ଅଇଁଠା ପତର
ପ୍ରସନ୍ନ କୁମାର ମିଶ୍ର : ସେଦିନ ଥିଲା ନଭେମ୍ବର ୧୪ ତାରିଖ ଶନିବାର । ଶିଶୁ ଦିବସ ଉପଲକ୍ଷେ ପୌର ସଦନରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଛୋଟ ଛୋଟ ସ୍କୁଲପିଲା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ କୋଳାହଳରେ କମ୍ପି ଉଠୁଥିଲା । ସପ୍ତାହକ ପୂର୍ବରୁ ସହରର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଏଥିପାଇଁ ତିନିଗୋଡ଼ିଆ, ମୁଆଁଖିଆ, ଲମ୍ବାଡ଼ିଆଁ ସମେତ ବିବିଧ ଦୈ÷ାଡ, ଖେଳକୁଦ, ସାଧାରଣ ଜ୍ଞାନ, ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଇତ୍ୟାଦି ପୂର୍ବରୁ ଶେଷ ହୋଇ ସାରିଥିଲା । ସେ ଦିନର ପୁରସ୍କାର ବିତରଣ ଉତ୍ସବରେ ଅତିଥି ମାନଙ୍କ ସମ୍ମୁଖରେ ପ୍ରଦର୍ଶନ ପାଇଁ ରହିଥିଲା ଗୋଟିଏ ମାତ୍ର ପ୍ର୍ରତିଯୋଗିତା- ‘ଫେନ୍ସିଡେସ୍’ । ଅଭିଭାବକମାନେ ବିପୁଳ ଅର୍ଥ ବ୍ୟୟ କରି ସେମାନଙ୍କର ପିଲାମାନଙ୍କୁ ସହରର ବିଭିନ୍ନ ବିଉଟି ପାରଲୋର୍ ଓ ଚିତ୍ରାଳୟ ଗୁଡ଼ିକୁ ନେଇ ଭିନ୍ନ ଭିନ୍ନ ବେଶରେ ଯଥା- ଶ୍ରୀକୃଷ୍ଣ, ଶ୍ରୀବିଷ୍ଣୁ, ମହାଦେବ, ଶ୍ରୀରାମ, ପର୍ଶୁରାମ, ମହାଲକ୍ଷ୍ମୀ, ସରସ୍ୱତୀ, ହନୁମାନ , ମହାପୁରୁଷ ଯୀଶୁଖ୍ରୀଷ୍ଟ, ବୁଦ୍ଧଦେବ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ , ମଧୁବାବୁ, ନେହେରୁ ଓ ସର୍ଦ୍ଦାର ପଟେଲ ଆଦି ପୈ÷ାରାଣିକ ଓ ଐତିହାସିକ ଚରିତ୍ର ମାନଙ୍କ ବେଶରେ ସଜ୍ଜିତ କରାଇ ସଭାସ୍ଥଳୀରେ ଉପସ୍ଥିତ ଥିଲେ ।
ଠିକ ସମୟରେ ମନ୍ତ୍ରୀ ମହାଶୟ ଆସି ପହଂଚିଲେ । ସଭାକାର୍ଯ୍ୟ ଆରମ୍ଭ ହେଲା । ପିଲାମାନଙ୍କ ପାଟିତୁଣ୍ଡ ଓ ଗୋଳମାଳ ଭିତରେ ସେ ତାଙ୍କର ଭାଷଣ ଶେଷ କରି ବସି ପଡ଼ିଲେ । ଶିଶୁଦିବସର ସବୁଠାରୁ ଆକର୍ଷଣୀୟ ,ଫେନ୍ସିଡ୍ରେସ୍ ପ୍ରତିଯୋଗିତା ଆରମ୍ଭ ହେଲା । ତିନିଜଣ ବିଚାରକ କାଗଜକଲମ ଧରି ପ୍ରସ୍ତୁତ ହୋଇଗଲେ । ସ୍ୱେଚ୍ଛାସେବୀମାନେ ପିଲାମାନଙ୍କୁ ଶୃଙ୍ଖଳିତ ଭାବେ ଧାଡ଼ିରେ ଠିଆ କରି ଜଣକ ପରେ ଜଣକୁ ଷ୍ଟେଜ ଉପରକୁ ପଠାଇଲେ । ପିଲାମାନଙ୍କୁ ଷ୍ଟେଜ୍ ଉପରେ ନିଜ ନିଜର ଅଭିନୟ ଓ ସଂଳାପ ପାଇଁ ତିନି ମିନିଟ ଲେଖାଏଁ ସମୟ ଦିଆଯାଇଥିଲା । ଛୋଟ ଛୋଟ ପିଲାମାନଙ୍କ ରଙ୍ଗିନ ବେଶ ପୋଷାକ, ବଙ୍କା ଢଙ୍କା ଚାଲି ଓ ଦରୋଟି କଣ୍ଠରେ ଘୋଷି ଆସିଥିବା ସଂଳାପରେ ବିମୋହିତ ଦର୍ଶକମାନଙ୍କ କରତାଳି ଧ୍ୱନିରେ ହଲଘର କମ୍ପି ଯାଉଥିଲା ।
ଶେଷରେ ଭିକାରୀ ବେଶରେ ସଜେଇ ହୋଇଥିବା ପାଂଚ ଛ ବର୍ଷର ଟିକିପିଲାଟିର ପାଳି ପଡ଼ିଲା ।ସେ ଗୋଟିଏ ଛିଣ୍ଡା ମଇଳା ହାଫପ୍ୟାଂଟ ପିନ୍ଧିଥିଲା । ସେଥିରେ ବୋତାମ କି ହୁକ୍ ନ ଥିବାରୁ ଖସି ଯିବବୋଲି ଅଂଟାରେ ଦଉଡିଟେ ବାନ୍ଧିଥିଲାଣ୍ଟା ଭୋକରେ ପେଟ ଲାଗି ଯାଉଥିଲା ।ସାର୍ଟ ନଥିବାରୁ ତା’ର ରୋଗଣା ଖୋଲା ଦେହ ଓ ଅଲରା ବାଳ ଦେଖି ମନେ ହେଉଥିଲା ସେ ଯେମିତି ମାସେ ହେଲା ଗାଧୋଇ ନାହିଁ ।ଷ୍ଟେଜ ଉପରେ ଠିଆ ହୋଇ ଏତେ ଲୋକଙ୍କୁ ଦେଖି ସେ ଡରିଗଲା । ତାର ଥରିଲା ହାତ ସହିତ ତାଳ ଦେଇ ପୂର୍ବରୁ ତାଟିଆ ଭିତରେ ପଡ଼ିଥିବା ପଚାଶ ପଇସା କେଇଟା ଠକ୍ ଠକ୍ ଶବ୍ଦ କରୁଥିଲା । ପିଲାଟିର ଏଭଳି ହାର୍ଟ ଟଚିଂ ଓ ‘ବେଷ୍ଟ ଆଣ୍ଡ ନାଚୁରାଲ ପରଫରମାନ୍ସ’ ଦେଖି ଦର୍ଶକମାନେ ଠିଆ ହୋଇ ତାଳି ଦେବାରେ ଲାଗିଲେ । ଭୟରେ ପିଲାଟା ଷ୍ଟେଜର ଆରପାଖକୁ ଧାଇଁ ପଳାଇଗଲା ।
ପ୍ରତିଯୋଗିତା ଶେଷ ହେଲା । ପୂର୍ବରୁ ଆୟୋଜିତ ସମସ୍ତ ପ୍ରତିଯୋଗିତାର କୃତୀ ପିଲାମାନଙ୍କୁ ମନ୍ତ୍ରୀ ମହାଶୟ ପୁରସ୍କାର ପ୍ରଦାନ କରିବା ପରେ କୌତୁକ ପୋଷାକର ଫଳାଫଳ ଘୋଷଣା କରାଗଲା । ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଭିକାରୀ, ଦ୍ୱିତୀୟରେ ଶ୍ରୀକୃଷ୍ଣ ଓ ତୃତୀୟରେ ମହାତ୍ମା ଗାନ୍ଧି ବେଶ ହୋଇଥିବା ପ୍ରତିଯୋଗୀମାନେ । ଶ୍ରୀକୃଷ୍ଣ ବେଶ ଧରିଥିବା ଚତୁର୍ଥ ଶ୍ରେଣୀର ଛାତ୍ରୀ ଶୁଭ୍ରା ପଟ୍ଟନାୟକ ଓ ମହାତ୍ମା ଗାନ୍ଧି ହୋଇଥିବା ପଂଚମ ଶ୍ରେଣୀର ଛାତ୍ର ସୌମ୍ୟ ଶତପଥି ମଂଚ ଉପରକୁ ଉଠି ମୁଖ୍ୟ ଅତିଥିଙ୍କ ଗହଣରେ ଠିଆ ହେଲେ । ମାଇକ୍ରେ ବାରମ୍ବାର ଘୋଷଣା କରାଯିବା ସତ୍ତ୍ୱେ ପ୍ରଥମ ସ୍ଥାନ ହାସଲ କରିଥିବା ଭିକାରୀ ପିଲାଟିର କିନ୍ତୁ ପତ୍ତା ନଥିଲା । ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତ ତାଲିକାରେ ତାର ନାମ ନଥିଲା । ଆୟୋଜକ କିମ୍ବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ସେ କେଉଁ ସ୍କୁଲର ଛାତ୍ର କହିପାରୁନଥିଲେ ।
