ସ୍ୱପ୍ନ କ’ଣ ମାର୍ଗଦର୍ଶକ?

ଜନ୍ମ ହେବା ଦିନରୁ ମୃତ୍ୟୁର ପୂର୍ବ ପର୍ଯ୍ୟାୟ ପର୍ଯ୍ୟନ୍ତ ଏ ମଣିଷ ୧ଲକ୍ଷ ୩୬ହଜାର ସ୍ୱପ୍ନ ଦେଖେ, ଦେଖିଥାଏ, ଦେଖିବାଟା ବିଜ୍ଞାନର ପରିସଂଖ୍ୟାନଗତ ସୂଚନା । ମାତ୍ର ଏବେ ଆସିଛି ବିଭୀଷିକାମୟ ଏକ ବ୍ୟତିକ୍ରମର ବିଡମ୍ବନା । ଯେତେବେଳେ ଜୀବନ ଦୁଃସହ ଦୁସ୍ଥିତିରେ ବଂଚି ଥାଉଥାଉ ଅହୋରାତ୍ର ମରଣଆତଙ୍କରେ ଜର୍ଜରିତ – ସେତେବେଳେ ବଡ ଶୋଚନୀୟ ଭାବରେ ଏ ସଂସାର ସାମ୍ନା କରୁଛି ଶୋଚନୀୟ ଏକ ସ୍ୱପ୍ନ ହ୍ରାସର ବିଷମ ସଂକଟକାଳ । ପ୍ରତ୍ୟେକଦିନ ଏହି ପୃଥିବୀରେ ଜନ୍ମହାର ଅନୁଯାୟୀ ଲୋକସଂଖ୍ୟା ବଢୁଛି । ଅଥଚ ସେହି ଅନୁପାତରେ ସ୍ୱପ୍ନର ସଂଖ୍ୟା କମି କମି ଯାଉଛି । ଔଷଧ ଆଉ କାମ କରିବନି ନିଦ ଦେବାକୁ ମଣିଷକୁ – ଛଟପଟ ରାତିର ବିଛଣା ଉପରେ ନିଦ ଟିକିଏ ଯୋଗାଇଦେବାକୁ । ଯଦି ନିଦ ନାହିଁ ତ ସ୍ୱପ୍ନ କାହିଁ ? ଯଦି ସ୍ୱପ୍ନ ନାହିଁ ତ ମଣିଷ କାହିଁ ? ଯଦି ମଣିଷ ନାହିଁ ତ ସଂସାର କାହିଁ ? ଯଦି ସଂସାର ନାହିଁ ତ ସାର କାହିଁ ? ଯଦି ସାର ନାହିଁ ତ ସ୍ପନ୍ଦନ କାହିଁ ? ଯଦି ସ୍ପନ୍ଦନ ନାହିଁ ତ – ତା’ହେଲେ ଜୀଇବା ଲାଏକ୍ ଜୀବନ କାହିଁ ? ଯଦି ଜୀବନ ନାହିଁ ତ – ତା’ହେଲେ ଜୀବତୀର୍ଥ ଜଗତ କାହିଁ ?
ଏ ଜଗତ କ’ଣ ଗତ ହୋଇ ଚିରକାଳ କେବଳ ଭବିଷ୍ୟତରେ କେଉଁ ରୂପକାହାଣୀକାରର ଏକ ଅର୍ଦ୍ଧବିସ୍ମୃତ ଅଧ୍ୟାୟ ପାଲଟିଯିବ ? ଅସୁମାରୀ ପ୍ରଶ୍ନ ଆସେ - ଯାହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ସହଜ ଉତ୍ତର ହେଉଛି – ଭଲ ଭଲ ସ୍ୱପ୍ନ ଦେଖ । ଆଖି ବୁଜିଲେ ତ ଏତେ ଏତେ ସ୍ୱପ୍ନର ରଙ୍ଗବେରଙ୍ଗ ବଜାର – ଏହି ବଜାରର କୋଉ ଦୋକାନରୁ ମୁଁ ବିନା କଉଡିରେ ମନଲାଖି ସ୍ୱପ୍ନଟିଏ କିଣିପାରିବି ! ଅବଦୁଲ୍ କାଲାମ୍ କହୁଥିଲେ – “ଆଖି ଖୋଲି ସ୍ୱପ୍ନ ଦେଖ” । ଆଖି ଖୋଲିଲାବେଳେ ତ ଦିଶେ ଯେତେ ଯେଉଁଠି ଲୋକସଂଖ୍ୟା – ସେତେ ସେଇଠି ତା’ର ଦି’ଗୁଣା