ମେହୁଲ ଚୋକ୍ସି ଗିରଫ

ନୂଆଦିଲ୍ଲୀ : ବେଲଜିୟମ୍ରେ ଗିରଫ ହୋଇଛନ୍ତି ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍ବିରୁ ୧୨୬୩୬ କୋଟିର ଋଣ ଠକେଇ କରିଥିବା ଅଭିଯୁକ୍ତ ମେହୁଲ ଚୋକ୍ସି । ଗତ ୧୨ତାରିଖରେ ସେ ଗିରଫ ହୋଇଥିବା ଆଜି ବେଲଜିୟମ୍ ପ୍ରଶାସନ ଭାରତ ସରକାରଙ୍କୁ ସ୍ପଷ୍ଟ କରିଛି । ସେପଟେ ଗିରଫ ଖବର ଜଣାପଡ଼ିବା ପରେ ଭାରତର ଏକ ତଦନ୍ତକାରୀ  ଦଳ ବେଲଜିୟମ୍ ଯିବାପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଚୋକ୍ସିଙ୍କ ବିରୋଧରେ କି ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଭାରତ ଆଣିବା ପାଇଁ କି କି ନିୟମ ଅନୁପାଳନ କରିବାକୁ ପଡ଼ିବ ସେ ନେଇ ଏହି ଟିମ୍ ବୁଝାସୁଝା କରିବ ବୋଲି ଜଣାପଡ଼ିଛି । ଚୋକ୍ସିଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଜେଲ୍ରେ ରଖାଯାଇଥିବା ବେଲଜିୟମ୍ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଚୋକ୍ସି ବେଲଜିୟମ୍ରୁ ସ୍ୱିଚର୍ଲ୍ୟାଣ୍ଡ ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ଭାରତର କୁଟନୀତି ଯୋଗୁ ଆଜି ତାଙ୍କୁ ବେଲଜିୟମ୍ରେ ଗିରଫ କରାଯାଇଥିବା ଜଣାପଡ଼ିଛି । ଖୁବ୍ଶୀଘ୍ର ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ବେଲଜିୟମ୍ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଭାରତ ଆଶାବାଦୀ ରହିଛି । ସୂଚନାଯୋଗ୍ୟ ମେହୁଲ ଚୋକ୍ସି ତାଙ୍କ ଭଣଜା ନୀରବ ମୋଦି, ତାଙ୍କ ପନôୀ ଆମି ମୋଦି ଏବଂ ତାଙ୍କ ଭାଇ ନୀଶଲ ମୋଦିଙ୍କ ସହିତ ସରକାରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୨,୬୩୬ କୋଟି ଟଙ୍କାର ଋଣ ଠକେଇରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ୨୦୧୮ ମସିହାରେ ଚୋକ୍ସି ଭାରତରୁ ପଳାଇ ଆସି ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲେ । ନିବେଶ ଦ୍ୱାରା ନାଗରିକତା କାର୍ଯ୍ୟକ୍ରମ ମାଧ୍ୟମରେ ଆଣ୍ଟିଗୁଆରେ ରହୁଥିବା ଚୋକସି ଗତ ବର୍ଷ ନଭେମ୍ବର ୧୫ ତାରିଖରେ ବେଲଜିୟମରୁ ଏକ ଏଫ୍ ରେସିଡେନ୍ସୀ କାର୍ଡ ହାସଲ କରିବାରେ ସଫଳ ହୋଇଥିଲେ । ସେପଟେ ଗିରଫ ହେବା ପରେ ତାଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି, ମେହୁଲ ଚୋକ୍ସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ସେ ସୁରକ୍ଷାକର୍ମୀଙ୍କ ହେପାଜତରେ ଅଛନ୍ତି । ଆମେ ଏହା ବିରୁଦ୍ଧରେ ଏକ ଆବେଦନ ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ କରିବୁ ଏବଂ ତା'ପରେ, ଆବେଦନର ପ୍ରକ୍ରିୟା ଅନୁଯାୟୀ ଆମେ ତାଙ୍କୁ ଜେଲରୁ ବାହାର କରିବାକୁ ଅନୁରୋଧ କରିବୁ । ସେ କର୍କଟ ରୋଗରେ ପୀଡ଼ିତ ଥିବାରୁ ଏହି ଆବେଦନ କରାଯିବ ବୋଲି ସେ କହିଛନ୍ତି ।