ରାସ୍ତା ଶୋଚନୀୟ , ମରାମତି ଦାବି

 ବେତନଟୀ: ଅଠର ନମ୍ବର ଜାତୀୟ ରାଜପଥ ବେତନଟୀ ଠାରୁ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱ ବହନ କରୁଥିବା ପ୍ରାଚୀନ ଶୈବ ପୀଠ କଖାରୁଆ ବୈଦ୍ୟନାଥଙ୍କ ମନ୍ଦିର ଥିବା ମାଣତ୍ରୀ ପର୍ଯ୍ୟନ୍ତ ଆରଡି ରୋଡ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତା ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିନସ୍ଥ ଅଟେ । ବେତନଟୀ ଜଏମଏଫସି କୋର୍ଟ ଛକରୁ ମାଣତ୍ରୀ ଛକ ବଜାର ଦେଇ ମନ୍ଦିର ପର୍ଯ୍ୟନ୍ତ ଏବଂ ଯେଉଁଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇଥାଏ । ସେହି ପ୍ରସିଦ୍ଧ ପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ପାଞ୍ଚ ବର୍ଷ ନ ପୁରୁଣୁ ଅବସ୍ଥା ଏତେ କଦର୍ଯ୍ୟ ହୋଇ ଯାଇଛି ନ ଦେଖିଲେ ଜାଣି ହେବ ନାହିଁ । ବେତନଟୀରୁ ମାଣତ୍ରୀ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ଯାହାଫଳରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପରିକି ଚାଳକମାନେ ଏହି ରାସ୍ତାରେ ନ ଯାଇ ବେତନଟୀରୁ ବଡସାହି ଦେଇ ଆରଡି ରାସ୍ତାରେ ଅଧିକ ରାସ୍ତା ହେଉଥିଲେ ସୁଦ୍ଧା ଯାତାୟତ କରିବାକୁ ବାଧ୍ୟ ହୋଇଥାନ୍ତି । ଏହା ସହିତ ରାସ୍ତାରୁ ପିଚୁ ଉଠି ଯାଇଥିବା ଏବଂ ରାସ୍ତାଟି ଅନେକ ସ୍ଥାନରେ ନିମ୍ନମାନର କାମ ଯୋଗୁଁ ଦବି ଯାଇଥିବା ହେତୁ ଠିକାଦାର ନିଜ ଇଛାରେ କାମ କରିଥିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଏହି ଆରଡି ରାସ୍ତା ମାତ୍ର ତିନି ବର୍ଷ ମଧ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି । ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଯେ କେବଳ ମାଣତ୍ରୀକୁ ସଂଯୋଗ କରୁଛି ଏହା ନୁହେଁ ଏହି ରାସ୍ତା ସହିତ ଉଦଳା କପ୍ତିପଦା କରଞ୍ଜିଆ ଠାକୁରମୁଣ୍ଡା କେଉଁଝର ଏବଂ ଜୟପୁରରୁ ବାଲେଶ୍ୱର ଜିଲ୍ଲାର ବରହମପୁର ଭାୟା ନୀଳଗିରି ଏବଂ ୬୦ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଖଡଗପୁର କୁ ମଧ୍ୟ ସଂଯୋଗ ରହିଛି । ମାତ୍ର ବେତନଟୀ ଆରଡ଼ି ଉପଖଣ୍ଡ ଅଧିନସ୍ଥ ଏହି ରାସ୍ତାଟି ହୋଇଥିଲେ ହେଁ କେଉଁ କାରଣରୁ ଏହା ଏତେ କଦର୍ଯ୍ୟ ଅବସ୍ଥା ହୋଇଥିଲେ ସୁଦ୍ଧା ଏଠାକାର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମରାମତି କରୁନାହାନ୍ତି । ଏ ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ଏଣୁ ଯଥା ଶୀଘ୍ର ଏହି ରାସ୍ତାର ମରାମତି କାର୍ଯ୍ୟ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି