କାଳଯମ ଏ କୃତ୍ରିମ ଜୀବନଶୈଳୀ
ରାଜା ଗୋବିନ୍ଦ୍ରଚନ୍ଦ୍ରଙ୍କୁ ବୈରାଗ୍ୟର ଦୀକ୍ଷାଦାନ ଦେବାପୂର୍ବରୁ ତାଙ୍କ ମହିୟସୀ ମାତାଙ୍କର ସତର୍କବାଣୀ ଥିଲା –
“ବାଛିନେବ କଞ୍ଚା, ରଖିବ ପାଚିଲା – ବାନ୍ଧିନେବ କାଳଯମ ।” ଏବେ ଖୋଦ୍ କାଳଯମ ଆମ୍ଭମାନଙ୍କର କୃତି୍ରମ ଜୀବନଶୈଳୀ ପାଇଁ ଅଭିଶାପ ପାଲଟିଯାଇଛି । ଯାହାଫଳରେ ମାଡିଆସୁଛି ଭୟଙ୍କର ମହାମାରୀ । ମାନବସମାଜ ପ୍ରତି ବଡ ବିପଦ । ଏହା କୋଭିଡ୍-୧୯ କରୋନା ଠାରୁ ଆହୁରି ଭୟଙ୍କର । ଡିଜିଜ୍ ଏକ୍ସ ଆସୁଛି । ଏହା ୫କୋଟି ଲୋକଙ୍କୁ ମୃତୁ୍ୟମୁଖରେ ପକାଇଦେଇପାରେ । ବି୍ରଟେନ୍ ସ୍ୱାସ୍ଥ୍ୟ ବିଶେଷଙ୍କ ଗବେଷଣାନୁଯାୟୀ ଏ ରୋଗ ମଣିଷଠାରୁ ମଣିଷକୁ ବ୍ୟାପିବ । ଏହାର କିଛି ଚିକିତ୍ସା ନାହିଁ ।
ଆଗକୁ ଘନେଇଆସୁଛି ବଡ ଦୁର୍ଦିନଦାୟକ ମହାବିଭୀଷିକା । ତା’ର ଶାଗୁଣାଡେଣାର ଛାଇବିସ୍ତାରି ଥରହର କରିଦେବ ଏ ଦୁନିଆକୁ । ୧୯୧୮-୧୯ ଫ୍ଲୁ ମହାମାରୀରେ ବିଶ୍ୱରେ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ - ଯାହା ପ୍ରଥମ ବିଶ୍ୱଯୁଦ୍ଧ ମୃତୁ୍ୟସଂଖ୍ୟାର ୨ ଗୁଣ । ଏବେ ଯେଉଁ ଡିଜିଜ୍ ଏକ୍ସ ଆସୁଛି – କେତେଲୋକ ମରିବେ କହିହେଉନି । ବିଶେଷକମାନେ କହୁଛନ୍ତି ୫ କୋଟିରୁ ଅଧିକ ହେବ । ଏ ସବୁ କାରଣ ହେଉଛି ଜଗତୀକରଣ ଯୋଗୁ । ଗାଁ ଛାଡ଼ି ଲୋକେ ସହରରେ ପ୍ରବେଶ କରିଯାଇଛନ୍ତି । ବିଶ୍ୱତାପମାନ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟହେବା, ଆଧୁନିକ କୃଷିପ୍ରଣାଳୀ, ଆର୍ଦ୍ରଭୂମି ନଷ୍ଟ ହେବାଯୋଗୁ ଭୂତାଣୁମାନେ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିକୁ ସଂକ୍ରମିତ ହୁଅନ୍ତି । ଜୀବଜନ୍ତୁଙ୍କ ଦେହରେ ପ୍ରବେଶକରି ରୋଗ ସୃଷ୍ଟି କରୁଛନ୍ତି ।
ସଂପ୍ରତି ଭୀଷଣ ତାପମାତ୍ରା ବୃଦ୍ଧିଯୋଗୁ ସ୍ତନ୍ୟପାୟୀ ପ୍ରାଣୀମାନେ ବିଶ୍ୱରୁ ବିଲୁପ୍ତ ହୋଇଯିବେ । ମଣିଷ ମଧ୍ୟ ସ୍ତନ୍ୟପାୟୀ । ସୂର୍ଯ୍ୟରୁ ଅଧିକ ଉତ୍ତାପ ଓ ଅଧିକ ଶକ୍ତି ନିଗ୍ରତ ହେଲେ - ପୃଥିବୀ ତତଲା ତାଉଆରେ ଭାଜିହେବ । ପ୍ରାଣୀମାନଙ୍କ ପାଇଁ ଖାଦ୍ୟ, ପାନୀୟ ପରିସ୍ଥିତି ଗମ୍ଭୀର ହୋଇଯିବ । ଉତ୍ତାପ ୫୦ ଡିଗ୍ରୀ ସେଲ୍ସିୟସ୍ ହୋଇଗଲେ – ଜୀବଜଗତ ପୋକମାଛିଭଳି ମରିଯିବେ । ସାତ ମହାଦେଶରେ ଏଭଳି ବିପଦ ପଡିବ ।
ବର୍ଷବର୍ଷ ଧରି ବିଶେଷକରି ବିଂଶଶତାବ୍ଦୀରେ ଗରମପାଣିରେ ଗାଧୋଇବା ବା ଯେକୌଣସି ପଦାର୍ଥ ଗରମ କରିବାପାଇଁ ଘରକାନ୍ଥରେ କିମ୍ବା ରୁମ୍ରେ ବଏଲର ରଖୁଥିଲେ – ଏବେ ତାହା କାଳ ହୋଇଗଲାଣି । ଏହାଦ୍ୱାରା ଘରକାନ୍ଥ ଭୀଷଣ ଗରମ ହୋଇଯାଉଛି । ଏହି ହିଟ୍ ପମ୍ପକୁ ଚଳାଇବାପାଇଁ ଆମେ ଏନର୍ଜି ବ୍ୟବହାର କରୁଛେ । କାରବନ୍ ଡାଇଅକ୍ସାଇଡ୍ ବଢିବାରେ ଲାଗିଛି । ଯାହାଫଳରେ ବିଭିନ୍ନ ପ୍ରକାର ଅଜଣା ରୋଗକୁ ଆମେ ନିମନ୍ତ୍ରଣ କରିଆଣୁଛେ । ପୁରୁଣା ରୋଗ ନୂଆ ଅବତାରରେ ଉଭା ହେଲେଣି ।
ଏବେ ଏ ବିଶ୍ୱରେ ବହୁ ମଣିଷ ଆମିଷଭକ୍ଷଣକାରୀ । ବିଭିନ୍ନ ପଶୁକୁ ବଦ୍ଧକରି ଭକ୍ଷଣ କରୁଛନ୍ତି । ଏବେ ପଶୁମାନଙ୍କ ରୋଗ ମଣିଷ ଦେହରେ ପ୍ରବେଶ କରୁଛି । ପଶୁମାନଙ୍କୁ ଭୂତାଣୁ ଯେତେ ହଇରାଣ କରେନି – ମଣିଷମାନଙ୍କୁ ଜୀବନରେ ମାରିଦିଏ । ଜଳାବାୟୂ ପରିବର୍ତ୍ତନରେ ମଣିଷ ‘ଯେ ଦେଶେ ଯାଇ – ସେ ଫଳ ଖାଇ’ ନିୟମରେ ଖାଦ୍ୟ ଖାଇ ରୋଗରେ ପଡୁଛନ୍ତି । ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡେଙ୍ଗୁ, ନିପା, ପ୍ରମୁଖ ରୋଗ ଦେଖାଯାଉଛି । ମାତ୍ରାଧିକ ଶିଳ୍ପବିସ୍ତାର ଯୋଗୁ ସବୁଜବଳୟ ବିନଷ୍ଟହୋଇ ପ୍ରଦୂଷଣ ବଢିବାରେ ଲାଗିଛି । ପ୍ରତିମୁହୂର୍ତ୍ତରେ ବଦଳୁଛି ପ୍ରକୃତିର ନିୟମ । ବହୁପୂର୍ବରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀ ଉପରେ ପଡିଆସିଛି । ଲଗାତର ଗ୍ରୀଷ୍ମପ୍ରବାହ, ଆକାଶରୁ ନିଆଁବର୍ଷା, ଭୟଙ୍କର