ଅଜଣା ଜଗତର ଡାକ (୨୨)
ଅଶୋକ ବିଶ୍ୱାଳ :
ଶୋମ୍ପେନ ପରିବାରରେ ଜଣକରୁ ନେଇ ଦଶଜଣ ପର୍ଯ୍ୟନ୍ତ ସଦସ୍ୟ ହୋଇପାରନ୍ତି । ସାଧାରଣତଃ ଏକ ଛାତ ତଳେ ଏକା ରୋଷେଇରୁ ଖାଉଥିବା ବ୍ୟକ୍ତିମାନଙ୍କୁ ପରିବାରର ସଦସ୍ୟ କୁହାଯାଇପାରିବ । ଶୋମ୍ପେନ ସମାଜରେ ଘରର ମୁଖ୍ୟ ଅଛନ୍ତି । ଘରର ବୟସ୍କ ବ୍ୟକ୍ତି ସାଧାରଣତଃ ମୁଖ୍ୟ ହୋଇଥାନ୍ତି । ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ବନ୍ଧ ଥାଏ । ଶୋମ୍ପେନ ମହିଳମାନେ ଲୁହା ବା ପ୍ଲାଷ୍ଟିକର ଚୂଡି ପିନ୍ଧିଥାନ୍ତି । କାନରେ ବଡ କଣା ଥାଏ ଯେମିତିକି ଏକ ପ୍ରାୟ ୫ ସେମି ଗୋଲାଇର ବାଉଁଶ କାନରେ ପିନ୍ଧାଯାଇପାରେ ।
ଅସୀମ ଏମିତି ବହୁ ତଥ୍ୟ ଏକାଠି କରିନେଲେ । ଏବେ ତାଙ୍କର ଗ୍ରେଟ ନିକୋବରର ଏକ ଜଙ୍ଗଲୀ ମଣିଷ ଉପରେ କିଛି ବିଚାର ଆସିଯାଉଥିଲା । ତଥାପି ମନରେ କଳା ରଙ୍ଗ ଆସୁଥିଲା । ଲୋକଗୁଡା ଯାହାହେଲେ ବେଶି କଳା ନୁହନ୍ତି । କିନ୍ତୁ ନିକୋବରୀଙ୍କଠାରୁ କଳା । ଜଙ୍ଗଲରେ ରହିଲେ କ’ଣ ଶ୍ୟାମଳ ହୋଇଯାଆନ୍ତି ନା କି? ଶର୍ବରୀଙ୍କ ସହ ଯାଇ ଦେଖିଥିଲେ ଯେ ସେମାନେ ନିକୋବରୀଙ୍କ ପାଖକୁ ଯାଇ କିଛି ଗୁଆ ଭଳି ଜିନିଷ ଦେଇ କପଡା ସଂଗ୍ରହ କରୁଥିଲେ । ଅନ୍ଧାରରୁ ବାହରିବାର ଚେଷ୍ଟା ଅଛି ନିଶ୍ଚୟ । କିନ୍ତୁ ସେ ଆହୁରି କିଛି ଦେଖି ଜଙ୍ଗଲୀ ମଣିଷକୁ ନିଜ ହିସାବରେ ରୂପ ଦେବେ ।
“ସେମାନେ ଭଲଭାବେ ଦୌଡି ପାରିବେନି ।”- ୩୫ କିମିର କ୍ୟାମ୍ପବାବୁ ଉଦୟରାଜ ଏଇଟା ଅବଶ୍ୟ ପରେ କହିଥିଲେ ।
ଅସୀମ ସେଦିନ ଉଦୟରାଜ ବାବୁଙ୍କୁ ଆଶ୍ଚର୍ଯ୍ୟ ହୋଇ ସିଧା ଚାହିଁଥିଲେ । ଉଦୟରାଜ ଏକ ମଧ୍ୟ ବୟସ୍କ ବ୍ୟକ୍ତି । ପେଟଟା ଶରୀର ହିସାବରେ ବଡ । କିନ୍ତୁ ବଡ ଆମାୟିକ ବ୍ୟକ୍ତି । କଥାବାର୍ତ୍ତା ଆଉ ବ୍ୟବହାର ବଡ ଭଦ୍ର । ଅସୀମÿ କିନ୍ତୁ ଏକ ଜଙ୍ଗଲୀ ମଣିଷକୁ ଏକ ବଡ ଦୌଡାଳୀ ବୋଲି ଭାବିଥିଲେ । ସେଇଆ ତ ସେ ଏପର୍ଯ୍ୟନ୍ତ ପଢି ଆସିଛନ୍ତି । କେଉଁ ଜଙ୍ଗଲୀ ମଣିଷକୁ ଅବଶ୍ୟ ପାଖରୁ ଦେଖିନାହାନ୍ତି । ଉଦୟରାଜ ବାବୁ ହୁଏତ ଠିକ କହୁଥିବେ । କିମ୍ବା ହୁଏତ ଆଉ କିଛି ଦେଖିଲା ପରେ ଅସୀମ ନିଜ ମତ ପରିବର୍ତ୍ତନ କରିବେ ।
