ଜୋତା ପିନ୍ଧାଇଲେ ମୋଦି
ନୂଆଦିଲ୍ଲୀ : ଦୀର୍ଘ ଦିନର ବ୍ୟବଧାନ ପରେ ନିଜର ଜଣେ ବଡ଼ ପ୍ରଶଂସକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ନିଜ ମନରେ ପ୍ରତିଜ୍ଞା କରି ଦୀର୍ଘ ୧୪ ବର୍ଷ ପୂର୍ବେ ଜୋତା ପିନ୍ଧିବା ଛାଡ଼ିଥିଲେ ହରିଆନାର ରାମପାଲ କଶ୍ୟପ । ମୋଦିଙ୍କ ପ୍ରତି ତାଙ୍କ ମନରେ ଥିବା ଅତୁଟ ଆଗ୍ରହକୁ ସମ୍ମାନ ଜଣାଇ ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ହରିଆନା ଗସ୍ତରେ ରାମପାଲଙ୍କୁ ଭେଟିବା ସହ ତାଙ୍କୁ ଏକ ସୁନ୍ଦର ଉପହାର ସ୍ୱରୂପ ଜୋତା ହଳେ ପ୍ରଦାନ କରିଛନ୍ତି । ଆଉ ଏହି ଜୋତାକୁ ମୋଦି ନିଜେ ନିଜ ହାତରେ ତାଙ୍କୁ ପିନ୍ଧାଇ ଦେଇଛନ୍ତି ।
ଏ ସମ୍ପର୍କରେ ମୋଦି ଆଜି ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ରାମପାଲଙ୍କୁ ପ୍ରଶଂସା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ହରିଆନା କୈଥିପାଲର ବାସିନ୍ଦା ରାମପାଲ ଦୀର୍ଘ ୧୪ ବର୍ଷ ପୂର୍ବେ ପ୍ରତିଜ୍ଞା କରିଥିଲେ ଯେ, ଯେ ପର୍ଯ୍ୟନ୍ତ ମୁଁ (ମୋଦି) ପ୍ରଧାନମନ୍ତ୍ରୀ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ପାଦରେ କୌଣସି ବି ଚପଲ କିମ୍ବା ଜୋତା ପରିଧାନ କରିବେ ନାହିଁ । ତେବେ ଆଜି ଯମୁନାନଗରରେ ଆୟୋଜିତ ହୋଇଥିବା ଏକ ସଭାକାର୍ଯ୍ୟରେ ମୁଁ ରାମପାଲଙ୍କୁ ଭେଟି ଅତ୍ୟନ୍ତ ଆନନ୍ଦିତ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ମୋର ପ୍ରଥମ ସାକ୍ଷାତକାର ।’ ସେହିପରି ଆଉ ଏକ ପୋଷ୍ଟରେ ମୋଦି ଲେଖିଛନ୍ତି, ‘ରାମପାଲଙ୍କ ଭଳି ଲୋକଙ୍କ ପ୍ରତି ମୁଁ ଚିର ବିନମ୍ର ଏବଂ ସେମାନଙ୍କ ଏଭଳି ଆଦରକୁ ମୁଁ ସମ୍ମାନ ଜଣାଉଛି । କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନଙ୍କର ଏଭଳି ପ୍ରତିଜ୍ଞା ରାଷ୍ଟ୍ରଗଠନରେ କିମ୍ବା ସାମାଜ ଗଠନରେ ପ୍ରମୁଖ ଭୂମିକା ନେଉ ।’ ଅପରପକ୍ଷେ ମୋଦିଙ୍କୁ ରାମପାଲ ଆଜି ଖାଲିପାଦରେ ଭେଟିବାକୁ ଆସିଥିବା ବେଳେ ମୋଦି ତାଙ୍କୁ ନିଜ ହାତରେ ଜୋତା ପିନ୍ଧାଇ ଦେଇଥିଲେ । ଦୀର୍ଘ ଦିନର ପ୍ରତିଜ୍ଞା ପୂରଣ ହୋଇଥିବାରୁ ତାଙ୍କୁ ମୁଁ ଆଜି ଜୋତା ପିନ୍ଧାଇବାର ସୁଯୋଗ ପାଇଲି ବୋଲି ମୋଦି ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି । ତେବେ ମୋଦି ଜାରି କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଉଭୟ ରାମପାଲ ଏକ ଧଳା କୁର୍ତା ଓ ପାଇଜାମା ପିନ୍ଧି ଖାଲିପାଦରେ ତାଙ୍କୁ ଭେଟିବାକୁ ଆସୁଛନ୍ତି । ଏହାପରେ ସେ ମୋଦିଙ୍କୁ ହ୍ୟାଣ୍ଡସେକ୍ କରି ଅଭିନନ୍ଦନ ଜଣାଉଛନ୍ତି । ପରେ ଉଭୟେ ଏକ ସୋଫାରେ ବସି ବାର୍ତ୍ତାଳପ କରୁଛନ୍ତି ।