ତି’ଗୁଣା ଶୋକସଂଖ୍ୟା । ଏହି ଲୋକସଂଖ୍ୟା ଆଉ ଶୋକସଂଖ୍ୟାର ମଝିରେ ଭଲ ଭଲ ସ୍ୱପ୍ନ ଦେଖ । ବିଜୁ ପଟ୍ଟନାୟକ କହିଥିଲେ – “ବଡ ବଡ ସ୍ୱପ୍ନ ଦେଖିବା ଭଲ” । ହେଲେ ମୁଁ କହେ – ଛୋଟ ଛୋଟ ସ୍ୱପ୍ନ ଦେଖ - ଆଉ ସବୁ ଛୋଟ ଛୋଟ ସ୍ୱପ୍ନକୁ ମିଶାଇଦେଇ ଗୋଟାଏ ବଡ ପୃଥିବୀ ତିଆରି କର - ଯାହା ସାମ୍ନାରେ ସେ ସାତସ୍ୱର୍ଗ ସୁଦ୍ଧା ତୁଚ୍ଛ, ସପ୍ତପାତାଳର ହୀରାଲୀଳା, ମଣିମାଣିକ୍ୟ ଭଣ୍ଡାର ମଧ୍ୟ ତୁଚ୍ଛାତିତୁଚ୍ଛ ମନେହେବାକୁ ବାଧ୍ୟ ।
ସ୍ୱପ୍ନ ବେଳେବେଳେ ମାର୍ଗଦର୍ଶକ ହୁଏ । ସ୍ୱପ୍ନର ବହୁତ ଅବଦାନ ଅଛି ବାସ୍ତବ ଜୀବନକୁ ଅନୁପ୍ରେରିତ କରିବା ପାଇଁ । ଜୀବନରେ ଫୁଲ ଫୁଟିବା ପାଇଁ ସ୍ୱପ୍ନ ହିଁ ମୂଳ ଆଧାର । ମଣିଷ ମନେମନେ ସ୍ୱପ୍ନ ଦେଖେ ସେ ଶୋଇକି ହେଉ କି ଚେଁଇକି ହେଉ । ଅସୁମାରୀ ସ୍ୱପ୍ନରେ ବିଭୋର ହୁଏ । ଯେତେବେଳେ ଯୌବନରେ ଉବୁଟୁବୁ – ସେତେବେଳେ ସାଂସାରିକ ସାଗରଜଳରେ ଡୁବୁଡୁବୁ ଜନ୍ମିତ ସନ୍ତାନଗଣ ଭବିଷ୍ୟତରେ କ’ଣ ହେବେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ କେତେ ସଫଳ ହୁଏ କି ବିଫଳ ହୁଏ – ସେମାନେ ଜାଣନ୍ତି ।
ଏଇ ଭଲ ଭଲ ସ୍ୱପ୍ନ ତ ମଣିଷ ସମାଜ ସକାଶେ ଗଢିଦେଇଛି ନୂଆ ଦୁନିଆ । ମଣିଷ ଯେଉଁଦିନ ପକ୍ଷୀକୁ ଅନାଇ ରାତିରେ ସ୍ୱପ୍ନ ଦେଖିଲା – ସିଏ ବି ଦିନେ ଉଡିବ, ଉଡି ପାରିବ – ସେ ରାତିର ସ୍ୱପ୍ନ ଦୁନିଆକୁ ଦେଇଗଲା ଉଡାଜାହାଜ । ଏବେ ତ ଉଡାଜାହାଜକୁ ନେଇ ସେ ସ୍ୱପ୍ନ ପାଲଟିଯାଇଛି ଏକ ମହାଅଭିଯାନ - ଆଶ୍ଚର୍ଯ୍ୟର ଚକିତକାରୀ ଅନ୍ତରୀକ୍ଷ ଯାନ ଜରିଆରେ ଆକାଶରୁ ମହାକାଶକୁ ଉଚ୍ଚାତିଉଚ୍ଚ ଉଡାଣ ଉଲଂଘନ ଉତ୍ତରଣ - ଗ୍ରହଗ୍ରହାନ୍ତରର ଶୂନ୍ୟ ଗଳିମାନ ଗସ୍ତ କରୁକରୁ ମଣିଷ କରୁଛି ନବ ନବ ଗ୍ରହନକ୍ଷତ୍ରର ଅତନ୍ଦ୍ର ଅନ୍ୱେଷଣ ! ଏଇତ ହେଉଛି ଭଲ ଭଲ ସ୍ୱପ୍ନ ଭିତରୁ ଗୋଟିଏ ବଛା ସ୍ୱପ୍ନର ନମୂନା - ଅର୍ଥାତ୍ ଉଡାଣ, ଉତ୍ତରଣ, ଉର୍ଦ୍ଧାରୋହଣ !
