ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଆହତ 

 ବ୍ରହ୍ମବରଦା: ଏହି ଥାନା ଅନ୍ତର୍ଗତ ବ୍ରହ୍ମବରଦା ସରକାରୀ ହାଜିରହିମିଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ମାଡରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ୧୯/୨୫ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଛାତ୍ରକୁ ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଅଭିଯୋଗ ମତେ ବ୍ରହ୍ମବରଦା ଗ୍ରାମର ସେକ ମକସୁଦଙ୍କ ପୁଅ(୧୩) ହାଜିରହିମିଆଁ ହାଇସ୍କୁଲ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ବୁଧବାର ବିଦ୍ୟାଳୟ ପରିସରରେ କୌଣସି କାରଣରୁ ସହପାଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ସହପାଠୀ ଜଣକ ଉକ୍ତ ଛାତ୍ରଙ୍କୁ ଚପଲ ଫିଙ୍ଗିବାରୁ ଛାତ୍ର ଜଣକ କାନମୁଣ୍ଡରେ ବାଜି ଫୁଲି ଯାଇଥିଲା । ଏଥିରେ ଛାତ୍ର ଜଣକ ମଧ୍ୟ ତାର ସହପାଠୀକୁ ଏକ ଇଟା ଫିଙ୍ଗିଥିଲା । ଫଳରେ ଇଟାଟି ସହପାଠୀର ମୁଣ୍ଡରେ ବାଜିଥିଲା ଓ ସେ ଚେତାଶୁନ୍ୟ ହୋଇ ଯାଇଥିଲା । ଉକ୍ତ ଘଟଣାରେ ହାଜିରହିମିଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବିଶ୍ୱାଳ ଉଭୟ ପରିବାରର ମୁରବିଙ୍କୁ ଡକାଇ ଆହତ ଛାତ୍ରକୁ ମେଡିକାଲ ନେଇଯିବା ପାଇଁ କହିଥିଲେ । ପରିବାର ଲୋକେ ତୁରନ୍ତ ଆହତ ଛାତ୍ରକୁ ପ୍ରଥମେ ଯାଜପୁର ଓ ପରେ କଟକ ଅଶ୍ୱିନୀ ମେଡିକାଲକୁ ନେଇ ଚିକିତ୍ସିତ କରାଇଥିଲେ । କିନ୍ତୁ ଆହତ ଛାତ୍ର ସହିତ ବିଦ୍ୟାଳୟର କୌଣସି କର୍ମଚାରୀ ମେଡିକାଲକୁ ଯାଇନଥିଲେ କି ତା ବିଷୟରେ କିଛିବି ଜାଣିବାକୁ ଚେଷ୍ଟା କରିନଥିଲେ । ଉକ୍ତ ଘଟଣା ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଟା ଫିଙ୍ଗିଥିବା ଛାତ୍ରକୁ ନିସ୍ତୁକ ମାଡମାରି ପିଠିରେ ନୋଳା ବସାଇ ଦେଇଥିଲେ । ପ୍ରଧାନ ଶିକ୍ଷକଙ୍କ ଠାରୁ ମାଡାଖାଇ ଛାତ୍ର ଜଣକ ଆହତ ହୋଇ ପ୍ରବଳ ବାନ୍ତି କରିଥିଲେ । ତାକୁ ମଧ୍ୟ ପରିବାର ଲୋକେ ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଥିଲେ । ତା ସହିତ ତାର ମାଆ ଫରିଦା ଖାତୁନଙ୍କୁ ମଧ୍ୟ ପ୍ରଧାନ ଶିକ୍ଷକ ବହୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ସମ୍ପୃକ୍ତ ଛାତ୍ରଙ୍କ ମାଆ ଆଜି ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରଶ୍ନ ଉଠୁଛି ସରକାର ବିଦ୍ୟାଳୟ ମାନଙ୍କୁ ଦଣ୍ଡ ମୁକ୍ତ ଅଂଚଳ ବୋଲି ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ ଉକ୍ତ ଛାତ୍ର ଜଣଙ୍କୁ ଏମିତି ନୃସଂଶ ଭାବରେ କାହିଁକି ଓ କାହା ସାହାସରେ ମାରିଲେ ତାହା ଆଲୋଡନ ସୃଷ୍ଟି କରିଛି । ଏନେଇ ଯାଜପୁର ଜିଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକଙ୍କୁ ପଚାରିବାରୁ ସେ ନୂଆ କରି ଯୋଗ ଦେଇଛନ୍ତି ଏବିଷୟରେ ଅବଗତ ନଥିବା କହିଥିଲେ ।