ଡରାଉଛି ମୁକୁଳା ଡ୍ରେନ୍


 ଯଖପୁରା: ସାଧାରଣ ଲୋକଙ୍କ ସମସ୍ୟାକୁ ନଜରରେ ରଖି ତାର ସମସ୍ୟା ପାଇଁ ସରକାରଙ୍କ ତରଫରୁ ଅନେକ କାର୍ଯ୍ୟାଦେଶ ଦିଆଯାଇ ଲୋକଙ୍କ ସମସ୍ୟାକୁ ସମାଧାନ ପାଇଁ ଚେଷ୍ଟା କରାଯାଏ । ରାଜ୍ୟର ଅନେକ ଗାଁ, ସହରରେ ଅନେକ ମୌଳିକ ସମସ୍ୟା ରହିଛି । ଯେମିତି ଗମନା ଗମନ ପାଇଁ ରାସ୍ତା, ପାନୀୟ ଜଳ ଯୋଗାଣ, ବିଦୁ୍ୟତକରଣ, ପାଣିର ସଠିକ୍ ଭାବରେ ଯା’ଆସ ପାଇଁ ଡ୍ରେନ । ସେମିତି ମୌଳିକ ସମସ୍ୟାକୁ ଦେଖି ଦାନଗଦୀ ବ୍ଲକ୍ ଅଧୀନସ୍ଥ ଯଖପୁରା ଗ୍ରାମରେ ରାସ୍ତାର ସୁରକ୍ଷା ପାଇଁ ଓ ବର୍ଷା ପାଣିର ସଠିକ ଭାବରେ ଯା’ଆସ ପାଇଁ ନିର୍ମିତ ହୋଇଥିବା ଡ୍ରେନ । ଲୋକମାନଙ୍କର ସୁବିଧାକୁ ଦେଖି ଏହା ନିର୍ମାଣ କରାଯାଇଥିଲା । ମାତ୍ର ସେହି ଡ୍ରେନ ଏବେ ଲୋକମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଜିଲାଖଣିଜ ପାଣ୍ଠିରୁ ବର୍ଷ ୨୦୨୨/୨୨ରେ ୧୦ ଲକ୍ଷ ଟଙ୍କାର ଦୁଇଟି କାର୍ଯ୍ୟାଦେଶରେ ପ୍ରାୟ ପାଞ୍ଚ ଶହ ମିଟରରୁ ଅଧିକ ହେବ ଡ୍ରେନ ନିର୍ମାଣ ହୋଇଛି । ନିର୍ମାଣ ହୋଇଥିବାର ଦେଖିବାକୁ ମିଳୁଛି । ମାତ୍ର ସମ୍ପୂର୍ଣ୍ଣ ଡ୍ରେନ ମୁକୁଳା ହୋଇ ପଡ଼ିଛି । ଠାଏଠାଏ କେତୋଟି ଜାଗାରେ ଡ୍ରେନକୁ ଆବଧ କରାଯାଇଥିବା ସମୟରେ ଡ୍ରେନର ଅନେକାଂଶ ମୁକୁଳା ପଡ଼ିଛି । ଏହାକୁ ନେଇ ଯଖପୁରା ଗ୍ରାମର ଅନେକ ଲୋକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଭିଯୋଗ କରି କହିଛନ୍ତି କି ଡ୍ରେନ କରି ଆମ ପାଇଁ ବିପଦ ଆଣିଛନ୍ତି । ମୁକୁଳା ଡ୍ରେନ ହେବା ଦ୍ୱାରା ଲୋକମାନଙ୍କ ଠାରୁ ଆରମ୍ଭ କରି ଗାଈ ଗୋରୁ ପାଇଁ ଏହା ବିପଦ ସାଜିଛି । ମୁକୁଳା ଡ୍ରେନ ପାଇଁ ସବୁବେଳେ ବିପଦ ରହିଛି । ଡ୍ରେନଟି ଯଖପୁରା ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ନିର୍ମିତ ହୋଇଛି । ଫଳରେ ରାସ୍ତାରେ ଲୋକମାନଙ୍କର ଯିବା ଆସିବା ଲାଗିରହେ । କେତେ ବେଳେ ଯେ ମୁକୁଳା ଡ୍ରେନ ପାଇଁ କାହାର କଣ ହେବ କେହି କହିପାରିବେ ନାହିଁ । ଗାଈଗୋରୁ ଖୋଲାରେ ବିଚରଣ କରୁଥିବାରୁ ସେମାନଙ୍କ ପାଇଁ ମଧ୍ୟ ଏହି ଡ୍ରେନ ବିପଦ ସାଜିଛି । ଡ୍ରେନ ଘୋଡ଼ା ହୋଇ ନଥିବାରୁ ମୁକୁଳା ଡ୍ରେନରେ ପଡ଼ି ଆହତ ହେବାର ସମ୍ଭାବନା ଅଛି । ଯଖପୁରା ଉଚ୍ଚ ବିଦ୍ୟାଳୟ ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ମାନେ ଯିବାକୁ ହେଲେ ଏହି ଡ୍ରେନ ଅତିକ୍ରମ କରି ଯିବାକୁ ପଡୁଛି । ଫଳରେ ଏହି ମୁକୁଳା ଡ୍ରେନ ଛାତ୍ରଛାତ୍ରୀ ପାଇଁ କେତେ ବେଳେ ଯେ ବିପଦ ଆଣି ନଦେବ କିଏ କହିପାରିବ । ପୁଣି ଡ୍ରେନଟି ଯଖପୁରା ଗ୍ରାମରେ ବସୁଥିବା ସାପ୍ତାହିକ ହାଟ ବସୁଥିବାରୁ ଲୋକମାନଙ୍କର ଗହଳି ଲାଗୁଛି । ଫଳରେ ହାଟ ବସିଥିବା ସ୍ଥାନ ଦେଇ ମୁକୁଳା ଡ୍ରେନ ଯାଇଛି ଫଳରେ କିଛି ଦୁର୍ଘଟଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଗ୍ରାମର ଅନେକ ଦୋକାନ ସବୁ ମୁକୁଳା ଡ୍ରେନ କଡେ କଡେ ରହିଛି । ଯେହେତୁ ଦୋକାନ ସବୁ ଅଛି ସେଥିପାଇଁ ଗ୍ରାହକ ମାନଙ୍କ ପାଇଁ ବିପଦ ରହିଛି । ସବୁ ଆଡ଼କୁ ଯଦି ନଜର ଦେବା ନିଶ୍ଚିତ ଭାବରେ କହିପାରିବା କି ମୁକୁଳା ଡ୍ରେନ ଡରାଉଛି । ଆଗାମୀ ଦିନରେ ଡ୍ରେନକୁ ଘୋଡାଇବାର ବ୍ୟବସ୍ଥା ନକରିଲେ କୌଣସି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇନପାରେ ।