ହିନ୍ଦୁ ଧର୍ମରେ ଶଙ୍ଖର ମାହାତ୍ମ୍ୟ

ହିନ୍ଦୁ ଧର୍ମରେ ଶଙ୍ଖର ମାହାତ୍ମ୍ୟ ଅନେକ । ଏଥିରୁ ନିସୃତ ଧ୍ୱନୀ ମାନସିକ ଶାନ୍ତି ପ୍ରଦାନ କରିବା ସହ ଗୃହରୁ ନକରାତ୍ମକ ଉର୍ଜ୍ଜା ନାଶ କରିଥାଏ । ଏହାର କେବଳ ଧାର୍ମିକ ମାନ୍ୟତା ନାହିଁ ବରଂ ବିଜ୍ଞାନସମ୍ମତ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବ ସେ ସମ୍ପର୍କରେ .......
ହିନ୍ଦୁଧର୍ମରେ ଶଙ୍ଖକୁ ପବିତ୍ର ବୋଲି ବିବେଚନା କରାଯାଇଛି । ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କର ଖୁବ୍ ପ୍ରିୟ । ତେଣୁ କୁହାଯାଏ ଯେଉଁଘରେ ଶଙ୍ଖ ଥାଏ ଭଗବାନ ବିଷ୍ଣୁ ସେଠାରେ ବାସ କରନ୍ତି ଓ ମା’ ଲକ୍ଷ୍ମୀ ସେଠାରେ ହିଁ ବିରାଜମାନ କରନ୍ତି । ଶଙ୍ଖରୁ ନିସୃତ ଧ୍ୱନୀ ମାନସିକ ଶାନ୍ତି ପ୍ରଦାନ କରିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ନଷ୍ଟ ହୋଇଯାଏ ।
ବିଷ୍ଣୁ ପୁରାଣ ଅନୁସାରେ ଶଙ୍ଖର ଉତ୍ପତ୍ତି ସମୁଦ୍ର ମନ୍ଥନରୁ ହୋଇଛି । ସମୁଦ୍ର ମନ୍ଥନ ସମୟରେ ମିଳିଥିବା ୧୪ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ । ମା’ ଲକ୍ଷ୍ମୀ ହେଉଛନ୍ତି ସମୁଦ୍ର ରାଜାଙ୍କ ପୁତ୍ରୀ । ସେଥିପାଇଁ ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି ବି କୁହାଯାଏ । ଶଙ୍ଖ ବିଜୟ, ଯଶ ଓ କିର୍ତ୍ତୀର ପ୍ରତିନିଧିତ୍ୱ କରିଥାଏ ।
ଶଙ୍ଖର ମହତ୍ତ୍ୱ: ସୁଖ-ସମୃଦ୍ଧି ଓ ସୌଭାଗ୍ୟକୁ ବୃଦ୍ଧି କରିଥାଏ ଶଙ୍ଖ । ଯାହାକୁ ଭାରତୀୟ ସଂସ୍କୃତିର ଚିହ୍ନ ଭାବେ ଗ୍ରହଣ କରାଯାଇଛି । ସମସ୍ତ ବୈଦିକ କାର୍ଯ୍ୟରେ ଏହାର ବିଶେଷ ସ୍ଥାନ ରହିଛି । ଏହାକୁ ଭଗବାନ ବିଷ୍ଣୁଙ୍ଖ ଆୟୁଧ ବୋଲି କୁହାଯାଏ ।
ଶଙ୍ଖର ପ୍ରକାର : ଶଙ୍ଖ ବିଭିନ୍ନ ପ୍ରକାରର ରହିଛି । ୧- ଗଣେଶ, ଶଙ୍ଖ, ଦକ୍ଷିଣାବର୍ତ୍ତୀ ଶଙ୍ଖ, କୌରୀ ଶଙ୍ଖ, କାମଧେନୁ, ବାମାବର୍ତ୍ତୀ ଶଙ୍ଖ, ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ, ମୋତି ଶଙ୍ଖ,ମହାଲକ୍ଷ୍ମୀ ଶଙ୍ଖ ଆଦି । ତେବେ ବାମାବର୍ତ୍ତୀ ଓ ଦକ୍ଷିଣାବର୍ତ୍ତୀ ଶଙ୍ଖର ମହତ୍ୱ ଅଧିକ ରହିଛି ।
ଧର୍ମରେ, ବିଜ୍ଞାନରେ ଶଙ୍ଖ: ଯେକୌଣସି ଧାର୍ମିକ ଅନୁଷ୍ଠାନର ପ୍ରାରମ୍ଭରେ ଶଙ୍ଖ ବଜାଯାଏ । ଶଙ୍ଖର ଜଳକୁ ପବିତ୍ର ବୋଲି ମଧ୍ୟ କୁହାଯାଏ । ବିଭିନ୍ନ ବୈଜ୍ଞାନିକ ଗବେଷଣା ଅନୁସାରେ ଶଙ୍ଖର ଧ୍ୱନୀ ଯେଉଁ ପର୍ଯ୍ୟନ୍ତ ପହଁଞ୍ଚେ ସେହି ବାତାବରଣରେ ରହୁଥିବା ସବୁ ହାନିକାରକ କୀଟାଣୁ ବି ନଷ୍ଟ ହୋଇଯାଆନ୍ତି । ପ୍ରତ୍ୟେକ ଦିନ ଶଙ୍ଖ ବଜାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ଏହା ଫୁସଫୁସକୁ ଶକ୍ତିଶାଳୀ କରିଥାଏ । ଶଙ୍ଖରେ କ୍ୟାଲସିୟମ, ଫସଫରସ୍ ଓ ଗନ୍ଧକ ଗୁଣ ରହିଛି । ତେଣୁ ଏହାର ଜଳକୁ ପିଇଲେ ହାଡ ଶକ୍ତ ହେବା ସହ ଦାନ୍ତ ମଧ୍ୟ ସୁସ୍ଥ ରହିଥାଏ ।