ଜମ୍ମୁ-କାଶ୍ମୀର ଓ ନିର୍ବାଚନ


  ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ଏବଂ ରାଜ୍ୟମାନ୍ୟତା ରଦ୍ଦ କରି ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପରିଣତ ହେବା ଇତିମଧ୍ୟରେ ୫ବର୍ଷ ପୂରଣ ହୋଇଛି । ୨୦୧୯ ଅଗଷ୍ଟ ୫ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନର ୩୭୦ଧାରା ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମର୍ଯ୍ୟଦା ରଦ୍ଦ କରିଦେଇଥିଲେ । ଏଥି ସହ ସମ୍ବିଧାନର ଧାରା ୩ ଅନୁଯାୟୀ ପାର୍ଲିଆମେଂଟ ପ୍ରଥମ ଥର ପାଇଁ ନିଜର କ୍ଷମତା ପ୍ରୟୋଗ କରି ଜାମ୍ମୁ-କାଶ୍ମୀରର ରାଜ୍ୟାପାହ୍ୟ ମର୍ଯ୍ୟାଦା ପ୍ରତ୍ୟାହାର କରିବା ସହ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପରିଣତ କରିଥିଲେ । ଏହା କରି କେନ୍ଦ୍ର ସରକାର ତିନୋଟି ବାର୍ତ୍ତା ଦେଇଥିଲେ । ପ୍ରଥମତଃ ଜାମ୍ମୁ-କାଶ୍ମୀରର ବିପଦଜନକ ରାଜନୈତିକ ଓ ନିରାପତା କ୍ଷମତା ରାଜ୍ୟ ସରକାରଙ୍କ ହାତରେ ନରହି କେନ୍ଦ୍ର ଏବଂ ଏହାଦ୍ୱାରା ନିଯୁକ୍ତି ବ୍ୟକ୍ତିଙ୍କ ହାତରେ ରହିଲା । ଦ୍ୱିତୀୟରେ ଜାମ୍ମୁ-କାଶ୍ମୀର ଏକ ନିର୍ବିବାୟୀୟ ଅଂଚଳ ଓ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଏହି ବାର୍ତ୍ତା ପାକିସ୍ଥାନ ସହ ସମଗ୍ର ବିଶ୍ୱକୁ ଦେଇଥିଲେ । ତୃତୀୟ ବିଧାନସଭାକୁ ଭଙ୍ଗ କରିଦେଇଥିଲେ । ଭାରତ ଏକ ସଂଘୀୟ ରାଷ୍ଟ୍ର ଏବଂ  ଜାମ୍ମୁ-କାଶ୍ମୀର ଏହାର ଅଂଶ ବିଶେଷ ଏହି ସନେ୍ଦଶ ଦେଇଥିଲେ ।       
ତେବେ ଦୀର୍ଘ ୪ବର୍ଷ ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ମୋହର ମାରିଥିବାବେଳେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ବିଧାନସଭା ନିର୍ବାଚନ କରାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ।  ଉଲ୍ଳେଖଯୋଗ୍ୟ ଯେ, ଏହି ଅବଧି ମଧ୍ୟରେ ଉଭୟ ଅର୍ଥନୈତିକ ଏବଂ ସରକାରୀ ପରିଚାଳନା କ୍ଷେତ୍ରରେ ଜାମ୍ମୁ-କାଶ୍ମୀର  ବିଶେଷ ଲାଭବାନ ହୋଇଛି । ୧୦୦୦ରୁ ସରକାରୀ ସେବାକୁ ଡିଜିଟାଲ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଦ୍ୱାରା ଘୋଷିତ ୬୦୦୦ କୋଟି ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି କିମ୍ବା ସମ୍ପୂର୍ଣ୍ଣ ହେବାର ନିକଟତର ହୋଇଛି । ସେହିପରି ୨୦୨୦ରେ କେନ୍ଦ୍ରଶାସିତ ଅଂଚଳକୁ ୩.୪ ମିଲିଅନ ପର୍ଯ୍ୟଟକ ଆଗମନ ଘଟିଥିବାବେଳେ ୨୦୨୩ରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୧.୧ ମିଲିୟନକୁ ବୃଦ୍ଧି ପାଇଥିଲା ।  