ଅକ୍ଟୋବରରୁ ବାଘଗଣନା

ଅକ୍ଟୋବରରୁ ବାଘଗଣନା

ଅକ୍ଟୋବରରୁ ଆରମ୍ଭ ହେବ ବାଘଗଣନା ପ୍ରକ୍ରିୟା । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦେଶର ବିଭିନ୍ନ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକଙ୍କୁ ବାଘ ଗଣନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଶିମିଳିପାଳରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବାରିପଦା ସର୍କଲର ଶିମିଳିପାଳ ସମେତ ୭ଟି ଡିଭିଜନ ଡେପୁଟି ଡାଇରେକ୍ଟର, ଡିଏଫଓ, ଏସିଏଫ୍ ଓ ଓ୍ବାଇଲ୍ଡଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଟାଇମ ସିଡ୍ୟୁଲ, ଇକ୍ୟୁପମେଣ୍ଟ, ଟ୍ରାପ କେମେରା ଭଳି ବାଘ ଗଣତି ପାଇଁ ଆବଶ୍ୟକ ଜିନିଷପତ୍ର ବିଷୟରେ ଆଲୋଚନା କରାଯାଇଥିଲା । ଏପ୍ରିଲ ଓ ମେ ମାସ ସୁଦ୍ଧା ଗାର୍ଡ ଓ ଫରେଷ୍ଟର ମାନଙ୍କର ତାଲିମ କାର୍ଯ୍ୟ ସମାପ୍ତ କରାଯିବ । ଅକ୍ଟୋବର ମାସରୁ ବିଭିନ୍ନ ପର୍ଯ୍ୟାୟରେ ଗଣତି ପ୍ରକିୟା ଚାଲୁ ରହିବ । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ଏକ ହଜାରରୁ ଉର୍ଦ୍ଧ ଟ୍ରାପ କେମେରାର ଡାଟା ସଂଗ୍ରହ କରି ଏନଟିସିଏ ପାଖରେ ଦାଖଲ କରାଯିବ । ତେବେ ଏଥର ବାଘ ଗଣନା ରିପୋର୍ଟ ବେସ ସନ୍ତୋଷ ଜନକ ରହିବ ବୋଲି କହିଛନ୍ତି ଶିମିଳିପାଳର ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ। ୨୭୫୦ ବର୍ଗ କିଲୋମିଟର ବ୍ୟାପୀ ଶିମିଳିପାଳ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ । ଶିମିଳିପାଳ କଳାବାଘ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶତାଧିକ ରୟାଲ ବେଙ୍ଗଲ ଟାଇଗରଙ୍କ ଏହା ଆଶ୍ରୟ ସ୍ଥଳ ହୋଇଥିବା ବେଳେ ନିକଟରେ ଏହାର ସଂଖ୍ୟା କମିଯାଇ ୮ରେ ପହଞ୍ଚିଥିଲା । ଯାହା ପରିବେଶ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା । ମାତ୍ର ଶିକାରୀ ଦମନ, ପାଟ୍ରୋଲିଂ ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ପାଇଁ ଏବେ ବାଘ ସଂଖ୍ୟା ବଢିଛି ।

ଅଦ୍ୟାବଧି ୩୯ଟି ବାଘ ରହିଥିବା ବେଳେ ଅଧିକ ସଂଖ୍ୟକ ମିଲେନାଷ୍ଟିକ ପ୍ରଜାତିର ବାଘ ବା କଳାବାଘ ରହିଥ‌ିବା ନେଇ "ଅଲ ଓଡିଶା ଟାଇଗର ଏସଟିମେସନ" ରିପୋର୍ଟରେ ସୂଚନା ପ୍ରକାଶ ପାଇଥିଲା । ତେବେ ନିକଟରେ ବାଘ ଗଣନା ହେବା ନେଇ ଖବର ଆସିବା ପରେ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପ୍ରକୃତି ପ୍ରେମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଏଥର ବାଘ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ଆଶା ମଧ୍ୟ ବାନ୍ଧିଛନ୍ତି । ପୂର୍ବରୁ ଶିମିଳିପାଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ତାଳମେଳ ରହିନଥିବା ବେଳେ ଶିକାରୀ ଦମନ ଯୋଗୁଁ ବାଘ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି ।