ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସଂକଟ


୨୦୨୪ ଦେଶର ଲୋକସଭା ଓ ରାଜ୍ୟଗୁଡିକର ବିଧାନସଭା ପାଇଁ ନିର୍ବାଚନ ବିଗୁଲ ବାଜିବା ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଭିନ୍ନ ଦଳ ବିଶେଷକରି ବିଜେପି, କଂଗ୍ରେସ, ବିଜେଡି ଓ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କର ଇସ୍ତାହାର ପ୍ରକାଶ କରିଛନ୍ତି । ନିର୍ବାଚନ ଆସିଲେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ବିଭିନ୍ନ ପ୍ରକାର ଇସ୍ତାହାର ପ୍ରକାଶ କରିଥାନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଇସ୍ତାହାର ଇସ୍ତାହର ବାଟରେ ଓ କାମ ହୁଏ ଗୋଟିଏ ବାଟରେ । ଅନ୍ୟ ଅର୍ଥରେ କହିଲେ ଇସ୍ତାହାର ଅନୁସାରେ କାର୍ଯ୍ୟ ହୁଏ ନାହିଁ । ସେଥିପାଇଁ କୁହାଯାଏ ଚଷା ହୁଡିଲେ ବରଷେ, ଭୋଟର ହୁଡିଲେ ପାଞ୍ଚ ବରଷ । ବର୍ତ୍ତମାନ ସାରା ବିଶ୍ୱ ସମେତ ଆମଦେଶ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତନ୍ମଧ୍ୟରୁ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ସଙ୍କଟ ଏକ ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଛି । ଜୀବଜଗତ ପାଇଁ ଏହା ଏକ ଆହ୍ୱାନ ଏଭଳି ପରିସ୍ଥିତିରେ ସବୁ ତାଜନୈତିକ ଦଳ ସେମାନଙ୍କ ଇସ୍ତାହାରରେ ଏହି ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ଜରୁରି ମନେହୁଏ ।  ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଏକ ବିପଦ ଭାବେ ଉଭା ହୋଇଛି । ଏହାର ପ୍ରଭାବରେ  ଅନେକ ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ଏଥି ପାଇଁ ସତର୍କତା ଅବଲମ୍ବନ ଜରୁରୀ ବୋଲି  ପାଣିପାଗ ବିଜ୍ଞାନୀମାନେ କହୁଛନ୍ତି । 
ଅସ୍ୱାଭିବିକ ଜଳବାୟୁ ପରିବର୍ତ୍ତନ , ତାପାୟନ ବୃଦ୍ଧି  ଓ ପରିବେଶ ପ୍ରଦୂଷଣ ଯୋଗୁଁ  ଅଚାନକ ବନ୍ୟା, ମରୁଡି, ସାମୁଦ୍ରିକ ଜୁଆର, ବାତ୍ୟା ଭଳି ସଙ୍କଟ ଆଡକୁ ସମଗ୍ର ବିଶ୍ୱ  ଠେଲିହୋଇଯିବାର ଅନୁମାନ କରାଯାଉଛି । ଏସବୁ ଅଭାବନୀୟ ଘଟଣା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ବିଶ୍ୱ ତାପାୟନବୃଦ୍ଧି ଏହାର ଏକ ମୁଖ୍ୟ ଘଟଣା ବୋଲି କୁହାଯାଉଛି । ଏକ ଆକଳନ ଅନୁସାରେ ଏହି ତାପାୟନ ବୃଦ୍ଧିଯୋଗୁ ତାପମାତ୍ରାରେ ବୃଦ୍ଧି ସହିତ ବିଶ୍ୱ ସ୍ତରରେ ଜଳବାୟୁ ପରିବର୍ତ୍ତନ ହେବାର ଯଥେଷ୍ଟ କାରଣ ରହିଛି । ଏକ ହିସାବ ଅନୁସାରେ ଖୁବ୍ ନିକଟରେ ପୃଥିବୀର ୩୮-୪୦ପ୍ରତିଶତ ଭୂଭାଗ ବର୍ତ୍ତମାନ ତୁଳାନରେ ଏକ ଭିନ୍ନ ଜଳବାୟୁ ଜୋନ୍ରେ ପ୍ରବେଶ କରିଥିବ । ଏବଂ ଆଗକୁ ପୃଥିବୀର ଭୂଭାଗର ପ୍ରାୟ ୫୦ପ୍ରତିଶତ ଅଜଣା ଜଳବାୟୁ କ୍ଷେତ୍ରରେ ରୂପାନ୍ତରିତ ହେବ । ଆକଳନରୁ ଜଣାପଡିଛି ଯେ ବିଶ୍ୱ ତାପାୟନ ହାର ବଢିଚାଲିବ । ଏହା ଦ୍ୱାରା ପୃଥିବୀର ଅଧିକ ଅଞ୍ଚଳ ମରୁଭୂମି ପାଲଟିବ । ସେହିପରି କୃଷିକ୍ଷେତ୍ର ପ୍ରଭାବିତ ହୋଇ ଖାଦ୍ୟ ଉତ୍ପାଦନ ଉପରେ ପ୍ରଭାବ ମଧ୍ୟ ପକାଇବ । ବିଶ୍ୱର ଥଣ୍ଡା ଜୋନରେ ଥିବା ଦେଶଗୁଡିକ ଗରମ ଜୋନ୍କୁ ଆସିବା ସହିତ ଗରମ ଜୋନ ଥିବା ଅଞ୍ଚଳଗୁଡିକରେ ଅଧିକ ଗରମ ହେବା ଆଶଙ୍କା କରାଯାଉଛି । 
ଜଳବାୟୁ ପରିବର୍ତ୍ତନର ଏହି ପ୍ରଭାବ ଆମ ଦେଶରେ ମଧ୍ୟ ପରିଲକ୍ଷିତ ହେଉଛି । ଏକ ତଥ୍ୟ ମୁତାବକ ୧୮୯୧ରୁ ୧୯୦୦ ମସିହା ମଧ୍ୟରେ ୨୦ଟି ବାତ୍ୟା ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ବାତ୍ୟା ସଂଖ୍ୟା ୯ ଥିଲା । ୧୯୧୧ରୁ ୧୯୨୦ ମଧ୍ୟରେ ୧୨ଟି, ୧୯୪୧ରୁ ୧୯୫୦ ମଧ୍ୟରେ ୧୦ଟି ବାତ୍ୟ ସାମ୍ନା କରିଛି ଓଡିଶା । ସୂଚନାଯୋଗ୍ୟ ଯେ, ୧୯୯୯ ମହାବାତ୍ୟା ପରେ ୧୦ ବର୍ଷ ଧରି ରାଜ୍ୟ ଆଦୈା ବାତ୍ୟା ସାମ୍ନା କରିନଥିଲା । ଅଥଚ ୨୦୧୧ରୁ ୨୦୨୦ ମଧ୍ୟରେ ୩ଟି ବଡ ବାତ୍ୟା ସହ ୭ଟି ବାତ୍ୟା ଓଡିଶା ଉପକୂଳ ଦେଇ ଯାଇଛି ।  ଆଉ ଏକ ରିପୋର୍ଟରୁ ଜଣାପଡିଛି ଭାରତବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । 
ଏବେ ଲଘୁଚାପ ଆସିଲେ ଲୋକଙ୍କ ମନରେ ବାତ୍ୟା ଓ ବନ୍ୟା ଭୟ ଘାରୁଛି । ସତେ ଯେମିତି ଲଘୁଚାପ ଦେଖାଉଛି ବାତ୍ୟା ଓ ବନ୍ୟା ଡର । ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ପାଇଁ ଚିନ୍ତାର କାରଣ ହୋଇଛି । ବିଗତ ଦିନରେ  ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା ହେଉଛି । ସେହିପରି ୨୦୧୫ରେ ଭୟଙ୍କର ଭୂକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସୁିକିମ୍, ଭୁଟାନ୍, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟର