ହାଜତରେ ରାଣାକୁ ଦିଆଗଲା କାଗଜ, କଲମ, କୋରାନ୍

ନୂଆଦିଲ୍ଲୀ :  ଏନ୍ଆଇଏ ହେପାଜତରେ ୨୬/୧୧ ଆତଙ୍କୀ ତହବୁର୍ ରାଣା । ଜେଲ୍ ଚାରିକାନ୍ଥରେ ଥିବା ରାଣା ପେନ୍, ପେପର୍ ଓ କୋରାନ ପାଇଁ ଅନୁରୋଧ କରିଥିବା ବେଳେ ଏନ୍ଆଇଏ ପକ୍ଷରୁ ତାକୁ ଏହିସବୁ ସାମଗ୍ରୀ ଯୋଗାଇ ଦିଆଯାଇଛି । ସେହିପରି ଗୋଟିଏ ଦିନରେ ତାକୁ ୫ଥର ପର୍ଯ୍ୟନ୍ତ ନମାଜ ପଢ଼ିବାକୁ ମଧ୍ୟ ସୁଯୋଗ ଦିଆଯାଉଛି । ସେ ଜଣେ ମୁସଲିମ୍ ସମ୍ପ୍ରଦାୟର ହୋଇଥିବାରୁ ତାକୁ କୋରାନ ସମେତ ନମାଜ ପଢ଼ିବାକୁ ସୁଯୋଗ ଦିଆଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ତାଙ୍କୁ ଯୋଗାଇ ଦିଆଯାଇଥିବା ପେନ୍ ଦ୍ୱାରା ସେ ଯେପରି ସଙ୍କଟାପନ୍ନ ସ୍ଥିତି ସୃଷ୍ଟି ନ କରିବ ବା ନିଜକୁ କ୍ଷତି ନ ପହଞ୍ଚାଇବ ସେଥିପ୍ରତି ଦୃଷ୍ଟି ରଖା ଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ଏହାସହ ପ୍ରତି ୨୪ ଘଣ୍ଟାରେ ଥରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ଅପରପକ୍ଷେ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଦିଲ୍ଲୀ ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ପକ୍ଷରୁ ରାଣାକୁ ଓକିଲ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ପ୍ରତି ଗୋଟିଏ ଦିନର ବ୍ୟବଧାନରେ ନିଯୁକ୍ତ ଓକିଲ ତାଙ୍କୁ ଭେଟି ତାଙ୍କ ସହ ଆଲୋଚନା କରୁଛନ୍ତି । ସୂଚନା ଯେ, ଗତ ଶୁକ୍ରବାର ଏନ୍ଆଇଏ ମୁଖ୍ୟାଳୟରେ ରାଣାକୁ ହାଜର କରାଯାଇଥିବା ବେଳେ ଦିଲ୍ଲୀ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ତାକୁ ୧୮ ଦିନିଆ ଏନ୍ଆଇଏର ବିଚାର ବିଭାଗୀୟ ହାଜକୁ ପଠାଇ ଦିଆଯାଇଛି । ଏଠାରେ ଏନ୍ଆଇଏ କର୍ତ୍ତୃପକ୍ଷ ତାଠାରୁ  ୨୬/୧୧ ସମ୍ପର୍କରେ ବିଭିନ୍ନ ତଥ୍ୟ ଓଗାଳୁଛନ୍ତି ।