ଟଳମଳ ସ୍ଥିତିରେ ଭୂତଳ ଜଳ
ବର୍ତ୍ତମାନ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ପାଇବା ଏକ ବିରଳ ଘଟଣା ହୋଇପଡୁଛି । ସେଥିପାଇଁ ନିଜ ଘର ଓ ଜମିର ଭୂଗର୍ଭରେ ଥିବା ଜଳଉତ୍ସ ଉପରେ ଲୋକଙ୍କର ଆଉ ଭରସା ନାହିଁ କି ବିଶ୍ୱାସ ନାହିଁ । କୂଅ ପାଣି ଉପରେ କେହି ଆସ୍ଥା ସ୍ଥାପନ କରିପାରୁନାହାନ୍ତି । ଏହି କାରଣ ଯୋଗୁଁ ସମସ୍ତଙ୍କ ଘରେ ଗଭୀର ନଳକୂପ । ମୋଟର ଲଗାଯାଇ ପାଣିକୁ ଉପରକୁ ଉଠାଯାଉଛି । ଏହା ସତ୍ତ୍ୱେ ବି ଲୋକଙ୍କର ପାଣି ଉପରେ ବିଶ୍ୱାସ ନାହିଁ । ବିଶ୍ୱାସ ନଥିବା ହେତୁ ଜାର୍ ଆଉ ବୋତଲରେ ପ୍ୟାକ୍ ହୋଇ ମିଳୁଥିବା ପାଣି କିଣି ଲୋକମାନେ ପିଇଲେଣି । ଲୋକମାନଙ୍କର ଏ ପ୍ରକାରର ଅଭ୍ୟାସକୁ ଦୃଷ୍ଟିରେ ରଖି ବେଲଗାମ୍ ଭାବରେ ବିଭିନ୍ନ କମ୍ପାନୀ ପାଣି ବିକ୍ରି କରିବା ପାଇଁ ବଜାରରେ ପହଞ୍ଚି ଗଲେଣି । ସେଥିମଧ୍ୟରୁ କେଉଁ ପାଣିର ମାନ କଣ ତାହା ଜାଣିବାର କୌଣସି ଉପାୟ ମଧ୍ୟ ନାହିଁ । ଏହାର କାରଣ ହେଲା ବଜାରରେ ବିକ୍ରି ହେଉଥିବା ପାଣିର ମାନ ପରିକ୍ଷା ନିମିତ୍ତ ସାଧାରଣ ଲୋକଙ୍କ ହାତପାହାନ୍ତାରେ କୌଣସି ବ୍ୟବସ୍ଥା ନାହିଁ । ପ୍ରତି ଲକ୍ଷେ ଲୋକରେ ୧୦ ଜଣ ମଧ୍ୟ ପିଇବା ପାଣିର ମାନ ପରିକ୍ଷା ସମ୍ପର୍କିତ ଲାବରାଟୋରୀ କେଉଁଠି ଅଛି ହୁଏତ ଜାଣିଥାଇ ପାରନ୍ତି । ଏତକ ମାତ୍ର ଲୋକଙ୍କୁ ବାଦ୍ ଦେଲେ ଅନ୍ୟ କାହାରିକୁ ବି ଜଣାନାହିଁ । ଛୋଟ ଛୋଟ ପ୍ଲଟ୍ରେ ଘର କରି ପ୍ରତ୍ୟେକ ଗୃହସ୍ଥ ଗଭୀର ନଳକୂପ ଖୋଳି ନିଜ ପ୍ଲଟ୍ରୁ ପାଣି ଉଠାଉଛନ୍ତି । ଅନ୍ୟପକ୍ଷରେ ସେହି ନିଜ ପ୍ଲଟ୍ ଉପରେ ସ୍ୱେରେଜ୍ ଟାଙ୍କି ଏବଂ ବ୍ୟବହାର୍ଯ୍ୟ ଜଳର ନଳା ରହିଛି । ପାଣିର ମାନ ପରୀକ୍ଷା ନିମିତ୍ତ କୌଣସି ସୁବିଧା ହାତପାହାନ୍ତାରେ ନଥିବାରୁ ଲୋକମାନେ କେବଳ ଏକ ଆତ୍ମବିଶ୍ୱାସରେ ନିଜ ପ୍ଲଟ୍ର ବୋର୍ୱେଲ୍ ପାଣିକୁ ପିଇ ଯାଉଛନ୍ତି ।