ଉଚ୍ଚତାକୁ ଛୁଇଁବାର ଇଚ୍ଛା ଆଗରୁ ଅତଳତଳ ପାତାଳର ରହସ୍ୟଭେଦ ନିମନ୍ତେ ମଣିଷ ମନରେ ଦିନେ ଅଙ୍କୁରି ଉଠିଥିଲା ଆଉ ଗୋଟିଏ ଅଦମ୍ୟ ଇଚ୍ଛାର କଳ୍ପତରୁ – ହଁ, ଏଥର ଆହୁରି ଗଭୀର ଜଳର ଅନ୍ଧକାର ମଧ୍ୟରେ ବୁଡିବସେ – ସାତସାଗର ସନ୍ତରିବ – ଜଳ ଗର୍ଭର ତଳକୁ ତଳକୁ ଯାଇ ଲେଉଟି ଆସିବ ସ୍ଥଳଭାଗ ସକାଶେ ନୂତନ ସନ୍ଦେଶ ନେଇ । ସେ ସନ୍ଦେଶ ତ ଶାମୁକାଗର୍ଭର ମହାର୍ଘମୁକ୍ତା ! ଅର୍ଥାତ୍ ଭଲ ଭଲ ସ୍ୱପ୍ନ ସେଇ ଶାମୁକା - ଯାହା ଗର୍ଭରେ ଛପି ରହିଛି ମୁକ୍ତାଠୁ ଆହୁରି ଅକଳ୍ପନୀୟ ମୂଲ୍ୟବାନ୍ ଆମର ଏଇ ମଣିଷ ଜୀବନର ଅସଲ ଅର୍ଥ ଓ ଅଭିପ୍ରାୟ । ଭାଗେ ସ୍ଥଳଭାଗର ମନୁଷ୍ୟ କ’ଣ ତିନିଭାଗର ଜଳରାଶିକୁ ଚାହିଁ କେବେହେଲେ ଶଙ୍କିଯାଇଛି କି ? ନା, ସେ ସ୍ୱପ୍ନ ଦେଖିଛି – ଏଇ ବିସ୍ତୀର୍ଣ୍ଣ ଜଳଭାଗ ଉପରେ ମଧ୍ୟ ସେ ସାବ୍ୟସ୍ତ କରିବ ନିଜ ବିଜୟ ବୈଜୟନ୍ତୀର ଏକାଧିପତ୍ୟ । ପ୍ରଥମେ ଛୋଟଛୋଟ କଦଳୀପଟୁକା, କାଗଜଡଙ୍ଗା, ହୁଲିଡଙ୍ଗା, ଭେଳା ଓ ନାବ ନିର୍ମାଣର ସ୍ୱପ୍ନକୁ ସାକାର କରୁକରୁ ମଣିଷ ଆଖିରେ ଦିନେ ଉଦ୍ଭାସୀ ଉଠିଲା ବଡବଡ ପୋତ, ମସ୍ତବଡ ଜାହାଜ, ବୁଡାଜାହାଜ ଗମନାଗମନର ବିଚିତ୍ର ବାସ୍ତବତା ! ମଣିଷର ଏଇ ବୁଡିବାର ଇଚ୍ଛାକୁ ନେଇ ସଭ୍ୟତା ଯେଉଁଦିନଠୁ ଭଲ ଭଲ ସ୍ୱପ୍ନ ଦେଖିବାକୁ ଆରମ୍ଭ କଲା, ସେଇଦିନଠୁ ଗୋଟିଏ ପରେ ଗୋଟିଏ ଆଉ ଗୋଟିଏ ନୂତନ ଭୂଖଣ୍ଡମୟ ଦୀପଦୀପାନ୍ତର, ଦେଶମହାଦେଶର ଦୁନିଆ ଆବିଷ୍କାର ତା’ ଅନ୍ତସ୍ଥଳରେ ଅଦ୍ଭୂତ ରୋମାଂଚଭରା ଜାଗରଣ । ହଁ, ଭଲ ଭଲ ସ୍ୱପ୍ନ ଏମିତି ତ ଆଣିଦେଇଥାଏ ଉନ୍ମାଦନାମୟ ଜାଗରଣର ଇତିହାସ ଆଲୋଡନକାରୀ ଯୁଗ ସବୁ - ଯାହାର ସାକ୍ଷ୍ୟ ମଣିଷର ସଭ୍ୟତା, ମଣିଷର ଭୌଗଳିକ ମହାଭିଯାନ ଯାତ୍ରା ।
ବିଜ୍ଞାନଠାରୁ ଆରମ୍ଭକରି ମନୋବିଜ୍ଞାନର ଇଲାକା ଯାଏ ସ୍ୱପ୍ନକୁ ନେଇ ନାନା ତର୍ଜମା । ଆର୍କମେଡିସ୍ ଦିନେ ମଣିଷ କିପରି ବେଶ୍ ସହଜସାଧ୍ୟ କୌଶଳଗତ ସୂତ୍ରରେ ସୁନା ତିଆରି କରିପାରିବ, ତାହାରି ଉଦ୍ଭାବନ ରହସ୍ୟକୁ ଲୋକାର୍ପଣ କରିବା ପୂର୍ବରୁ ଅକାଳ ମୃତ୍ୟୁର ଶିକାର ହୋଇଗଲେ ଖ୍ରୀଷ୍ଟପୂର୍ବ ୨୧୧ – କାଣ୍ଡଜ୍ଞାନଶୂନ୍ୟ ଜଣେ ଗ୍ରୀକ୍ ସୈନିକର ତୀକ୍ଷ୍ମ ତରବାରୀ ଚୋଟରେ ! ଚୂନା ହୋଇଗଲା ବିଜ୍ଞାନର ସେ ସୁନା ସ୍ୱପ୍ନ । ମନୋବିଜ୍ଞାନ କିନ୍ତୁ ସୁନା ନୁହେଁ, ସ୍ୱପ୍ନକୁ ନେଇ ଗବେଷଣା କରୁକରୁ ଦୁନିଆ ଆଗରେ ବାଢିଦେବାକୁ ଲାଗିଲା ଗୋଟିକ ପରେ ଗୋଟିଏ ମଣିଷ ମନର ଗୋପନ ଗୁଢତଥ୍ୟ । ଫ୍ରଏଡ୍ ଓ ୟିଂଗ୍ ସ୍ୱପ୍ନ ପ୍ରତୀକ ଉପରେ ନୀରବଚ୍ଛିନ୍ନ ଗବେଷଣା କରିଯାଇଛନ୍ତି । ଦିନ ଦିନର ଦୁନିଆକୁ ଦର୍ଶାଇଯାଇଛନ୍ତି ରାତିରାତିର ଅନ୍ଧକାର ମନରହସ୍ୟ ! ବଡ ବିଚିତ୍ର ଏ ମନ - ଅଜବ, ଉଦ୍ଭଟ - ଅସୁମାର ଚିତ୍ରତାର ଘନଗହନ ଅନ୍ଧାରୀ ମୁଲକରେ ! ସ୍ୱର୍ଗ ଆଉ ପାତାଳ ଭେଦ କରୁଥିବା ଆଧୁନିକ ମଣିଷ କିନ୍ତୁ ଏଯାଏ ବି ପହଂଚିପାରିନି ଖୋଦ୍ ନିଜ ମନ ମହାଭୂମିର ଅନେକ ଦେଶରେ – ଭାବିଲେ ଭେଳିକି ଭଳି ଲାଗେ !
