ଣ୍ଣ ରହିଯାଏ  ।  କିମ୍ବଦନ୍ତୀ ଅନୁଯାୟୀ ଭଷ୍ମାସୁରର ବଂଶଜ ଗୟାସୁର କଠିନ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗିନେଇଥିଲେ ଯେ, ତାର ଶରୀର ଦେବତାମାନଙ୍କ ପରି ପବିତ୍ର ହୋଇଯିବ ଏବଂ ତାକୁ ଦର୍ଶନ କରିବା ମାତ୍ରେ ଲୋକମାନେ ପାପମୁକ୍ତ ହୋଇଯିବେ  । ଏହି ବର ମିଳିବା ପରେ ସ୍ୱର୍ଗର ଜନସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସବୁକିଛି ପ୍ରକୃତିର ନିୟମ ବିପରୀତରେ ଚାଲିଲା  । ଲୋକମାନେ ବିନା ଭୟରେ ପାପ କଲେ ଏବଂ ଗୟାସୁରକୁ ଦର୍ଶନ କରି ପାପମୁକ୍ତ ହେଲେ  । ଏଥିରୁ ରକ୍ଷା ପାଇବା ପାଇଁ ଦେବତାମାନେ ଗୟାସୁରଙ୍କୁ ଯଜ୍ଞ ପାଇଁ ପବିତ୍ର ଭୂମି ମାଗିଲେ  । ଗୟାସୁର ନିଜ ଶରୀର ଦେବତାମାନଙ୍କ ଯଜ୍ଞ ପାଇଁ ଦେଇଦେଲା  । ଯଜ୍ଞଭୂମି ଭାବରେ ବ୍ୟବହୃତ ଦେବା ପାଇଁ ଗୟାସୁର ଭୂମିରେ ଶୋଇଲା ଏବଂ ତାର ଶରୀର ପାଞ୍ଚକୋଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଗଲା  । ପରବର୍ତ୍ତୀ ସମୟରେ ଏହି ପାଞ୍ଚକୋଶ ସ୍ଥାନକୁ କୁହାଗଲା ଗୟା  । ଯଜ୍ଞରେ ପୋଡ଼ିବା ପରେ ମଧ୍ୟ ଗୟାସୁର ମନରୁ ଲୋକମାନଙ୍କୁ ପାପମୁକ୍ତ କରିବାର ଇଛା ଲୋପ ପାଇଲା ନାହିଁ  । ସେ ଦେବତାମାନଙ୍କୁ ବର ମାଗିଲା  । ଏହି ସ୍ଥାନରେ ଲୋକଙ୍କୁ ମୋକ୍ଷ ଦେବ  । ଯେଉଁ ବ୍ୟକ୍ତି ଏଠାରେ କାହାର ଶ୍ରାଦ୍ଧ ପାଇଁ ପିଣ୍ଡଦାନ କରିବେ ତାଙ୍କୁ ମୁକ୍ତି ମିଳିବ  । ଏହି କାରଣରୁ ଆଜିବି ଲୋକମାନେ ପିତୃପୁରୁଷଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ଗୟାରେ ପିଣ୍ଡଦାନ କରିନ୍ତି  ।
ଶାସ୍ତ୍ରରେ ପିତୃପୁରୁଷଙ୍କ ସ୍ଥାନ ଖୁବ୍ ଉଚ୍ଚରେ ବୋଲି ବର୍ଣ୍ଣନା କରାଯାଇଛି  । ସେ ଚନ୍ଦ୍ରମା ଠାରୁ ଦୂରରେ ଏବଂ ଦେବତାଙ୍କ ଠାରୁ ଉଚ୍ଚ ସ୍ଥାନରେ ରୁହନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି  । ପିତୃପୁରୁଷଙ୍କ ମଧ୍ୟରେ ମୃତ ପୂର୍ବଜ ଯଥା - ବାପା- ମା, ଜେଜେବାପା - ଜେଜେମା, ଅଜା-ଆଇଙ୍କ ସମେତ ସବୁ ପୂର୍ବଜ ସାମିଲ  । ପରଲୋକଗତ ଗୁରୁ ଏବଂ ଆଚାର୍ଯ୍ୟ ମଧ୍ୟ ପିତୃପୁରୁଷଙ୍କ ମଧ୍ୟରେ ସାମିଲ  । ଦେଶରେ ଶ୍ରାଦ୍ଧ ପାଇଁ ହରିଦ୍ୱାର, ଗଙ୍ଗାସାଗର, ପୁରୀ, କୁରୁକ୍ଷେତ୍ର, ଚିତ୍ରକୁଟ, ପୁଷ୍କର, ବଦ୍ରିନାଥ ସମେତ ୫୫ଟି ସ୍ଥାନର ବିଶେଷତ୍ୱ ମହତ୍ତ୍ୱ ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି  । ତେବେ ଗୟା ଏସବୁ ସ୍ଥାନର ଶୀର୍ଷରେ ରହିଛି  । ଗରୁଡ଼ ପୁରାଣରେ କୁହାଯାଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଘରୁ ବାହାରିବା ପରେ ଗୟାରେ ପହଞ୍ଚôବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ପିତୃପୁରୁଷଙ୍କ ସ୍ୱର୍ଗାରୋହଣ ପାଇଁ ଗୋଟିଏ ଗୋଟିଏ ସିଡ଼ି ସଦୃଶ  । ହିନ୍ଦୁ ପୁରାଣ ଅନୁଯାୟୀ ପିତୃପୁରୁଷଙ୍କ ତିନିପିଢ଼ି ପିତୃଲୋକରେ ରୁହନ୍ତି  । ଏହା ପୃଥ୍ୱୀଲୋକ ଓ ଦେବଲୋକ ମଧ୍ୟରେ ଅଛି  । ଏହି ଲୋକର ଅଧିଶ୍ୱର ମୃତୁ୍ୟଦେବତା ଯମ  । ତୃତୀୟ ପିଢ଼ି ପରେ ଚତୁର୍ଥ ପିଢ଼ିର ବଂଶଜ ପିତୃଲୋକରେ ପହଞ୍ଚôଲେ ପ୍ରଥମ ପିଢ଼ିର ପୂର୍ବଜ ସ୍ୱର୍ଗକୁ ଚାଲିଯାନ୍ତି  । ତେଣୁ ସେମାନଙ୍କ ପାଇଁ ପିଣ୍ଡ ଦେବା ଆବଶ୍ୟକ ହୁଏନି  । ତେଣୁ ପିତୃଲୋକରେ ଥିବା ଆମ ପୂର୍ବଜଙ୍କ ତିନିପିଢ଼ି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ  । 
ହିନ୍ଦୁପୁରାଣ ଅନୁଯାୟୀ ଆଶ୍ୱିନ ମାସରେ ପିତୃପକ୍ଷ ଆରମ୍ଭରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରନ୍ତି  । ଏହି ସମୟରେ ପିତୃପୁରୁଷଙ୍କ ଆତ୍ମାମାନେ ପିତୃଲୋକ ଛାଡ଼ି ନିଜ ବଂଶଜଙ୍କ ଘରକୁ ଯାଆନ୍ତି  । ସୂର୍ଯ୍ୟ ବିଛା ରାଶିକୁ ଆସିଲେ ସେମାନେ ପୁଣି ପିତୃଲୋକକୁ ଫେରନ୍ତି  । କିମ୍ବଦନ୍ତୀ କୁହେ ମହାଭାରତ ଯୁଦ୍ଧ ପରେ ଯେତେବେଳେ ମହାଦାନୀ କର୍ଣ୍ଣଙ୍କ ଆତ୍ମା ପିତୃଲୋକକୁ ଗଲା ସେଠାରେ ତାଙ୍କୁ ସୁନା ଗହଣା ଆଦି ଖାଇବାକୁ ଦିଆଗଲା  । ଖାଦ୍ୟ ନପାଇ କର୍ଣ୍ଣ ଏହାର ରହସ୍ୟ ଯମଙ୍କୁ ପଚାରିଲେ  । ଯମ କହିଲେ - ଆପଣ ଜୀବନଯାକ ଟଙ୍କା, ସୁନା, ରୂପା ଆଦି ଦାନ କରିଛନ୍ତି  । କିନ୍ତୁ ପୂର୍ବଜମାନଙ୍କ ପାଇଁ ଶ୍ରାଦ୍ଧ କରି ସେମାନଙ୍କ ଉଦେ୍ଦଶ୍ୟରେ ଖାଦ୍ୟ ଦାନ କରିନାହାନ୍ତି  । କର୍ଣ୍ଣ କହିଲେ - ମୁଁ ମୋ ପୂର୍ବଜଙ୍କ ବିଷୟରେ ଜାଣିନି ତେଣୁ ସେମାନଙ୍କ ସ୍ମୃତିରେ ଶ୍ରାଦ୍ଧ କରିପାରିିନି  । ଏହାପରେ ଯମ ତାଙ୍କୁ ପୃଥ୍ୱୀଲୋକୁ ପନ୍ଦର ଦିନ ଫେରି ଶ୍ରାଦ୍ଧ କରିବାକୁ କହିଲେ  । ଏ ସମୟ ଥିଲା ପିତୃପକ୍ଷ  ।
ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ,ମୋ : ୯୪୩୭୨୪୨୩୧୭