“ମୁଁ ଏକ ଶୋମ୍ପେନକୁ କାମରେ ରଖିଛି ।”
“ଶୋମ୍ପେନମାନେ କାମ କରୁଛନ୍ତି?”
“ନା, ସେମାନେ କାହାର କାମ କରନ୍ତିନି । କିନ୍ତୁ ମୁଁ ତା’କୁ କହିଲି ଶୋମ୍ପେନ ହୁଡି ତିଆରି କରିବା ପାଇଁ । ଆଉ ସେ ଏକ ଘର ସଜାଇବା ହୁଡି ତିଆରି କଲା । ସେଇଟା ମୁଁ ତାଠାରୁ ନେଲି ଆଉ ପ୍ରତି ବଦଳରେ ତା’କୁ କିଛି ଚାଉଳ ଦେଲି ।”
“ଭଲ କଲେ । ସେମାନଙ୍କୁ କିଛି ମିଳିଲା । ଆଉ କାମ ବଦଳରେ ବେତନ ମିଳିଲା ।”
“କେବଳ ଚାଉଳ ବାଣ୍ଟିଥିଲେ ସେମାନେ ହୁଏତ ଭିକାରୀ ଭଳି ବ୍ୟବହାର କରୁଥାନ୍ତେ ।”- ଉଦୟରାଜ କହିଲେ ।
ଅସୀମ ଭାବିଲେ ଠିକ କଥା । ଏକ ଆଦିମ ଅଧିବାସୀ କ’ଣ ପାଇଁ ସରକାରୀ ଅନୁଦାନ ଉପରେ ନିର୍ଭର କରିବ? ସେମାନେ କେଉଁ ହଜାର ହଜାର ବର୍ଷ ଆଗରୁ ଜଙ୍ଗଲ ଉପରେ ନିର୍ଭର କରି ରହିଛନ୍ତି । ସେମାନଙ୍କୁ ସବୁ ପୋଷକତତ୍ତ୍ୱ ଜଙ୍ଗଲରୁ ମିଳୁଛି । କିଛି ଆବଶ୍ୟକ ଜିନିଷ ପାଇଁ ସେମାନେ ନିକୋବରୀଙ୍କ ସହ ବାର୍ଟର ସିଷ୍ଟମ ମାଧ୍ୟମରେ ପାଉଛନ୍ତି । ଜିନିଷ ଅଦଳବଦଳ ହେଉଛି । ସେମାନେ କିଛି ଦେଇ କିଛି ପାଉଛନ୍ତି । ସରକାରୀ ଅନୁଦାନରେ ସେମାନେ କିଛି ନଦେଇ ସରକାରଙ୍କଠାରୁ ସାହାର୍ଯ୍ୟ ପାଉଛନ୍ତି । ଏହା ଏକ ଭଲ ସିଷ୍ଟମ ନୁହେଁ । ସେଇଟା ଅସୀମଙ୍କୁ ଭୁଲ ଲାଗେ । ଉଦୟରାଜ ବାବୁ ଯାହାହେଉ ଏକ ଭଲ ନିୟମ ନିଜ ହିସାବରେ ନିଜ କ୍ୟାମ୍ପରେ ପ୍ରବର୍ତ୍ତନ କରିଛନ୍ତି । ଜଙ୍ଗଲୀ ମଣିଷ ପାଇଁ ପ୍ରଥମରୁ ଏମିତିି ନିୟମ ମାନେ ବୋଲି ତାଙ୍କ ମନରେ କିଏ କହୁଥିଲା । ଜଙ୍ଗଲୀ ମଣିଷ ବିନା ପରିଶ୍ରମରେ କିଛି ନିଏନା । କାରଣଟା ତ ଜଙ୍ଗଲ । ଜଙ୍ଗଲରେ ବିନା ଉଦ୍ୟମରେ କିଛି ମିଳେନା । ଏ ଜ୍ଞାନ ଜଙ୍ଗଲୀ ମଣିଷ ପାଖରେ ଜନ୍ମରୁ ଅଛି ।
“ଆପଣ ସେ ହୁଡି ଦେଖିବେ?”