ହେଉ ପଛେ ଛୋଟ ଛୋଟ, ହେଲେ ସ୍ୱପ୍ନ ସବୁ ହେଉ ଭଲ । ସବୁଠୁ ଭଲ । ଛୋଟ ମଣିଷଛୁଆ ଏଇ ବଡ ଦୁନିଆରେ ତା’ ପହିଲୁ ହାଜରା ପକାଏ କୁଆଁ କୁଆଁ କାନ୍ଦ ଶୁଣାଇ । ହାତ ପାଦ ଛାଟି ତା’ପରେ କାନ୍ଦୁ କାନ୍ଦୁ ହାଲିଆ ହୁଏ, କ୍ଷୀର ପିଇ ଶୋଇପଡେ । ସେଇ ଶୋଇପଡିଥିବା ଅବସ୍ଥାରେ ନୀରବନିଶଦ୍ଦ ସ୍ମିତହାସ୍ୟ ଫୁଟିଉଠୁଥାଏ ତା’ ଓଠକଣରେ । କାହିଁକି ? ବକଟେନାକୁ ସେଇ ଶିଶୁ ଓଠରେ ନରମ କଅଁଳ ସ୍ୱପ୍ନଟିମାନ ଚହଟି ଉଠୁଥାଏ – କାନ୍ଦ ଭୁଲାଇ ଦେଉଥାଏ ତାକୁ – କ’ଣ ସେ ଭାଷାଶୂନ୍ୟ ଭସା ଭସା ସ୍ୱପ୍ନଟିମାନ ଶିଶୁମନରେ ଭରି ଦେଉଥାଏ କେତେ ପୁଲକର ପରସ ଯେ, ଉକୁଟି ଉଠୁଥାଏ ଚୂନା ଚୂନା ଏମିତି ମହୁଆ ହସ! ଲୋକବିଶ୍ୱାସ କହେ ଯେ, ଏମିତି ସ୍ୱପ୍ନ ସବୁରେ କୁଆଡେ ଷଠୀଦେବୀ, ପରିକ୍ଷୀଦେବୀମାତୃକା ଆସି ତାକୁ ଦେଖୁଥାନ୍ତି, ତାକୁ ଆଖିମୁଦି ଅନାଉ ଅନାଉ କେତେବେଳେ ନିଶଦ୍ଧ ତ ଆଉ କେତେବେଳ ଅସ୍ଥୁତ ହସ ହସିଦେଉଥାଏ ଅବୋଧ ଶିଶୁ ! ଧର୍ମତତ୍ତ୍ୱବାଦୀ କହିଥାନ୍ତି ଯେ, ନିଜ ପୂର୍ବଜନ୍ମ ସବୁ ଆଖି ପିଛୁଳାକେ ଗୋଟିଏ ଗୋଟିଏ ସ୍ୱପ୍ନ ପାଲଟିଯାଇ ମେଲାଣୀ ମାଗିନେଉଥାନ୍ତି ନବଜାତ ଶିଶୁ ନିକଟରୁ । ଏ ହସ ସେଇ ବିଦାୟସ୍ମୃତିକୁ ସୁରକ୍ଷିତ କରିବାର ସ୍ୱପ୍ନକାଳେ ; ସାଧାରଣ ବୁଦ୍ଧି ଅନୁସାରେ କହିବାକୁ ଗଲେ ଗୋଟିଏ ଶିଶୁ ଏ ଦୁନିଆରେ ଜନ୍ମ ନେଲାବେଳେ ଏକାସାଂଗେ ଜନ୍ମ ନେଉଥାଏ ତା’ ନିଦ - ଆଉ ତା’ ନିଦ ଭିତରେ ବୁଣା ହେଉଥାଏ ଛୋଟିଆ ଛୋଟିଆ ସ୍ୱପ୍ନ ମଂଜିମାନ । ନିଦ ଓ ସ୍ୱପ୍ନ ମଝିରେ ଆରମ୍ଭ ହୁଏ ଶିଶୁର ଜୀବନ । ଅଥଚ ଶିଶୁ ଦିନେ କିଶୋର ହୁଏ, ତରୁଣ ହୁଏ, ଯୁବାବସ୍ଥା ପରେ ଜୀବନର ଅପରାହ୍ନ ଛାୟାମୁଖୀ ହେଉ ହେଉ ଭୁଲିଯାଏ – କ’ଣ ପାଇଁ ସେ ଆସିଥିଲା ଏ ଦୁନିଆକୁ?
ଆଧୁନିକ ମଣିଷ ବିନିଦ୍ର ବିବ୍ରତ ଜୀବନଟାଏ ଏବେ । ତାକୁ ନିଜ ଉଣା, ସୁତଂରା ସ୍ୱପ୍ନ ଅଲଣା ! ଯଦି ସରସସୁନ୍ଦର ଜୀବନଶୈଳୀଟିକୁ ପାଳିପୋଷି ମଣିଷ ବଡ ହେବାକୁ ଚାହେଁ, ତା’ହେଲେ ଛୋଟ ଛୋଟ ସ୍ୱପ୍ନର ମଧୁର ମିଶାଣଟିଏ ନିତାନ୍ତ ଜରୁରି । କୁଟିଳତା ନୁହେଁ, ଜଟିଳତା ନୁହେଁ – ସରଳ ସ୍ୱଚ୍ଛନ୍ଦ ସତ୍ ଜୀବନର ଛନ୍ଦ ଦରକାର । ଏଥିପାଇଁ ସବୁଠୁ ଦରକାର ଛୋଟ ଛୋଟ ସ୍ୱପ୍ନ ଦେଖ ପଛେ, ମାତ୍ର ଭଲ ଭଲ ସ୍ୱପ୍ନ ଦେଖ !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