ଆଧାର ପାଇଁ ଅଧାରେ ରହିଗଲା ପାଠ ପଢା
ାା ପ୍ରଭାନୁ୍ୟଜ ।ା ଦାନଗଦୀ: ସଭିଁଏ ପଢିବେ, ସଭିଁଏ ବଢିବେ । ଅତଏବ କେହି ନୀରକ୍ଷର ରହିବେ ନାହଁ । ଏହା ହେଉଛି ସରକାରଙ୍କ ସ୍ଲୋଗାନ । ହେଲେ ସଭିଁଏ ପଢିବେ, ସଭିଁଏ ବଢିବେ ସ୍ଲୋଗାନ ଅନେକଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଛି । ବିଭିନ୍ନ କ୍ଷେତ୍ରରେ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ଶିକ୍ଷା ସଚେତନତା ମଧ୍ୟ ଅନେକ କ୍ଷେତ୍ରରେ ଫେଲ ମାରିଛି । ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ କିଛି ପିଲା ଅଧାରୁ ପାଠ ପଢା ଛାଡ଼ୁଥିବାରୁ ସରକାର ମଧ୍ୟ ଏହାକୁ ଗୁରୁତର ସହ ନେଇ ସଚେତନତା ସୃଷ୍ଟି କରୁଛନ୍ତି । ହେଲେ ଏଭଳି ସଚେତନତା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା କାରଣରୁ ଅନେକ ଅଧାରୁ ପାଠଛାଡ଼ୁଛନ୍ତି ।
ଉଦାହରଣ ଭାବେ ଦାନଗଦୀ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ଫୁଲଝର ଗାଁର ଦୀନବନ୍ଧୁ ଲାମାଏଙ୍କର ପୁଅ ରଘୁନାଥ (୧୫)କୁ ନିଆଯାଇପାରେ । ଯିଏ କି ପାଠ ପଢା ଆରମ୍ଭ କରିଥିଲେ ତାଙ୍କ ଗାଁ ଫୁଲଝର ସେବାଶ୍ରମରେ । ପ୍ରଥମରୁ ତୃତୀୟ ଶ୍ରେଣୀ ତାପରେ ଗାଁ ପାଖରେ ଥିବା ଗୋପପୁର ଗାଁରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଲେ । ଏହି ପ୍ରାଥମିକ ବିଦ୍ୟା ଗାଁ ପାଖରେ ସାରିଲା ପରେ ଷଷ୍ଠ ଶ୍ରେଣୀ ପଢିବା ପାଇଁ ପାଖରେ ଆଉ ବିଦ୍ୟାଳୟ ନଥିଲା । ଗାଁ ପାଖରେ ଥିବା ଅନ୍ୟ ବିଦ୍ୟାଳୟ ଗୁଡିକରେ ବାପା ଦୀନବନ୍ଧୁ ପୁଅକୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଯୋଗାଯୋଗ କରି ଯିବାରୁ ସେହି ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ପୁଅର ଆଧାର କାର୍ଡ ଖୋଜିଥିଲେ । ରଘୁନାଥର ଆଧାର କାର୍ଡ ନ ଥିଲା । ତେଣୁ ସେ ଆଉ ପାଠ ପଢିବା ପାଇଁ ନାମ ଲେଖାଇ ପାରିଲେ ନାହିଁ । ଅଧାରୁ ରହିଗଲା ପାଠ ପଢା । ବାପା ପୁଅର ଆଧାର ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟଳୟ ଓ କ୍ୟାମ୍ପକୁ ଯାଇ ଆଧାର ହୋଇ ପାରିଲା ନାହଁ । ତାଙ୍କୁ ଏଦିଗରେ କେହି ସାହାଯ୍ୟ କରିଲେ ନାହଁ । ଦୀନବନ୍ଧୁ ଜଣେ ଗରିବ ଆଦିବାସୀ ବର୍ଗର ଗାଉଁଲି ଲୋକ । ଶେଷରେ ପୁଅ ପାଠ ପଢା ଅଧାରେ ଡୋରୀ ବାନ୍ଧି ବାପାଙ୍କୁ କାମରେ ସାହାଯ୍ୟ କଲେ । ବାପା ମାଙ୍କୁ ଘର କାମରେ ସାହାଯ୍ୟ କରୁଛନ୍ତି ଏହି ଆଦିବାସୀ ବର୍ଗର ଛାତ୍ର ରଘୁନାଥ ।ଦୁଃଖର ସହ କୁହନ୍ତି ତାଙ୍କ ସାଙ୍ଗରେ ପାଠ ପଢ଼ୁଥିବା ବେଳେ ସେ କିନ୍ତୁ ପାଠରୁ ବଞ୍ଚିତ । ସାଙ୍ଗସାଥିମାନେ କେତେ ପାଠ ପଢି ଆଗ ଶ୍ରେଣୀକୁ ଗଲେଣି ସେ କିନ୍ତୁ ପଢି ପାରୁନାହାନ୍ତି । ତାଙ୍କୁ ସୁଯୋଗ ମିଳିଲେ ସେ ପାଠ ପଢ଼ନ୍ତେ ବୋଲି କୁହନ୍ତି । ସବୁ ପିଲା କିପରି ପାଠ ପଢିବେ ଅଧାରୁ ପାଠ ଛାଡ଼ିବେ ନାହଁ ସେଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଘର ଘର ବୁଲି ସର୍ଭେ କରାଯାଉଛି ।
ଦାନଗଦୀ ବ୍ଲକରେ ଶିକ୍ଷା ସଚେତନତା କରିବା ପାଇଁ ଏକ ଏନଜିଓ ପ୍ରତି ପଞ୍ଚାୟତରେ ଦରମା ଦେଇ କର୍ମଚାରୀ ନିଯୁକ୍ତି କରିଛନ୍ତି । ଏସବୁ କାମ ତଦାରଖ କରିବା ପାଇଁ ଥିବା କର୍ମଚାରୀ ଖାଲି ଘରେ ବସି ରିପୋର୍ଟ କରୁଥିବା ଜଣା ପଡୁଛି । ଖାଲି କାଗଜ କଲମରେ ଡ୍ରପ ଆଉଟ ରୋକା ଯାଉଥିବା ଜଣାପଡୁଛି । ସରକାରୀ ଶିକ୍ଷକ ଓ ଏହି ଏନଜିଓ ମାନଙ୍କ ଅବହେଳା ପାଇଁ ଆଜି ଜଣେ ଆଦିବାସୀ ଛାତ୍ରର ଭବିଷ୍ୟତ ଅନ୍ଧାର ହୋଇଗଲା । ଗାଁ ରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ହେଉଛି ତେବେ ଏ ଆଦିବାସୀ ଛାତ୍ର ରଘୁନାଥ ସେମାନଙ୍କ ଦୃଷ୍ଟିକୁ କିପରି ଆସିଲା ନାହିଁ କିପରି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଶିକ୍ଷା ଅଧିକାରୀ ଓ ବେସରକାରୀ ସଂସ୍ଥାର ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଲେ ଗ୍ରାମାଞ୍ଚଳରେ ଥିବା ସମସ୍ତ ଗରିବ ପିଲା ମାନେ ପାଠ ପଢିପାରନ୍ତେ ବୋଲି ବୁଦ୍ଧିଜୀବୀ ଦାବି କରୁଛନ୍ତି ।