ବନ୍ୟା-ବାତ୍ୟା-ମରୁଡି, ଭୂସ୍ଖଳନ, ଭୂମିକମ୍ପ, ସମୁଦ୍ର ଜଳପତନ ବୃଦ୍ଧି ପ୍ରଭୃତିରେ ସମଗ୍ର ବିଶ୍ୱ ଥରହର । ମନୁଷ୍ୟକୃତ କାର୍ଯ୍ୟ ଇନ୍ଧନ ଦହନ, ଗାଡିମଟର, କଳକାରଖାନାରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍, ଶକ୍ତି ଉତ୍ପାଦନ ପାଇଁ ଇନ୍ଧନ ଜଳାଇବା ଯୋଗୁ ବାୟୁମଣ୍ଡଳ ପ୍ରଦୁ୍ୟଷିତ । ଏହି ସବୁ କାର୍ଯ୍ୟ ବୃଦ୍ଧି ହେବା ଫଳରେ ସ୍ୱାସ୍ଥ୍ୟସମସ୍ୟା ସୃଷ୍ଟି ହେଉଛି । ସଂକ୍ରାମକ, ଅଣସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ସାରାବିଶ୍ୱରେ ଯେଉଁ କିଣା ବୋତଲପାଣି, ଠିପିବନ୍ଦ ପାନୀୟ ବୋତଲ ପାନ କରୁଛେ – ବେପାରୀମାନେ ଅଧିକଦିନ ରଖି ବିକ୍ରି କରିବାପାଇଁ କେମିକାଲ ଦେଇଦିଅନ୍ତି । ସେ ପାନୀୟସବୁ ପାଟିକୁ ମିଠା, ପେଟକୁ ବିଷ ସମାନ । ଆମେ ଖାଦ୍ୟରେ, ପାନୀୟରେ ପ୍ରତିଦିନ ବିଷପାନ କରୁଛେ । ବିଷରଭଣ୍ଡାର ଏ ବିଶ୍ୱ ନିଜର ଭବିଷ୍ୟତହୀନତାକୁ ଭେଟିବାକୁ ଯାଉଛି – ସାମ୍ନାରେ ସେଇ ମହାସନ୍ଧିକ୍ଷଣର ସୂତ୍ରପାତ ପାଇଁ କ୍ଷେତ୍ରପ୍ରସ୍ତୁତ ହୋଇସାରିଲାଣି । ଦିନେ ପୃଥିବୀର ସବୁ ବରଫପାହାଡ ତରଳିବ । ହିମାଳୟ ପାଲଟିଯିବ ଶତସିନ୍ଧୁ । ଜଳପ୍ଲାବନ ପ୍ରବାହିତ ହେବ ସଂସାରସାରା ପ୍ରଳୟପ୍ଲାବନ ମଧ୍ୟରେ ନାପତ୍ତା ହୋଇଯିବ ଦିନେ ଭାଗେ ସ୍ଥଳଭାଗର ଏଇ ସୁନ୍ଦର ପୃଥିବୀ । ବୁଡିଯିବ ବନ୍ଧୁଭରା ବସୁନ୍ଧରା । ନାଦବିନ୍ଦୁରେ ବିଲୀନ ହୋଇଯିବ ବିଶ୍ୱମଣ୍ଡଳୀୟ ବୃତ୍ତଟି ଆମର । ପୃଥିବୀ ପାତାଳୀ ହୋଇଯିବ ।
ବର୍ତ୍ତମାନ ସବୁଠୁ ଭୟଙ୍କର ବିପଦ ହେଲା ଯେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ହୋଇଯାଇପାରେ । ଇଣ୍ଟରନେଟ୍ ବନ୍ଦ ହୋଇଗଲେ, ମୋବାଇଲ୍, କମ୍ପୁ୍ୟଟର, ଲାପଟପ୍, ଅନଲାଇନ୍ ସବୁକିଛି ଠପ୍ ହୋଇଯିବ । ମୋବାଇଲ୍ ବନ୍ଦ ହେଲେ ଯୁବକଯୁବତୀମାନେ ପାଗଳ/ପାଗିଳୀ ହୋଇଯିବେ । ବ୍ୟାଙ୍କ୍ ବନ୍ଦ, ଅର୍ଥନୀତି ଠପ୍ ! ବିଶ୍ୱ ଅର୍ଥନୀତି ହେବ ବିପର୍ଯ୍ୟସ୍ତ ।