ଏଣେ ସରକାରୀ ଭାବରେ ଭୁବନେଶ୍ୱର ଭୂତଳ ଜଳସ୍ଥିତି ଭୟଙ୍କର ବୋଲି ପ୍ରକାଶ ପାଇଲାଣି । ସମଗ୍ର ରାଜ୍ୟରେ ଭୂଗର୍ଭସ୍ଥ ଜଳସ୍ତର ହ୍ରାସ ପାଉଥିବା ଲକ୍ଷ୍ୟ କରାଗଲାଣି । ବର୍ଷେ, ଦୁଇ ବର୍ଷ ଭିତରେ ଜଳସ୍ତରର ହ୍ରାସକୁ ଅନୁଭବ କରିହେଉ ନାହିଁ । କିନ୍ତୁ ୧୦ ବର୍ଷ ଭିତରେ ଜଳସ୍ତର କେତେ ତଳକୁ ଖସିଯାଉଛି, ତାହାର ଅଧ୍ୟୟନ କରିଲେ ପାନୀୟ ଜଳର ସ୍ଥିତି କେତେ ଭୟଙ୍କର ଜଣାପଡ଼ିଯାଉଛି । ଆସନ୍ତା ୧୦ରୁ ୧୫ ବର୍ଷ ଭିତରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଆପାତୀତ ଭାବରେ ଜଳସ୍ତର ନିମ୍ନଗାମୀ ହେଉଛି । ହୁଏତ ଏଭଳି ଏକ ସମୟ ଆସିବ ଖରାଦିନରେ ଆଉ ଗଭୀର ନଳକୂପ ଗୁଡ଼ିକ ପାଣି ଯୋଗେଇ ପାରିବେ ନାହିଁ । ଭୂଗର୍ଭସ୍ଥ ଜଳସ୍ତର ହ୍ରାସକୁ ନେଇ ୨୦୨୦ ମସିହାରେ ୬ଟି ବ୍ଲକ୍ ସେମି କ୍ରିଟିକାଲ୍ ସ୍ଥିତିରେ ପହଞ୍ଚିଥିବା ବେଳେ ଏହି ୪ ବର୍ଷ ଭିତରେ ଆଉ ୩ଟି ବ୍ଲକ୍ରେ ସେମି କ୍ରିଟିକାଲ୍ ଅବସ୍ଥା ଦେଖା ଦେଲାଣି । ଏହାର ଅର୍ଥ ହେଲା ବ୍ଲକ୍ରେ ଯେତିକି ପାଣି ତଳକୁ ତଳକୁ ଯାଉଛି, ତାହାର ମାତ୍ର ଶତକଡ଼ା ୭୦ ଭାଗ ଉତ୍ତୋଳନ କରାଯାଉଛି । ଏହିଭଳି ବ୍ଲକ୍ ଗୁଡ଼ିକ ମଧ୍ୟରୁ ଭୁବନେଶ୍ୱର ସବୁଠାରୁ ଆଗରେ ରହିଛି । ବର୍ଷାଦିନେ ଭୂଗର୍ଭରେ ସଞ୍ଚିତ ହେଉଥିବା ଜଳର ପରିମାଣର ୮୬ ପ୍ରତିଶତ ବୋର୍ୱେଲ୍ ମାଧ୍ୟମରେ ଉତ୍ତୋଳନ କରାଯାଉଛି । ଯଦି ଏହି ପରିସ୍ଥିତିରେ କୌଣସି ଉନ୍ନତି ନ ଘଟେ କିମ୍ବା ଭୂମିର ଜଳଧାରଣ କ୍ଷମତାରେ ଉନ୍ନତି ନ ଘଟେ, ତାହା ହେଲେ ଆସନ୍ତା ଦିନମାନଙ୍କରେ ଖରାଦିନେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବ । ତେଣୁ ଏବେ ଠାରୁ ବର୍ଷାଜଳ ସଂଗ୍ରହ ଓ ସଂରକ୍ଷଣ ଉପରେ ବିଭିନ୍ନ ପ୍ରକାରର ପଦକ୍ଷେପ ନ ନେଲେ ଏବଂ ରାସ୍ତା ଗୁଡ଼ିକୁ ସିମେଣ୍ଟ୍ ବ୍ଲକ୍ରେ ଆଚ୍ଛାଦନ କରି ଦେଲେ ଆସନ୍ତା ଦିନରେ ରାସ୍ତା ସୁନ୍ଦର ହେବ ସତ ହେଲେ ପିଇବାକୁ ପାଣି ଟୋପାଏ ମିଳିବ ନାହିଁ ।