କଥା ମନେପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟାକୁ ଆମେ ଭୁଲିପାରିବା ନାହିଁ । ସଦ୍ୟପ୍ରାପ୍ତ ସୂଚନା ଅନୁସାରେ  ଆମ ରାଜ୍ୟରେ ୨୦୫୦ ସୁଦ୍ଧା ମରୁଭୂମି ପାଲଟିବ ବଲାଙ୍ଗୀର ବୋଲି ଜଣାପଡିଛି । ୧୯୦୧ରୁ ୧୯୫୦ ମସିହା ଭିତରେ ଜିଲ୍ଲାରେ ବର୍ଷକୁ ୬୭ଦିନ ବର୍ଷା ହେଉଥିଲା ୧୯୫୦ ରୁ ୧୯୯୦ ମସିହାରେ ତାହା ୫୯ ଦିନକୁ ଆସିଛି । ଏବେ ବର୍ଷାଦିନ ସଂଖ୍ୟା ୫୦ ତଳେ ରହିଛି । ପରିଣାମ ସ୍ୱରୂପ ବଲାଙ୍ଗୀର ଜିଲ୍ଲା କ୍ରମାଗତ ମରୁଡିର ସମ୍ମୁଖୀନ ହେଉଛି । 
  ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ । ଆମକୁ ମନେରଖିବାକୁ ହେବ ଯେ, କେବଳ ଆମର ସୁରକ୍ଷା ନୁହେଁ ଉତ୍ତରପିଢିର ସୁରକ୍ଷା ଦାୟିତ୍ୱ ହିଁ ଆମ ଉପରେ ନ୍ୟସ୍ତ । ଏବେ ପୁଣି ମହାମାରୀ କରୋନାର ପରବର୍ତ୍ତୀ ବର୍ଷଗୁଡ଼ିକର ପ୍ରଭାବ ବିଶ୍ୱତାପାୟନ ଓ ଜଳବାୟୁ ପରିବର୍ତ୍ତନ ଉପରେ କି ପ୍ରଭାବ ପକାଇବ ସେ ବିଷୟରେ ଚିନ୍ତା କରିବାର ଅଛି  । କୁହାଯାଉଛି ଯେ କରୋନା ଜନିତ ଲକଡାଉନ ଓ ସଟଡାଉନ ଯୋଗୁଁ ଗଙ୍ଗାନଦୀର ଜଳ ନିର୍ମଳ ହେଇଯାଇଥିଲା ଓ ବାୟୁ ଏବଂ ଶବ୍ଦ ପ୍ରଦୂଷଣର ମାତ୍ରା ମଧ୍ୟ ହାସ୍ର ପାଇଥିଲା । ଆଗାମୀ ଦିନମାନଙ୍କରେ ଏହା କି ମୋଡ ନେବ ଓ ପରିବେଶ ଉପରେ କିପରି ପ୍ରଭାବ ପକାଇବ ଓ ତାକୁ  ଦେଖବାକୁ ବାକି ରହିଲା  । ଏହି ଜଳବାୟୁ ପରିବର୍ତ୍ତନ ଆମ ଦେଶର ଅର୍ଥନୀତିକୁ ୨୦୨୧ ମସିହାରେ ପ୍ରଭାବିତ  କରିଛି  ।  ୨୦୪୦ ମସିହା ବେଳକୁ ଦେଶର ଦାରିଦ୍ର୍ୟ ହାର ୩.୫ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଖାଲି ସେତିକି ନୁହେଁ ବିଂଶ ଶତାବ୍ଦୀ ଆରମ୍ଭରୁ ପୃଥିବୀର ୧୪.୧୭ ପ୍ରତିଶତ ଭୂଭାଗର ଜଳବାୟୁ ପରିବର୍ତ୍ତନ ହୋଇଛି । ଉତ୍ତର ଆମେରିକା, ୟୁରୋପ, ଓସେନିୟାର ସର୍ବାଧିକ ପରିବର୍ତ୍ତନ ହୋଇଛିା ବିଶେଷଜ୍ଞଙ୍କ ମତ ଅନୁସାରେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ ଆହୁରି  ବଢିବାର ସମ୍ଭାବନା  ।  ଫଳସ୍ୱରୂପ ପ୍ରାକୃତିକ ବିପର୍ଯ୍ୟୟ ବଢି ବଢି ଯିବ  ।  ଏଣୁ ଏଦିଗରେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ  । ଏହାହିଁ  ସମୟର ଆହ୍ୱାନ । 
            ଜଗତସିଂହପୁର 
   ମୋ-୯୯୩୭୧୫୧୦୫୨