ଆହୁରି ମଧ୍ୟ ୨୦୨୪ର ପ୍ରଥମ ୬ମାସରେ ପର୍ଯ୍ୟଟକ ସଂଖ୍ୟା ୨୦୨୩ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଥିବା ସରକାରୀ ରିପୋର୍ଟ କହେ । ସେହିପରି ନିରାପତ୍ତା କ୍ଷେତ୍ରରେ ଅଭେଦ୍ୟ ସୁରକ୍ଷା ବଳୟ ଯୋଗୁଁ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବା ସହ କାଶ୍ମୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି । ଜନସାଧାରଣଙ୍କ ମନରୁ ଭୟର ବାତାବରଣ ମଧ୍ୟ ଦୂର ହୋଇଛି । ଏହା ସତ୍ତ୍ୱେ ସୀମାପାର ଅନୁପ୍ରବେଶକାରୀ ଏବେ ପୁଣି ସକ୍ରିୟ ହୋଇଛନ୍ତି । ଆତଙ୍କବାଦୀମାନେ ଏବେ କାଶ୍ମୀର ଉପତ୍ୟକା ଛାଡି ଜାମ୍ମୁ-ଅଂଚଳରେ ସକ୍ରିୟ ହେବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୁଣି ଜୋରଦାର କରିଛନ୍ତି । ଜାମ୍ମୁ ଅଂଚଳରେ ଗତ ମାସରେ ଆତଙ୍କବାଦୀ ହିଂସା ୧୨ଜଣ ନିହତ ହୋଇଛନ୍ତି । ସେହିପରି ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୪୮ଜଣ ଆତଙ୍କୀ ଗୁଳିରେ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ବହୁ ସାଧାରଣ ଲୋକ ଓ ଯବାନ ରହିଛନ୍ତି ।   ଗତ ଲୋକସଭା ନିର୍ବାଚନରେ ହାରାହାରି ୫୮.୬ ପ୍ରତିଶତ ଭୋଟ ଦାତା ନିଜର ମତସାବ୍ୟସ୍ତ କରିଥିଲେ, ଯାହାକି ଗତ ୩୫ବର୍ଷ ମଧ୍ୟରେ ସର୍ବୋଚ୍ଚ ଥିଲା । କେବଳ ଏତିକି ନୁହେଁ, ଭୋଟଦାତା ନିର୍ଭୟରେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ସେମାନେ ଯେ, ଭାରତୀୟ ଏହି ସନେ୍ଦଶ ସାରା ବିଶ୍ୱକୁ ଦେଇଛନ୍ତି ।  ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ହେବ । ଏନେଇ ଭାରତର ନିର୍ବାଚନ କମିଶନ ଇତି ମଧ୍ୟରେ ଜାମ୍ମୁ-କାଶ୍ମୀର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି । ନିର୍ବାଚନ ନେଇ ଖୁବ ଶୀଘ୍ର ଘୋଷଣା ଆଶା କରାଯାଏ । ତେବେ ଜାମ୍ମୁ-କାଶ୍ମୀରକୁ ପୁନର୍ବାର ରାଜ୍ୟପାହ୍ୟ ପ୍ରଦାନ ଦାବି ଏବେ ଜୋର ଧରିଲାଣି । ଅବଶ୍ୟ ଏନେଇ କେନ୍ଦ୍ର ସରକାର ସବୁଜ ସଂକେତ ଦେଇସାରିଲେଣି । କେନ୍ଦ୍ରୀୟ ଶାସନାଧୀନ କେନ୍ଦ୍ରଶାସିତ ଅଂଚଳ ରହିଥିବା ବେଳେ ଉଭୟ ଅଂଚଳରେ ପାନୀୟ ଜଳ ଓ ବିଦୁ୍ୟତ ଅଭାବ ଉକôଟ ହୋଇଛି, ଯେଉଁଥିପାଇଁ ବିଭିନ୍ନ ଅଂଚଳରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଏ । ରାଜ୍ୟର ନିର୍ବାଚିତ ନିଜର ସମସ୍ୟା ସମାଧାନ କରିବା ସହ ଶାନ୍ତି, ସ୍ଥିରତା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବେ । ଏହା ସତ୍ତ୍ୱେ ଭାରତର ଭୂସ୍ୱର୍ଗ ଭାବେ ପରିଚିତ ଜାମ୍ମୁ-କାଶ୍ମୀରର ହୃତଗୌରବ ଫେରାଇ ଆଣିବା ଏବଂ ଆତଙ୍କବାଦ ମୂଳୋତ୍ପାଟନ ଏବେ ବି କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଭାବେ ରହିଛି ।
ସୌଭାଗ୍ୟ ରଞ୍ଜନ ମହାନ୍ତି ,ମୋ:୯୪୩୭୯୯୪୩୭୯