ଚାରିଆଡ଼େ ଚହଳ ପଡ଼ିଗଲା । ଠିକ୍ ଏତିକିବେଳେ ସେହି ଭିକାରୀ ପିଲାଟିର ହାତ ଧରି ଷ୍ଟେଜ୍ ଉପରକୁ ଉଠିଗଲେ ସମାଜସେବୀ ବିଜୟ ମହାପାତ୍ର । ଉପସ୍ଥିତ ଦର୍ଶକ ଓ ମନ୍ତ୍ରୀ ମହାଶୟଙ୍କୁ ଲକ୍ଷ୍ୟ କରି ସେ କହିଲେ, ‘ଏ ହେଉଛି ସେଇ ଭିକାରୀ ପିଲା ଯାହାକୁ କି ଆପଣ ତା’ର ବେଷ୍ଟ ଏବଂ ନାଚୁରାଲ ପରଫମାନ୍ସ ପାଇଁ ପ୍ରଥମ ସ୍ଥାନ ଦେଇଛନ୍ତି । ବାସ୍ତବରେ ସେ ଗୋଟିଏ ଭିକାରୀ ପିଲା । ଏଇ ଛକରେ ରହେ । ପିଲାମାନଙ୍କର ସୁନ୍ଦର ସୁନ୍ଦର ବେଶ ପୋଷାକ ଦେଖି ସେ ଭିତରକୁ ପଶି ଆସିଥିଲା । ପ୍ରତିଯୋଗୀ ଭାବି କେହିଜଣେ ତାକୁ ଧାଡିରେ ଠିଆକରି ଦେଇଥିଲେ । ଷ୍ଟେଜରେ ଏତେ ଲୋକଙ୍କୁ ଦେଖି ଭୟରେ ତା’ର ହାତ ପାଦ ଥରିଗଲା । ଦର୍ଶକମାନଙ୍କର କରତାଳି ମାଡ଼ରେ ଘାବରେଇ ଯାଇ ସେ ପଳାଇ ଯାଇଥିଲା ବାହାରକୁ । ମୁଁ ତାକୁ ଖୋଜି ଆଣିଚି । ଏବେ ଆପଣମାନେ ବିଚାର କରନ୍ତୁ ତାକୁ କି ପୁରସ୍କାର ଦିଆଯିବ ?’ କାହାରି ପାଟିରୁ କଥା ବାହାରୁ ନ ଥିଲା । ସମସ୍ତଙ୍କ ଅଲକ୍ଷ୍ୟରେ ଭିକାରୀ ପିଲାଟି ତଳେ ପଡ଼ିଥିବା ଟୁକୁରା ବିସ୍କୁଟ୍ ଦୁଇଟା ପାଟିରେ ପୁରାଇ ଷ୍ଟେଜ୍ ବାହାରକୁ ଚାଲିଗଲା ।ସେ ଫେରି ଯାଇଥିଲା ଅର୍ବାନ ବ୍ୟାଙ୍କ ଛକ କାଳୁ ଭାଇନା ଦୋକାନ ପଛପାଖକୁ ଯେଉଁଠି ବୁଲା କୁକୁରଙ୍କ ମେଳରେ ତା’ ପାଇଁ ପଡ଼ି ରହିଥିଲା କେତେଗୁଡିଏ ଅଇଁଠା ପତର !!
ଅଭିଭାବକମାନେ ହଜାର ହଜାର ଟଙ୍କା ଖର୍ଚ୍ଚକରି ଚିତ୍ରାଳୟ ଓ ବିଉଟି ପାରଲୋରରେ ସେମାନଙ୍କର ପିଲାମାନଙ୍କୁ ବେଶକରାଇ ଆଣିଥିଲେ । ମାତ୍ର ଖଣ୍ଡିଏ ଭଙ୍ଗାସିଲଭର ତାଟିଆ ,ସେଥିରେ ପଡିଥିବା ଦୁଇଟି ଆଠଣୀ ଓ କେହିଜଣେ ଦୟାଳୁ ମା’ ଦେଇଥିବା ଛିଣ୍ଡାପ୍ୟାଂଟ ପିନ୍ଧିଥିବା ଭିକାରି ପିଲାଟା ଅଠରଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିନେଇଥିଲା ।
ପୁରୀ ,ମୋ:୮୦୧୮୮୭୫୩୩୫