ଆଗକୁ ସୌରଝଡ ମାସମାସଧରି ଲାଗିରହିବାର ସମ୍ଭାବନା ଦେଖାଦେଲାଣି । ଆମେରିକାର ‘ନାସା’ଠାରୁ ବିଶ୍ୱର ଯେତେ ନାମଜାଦା ମାନମନ୍ଦିରରେ ବୈଜ୍ଞାନିକବର୍ଗ ଗବେଷଣାରତ ଅଛନ୍ତି – ସେମାନେ ହିଁ ଏପରି ଚୂଡାନ୍ତ ଅପ୍ରୀତିକର ଭବିଷ୍ୟବାଣୀ ଶ୍ରୁତିଗୋଚରୀଭୂତ କରାଉଛନ୍ତି ।
ନିପୀଡିତ ନିଃସ୍ୱର ନିଃଶ୍ୱାସରେ ବିଶ୍ୱ ଳଜିବାକୁ ଯାଉଛି । ଯେତେଯାହା କଲେବି ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ହତ୍ୟା କରାଯାଇପାରେନା । ବିଶ୍ୱର ସବୁଦେଶ, ଜାତିସଂଘ, ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପ୍ରମୁଖ ପ୍ରତିନିଧିମାନେ ବିଶ୍ୱର ଏ ସଂକଟକୁ ମୁକାବିଲା କରିବାପାଇଁ କୌଣସି ସୂତ୍ର ବାହାର କରିପାରୁନାହାଁନ୍ତି । ଭୋକ ଓ ରୋଗ ଦୁଇଟା ଛୋଟ ଶବ୍ଦ – ଏ ଶବ୍ଦକୁ ଲୋପ କରିବାକୁ କୌଣସି ପରମାଣୁବୋମା ସୃଷ୍ଟି ହୋଇନି । କେବଳ ଯୁଦ୍ଧପାଇଁ ମଣିଷ ମାରିବାପାଇଁ ପରମାଣୁ ବୋମା ସୃଷ୍ଟି ହୋଇଛି । ଏଇ ବିଶ୍ୱରେ ୫୦୦ ବର୍ଷ ପୂର୍ବରୁ ନଷ୍ଟ୍ରାଡମସ୍ ଅଜସ୍ର ଭବିଷ୍ୟତବାଣୀ ଶୁଣାଇଥିଲେ । ବହୁଳାଂଶରେ ତାହା ସତ୍ୟ ସାବ୍ୟସ୍ତ ହୋଇଛି । ସେଥିପାଇଁ ତାଙ୍କୁ ସାରାସଂସାର ଭବିଷ୍ୟତବାଣୀର ମହାନ୍ ସ୍ରଷ୍ଟା ଭାବରେ ମଧ୍ୟ ମାନେ । ଆମ ଭାରତରେ ଅନେକ ସାଧୁସନ୍ଥ ବାବା ଭବିଷ୍ୟବାଣୀ ଶୁଣାଇଛନ୍ତି । ଏବେ ବାବା ବେଙ୍ଗା ମଧ୍ୟ ନାନା ଭବିଷ୍ୟତବାଣୀ ଶୁଣାଉଛନ୍ତି । ମାତ୍ର ଆମ ଓଡ଼ିଶାଭୂଇଁର ନଜିର୍ ଆମେ ଏଡ଼ାଇ ଆସିଛୁ । ୬୦୦ ବର୍ଷ ପୂର୍ବେ ନେମାଳଠାରେ ମହାପୁରୁଷ ହାଡ଼ିବନ୍ଧୁ ଦାସ, ଅଚୁ୍ୟତାନନ୍ଦ ଦାସ, ଯଶୋବନ୍ତ ଦାସ ମାଳିକା ଲେଖିଯାଇଛନ୍ତି । ସେଥିପାଇଁ ଘରେ ଘରେ ହାଡ଼ିଦାସ ମାଳିକାର କଥା ଜାଣିଛନ୍ତି । ଦିନେ ମହାପ୍ରଳୟ ହେବ । ଏହା ପରେ୧୨ ଘଣ୍ଟା ବାଦ - ପୃଥିବୀ ଭୁଶୁଡ଼ିପଡ଼ିବ ବୋଲି କାଳେ ମାଳିକାରେ ଲେଖାଯାଇଛି । ବୈଜ୍ଞାନିକମାନେ ବି ଭୟଙ୍କର ଭୂମିକମ୍ପର ସୂଚନା ଦେଲେଣି । ଆମେରିକାର ‘ନାସା’ ସଂସ୍ଥା କହୁଛି - ଏଇ ୨୦୨୪-୨୫ ମଧ୍ୟରେ ଘୋର ଅନ୍ଧକାର ହେବ । ମାଳିକା ଆଗରୁ କହିଛି - ସାତଦିନ ସାତରାତି ଅନ୍ଧାର ହେବ - ସୂର୍ଯ୍ୟ ଦେଖା ଦେବେନି । ଆଉ ମାଳିକାରେ ଅଛି - ବାଇଶି ପାହାଚେ ଖେଳିବ ମୀନ । ଏ କଥା ବି ବୈଜ୍ଞାନିକମାନେ ସତର୍କ କରିଦେଲେଣି ଯେ ସମୁଦ୍ର ମାଡ଼ିଯାଇ ପୁରୀ, ବମ୍ବେ, କଲିକତା, ଚେନ୍ନାଇ ପ୍ରମୁଖ ସମୁଦ୍ରକୂଳିଆ ଅଞ୍ଚଳ ବୁଡ଼ିଯିବ । ଆଉ ଏଥିସହିତ ନୂଆନୂଆ ଅଚିହ୍ନା ଅଜଣା ରୋଗ ମାଡ଼ିଆସୁଛି – ଆଗକୁ ଲୋକେ ପୋକମାଛି ଭଳି ମରିଯିବେ । ଜଳବାୟୁ ବିଗିଡ଼ିଗଲାଣି । ମାତ୍ରାଧିକ ଶିଳ୍ପବିସ୍ତାର ଯୋଗୁ ସବୁଜବଳୟ ବିନଷ୍ଟ ହୋଇ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଅସମୟରେ ବୈଶାଖୀଝଡ଼ତୋଫାନରେ କ୍ଷଣିକେ ସବୁ ନାରଖାର । ଆଗକୁ ଭୟଙ୍କର ସମୟ ଆସୁଛି । ଏ ଜୀବ ଦିନେ ଯିବ । ବର୍ତ୍ତମାନ ସମସ୍ତେ ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହଶ୍ରଦ୍ଧା ମନରେ ଆଣି ମୋହମାୟା, ଲାଭଲୋଭ ତ୍ୟାଗ କରିବାର ସମୟ ଆସିଯାଇଛି । ବିଶ୍ୱର ବହୁଳାଂଶ ମଣିଷ ଭବିଷ୍ୟତ ବିପଦ ଆଡେ ନଜର ନଦେଇ ବର୍ତ୍ତମାନ କିଭଳି ଭଲରେ କଟାଇବେ – ସେଥିରେ ମାତିଛନ୍ତି । ଏ ମହାମାରୀ ଭୟଙ୍କର ବିପଦ ତାଙ୍କ କାନରେ ପଶୁନି କି ଆଖିକୁ ଦେଖାଯାଉନି । ଯାହା ଜଣାଯାଉଛି – ତା’ହେଲେ ଏ ପୃଥିବୀର ଜୀବଜଗତ ରୋଗ ଓ ଭୋକରେ କ’ଣ ମରିଯିବେ ? ବିଶ୍ୱର କୃତ୍ରିମ ଜୀବନଶୈଳୀ ଏ କାଳଯମକୁ ଡାକିଆଣିବ ? ଆମେ କ’ଣ ପ୍ରାକୃତିକ ଜୀବନଶୈଳୀ ଆପଣେଇ ପାରିବାନାହିଁ ? ଏ ସଂପର୍କରେ ଗଭୀର ଚିନ୍ତାଭାବନା କରିବାର ସମୟ ଉପଗତ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