ନିଶାମୁକ୍ତ ଶିକ୍ଷାନୁଷ୍ଠାନ

ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକର ନିକଟରେ କୌଣସି ପ୍ରକାରର ତମାଖୁ ଜାତୀୟ ପଦାର୍ଥ ବିକ୍ରି ହୋଇନପାରିବା ଭଳି ଏକ ନିୟମ ରାଜ୍ୟ ସରକାରୀ ୨୧ ବର୍ଷ ତଳେ କରିଥିଲେ । ଏହି ନିୟମ ଅନୁଯାୟୀ ଯେ କୌଣସି ଶିକ୍ଷାନୁଷ୍ଠାନର ଶହେ ମିଟର ଦୂରତା ମଧ୍ୟରେ ସିଗାରେଟ୍, ଗୁଟ୍ଖା ଆଦି  ଦୋକାନ ରହିବ ନାହିଁ । ୨୦୦୩ ମସିହାରୁ ଏହି ଆଇନ୍କୁ ଲାଗୁ କରାଯାଇଛି । ତେବେ ଗତ ୨୧ ବର୍ଷ ମଧ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏ ପ୍ରକାରର ଏକ ନିୟମ ରହିଥିବା କଥା ଜାଣି ହେଉନାହିଁ । ଶିକ୍ଷାନୁଷ୍ଠାନ ଗୁଡ଼ିକ ନିକଟରେ ବର୍ତ୍ତମାନ ବିଭିନ୍ନ କମ୍ପାନୀର ଗୁଟ୍ଖା, ସିଗାରେଟ୍, ପୁଡ଼ିଆ, ବିଡ଼ି ଆଦି ଖୋଲାଖୋଲି ବିକ୍ରି ହେଉଛି । ଆଉ କେତେକ ସ୍ଥାନରେ ଗଞ୍ଜେଇ, ବ୍ରାଉନ୍ସୁଗାର, ଭାଙ୍ଗ ଆଦି ମିଳୁଥିବାର ଅଭିଯୋଗ ମଧ୍ୟ ହେଉଛି । ବିଶେଷ କରି ଛୋଟ ଛୋଟ ଟିଣ ଏବଂ ପଟା ନିର୍ମିତ କେବିନ୍ରେ ଏଭଳି ଦୋକାନ ଖୋଲା ଯାଉଥିବାରୁ ଏହା  ଉପରେ ନିୟନ୍ତ୍ରଣ କରାଯିବା ସହଜ ହେଉନାହିଁ । କାରଣ ଏଗୁଡ଼ିକୁ ମନଇଚ୍ଛା ଉଠେଇ ନେବା ମଧ୍ୟ ସହଜ ହେଉଛି । କେହି ଅଭିଯୋଗ ନ କରିଲେ ମଧ୍ୟ ପୁଲିସ୍ ପକ୍ଷରୁ ଏଭଳି ଦୋକାନଗୁଡ଼ିକୁ ହଟେଇବା ପାଇଁ ଚେଷ୍ଟା କରାଯିବା ଉଚିତ୍ । ବର୍ତ୍ତମାନ ସମୟରେ ସ୍କୁଲ୍ ନିକଟସ୍ଥ ଏହିଭଳି ଦୋକାନ ଗୁଡ଼ିକରେ ବିସ୍କୁଟ୍, ବ୍ରେଡ୍, ଚକୋଲେଟ, କେକ୍ ଆଦି ଜଳଖିଆ ଜାତୀୟ ପଦାର୍ଥ ବିକି୍ର ହେଉଥିବାରୁ ଛାତ୍ରଛାତ୍ରୀମାନେ ଏହିସବୁ ଦୋକାନକୁ ସିଧାସଳଖ ଆସୁଛନ୍ତି । କିଛି ଛାତ୍ରଛାତ୍ରୀମାନେ ମଧ୍ୟ ଗୁଟ୍ଖା, ପୁଡ଼ିଆ ଭଳି ଖରାପ ଅଭ୍ୟାସରେ ପଡ଼ିଯାଇଥିବା ଦେଖାଯାଉଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏ ପ୍ରକାରର ଦୋକାନ ବିରୁଦ୍ଧରେ ଅଭିଯୋଗ କରିବାକୁ ସାହସ କରୁନାହାନ୍ତି । ତମାଖୁ ନିୟନ୍ତ୍ରଣ କମିଟି ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନ ନିକଟରେ ବିକ୍ରି ହେବା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହିଁ । ରାଜଧାନୀରୁ ଆରମ୍ଭ କରି ସାରା ରାଜ୍ୟରେ ଏହିଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ରାଜଧାନୀରେ ଘରୋଇ ବିଦ୍ୟାଳୟର ସଂଖ୍ୟା ଅଧିକ ଥିବାରୁ ସେମାନେ ସ୍ଥାନୀୟ ଲୋକଙ୍କ ସହିତ ବିବାଦ କରିବାକୁ ଚାହୁଁନାହାନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ପରିସ୍ଥିତି ଭିନ୍ନ । ଏଠାରେ ସରକାରଙ୍କ ଆଇନ୍କୁ ପାଳନ କରିବା କ୍ଷେତ୍ରରେ ଗ୍ରାମ କମିଟି, ଛାତ୍ର ଅଭିଭାବକ ଆସୋସିଏସନ୍ ଆଦି ବିଭିନ୍ନ ମଞ୍ଚ ରହିଛି । ସେମାନେ ଏ ପ୍ରକାରର ବେଆଇନ୍ କାର୍ଯ୍ୟକୁ ବିରୋଧ କରିପାରିବେ କିନ୍ତୁ କରୁନାହାନ୍ତି । ସ୍କୁଲ୍ ନିକଟରେ ତମାଖୁଜାତ ପଦାର୍ଥର ବିକ୍ରି ହେଲେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏହାର କୁପ୍ରଭାବ ଭୋଗୁଛନ୍ତି । ସ୍କୁଲ୍ ନିକଟରେ ଅସାମାଜିକ ଗୋଷ୍ଠୀ ଟହଲ ମାରିବାର ମୂଳ କାରଣ ହେଲା ଏହିସବୁ ଛୋଟ ଛୋଟ କେବିନ୍ ଦୋକାନ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ପରିବେଶକୁ ନିର୍ମଳ ରଖିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ମୂଷ୍ଟିମେୟ କିଛି ଲୋକ ଦୋକାନ କିମ୍ବା କେବିନ୍ ଦୋକାନ ଖୋଲି ଶିକ୍ଷା ବାତାବରଣକୁ ଦୂଷିତ କରି ଦେଉଛନ୍ତି । ଏଭଳି ପରିସ୍ଥିତି ଉପରେ କେହି ଅଭିଯୋଗ ନ କରିଲେ ମଧ୍ୟ ପୁଲିସ୍ ପକ୍ଷରୁ ନିଜ ଆଡୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସବୁ କ୍ଷେତ୍ରରେ ଅଭିଯୋଗ ଆସିଲେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଅପେକ୍ଷା କରିବା ଉଚିତ୍ ନୁହେଁ । ଯଦି କୌଣସି ଆଇନ୍ ଅଛି ଏବଂ ଆଇନ୍ର ଉଲଙ୍ଘନ ହେଉଛି ସେ କ୍ଷେତ୍ରରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ବିଦ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ଶିକ୍ଷାର ପରିବେଶକୁ କୌଣସି ବି ପରିସ୍ଥିତିରେ କଳୁଷିତ ହେବାକୁ ଦିଆଯିବା ଅନୁଚିତ୍ । ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ ଠାରୁ ଶହେ ମିଟର ଦୂରରେ ସରକାରୀ ମଦ ଦୋକାନ ରହିଥିବା ଦେଖାଗଲାଣି । ଅବଶ୍ୟ ଏଭଳି ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅଧିକାଂଶ ହେଉଛି ଘରୋଇ ଶିକ୍ଷାନୁଷ୍ଠାନ । ସରକାରଙ୍କର କେତେକ ନିୟମ ଭିତରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଚାଲିଛି । କେବଳ କାଗଜପତ୍ରରେ ଏହି ନିୟମକୁ ଦେଖାଇ ପ୍ରତ୍ୟକ୍ଷ ଭାବରେ ସେସବୁ ନିୟମକୁ ସମସ୍ତେ ଆଖି ବୁଜି ଦେଉଛନ୍ତି । ଏହା ଉପରେ ସରକାରଙ୍କର ଦୃଷ୍ଟି ପଡ଼ିବା ଆବଶ୍ୟକ ।