ତୁଚ୍ଛା ଆଶାର ପରିଣତି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ତୁଚ୍ଛା ଆଶାର ପରିଣତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଦିନକୁ ଦିନ ମଣିଷର ନୈତିକ ଅଧଃପତନ ଯେଭଳି ଘଟୁଛି, ଚରିତ୍ରର ଅବକ୍ଷୟ ଯେମିତି ହେଉଛି ତାହା ଆଗକୁ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । କେହି ସ୍ୱୀକାର କରିପାରନ୍ତି, ନ କରିପାରନ୍ତି ମଧ୍ୟ । ଅଥଚ ବର୍ତ୍ତମାନ ସମୟର ଲୋକଚରିତ୍ରକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ହେଇଯାଉଛି ।
ଜଡବସ୍ତୁର ବିକାଶ ଯେଉଁ ମାତ୍ରରେ ହେଉଛି ମନୁଷ୍ୟର ମାନବୀୟ ଗୁଣଗୁଡିକ ସେହି ପରିମାଣରେ ମାର୍ଜିତ ତଥା ବିକଶିତ ହେଉନାହିଁ । ଏହା ପଛରେ ରହିଛି ମଣିଷର ହୀନମନ୍ୟତା ଏବଂ ପରଶ୍ରୀକାତରତା । ମଣିଷ ପାଖରେ ଯେଉଁ ମାନବୀୟ ଗୁଣ ରହିବା କଥା, ତାହା କେବଳ ମଣିଷର ମୁହଁର ଭାଷା ହୋଇ ରହିଯାଇଛି । ଦୟା, କ୍ଷମା, ପରୋପକାର, ସେବା ଆଦି ସବୁ ଶୁଣିବାକୁ ଏବଂ ଅନ୍ୟକୁ କହିବାରେ ଦେବାରେ ହିଁ ଭଲ ଲାଗୁଛି । ହେଲେ ବ୍ୟକ୍ତିଗତ ଆଚରଣରେ ଏହାର ପ୍ରତିଫଳନ ଖୁବ୍ କମ୍ । ଦାନ ବଦଳରେ ପ୍ରତିଦାନ ଉପରେ ସର୍ବାୌ ଅପେକ୍ଷା ରହୁଛି । କାହାକୁ କୌଣସି ବି ସାହାଯ୍ୟ କରିବା ପଛରେ ରହୁଛି ପ୍ରତ୍ୟାଶା । ଯାହାକି ପରବର୍ତ୍ତୀ ସମୟରେ ଦୁଃଖର କାରଣ ବି ପାଲଟିଯାଉଛି । ମଣିଷର ଗୁଡେ ତୁଚ୍ଛା ଆଶା, ମଣିଷକୁ ଅମଣିଷ କରି ପକାଉଛି ।
"ମୁଁ ତାର ଅମୁକଟା କରିଥିଲି, କିନ୍ତୁ ସିଏ ମୋର ସମୁକଟା କଲା ନାହିଁ'' ଆଦି କଥା କଥାରେ ମଣିଷ ମୁହଁରେ ଫୁଟି ଉଠୁଛି । ସାମାନ୍ୟ ସହାନୁଭୂତି ମଧ୍ୟ ଆମ ପାଖରେ ରହୁନାହିଁ । ନିଃସ୍ୱାର୍ଥପରତା ଆଜି ବଡ ମହରଗ ଚିଜ । ଆମ ଭାରତୀୟ ଦର୍ଶନ କହେ "ପରହିତ ସରିସ ଧର୍ମ ନହିଁ ଭାଇ, ପରପୀଡା ସମ ନହିଁ ଅଧମାଇ ।" ପରହିତଠୁ ବଳି ଧର୍ମ ଆଉ କିଛି ନାହିଁ । ପର ପୀଡାଠୁ ଅଧର୍ମ ଆଚରଣ ଆଉ କିଛି ନାହିଁ ।
ଜୀବନର ସବୁକ୍ଷେତ୍ରରେ ପ୍ରାପ୍ତି ଓ ପ୍ରତ୍ୟାଶା ରଖି ଜୀବନ ବଞ୍ଚିଲେ କିସ ହେବ ? ସେବାରେ ନେବାର ମନୋବୃତ୍ତି ବା ଆଶା, ଆକାଂକ୍ଷାକୁ ସର୍ବାଗ୍ରେ ରଖନ୍ତୁ ନାହିଁ । ଅନେକ ସମୟରେ ଏହା ହିଁ ଦୁଃଖର କାରଣ ପାଲଟିଯାଏ । ପ୍ରତ୍ୟାଶା ରଖି କୌଣସି ବି କାମ କରିବା ଉଚିତ୍ ନୁହେଁ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।