ତାପରେ ଉଦୟରାଜ ହୁଡି ନେଇଆସିଲେ । ବଡ କାରିଗରୀ ସହ ପିଲାଟା ହୁଡି କରଛି । ଠିକ ବଡ ହୁଡିର ମିନିଏଚର । ଚାକୁରେ ପରିଷ୍କାର କରି ସଫା କରିଛି । ଶୋମ୍ପେନମାନେ କିଛି କାରୁକାର୍ଯ୍ୟ କରିପାରନ୍ତି ବୋଲି ଅସୀମ ଭାବିପାରିନଥିଲେ । ସେମାନଙ୍କର ଘରେ ସେମିତି କିଛି ସୁନ୍ଦର ବଢେଇ କାମର ସାମଗ୍ରୀ ନାହିଁ । ପିଲାଟା ବୋଧେ ନିକୋବରୀମାନଙ୍କ ପାଖରୁ କାମ ଦେଖି ଦେଖି ଶିଖିଛି ।
“ସେ ଟୋକା ଆସେ?”
“କେବେକେବେ କ୍ୟାମ୍ପକୁ ଆସିଯାଏ । କିନ୍ତୁ ସେ ତା’ ପରିବାର ସହ ଜଙ୍ଗଲରେ ରୁହେ ।”
“ତା ନାଁ ଅଛି?”
‘କାଗଜ’ ।
‘କାଗଜ’!
“ଏଇଟା ତା’ ପ୍ରକୃତ ନାଁ କି ନୁହେଁ ଜାଣିନି । ପ୍ରକୃତ ନାଁ ହୋଇନଥିବ । କିନ୍ତୁ ଆମେ ତା’କୁ ଡାକୁଛୁ ‘କାଗଜ’ ଆଉ ଟୋକାଟା ଉତ୍ତର ଦିଏ ।”
କିଛି ନାମ ବାରବାର ଡାକିଲେ ତାହା ପ୍ରକୃତ ନା ବୋଲି ମଣିଷଟି ମନେକରେ । ଆଉ ଏ ‘କାଗଜ’ ବୋଧେ ଏକ ନୂଆ ନାଁ, ଯାହାକୁ ଟୋକାଟା ନିଜର ପରିଚୟ ଭାବିଛି । ଜଙ୍ଗଲୀ ଲୋକର ଏକ ନାମ ଅଛି । ମଣିଷମାନେ ଏକ ଶବ୍ଦ ସହ ଯୋଡି ହୋଇଯାଆନ୍ତି । ମଣିଷ କ’ଣ, ପ୍ରାୟ ସବୁ ପ୍ରାଣୀ ଏକ ଏକ ଶବ୍ଦ ସହ ଯୋଡିହୋଇଥାନ୍ତି । ସେହି ଶବ୍ଦକୁ ସେମାନେ ବେଶି ଚିହ୍ନିଥାନ୍ତି । (କ୍ରମଶଃ)